ହେଡଲାଇନସ୍:

ନିରଂଜନ ମୁଣ୍ଡରେ ପିସିସି ମକୁଟ, ତେଣେ ବଦ୍ରିଙ୍କ ଚିନ୍ତା ଉତ୍କଟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗରମ ହେଉଛି କେନ୍ଦୁଝର ରାଜନୀତି 

16-04-18-nira.jpg - 46.17 kB

କେନ୍ଦୁଝର (ଜିତେନ୍ଦ୍ର ସାହୁ): ଗତ କିଛି ଦିନ ମଧ୍ୟରେ ରାଜନୈତିକ ପାଣିପାଗରେ କିଛିଟା ପରିବର୍ତ୍ତନ  ରାଜ୍ୟ ରାଜନୀତିକୁ ଯେତିକ ସରଗରମ କରିଛି ତାହାକୁ ନେଇ କେନ୍ଦୁଝର ଜିଲା ରାଜନୀତି ମଧ୍ୟ କିଛି କମ ସରଗରମ ହୋଇନାହିଁ । ଗତ ସ୍ୱଳ୍ପ ଦିନ ମଧ୍ୟରେ ରାଜ୍ୟ ରାଜନୀତି କ୍ଷେତ୍ରରେ ଘଟିଥିବା ଦୁଇଟି ବଡ଼ ଘଟଣାକ୍ରମ ହେଉଛି ଗୋଟିଏ ସୌମ୍ୟ ରଂଜନ ବିଜେଡିରେ ସାମିଲ ହୋଇ ଶଙ୍ଖ ଫୁଙ୍କିବା ଓ ଅନ୍ୟଟି ନିରଂଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସର ପିସିସି ସଭାପତି ମୁକୁଟ ପିନ୍ଧିବା । ଏହି ଦୁଇଟି ଘଟଣା ପରେ ରାଜନୀତି ବିଶାରଦ  ଏବେ ରାଜ୍ୟ ରାଜନୀତିରେ ବହୁ ସମୀକରଣ ଓ ସମ୍ଭାବନା ଥିବା କହୁଛନ୍ତି । ତେବେ ରାଜ୍ୟ ରାଜନୀତିରେ ଯେତିକି ସମ୍ଭାବନା ଜିଲା ରାଜନୀତି ସମୀକରଣ ବଦଳିବା ନେଇ ମଧ୍ୟ ବହୁ ସମ୍ଭାବନା ସୃଷ୍ଟି ହୋଇଛି । ସୌମ୍ୟ ବିଜେଡିରେ ମିଶିବା ପରେ କେନ୍ଦୁଝର ଜିଲାରେ ବିଜେଡିର ସର୍ବେସର୍ବା ବୋଲାଉଥିବା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ କ୍ୟାମ୍ପରେ କିଛିଟା ଛନକା ପଶିଥିଲା । ଦଳୀୟ ଦୃଷ୍ଟି କୋଣରୁ ବିଜେଡି ସିନା ସୌମ୍ୟଙ୍କୁ ପାଇ ଖୁସିରେ ଗଦଗଦ ହେଉଥିଲା, କିନ୍ତୁ କେନ୍ଦୁଝର ଜିଲାରେ ବିଜେଡିର ମନ୍ତ୍ରୀ କ୍ୟାମ୍ପ ଆଶଙ୍କାରେ ବୁଡ଼ିଥିଲେ । ସୌମ୍ୟ ବିଜେଡିରେ ମିଶିଲେ ସତ କିନ୍ତୁ ଏହା ମଧ୍ୟ ସତ୍ୟକି ତାଙ୍କ ଭାଇ ନିରଂଜନ ପଟ୍ଟନାୟକଙ୍କ ପ୍ରତିଦ୍ୱନ୍ଦୀ ହେଉଛନ୍ତି ଜିଲାର ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ସେହିଦୃଷ୍ଟି କୋଣରୁ ଭାଇଙ୍କ ପ୍ରତି ଥିବା ଦୁର୍ବଳତା ତଥା ନିଜ ଜନ୍ମ ମାଟି ପାଇଁ  ଭବିଷ୍ୟତରେ ଜିଲାରେ ବିଜେଡି ସମୀକରଣରେ କିଛି ପରିବର୍ତନ ପାଇଁ ହାଇକମାଣ୍ଡଙ୍କ ଉପରେ ଚାପ ପକାଇବାରେ  କାଳେ ସୌମ୍ୟ ସଫଳ ହେବେ ସେଇ ଆଶଙ୍କାରେ ଦିନ କାଟୁଥିଲେ ବଦ୍ରିକ୍ୟାମ୍ପ । ତେବେ ଏହି ଆଶଙ୍କାର ଅବସାନ ନଘଟୁଣୁ ଏବେ ସୋମ୍ୟଙ୍କ ଭାଇ ପିସିସି ସଭାପତି ମୁକୁଟ ପିନ୍ଧିବା ବଦ୍ରିକ୍ୟାମ୍ପକୁ ଆହୁରି ଚିନ୍ତିତ କରିଛି । କୁହାଯାଏ ରାଜନୀତିରେ କିଛି ବି ସମ୍ଭବ । ସେହି ନ୍ୟାୟରେ ବିଜେଡି ପାଇଁ ଏବେ ରାଜ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦୀ ହେଉଛି ବିଜେପି । ସେପଟେ କଂଗ୍ରେସ ବିଜେପିକୁ ଚେକ୍ ଦେବା ପାଇଁ ସମଗ୍ର ଦେଶରେ ଆଂଚଳିକ ଦଳ କରୁଛି । ତାହାର ପ୍ରଭାବ ବି ଓଡିଶା ରାଜନୀତିରେ ନପଡିବ ବୋଲି କହିବା କିଛି ଅସମ୍ଭବ ନୁହେ  |ଯଦି କିଛି ବି ବୁଝାମଣା ହୁଏ ତାହେଲେ ସବୁଠାରୁ ରୋଚକ ହେବ କେନ୍ଦୁଝର ଜିଲା ରାଜନୀତି । କାରଣ ପିସିସି ସଭାପତିଙ୍କ ନିର୍ବାଚନ ମଣ୍ଡଳୀ ହେଉଛି ଘସିପୁରା । ଯେଉଁଠାରୁ ନିର୍ବାଚିତ ହୋଇ ଏବେ ବଦ୍ରି ନାରାୟଣ ପାତ୍ର ମନ୍ତ୍ରୀ ଗାଦିରେ ବସିଛନ୍ତି । ତେବେ ଯଦି ମେଣ୍ଟ ସମ୍ଭାବନା ହୁଏ ତେବେ ଘସିପୁରା ଆସନ କଂଗ୍ରେସ ହାତକୁ ଯିବା ଏକ ପ୍ରକାର ନିଶ୍ଚିତ ବୋଲି ରାଜନୈତିକପଣ୍ଡିତ ମାନେ ଆକଳନ କରୁଛନ୍ତି । କାରଣ ସେତେବେଳେ ବିଜେଡିରେ ନିଜ ପତିଆରା ବୃଦ୍ଧି କରିସାରିଥିବା ସୌମ୍ୟ ମଧ୍ୟ ନିଜ ଭାଇ ନିରଂଜନଙ୍କ ପାଇଁ ସେହି ଆସନଟିକୁ କଂଗ୍ରେସକୁ ଦେବା ଲବି କରିବାର ସମ୍ଭାବନା ଯଥେଷ୍ଟ ରହିଛି । ଏହାଦ୍ୱାରା ପଟ୍ଟନାୟକ ପରିବାର ନିଜ ଜନ୍ମ ମାଟିରେ ରାଜନୈତିକ ପତିଆରା ଢେର ବୃଦ୍ଧି କରିବାରେ ସଫଳ ହେବେ । ଅବଶ୍ୟ ଯଦି ସେଭଳି କିଛି ଘଟଣା ଘଟେ ତେବେ ସବୁଠାରୁ କ୍ଷତିରେ ପ ଡ଼ିବେ ବଦ୍ରି କ୍ୟାମ୍ପ । ଅନ୍ୟ ପକ୍ଷରେ ଯଦି ବିଜେଡି ବିଜେଡି କଂଗ୍ରେସ ମଧ୍ୟରେ କିଛି ବି ବୁଝାମଣା ନହୁଏ ତଥାପି ତଥାପି ପିସିସି ସଭାପତି ନିରଞ୍ଜନ ବାବୁ ଘସୀପୁରାରୁ ଲଢ଼ିବା ବର୍ତ୍ତମାନ ସ୍ଥିତିରେ ଏକ ପ୍ରକାର ନିଶ୍ଚିତ | ଅନ୍ୟପକ୍ଷରେ ବଦ୍ରୀଙ୍କ ପ୍ରତି ବିଜେଡି ସଭାପତି ସନ୍ତୁଷ୍ଟ ନଥିବା ଜଣାପଡୁଛି | ମନ୍ତ୍ରୀ ପରିବାରର ବିଗତ  କିଛି ଦିନର କାର୍ଯ୍ୟଜକଳାପ ବିଜେଡ଼ିକୁ  ବଦନାମ କରିଛି | ମନ୍ତ୍ରୀଙ୍କ ପରିବାର ତଥା ସମର୍ଥକଙ୍କ ଦ୍ୱାରା ଭିଆ ଯାଉଥିବା ହିଂସା ଓ ଆତଙ୍କ ରାଜ ( ଯାହା ନବୀନଙ୍କ ପାଖରେ ଖବର ପହଂଚିଛି)ରେ ନବୀନ କ୍ଷୁବ୍ଧ | ତେଣୁ ଆସନ୍ତା ନିର୍ବାଚନ ବେଳେ ହୁଏତ ମନ୍ତ୍ରୀଙ୍କ ପରିବାର ନବୀନଙ୍କ ରୋଷର ଶିକାର ହୋଇ ପାରନ୍ତି |  ହେଲେ ସେ ଯାହା ବି ହେଉ, ଓଡିଶା ରାଜନୀତିରେ ଏହି ଦୁଇଟି ଘଟଣାକ୍ରମ କାହା ପାଇଁ କଣ ହେଉ କି ନାହିଁ କେନ୍ଦୁଝର ଜିଲା ରାଜନୀତିକୁ ଏହା ସରଗରମ କରିବା ସହ ଜିଲାର ବିଜେଡି ସର୍ବେସର୍ବା ବଦ୍ରିଙ୍କୁ ଚିନ୍ତାରେ ପକାଇଛି ।

0
0
0
s2sdefault