"ଖବର ପ୍ରକାଶନରେ ସେ କାହା ସହିତ କେବେ ସାଲିସ୍ କରିବାର ମୁଁ ଦେଖିନାହିଁ । ତାହା ଧାନର ଅଭାବୀ ବିକ୍ରୀ କଥା ହେଉ କି ବରଗଡ଼ ଜିଲ୍ଳାରେ ଘୁଡ଼ୁଘୁଡ଼ୁ ପଟ୍ଟି କଥା ହେଉ, ଶ୍ରମିକ ମାନଙ୍କର ହକ୍ ଓ ଅଧିକାରର କଥା ହେଉ କି ଶୋଷଣ, ଅତ୍ୟାଚାର କଥା ହେଉ, ଚାଷୀ ଆତ୍ମହତ୍ୟା କଥା ହେଉ କିି ଗନ୍ଧମାର୍ଦ୍ଦନ ପର୍ବତରେ ଖଣିଖନନ ପ୍ରସଙ୍ଗ ହେଉ କେବେ କୌଣସି ଖବର କୁ ଚପାଇ ଦେବାର ନଜିର ନାହିଁ ।"
ଉମେଶ ଚନ୍ଦ୍ର ବିଶ୍ୱାଳ
ଦେଖୁ ଦେଖୁ ଦୁଇ ବର୍ଷ ବିତିଗଲା । ସେଦିନର କଥା ମୋର ଆଜି ବି ମନେ ଅଛି । ସେଦିନ ଥିଲା ଜୁଲାଇ ୧ ତାରିଖ । କିଛି ସାମ୍ବାଦିକ ବନ୍ଧୁମାନଙ୍କ ସହିତ ସକାଳୁ ଏକ ଖବର ସଂଗ୍ରହ କରିବାପାଇଁ ନୃସିଂହନାଥ ଯାଇଥିଲୁ । ସେଠାରେ କାମ ସାରି ଘରକୁ ଫେରିବା ବେଳକୁ ରାତି ନଅଟା ପାଖାପାଖି ହୋଇଯାଇଥାଏ । ବାଥ୍ରୁମ୍ରୁ ବାହାରିବା ବେଳକୁ ମୋବାଇଲ୍ ଫୋନ୍ କୁ ଗଣଇସ୍ତାହାରର ସମ୍ପାଦକ ପ୍ରସନ୍ନ ମିଶ୍ର ଦାଦାଙ୍କ କଲ୍ ଆସିଲା "ଆଜ୍ଞା ଆଉ ନାଇଁନ... ତୁମେ ଜଲ୍ଦି ଅଫିସ୍ କେ ଆସ' । ଶୋସିଆଲ ମିଡ଼ିଆରେ ତୁରନ୍ତ ଏହି ସୂଚନା ଟି ଦେଇ ସିଧା ଗଣଇସ୍ତାହାର ଅଫିସ୍ ପହଂଚିଲି । ଅଫିସ୍ ବାରଣ୍ଡାରେ ଅନ୍ତିମ ଶଯ୍ୟାରେ ଥିଲେ ମୋର ପ୍ରିୟ ଗୁରୁଜୀ ପାଟଯୋଷୀ ଆଜ୍ଞା । ପାଖରେ ବାହୁନି ବାହୁନି କାନ୍ଦୁଥିଲେ ପଚାଶ ବର୍ଷରୁ ଅଧିକ ସମୟ ଏକାଠି ବିତାଇଥିବା ତାଙ୍କର ଅନ୍ତରଙ୍ଗ ସାଥି କମ୍ରେଡ଼ ରମେଶ ଗୁରୁ । ମୃତ୍ୟୁ ଶଯ୍ୟା ନିକଟରେ ଗଣଇସ୍ତାହାର ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ । ଖବର ପାଇ ଜଣେ ପରେ ଜଣେ ପହଂଚୁଥାନ୍ତି । ସାରା ଜୀବନ ଅସହାୟ ଲୋକଙ୍କ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା ଶିତିବାବୁ ଶୋଇ ଯାଇଥାନ୍ତି ଚିରନିଦ୍ରାରେ ।
ଶିତିକଣ୍ଠ ଆଜ୍ଞାଙ୍କ ସହ ମୋର ସଂପର୍କ ପ୍ରାୟ କୋଡ଼ିଏ ବର୍ଷ ହେବ । ତାଙ୍କର ସାନ୍ନିଧ୍ୟ ପାଇଛି । ଏକାଠି କାମ କରିବାର ସୁଯୋଗ ମିଳିଛି । ତାଙ୍କ ସହିତ ବିତାଇଥିବା ଦିନ ଗୁଡ଼ିକ ମୋ ପାଇଁ ସ୍ମୃତି ରେ ସତେଜ ହୋଇରହିଛି । ୧୯୯୭- ୯୮ ମସିହା ବେଳକୁ ମୁଁ ନୂଆଁ ନୂଆଁ ବରଗଡ଼କୁ ଓକିଲାତି କରିବାକୁ ଆସୁଥାଏଁ । ସେହି ବର୍ଷ ଆମ ଗାଁର ଯୁବକମାନେ ମିଶି ଗାଁରେ ପ୍ରଥମ କରି ନୂଆଁଖାଇ ଭେଟ୍ ର ଆୟୋଜନ କରିଥିଲୁ । ଦୁଇଦିନ ପରେ ସେହି ସମ୍ବାଦଟି ଦେବା ପାଇଁ ବରଗଡ଼ ମହାନ୍ତିପଡ଼ାରେ ଥିବା ଗଣଇସ୍ତାହାର ଅଫିସ୍ କୁ ଆସିଥିବା ବେଳେ ପାଟଯୋଷୀ ଆଜ୍ଞାଙ୍କ ସହିତ ପ୍ରଥମେ କଥାବାର୍ତା ହେବାର ସୁଯୋଗ ମିଳିଥିଲା । ତା ପରଠୁ ଆମ ଗାଁର ଏବଂ ଆଖପାଖ ଅଂଚଳର ବିଭିନ୍ନ ଛୋଟ ବଡ଼ ଖବର ନେଇ ଗଣଇସ୍ତାହାରରେ ରୀତିମତ ଦେବାବେଳେ ତାଙ୍କ ସହିତ ଘନିଷ୍ଠତା ବଢିଲା । ପ୍ରତିଥର ଅଫିସ୍ କୁ ଆସିବା ବେଳେ ବେଶ୍ ଆତ୍ମୀୟତାର ସହିତ କଥା ହୁଅନ୍ତି । ଗ୍ରାମାଂଚଳରୁ ପୋଷ୍ଟକାର୍ଡ଼ରେ ଆସୁଥିବା ଛୋଟ ଛୋଟ ଖବର ଗୁଡ଼ିକୁ ସଂପାଦନା କରିବା ପାଇଁ ମତେ ଦେଉଥିଲେ । ଏହି ପ୍ରକ୍ରିୟା ଭିତରେ ଧିରେ ଧିରେ ସାମ୍ବାଦିକତା ପ୍ରତି ଋୁଚି ବଢିବାରେ ଲାଗିଲା ଏବଂ ମୋ ଅଜାଣତରେ ଜଣେ ଛୋଟିଆ ସାମ୍ବାଦିକ ପାଲଟିଯାଇଥିଲି । ଦୁଇ ହଜାର ମସିହାରେ ବରଗଡ଼ ଜିଲ୍ଳା ଓକିଲ ସଂଘର ଆମେ ଚାରିଜଣ ସଦସ୍ୟ ମିଶି ସ୍ୱୟଂ ସଂପୂର୍ଣ୍ଣ ପଶ୍ଚିମ ଓଡ଼ିଶା ବିକାଶ ଗଠନ ଦାବିରେ ୧୩ ଦିନ ପର୍ୟ୍ୟନ୍ତ ବିଭିନ୍ନ ଜିଲ୍ଳା ସାଇକେଲ ଯାତ୍ରା କରି ବରଗଡ଼କୁ ଫେରିବା ଦିନ କଳାପାଣି କଲେଜ ଆଗରେ ଆମକୁ ସ୍ୱାଗତ କରିବା କରିବା ପାଇଁ ଆସିଥିବା ବରଗଡ଼ ଓକିଲ ସଂଘର କର୍ମକର୍ତାଙ୍କ ସହିତ ପାଟଯୋଷୀବାବୁଙ୍କୁ ଦେଖି ମତେ ବହୁତ ଖୁସି ଲାଗିଥିଲା । ଅପରାହ୍ନରେ ବରଗଡ଼ ଓକିଲ ସଂଘ ପକ୍ଷରୁ ହୋଇଥିବା ସମ୍ବର୍ଦ୍ଧନା ସଭାରେ ଶେଷ ଯାଏ ଉପସ୍ଥିତ ରହି ଆଗ୍ରହର ସହିତ ଆମ ସାଇକେଲ ଯାତ୍ରାର ଅନୁଭୂତି ଶୁଣିଥିଲେ । ସେହି ବର୍ଷ ପଶ୍ଚିମ ଓଡ଼ିଶାରେ ଭୟଙ୍କର ମରୁଡ଼ି ପଡ଼ିଥିଲା । ସାଇକେଲ ଯାତ୍ରାର ପୁରା ଅନୁଭୂତିକୁ ନେଇ ଏକ ଲେଖା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଗଣଇସ୍ତାହାର ପତ୍ରିକାରେ ସେହି ଲେଖାଟିକୁ ପ୍ରମୁଖତାର ସହିତ ଛାପିଥିଲେ ମଧ୍ୟ । ୨୦୦୧ ମସିହାରେ ବରଗଡ଼ ଜିଲ୍ଳା ମୁଖ୍ୟ ଡ଼ାକ୍ତରଖାନାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଦାବିରେ ଆମେ କେତେଜଣ ଜିଲ୍ଳାପାଳ ଅଫିସ ଆଗରେ ଆମରଣ ଅନଶନରେ ବସିଥିଲୁ । ତିନିଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । କେତେଜଣ ଅନଶନକାରୀଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା । ଶିତିକଣ୍ଠ ପାଟଯୋଷୀ, ବରିଷ୍ଠ ଓକିଲ ପଦ୍ମଲୋଚନ ପଣ୍ଡା ପ୍ରମୁଖଙ୍କ ନେତୃତ୍ୱରେ ବରଗଡ଼ର କିଛି ବିଶିଷ୍ଟ ବ୍ୟକ୍ତି ଏଥିରେ ହସ୍ତକ୍ଷେପ କରିଥିଲେ । ସରକାର ଦାବି ପ୍ରତି କର୍ଣ୍ଣପାତ ନକଲେ ଆନ୍ଦୋଳନକୁ ଆମେ ଆଗକୁ ନେବୁ ବୋଲି ଘୋଷଣା କରିବା ସହ ଫଳରସ ପିଆଇ ଅନଶନ ଭଙ୍ଗ କରିଥିଲେ । ବରଗଡ଼ ଜିଲ୍ଳାରେ ଏମିତି କୌଣସି ଜନ ଆନ୍ଦୋଳନ ନାହିଁ ଯେଉଁଠି ସେ ଲୋକଙ୍କ ସହ ଛିଡ଼ା ହୋଇ ନଥିବେ । ଧିରେ ଧିରେ ଗଣଇସ୍ତାହାର ଅଫିସ୍କୁ ନିୟମିତ ଯିବା ଭିତରେ ଗଣଇସ୍ତାହାର ପରିବାରର ସଦସ୍ୟ ହୋଇ ଯାଇଥିଲି । ସାମ୍ବାଦିକତାକୁ ଆପଣେଇ ନେଇଥିଲି । ପାଖାପାଖି କୋଡ଼ିଏ ବର୍ଷ ତାଙ୍କ ସହିତ କାମ କରିବା ଭିତରେ ତାଙ୍କଠାରୁ ଅନେକ କିଛି ଶିଖିବାକୁ ମିଳିଛି । ଉପରୁ ରୁକ୍ଷ ଜଣାପଡ଼ୁଥିବା ପାଟଯୋଷୀ ବାବୁ ଙ୍କ ଭିତରଟାଯେ ନଡ଼ିଆ ପରି ଅତି କୋମଳ ଏବଂ ନମନୀୟ ତାହା ପ୍ରତ୍ୟକ୍ଷ ଭାବରେ ଅନୁଭବ କରିଛି । "ବାବୁ...ଆମେ ସାମ୍ବାଦିକ୍ ଆଉଁ ବଲିକରିଁ ଇ ଦୁନିଆଁକେ ଚକେଲ୍ ପିଠା ବାଗିର୍ ଉଲ୍ଟେଇ ନାଇଁ ପାରୁଁ . ହଁ କିଛି ହଲ୍ଚଲ୍ ଜରୁର୍ କରି ପାର୍ମା... ଇ କଲମ୍ ର ହେତ୍କି ତାକତ୍ ତ ନିଶ୍ଚେ ଅଛେ ' ଏହି କଥା ପଦକ ତାଙ୍କ ଠାରୁ ଅନେକ ଥର ଶୁଣିଛି । ସେ କେବେ କାହା ପଛରେ କିଛି କହୁନଥିଲେ । ସାମ୍ବାଦିକ ନିରପେକ୍ଷ ହେବା ର ପକ୍ଷଧର ଆମେ ନୋହୁଁ , ସମାଜର ସବା ତଳେ ଥିବା ବ୍ୟକ୍ତି ର ହକ୍ ଅଧିକାର, ଦୁଃଖ ଦୁର୍ଦ୍ଦଶା ଏବଂ ତା ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ଲୋକଲୋଚନକୁ ଆଣିବା ପାଇଁ ଆମ ହାତରେ ଥିବା କଲମ ହତିଆର୍ ପରି ବ୍ୟବହାର ହେବା ଉଚିତ୍ ବୋଲି ସେ ସଦାବେଳେ କହୁଥିଲେ । ଏଇଥିପାଇଁ ତ ଝାଡ଼ୁଦାର ଠାରୁ ଆରମ୍ଭ କରି ରିକ୍ସାବାଲା, ବୁଲାବିକାଳି, ଚାଷୀ, ଖଟିଖିଆ, ଶ୍ରମିକ, ମଜଦୁର, ଶିକ୍ଷକ, ବିଦ୍ୟାର୍ଥୀ, ଓକିଲ, ମହକିଲ,ଧନୀ ଗରିବ ସମସ୍ତଙ୍କ ଆଦର ଲାଭ କରିଥିଲା ଗଣଇସ୍ତାହାର । ଭୁଲ୍ କରୁଥିବା ଲୋକକୁ ତାଙ୍କ ପରି ମୁହେଁ ମୁହେଁ କହି ଦେବାର ସାହସ ଖୁବ୍ କମ ଲୋକଙ୍କ ଠାରେ ଦେଖିବାକୁ ମିଳିଥାଏ । ଗଣଇସ୍ତାହାରର ସଂପାଦନାରେ ସହଯୋଗ କରିବା ଭିତରେ ତାଙ୍କର ଜୀବନ କେତେ ଯେ ଶୃଙ୍ଖଳିତ ଥିଲା ତାହା ନିଜ ଆଖିରେ ଦେଖିଛି । ଗଣଇସ୍ତାହାରକୁ ସେ ନିଜ ଜୀବନଠୁ ଅଧିକ ଭଲ ପାଉଥିଲେ । ଶୁକ୍ରବାର ସକାଳେ କାଗଜ ଲୋକଙ୍କ ହାତକୁ ଯିବା କଥା ବୋଲି ସେ ବାରମ୍ବାର କହୁଥିଲେ । କାଗଜ ବାହାରିବାରେ ଡ଼େରି ହେଲେ ଭୀଷଣ ବିରକ୍ତ ହେବା ସହ ଦୁଃଖ ପ୍ରକାଶ କରୁଥିଲେ । ଖାଲି ପାଦରେ ବୁଲି ବୁଲି ଖବର ସଂଗ୍ରହ କରିବାଠୁ ଆରମ୍ଭ କରି କାଟି ବାଛି ସମ୍ବାଦ ତିଆରି କରିବା,କାଗଜ ମୋଡ଼ିବା, ଗ୍ରାହକ ଙ୍କ ଠିକଣା କାଟି କାଗଜରେ ଲଗାଇବା, ପୋଷ୍ଟେଜ୍ ଷ୍ଟାମ୍ପ ଲଗାଇବା,ଗ୍ରାହକ ସଂଗ୍ରହ କରିବା ଯାଏ ସବୁ କାମ ନିଜେ କରିବାରେ ବେଶ ଆନନ୍ଦ ପାଉଥିଲେ । ଉଚ୍ଚାରଣରେ ରୋକଠୋକ କଥା କହୁଥିବା ଶିତିକଣ୍ଠ ପାଟ୍ଟଯୋଷୀ ତାଙ୍କ ଦୈନନ୍ଦିନ ଜୀବନରେ କୌଣସି ଜଣେ ସଚ୍ଚା ସନ୍ଥ ଠାରୁ କମ୍ ନଥିଲେ । ଜୀବନରେ କେବେ ଯୋତା ବ୍ୟବହାର କରିନଥିଲେ । ଗୋଟିଏ ଓଳି ଖାଉଥିଲେ । ସାରା ଜୀବନ ଅବିବାହିତ ରହିଥିଲେ । ପାଖାପାଖି ଷାଠିଏ ବର୍ଷ ତଳେ ହିରାକୁଦ ବୁଡ଼ି ଅଂଚଳରୁ ସବୁ ଦିନ ପାଇଁ ଘର ଓ ପରିବାର ଛାଡ଼ି ବରଗଡ଼ ଆସିଥିଲେ । ସେତେବେଳ ଛୋଟିଆ କାଗଜ ହେଲେ ମଧ୍ୟ ଗଣଇସ୍ତାହାରର ଯାହା ପ୍ରଭାବ ରହିଥିଲା ଚାହିଁଥିଲେ ସେ ନିଜ ପାଇଁ ବହୁତ କିଛି କରି ପାରିଥାନ୍ତେ । ହେଲେ ଲୋଭ କିମ୍ବା ମୋହ ତାଙ୍କ ପାଖ ମାଡ଼ି ପାରିନଥିଲା । ୧୯୬୭ ମସିହାରୁ ବରଗଡ଼ ମହାନ୍ତିପଡ଼ାରେ ଥିବା ଛୋଟିଆ ଘରଟି ତାଙ୍କ ପାଇଁ ସବୁକିଛି ଥିଲା । ତାଙ୍କର ତାଲା ନଥିଲା କି ଚାବି ନଥିଲା । ବାକ୍ସ ନଥିଲା କି ଆଲମିରା ନଥିଲା । ବ୍ୟାଙ୍କ ବାଲାନ୍ସ ବି ନଥିଲା । ପାଇଖାନା ଯିବା ପାଇଁ ଚପଲ ବ୍ୟତୀତ କେବେ ତାଙ୍କୁ ବାହାରେ ଚପଲ ପିନ୍ଧିବାର କେହି ଦେଖିନାହିଁ । ସେଇଥିପାଇଁ ବରଗଡ଼ ଅଂଚଳରେ ଖାଲିପାଦର ସଂଗ୍ରାମୀ ଭାବରେ ତାଙ୍କର ପରିଚୟ ରହିଥିଲା । ଏହାର କାରଣ ଅନେକ ଥର ପଚାରିଛି ୍ଉତର କେବେ ପାଇ ନାହିଁ । ହଁ ସେ ଗୋଟିଏ କଥା ବରାବର କହୁଥିଲେ "ଆମେ ସମାଜର କାମ କରୁଛୁ, ସମାଜଠାରୁ ଯେତେ କମ୍ ନେଇ ପାରିବା ସେ ଚେଷ୍ଟା କରିବା କଥା' । ତାଙ୍କର ମୃତ୍ୟୁ ପରେ ସେ ରହୁଥିବା ଘର ସଫା କରିବା ବେଳେ ସେ ବ୍ୟବହାର କରୁଥିବା କେଇ ହଳ ଖଦି କୁର୍ତା ଓ ଧୋତି ଛଡ଼ା କିଛି ନଥିଲା । କାନ୍ଧରେ ପକାଇ ବୁଲୁଥିବା ତାଙ୍କର ଝୁଲାମୁଣିରୁ ଗଣଇସ୍ତାହାର ରସିଦ ବହି ସାଙ୍ଗକୁ କିଛି ଚକୋଲେଟ ଏବଂ ପନ୍ଦରଟି ୧୦ ଟଙ୍କିଆ ନୋଟ ମିଳିଥିଲା । ପ୍ରଚଣ୍ଡ ଜିଦ୍ଖୋର୍ ଥିଲେ ମଧ୍ୟ ତାଙ୍କର ହୃଦୟ ଥିଲା ଶିଶୁ ପରି କୋମଳ ଓ ସ୍ୱଚ୍ଛ । ତାଙ୍କ ଭିତରେ ଛଳନା କି କୃତ୍ରିମତା ଆଦୌ ନଥିଲା । ଏତେ ବଡ଼ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିଲେ ବି ସେ ସଂପୂର୍ଣ୍ଣ ଭାବରେ ପ୍ରଚାର ବିମୁଖ ଥିଲେ । କେବେ ମନ୍ଦିରକୁ ଯାଉନଥିଲେ କି କାହାକୁ ମନ୍ଦିର ଯିବାକୁ ମନା ବି କରୁନଥିଲେ । ନାସ୍ତିକ ବୋଲି କେବେ କାହା ଆଗରେ ଦେଖେଇ ବି ହେଉନଥିଲେ । ବଦଖର୍ଚ୍ଚ କୁ ନାପସନ୍ଦ କରୁଥିଲେ । ୧୯୮୧ ମସିହାରେ କୋଡ଼ିଏ ପଇସାରୁ ଆରମ୍ଭ ହୋଇଥିବା ଗଣଇସ୍ତାହାରର ଦର ୨୦୧୫ ବେଳକୁ ଖଣ୍ଡପ୍ରତି ଦୁଇ ଟଙ୍କା ହୋଇଯାଇଥିଲା । ମହଙ୍ଗା ଯୁଗରେ ଦୁଇଟଙ୍କା ବି ଯଥେଷ୍ଟ ନୁହେଁ । ପତ୍ରିକାର ମୂଲ୍ୟ ବଢାଇବା ପାଇଁ ଆମେ ଓ ଅନ୍ୟ ଶୁଭେଛୁ ମାନେ ଅନେକ ଥର ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ କେବେ ବି ରାଜି ହେଉନଥିଲେ । ପତ୍ରିକାର ଦରବୃଦ୍ଧି ପ୍ରସଙ୍ଗ ପଡ଼ିଲେ ତାଙ୍କ ମୁହଁରୁ ଗୋଟିଏ କଥା ଶୁଣିବାକୁ ମିଳୁଥିଲା "ଏହା ସାଧାରଣ ଲୋକଙ୍କ ପତ୍ରିକା, ସାଧାରଣ ଲୋକଙ୍କ କଥା କହିବ ଏବଂ ସାଧାରଣଲୋକ କିଣି ପାରିବା ଭଳି ଦର ରହିବ' । ଖବର ପ୍ରକାଶନରେ ସେ କାହା ସହିତ କେବେ ସାଲିସ୍ କରିବାର ମୁଁ ଦେଖିନାହିଁ । ତାହା ଧାନର ଅଭାବୀ ବିକ୍ରୀ କଥା ହେଉ କି ବରଗଡ଼ ଜିଲ୍ଳାରେ ଘୁଡ଼ୁଘୁଡ଼ୁ ପଟ୍ଟି କଥା ହେଉ, ଶ୍ରମିକ ମାନଙ୍କର ହକ୍ ଓ ଅଧିକାରର କଥା ହେଉ କି ଶୋଷଣ, ଅତ୍ୟାଚାର କଥା ହେଉ, ଚାଷୀ ଆତ୍ମହତ୍ୟା କଥା ହେଉ କିି ଗନ୍ଧମାର୍ଦ୍ଦନ ପର୍ବତରେ ଖଣିଖନନ ପ୍ରସଙ୍ଗ ହେଉ କେବେ କୌଣସି ଖବର କୁ ଚପାଇ ଦେବାର ନଜିର ନାହିଁ । ଏଇଥି ପାଇଁ ଗଣଇସ୍ତାହାର ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅତୁଟ ରହିଛି । ସାଧାରଣ ଲୋକଙ୍କ ସାର୍ଥର ସୁରକ୍ଷା ପାଇଁ ଗଣଇସ୍ତାହାର ଆଜି ଲୋକଙ୍କ ହୃଦୟରେ ସ୍ଥାନ ପାଇଛି । ଛୋଟିଆ କାଗଜଟିଏ ହେଲେ ବି ଏହି କାଗଜ ପ୍ରତି ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ପାଠକ ମାନଙ୍କ ଶ୍ରଦ୍ଧା ରହିଛି । ତୃଣମୂଳ ସାମ୍ବାଦିକତା କ୍ଷେତ୍ରରେ ଗଣଇସ୍ତାହାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ସ୍ୱରହୀନ ଲୋକଙ୍କ ବାସ୍ତବ ମୁଖପତ୍ର ହୋଇ ପାରିଛି ଗଣଇସ୍ତାହାର ।
ଦୀର୍ଘ ୩୪ ବର୍ଷ ଧରି ଗଣଇସ୍ତାହାର ପତ୍ରିକାଟି ନିରବଛିନ୍ନ ଭାବରେ ଚାଲିବା ପରେ ବିଭିନ୍ନ ସମସ୍ୟା ଯୋଗୁଁ ନିୟମିତ ଭାବରେ ପ୍ରକାଶିତ ହୋଇ ପାରିନଥିଲା । ଗତ ପ୍ରାୟ ଦୁଇ ବର୍ଷ ହେବ ସଂପାଦକ ପ୍ରସନ୍ନ ମିଶ୍ରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ବନ୍ଦ ହୋଇଯାଇଥିଲା । ଏଥିରେ ଶିତିକଣ୍ଠ ବାବୁ ପୁରା ଭାଙ୍ଗି ପଡ଼ିଥିଲେ । ଶେଷ ସମୟରେ ତାଙ୍କର ସ୍ମରଣ ଶକ୍ତି କମିବାରେ ଲାଗିଥିଲା । ମୃତ୍ୟୁର ଦେଢ ମାସ ଆଗରୁ ସେ ଖାଇବା ପିଇବା ଏକପ୍ରକାର ଛାଡ଼ି ଦେଇଥିଲେ । ଅତ୍ୟନ୍ତ ଦୁର୍ବଳ ସ୍ୱାସ୍ଥ୍ୟ ସତ୍ୱେ ସେ କେବେବି କାହାର ବୋଝ ହେବାକୁ ଚାହୁଁନଥିଲେ । ପ୍ରସନ୍ନ ଦାଦା ନିଜର ସ୍ୱାସ୍ଥ୍ୟକୁ ଅଣଦେଖା କରି ପିତୃତୁଲ୍ୟ ତାଙ୍କର ସମସ୍ତ ସେବା ସୁୁଶ୍ରୁୃଷା କରିଛନ୍ତି । ଦୀର୍ଘ ପଚାଶ ବର୍ଷ ଧରି ଗୋଟିଏ ସ୍ଥାନରେ ସାଥି ହୋଇ ରହିଥିବା କମ୍ରେଡ଼ ରମେଶ ଗୁରୁଙ୍କ କହିବା ଅନୁସାରେ ଏକ ଆଦର୍ଶ ପ୍ରତି ସମର୍ପିତ ହୋଇ ୩୮ ବର୍ଷ ତଳେ ଛାଡ଼ି ଆସିଥିବା ମା',ବାପା ଙ୍କ ନାଁ ଜୀବନ ଥିବା ପର୍ଯ୍ୟନ୍ତ ଧରିନଥିଲେ । କିଛିଦିନ ହେବ ସବୁ ବେଳେ ଟର୍ଚ୍ଚ ଲାଇଟ ଟିକୁ ନିଜ ପାଖରେ ରଖୁଥିଲେ । ଖାଇବା, ଶୋଇବା, ବସିବା, ପାଇଖାନା ଯିବା ସବୁକାମରେ ଟର୍ଚ୍ଚଟି ତାଙ୍କର ବନ୍ଧୁ ହୋଇଯାଇଥିଲା । ଦିନରେ ବି ଟର୍ଚ୍ଚଟିକୁ ଜଳାଇ ରଖୁଥିଲେ । ଅଧିକାଂଶ ସମୟ ଲାଇଟକୁ ଛାତିରେ ଜାବୁଡ଼ି ଧରି ରଖୁଥିଲେ । ସତେ କି ଯିବା ଆଗରୁ ଆମ ସମସ୍ତଙ୍କୁ ସନ୍ଦେଶ ଦେଇଗଲେ " ଦେଖ ୩୮ ବର୍ଷ ତଳେ ଏହି ଅଂଚଳରୁ ଅମା ଅନ୍ଧାର ହଟାଇବା ପାଇଁ ଯେଉଁ ଚେତନାର ମଶାଲଟିଏ ଜଳାଇଥିଲି ତମେ ତାକୁ ଲିଭିବାକୁ ଦେବ ନାହିଁ ତ......' ।
ଏଭଳି ଜଣେ ସନ୍ଥ ଓ ସଂଗ୍ରାମୀଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧା ନିବେଦନ ଜଣାଉଛି ।
( ସହ ସଂପାଦକ, ଗଣଇସ୍ତାହାର) ମୋବାଇଲ - ୯୪୩୭୨୫୭୦୯୫