ହେଡଲାଇନସ୍:

ଗ୍ରାମ ସ୍ୱରାଜ ଯୋଜନାର କାର୍ଯ୍ୟକାରିତା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟସରକାରଙ୍କ ଅସହଯୋଗ କାରଣରୁ ମୋଦୀ ସରକାରଙ୍କ ଜନକଲ୍ୟାଣ ଯୋଜନାର ସଚେତନତା ବାର୍ତା ସାଧାରଣ ଜନତାଙ୍କ ପାଖରେ ପହଂଚି ପାରୁନାହିଁ : ବିଜେପି

 

ଭୁବନେଶ୍ୱର : କେନ୍ଦ୍ରସରକାର ଏପ୍ରିଲ ୧୪ ତାରିଖରୁ ମେ ୫ ତାରିଖ ପର୍ଯ୍ୟନ୍ତ ଗ୍ରାମ ସ୍ୱରାଜ ଅଭିଯାନ ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣ ଯୋଜନା ପ୍ରତ୍ୟେକ ଗ୍ରାମପଂଚାୟତରେ ପହଂଚାଇବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛନ୍ତି । ଏହି ଅଭିଯାନ ଦ୍ୱାରା କୃଷକର ଆୟକୁ ଦି୍ୱଗୁଣିତ କରିବା, ପ୍ରତ୍ୟେକ ଘର ବିଜୁଳି ପହଂଚାଇବା, ପ୍ରତ୍ୟେକ ଶିଶୁଙ୍କୁ ଟିକାକରଣ କରିବା, କୃଷକ କଲ୍ୟାଣ ଯୋଜନା ମାଧ୍ୟମରେ କୃଷି ବୀମା ଚାଷୀଙ୍କ ପାଖରେ ପହଂଚାଇବା, ପ୍ରତ୍ୟେକ ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲିବା ସହ ଜୀବନ ବୀମା କରାଇବା, ମହିଳା ଓ ଯୁବକମାନଙ୍କୁ ନେଇ କୌଶଳ ବିକାଶ ମେଳା ଆୟୋଜନ କରିବା ସହ କେନ୍ଦ୍ରସରକାରଙ୍କ ସମସ୍ତ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବାର ନିଷ୍ଫତି ନିଆଯାଇଛି । ଏଥି ସହ ସାଧାରଣ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର କରିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ରାଜ୍ୟସରକାରଙ୍କ ବୈମାତୃକ ମନୋଭାବ ଏବଂ ଅସହଯୋଗ କାରଣରୁ ସାରା ଦେଶରେ ଏହି ଅଭିଯାନ ଅନ୍ତର୍ଗତ ଗତ ଦୁଇଟି ଦିବସ ପାଳନ ହୋଇଥିଲେ ମଧ୍ୟ ରାଜ୍ୟବାସୀଙ୍କ ପାଖରେ କୌଣସି ସଚେତନତା ବାର୍ତା ପହଂଚି ପାରିନାହିଁ । ଏଥି ସହ କେନ୍ଦ୍ରସରକାରଙ୍କ ଯୋଜନା ସଂପର୍କିତ ତଥ୍ୟ ସାଧାରଣ ଲୋକଟିଏ ପାଇବାରୁ ବଂଚିତ ହୋଇଛି । ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ବିରୋଧ କରିବା ସହ ଆଗାମୀ ଦିନର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରାଇବା ପାଇଁ ବିଜେପି ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧୀଦଳ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟି ଦାବୀ ଜଣାଇଛନ୍ତି । 

ଗତ ୧୪ ତାରିଖରେ ଡ. ଆମ୍ବେଦକର ଜୟନ୍ତୀ ଅବସରରେ ଦଳିତ ମାନଙ୍କର ବିକାଶ ପାଇଁ ହୋଇଥିବା ବିଭିନ୍ନ ଯୋଜନା ଉପରେ ପ୍ରାଧାନ୍ୟ ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ କାର୍ଯ୍ୟକ୍ଷମ କଲେନାହିଁ । ସେହିପରି ଗତ ୧୮ ତାରିଖ ଦିନ ସ୍ୱଚ୍ଛ ଭାରତ ପର୍ବ ପାଳନ କରାଯାଇ ସମସ୍ତ ଗ୍ରାମପଂଚାୟତରେ ସ୍ୱଚ୍ଛତା ଓ ପରିମଳ ଉପରେ ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ରାଜ୍ୟ ସରକାର କରାଇଦେଲେ ନାହିଁ । 

୨୦ ଏପ୍ରିଲରେ ଉଜ୍ୱଳା ପଂଚାୟତ, ୨୪ରେ ପଂଚାୟତିରାଜ ଦିବସ, ୨୮ରେ ଗ୍ରାମ ଶକ୍ତି ଅଭିଯାନ,  ଏପ୍ରିଲ ୩୦ରେ  ଆୟୁଷ୍ମାନ ଭାରତ ଅଭିଯାନ, ମଇ ୨ରେ  କିସାନ କଲ୍ୟାଣ କର୍ମଶାଳା ଓ ମଇ ୫ରେ ଜୀବନ ଜୀବିକା ଓ ଦକ୍ଷତା  ବିକାଶ ମେଳା ଆୟୋଜନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସଂଘୀୟ ବ୍ୟବସ୍ଥାରେ ଗାଇଡ ଲାଇନ ରହିଥିବା କାରଣରୁ ଏହାକୁ ପାଳନ କରିବାକୁ ଏହି ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାବି କରିଛି । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଏବଂ ଜନପ୍ରତିନିଧୀମାନେ ମୋଦୀ ସରକାରଙ୍କ ଏହି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ସାଧାରଣ ଜନତାଙ୍କ ପାଖରେ ପଂହଚାଇବା ଆବଶ୍ୟକ । ବୈଦ୍ୟୁତିକ ଓ ପ୍ରିଂଟ ଗଣମାଧ୍ୟମମାନେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ  ରହିଛି । ଏହି ପ୍ରତିନିଧୀଦଳରେ ଶ୍ରୀ ସିଂହଦେଓଙ୍କ ସମେତ ବିଜେପି ବିଧାୟକ ନିତେଶ ଗଙ୍ଗଦେବ, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର ପ୍ରମୁଖ ସାମିଲ ଥିଲେ । 

0
0
0
s2sdefault