ଇତିହାସ କ୍ଷତର ଉପଶମ "କ୍ଷମା ପ୍ରାର୍ଥନା' 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଭୂତି ପତି

 

                                            “Fire” said Dyer,

                                             and thousands fell to

                                             their last breath. 

                                            Women Children old young,

                                            No one was spared,

                                            Bullets pushed through flesh, 

                                            Dyer didn’t care.

                                            100 Years down the lane, Dyer lives no more,

                                            But the blood bath of Baisakhi,

                                             Did not find a cure.

ଗତ ଏପ୍ରିଲ ମାସରେ ବିଶ୍ୱ ""ଜାଲ୍ଲିଆନୱାଲାବାଗ ଓ ଆର୍ମେନିଆନ'' ଦୁଇଟି ରକ୍ତାକ୍ତ ନରସଂହାରର ଦାରୁଣ ଶତବାର୍ଷିକ ପାଳନ ଅବସରରେ ଇତିହାସର ଏହି କ୍ଷତର ଉପଚାର ଓ ଉପସମକୁ ନେଇ ବିଶ୍ୱରେ ବିତର୍କ ସୃଷ୍ଟି ହୋଇଛି ।

କୌଣସି ଭୁଲ ବା ଅପରାଧ ପାଇଁ ଭୁଲ ସ୍ୱୀକାର କରି କ୍ଷମା ପ୍ରାର୍ଥନା କରିବାର ଅର୍ଥ ନୁହେଁ ଯେ, ସେହି ବ୍ୟକ୍ତି, ସେହି ଅପରାଧ ଓ ଭୁଲ ପାଇଁ ଦୋଷୀ ବା ଅପରାଧୀ - କ୍ଷମା ପ୍ରାର୍ଥନା ଓ ଦୋଷ ସ୍ୱୀକାର କରିବା ଦ୍ୱାରା ଶାନ୍ତି ଓ ସୌହାର୍ଦ୍ଧ୍ୟର ସମ୍ପର୍କ ସୃଷ୍ଟିହୋଇ ଇତିହାସ ସେହି ବ୍ୟକ୍ତିର ଉଦାର ହୃଦୟର ମାନବିକ ମୂଲ୍ୟବୋଧକୁ ସବୁଦିନ ପାଇଁ ଅଲିଭା କରିଦିଏ - ଏରନିକ ଡ଼ୁସେଲ ଆର୍ଜେଣ୍ଟିନାର ପ୍ରସିଦ୍ଧ ଦାର୍ଶନିକ  ।

ଭାରତରେ ଇଂରେଜ ଶାସନ ସମୟରେ ଆଜକୁ ଠିକ୍ ଶହେ ବର୍ଷ ତଳେ ଏପ୍ରିଲ ୧୩ ତାରିଖ, ୧୯୧୯ ମସିହାରେ ପଞ୍ଜାବର ଜାଲ୍ଲିଆନୱାଲାବାଗ ଠାରେ ଶାନ୍ତିପୂର୍ଣ୍ଣ ଭାବରେ ଭାରତର ସ୍ୱାଧୀନତା ପାଇଁ ଆନ୍ଦୋଳନ  କରୁଥିବା ଶହ ଶହ ଆବାଳ ବୃଦ୍ଧ ବନୀତାଙ୍କ ଉପରକୁ ଇଂରେଜ ଶାସକ ବ୍ରିଗେଡିଆର  - ଜେନେରାଲ ରେଜିନାଲ ଡ଼ାୟାର ଗୁଳିଚଳାଇ ନରସଂହାର ରଚାଇବାର ନିର୍ଦ୍ଦେଶ  ଦେଇଥିଲେ  । ହଜାର ହଜାର ସ୍ୱାଧୀନତାର ହକ୍ ମାଗୁଥିବା ନୀରିହ ଭାରତୀୟ ଶିଶୁ, ଯୁବକ, ଯୁବତୀ, ବୃଦ୍ଧ ବୃଦ୍ଧାଙ୍କ ମୃତ୍ୟୁରେ ରକ୍ତର ସୁଅ ବହିଥିଲା  । ଏହି ନରସଂହାରକୁ ଶହେ ବର୍ଷ ପୁରଣ ହେବାପରେ ମଧ୍ୟ ଏଭଳି ଅକ୍ଷମଣୀୟ ଅପରାଧ ପାଇଁ ଆଜି ଇଂଲଣ୍ଡ ସରକାର ସେମାନଙ୍କ ପୂର୍ବପୁରୁଷଙ୍କ ଭୁଲର କ୍ଷମାପାଇଁ ଅନୁତପ୍ତ ହେବାକୁ କିମ୍ବା ପାପର ପ୍ରାୟଶ୍ଚିତ ପାଇଁ କ୍ଷମା ମାଗିବାକୁ ପ୍ରସ୍ତୁତ ନୁହେଁ   । ବରଂ ବିଭିନ୍ନ ଆଳ ବା ବାହାନା ଦେଖାଇ ଏହାକୁ ଆଜି ଇଂଲଣ୍ଡ ସରକାର ଓ ରାଣୀ ଏଡ଼ାଇ ଯାଇ ରାଜନୈତିକ ରଙ୍ଗ ଦେବାର ଚେଷ୍ଟା ଚଳାଉଛନ୍ତି  । ଜାଲ୍ଲିଆନୱାଲାବାଗ ନରସଂହାରକୁ ଶହେ ବର୍ଷ ପୁରିବା ପରେ ଇଂଲଣ୍ଡ, ନିଜର ଦୋଷକୁ ନିସର୍ତ୍ତ ଭାବରେ ସ୍ୱୀକାର ନକରିବା ଦ୍ୱାରା ଏହା ଭାରତୀୟଙ୍କୁ କ୍ଷୁବ୍ଧ କରିଛି ଏବଂ ଭାରତ-ଇଂଲଣ୍ଡ ସମ୍ପର୍କକୁ ନେଇ ବିଶ୍ୱରେ  ବିତର୍କ  ଉପୁଜିଛି  ।

୧୯୬୦ ମସିହାରେ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହୋଇଥିବା ପ୍ରସିଦ୍ଧ ଅର୍ଥନିତିଜ୍ଞ ଜନ୍ କେନ୍ଥ ଗ୍ୟାଲବ୍ରେଥ୍ ଏକଦା ଅନୁଧ୍ୟାନ କରି କହିଥିଲେ, ""ବିନାଶକାରୀ ଓ ଅସଙ୍ଗତ ମଧ୍ୟରୁ ଗୋଟିକୁ ବାଛିବା ହିଁ ସାମ୍ରାଜ୍ୟବାଦ ଓ ରାଜନୀତିର ଏକ କଳା ଅଟେ । ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ କିମ୍ବା ଘଟଣାକୁ ନେଇ ଅତୀତାର ଭୁଲକୁ ସୁଧାରିବା ପାଇଁ ଦୋଷ ସ୍ୱୀକାର କରି କ୍ଷମା ମାଗିବା ନିତାନ୍ତ ଅପ୍ରତ୍ୟାଶିତ ଓ କଠୋର କାର୍ଯ୍ୟ ହୋଇପାରେ  । ମାତ୍ର ଆନ୍ତର୍ଜାତିୟ ଶାନ୍ତି ଓ ସମ୍ପର୍କ ପ୍ରତିଷ୍ଠା  ପାଇଁ ଦୋଷ ସ୍ୱୀକାର କରି କ୍ଷମା ମାଗିବା ଏକ ଅତ୍ୟନ୍ତ ଶକ୍ତିଶାଳୀ ଅସ୍ତ୍ରଭାବେ ପରିଗଣିତ''  ।

୧୯୯୭ ମସିହାରେ ଇଂଲଣ୍ଡ ରାଣୀ ଜାଲ୍ଲିଆନୱାଲାବାଗ ପରିଦର୍ଶନରେ ଆସିଥିଲେ  । ସେହି ସମୟରେ କ୍ଷମାମାଗିବା ପ୍ରସଙ୍ଗରେ ସେ ଚତୁରତାର ସହ କହିଥିଲେ, ""ଜାଲ୍ଲିଆନୱାଲାବାଗ ଘଟଣା କଷ୍ଟଦାୟକ ଅଟେ  । ଏହା କୌଣସି ଲୁଚାଚୋରା ଘଟଣା ନୁହେଁ  । ଆମ ଅତୀତର ଏକ ଦୁଃଖଦ ଘଟଣା ଜାଲ୍ଲିଆନୱାଲାବାଗ । କିନ୍ତୁ ଇତିହାସକୁ ପୁନର୍ବାର ଲେଖାଯାଇପାରିବ ନାହିଁ  । ସମୟ ବୁକୁରେ ଆମେ ବେଳେବେଳେ କିଛି ଆଶା କରି କାର୍ଯ୍ୟକରୁ କିନ୍ତୁ ତାହା ଅନ୍ୟଭଳି ଘଟିଥାଏ  ।''

ମାତ୍ର ଠିକ୍ ସେହି ବର୍ଷ ଇଂରେଜ ଇତିହାସରେ ସର୍ବ ପ୍ରଥମଥର ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେୟାର ନିଜର ଦୁଃଖ ପ୍ରକାଶ କରି ୧୮୪୦ ମସିହାରେ ହୋଇଥିବା ଆୟାରଲ୍ୟାଣ୍ଡ ଓ ବ୍ରିଟେନ  "ଆଳୁ ଦୁର୍ଭିକ୍ଷ' ର ମହାମାରୀକୁ ନେଇ କ୍ଷମା ମାଗିଥିଲେ  । ଆଳୁ ଦୁର୍ଭିକ୍ଷରେ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରିଥିଲେ  । ଟୋନୀ ବ୍ଲେୟାର କରିଥିଲେ, ""ଆୟାରଲ୍ୟାଣ୍ଡ୍ ଓ ବ୍ରିଟେନ  ଇତିହାସରେ ଆଳୁ ଦୁର୍ଭିକ୍ଷର ମହାମାରୀ ସବୁଠାରୁ ଦାରୁଣ ଅଧ୍ୟାୟ  । ଇତିହାସ ପୃଷ୍ଠାରେ ଏହା ଏକ ଅଭୁଲା କ୍ଷତ  । ପୃଥିବୀର ସବୁଠାରୁ ଶକ୍ତିଶାଳୀ, ଧନୀ, ସଭ୍ୟ ଓ ବିକଶିତ ଦେଶରେ ଏଭଳି ମହମାରୀ ଆଜିବି ଆମ ମନକୁ ଆନ୍ଦୋଳିତ  କରୁଛି ଏବଂ ଏହା ଆମପାଇଁ ଲଜ୍ଜାଜନକ ଅଟେ  । କାରଣ ସେହି ସମୟର ବ୍ରିଟେନ  ଶାସକ ତାଙ୍କର ଜନସାଧାରଣଙ୍କୁ ସୁରକ୍ଷିତ ଜୀବନଯାପନର ସୁବିଧା ଯୋଗାଇବାରେ ବ୍ୟର୍ଥ ହୋଇଥିଲେ  । ଏଥିପାଇଁ ଆମେ କ୍ଷମାପ୍ରାର୍ଥନା କରୁଛୁ  ।''

ତେବେ ଜାଲ୍ଲିଆନୱାଲାବାଗ ଘଟଣାରେ ଲଂଲଣ୍ଡ ଦୋଷ ସ୍ୱୀକାର କରି କ୍ଷମା ମାଗିବାରେ ଏତେ କାର୍ପଣ୍ୟ କାହିଁକି ? ଏହା ସତ୍ୟ, ଇତିହାସକୁ ପୁନର୍ବାର ଲେଖାଯାଇପାରିବ ନାହିଁ କିମ୍ବା ପରିବର୍ତ୍ତନ କରାଯାଇପାରିବ ନାହିଁ  । କିନ୍ତୁ ଏହା ନିଶ୍ଚିତ ଯେ, ଇତିହାସ ପାଇଁ ଏକ ଭବିଷ୍ୟତ ମଧ୍ୟ ସବୁବେଳେ ରହିଛି  । ଅତୀତ ସୃଷ୍ଟି କରିଥିବା ଇତିହାସର କ୍ଷତକୁ ଭୁଲାଇଦେବା କିମ୍ବା ଫାଙ୍କି ଦେବାର ବାହାନାକୁ ଭବିଷ୍ୟତ ଧରାପକାଇ ଦିଏ  । ଏଥିପାଇଁ ବିନମ୍ରତାର ସହ କ୍ଷମା ମାଗିଦେବା ଦ୍ୱାରା  ଇତିହାସର ସେହି କ୍ଷତର ଯନ୍ତ୍ରଣା ଭବିଷ୍ୟତରେ ଉପସମ ହୋଇଯାଇଥାଏ  । ଏହାକୁ ମଧ୍ୟ ଆଜି ଇଂଲଣ୍ଡର ସରକାର ଓ ରାଣୀ ଭୁଲିଯିବା ଉଚିତ ନୁହେଁ  ।

ପୂର୍ବର ଏକଛତ୍ରବାଦ ଓ ଏକଚାଟିଆ ସମୟର ବ୍ୟବସ୍ଥାରେ ବର୍ତ୍ତମାନ ଆମୁଳଚୂଳ ପରିବର୍ତ୍ତନ ଆସିଯାଇଛି  । ପରିବର୍ତ୍ତୀତ ବିଶ୍ୱରେ ବହୁବାଦ ଓ ଜଗତୀକରଣର ଯେଉଁ ନୂଆ ଧାରା ଆରମ୍ଭ ହୋଇଯାଇଛି ଏଥିରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଏକ ନୂଆ ସମ୍ପର୍କର ସମୀକରଣ ତିଆରି ହେବାର ଆବଶ୍ୟକତା ରହିଛି  ।  ଅତୀତର ଘଟଣାର ଅହଂକାରକୁ ଦୂରେଇ ଦେଇ ତାତ୍ତ୍ୱିକ ବିଶ୍ୱ ଉଦାରୀକରଣ ରାଜନୀତିକୁ ଆପଣେଇବାକୁ ପଡ଼ିବ  । ଏହାକୁ ଆଜି ଇଂଲଣ୍ଡ ମନେରଖିବା ଦରକାର  । 

ଦିନେ ଯେଉଁମାନେ ନିଜର ସାମ୍ରାଜ୍ୟବାଦ ନୀତିରେ ନିଜକୁ ଶକ୍ତିଶାଳୀ ମନେକରି କିମ୍ବା ଈଶ୍ୱରଙ୍କ ନାମରେ ଅନ୍ଧବିଶ୍ୱାସ ଜନ୍ମାଇ ତଥା ବନ୍ଧୁକ ମୂନରେ ଭୟଭୀତ କରାଇ ଆତଙ୍କ ରଚାଇ ଶାସନ କରୁଥିଲେ, ସେଭଳି ସାମ୍ରଜ୍ୟବାଦ ଯୁଗ ସରିଯାଇଛି ବୋଲି ଏହି ସିଦ୍ଧାନ୍ତକୁ ସେମାନଙ୍କୁ ସ୍ୱୀକାର କରିବାକୁ ପଡ଼ିବ  । ସେଭଳି ଅନେକ ଶାସକ ଗୋଷ୍ଠୀ ଏହାକୁ ମାନିସାରିଲେଣି  ।

ଇତିହାସର ଏଭଳି କ୍ଷତିକୁ ଉପସମ କରିବାକୁ ଆଜିର ଇଂଲଣ୍ଡ ସରକାର ଆଗେଇ ଆସିବା ଦରକାର ଏବଂ ଏଥିରେ ଇଂଲଣ୍ଡର ରାଣୀ ସହଯୋଗିତାର ହାତ ବଢ଼ାଇବା ଜରୁରୀ  । ଏଭଳି ପ୍ରସଙ୍ଗ ଓ କ୍ଷମା ମାଗିବାର ଘଟଣାକୁ ନେଇ ରାଜନୀତି ବିଜ୍ଞାନର ପ୍ରସିଦ୍ଧ ଲେଖକ ଜେନିଫର ଲିଣ୍ଡ୍ ତାଙ୍କର ବହୁଳ ପ୍ରସାରିତ ଓ ଚର୍ଚ୍ଚିତ ପୁସ୍ତକ ""ସରି ଷ୍ଟେଟସ୍'ରେ ଏଭଳି ତାତ୍ତ୍ୱିକ ପ୍ରସଙ୍ଗ ଉପରେ ଦର୍ଶାଇଛନ୍ତି,  ""କ୍ଷମା ମାଗିବା ରାଷ୍ଟ୍ର ଓ ରାଷ୍ଟ୍ର ମଧ୍ୟରେ ଆନ୍ତର୍ଜାତୀୟ ରାଜନୈତିକ ସଂହତିକୁ ସୁଦୃଢ଼ କରି ଇତିହାସର ଗଭୀର କ୍ଷତର କ୍ଷତିକୁ ଭରଣା କରିବାରେ ଏକମାତ୍ର ଉପାୟ  । ଏଭଳି ଭୁଲ ସ୍ୱୀକାର କରି କ୍ଷମା ପ୍ରାର୍ଥନା ଯେତେ କଷ୍ଟ ଦାୟକ ହେଲେ ମଧ୍ୟ ଆଜିର ଦିନରେ ଏହାର ସ୍ୱାଦ ସେତିକି ଜରୁରୀ ହୋଇପଡ଼ିଛି''  ।

କାନଡ଼ା ଆଜି ଉଦାରବାଦୀ ବହୁ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ରଭାବେ ସ୍ୱୀକୃତି ପାଇସାରିଛି  । ଏହା ସହିତ ହୃଦୟର ଗଭୀରତମ ପ୍ରଦେଶକୁ ଅତୀତରେ କାନାଡ଼ା ଚୀନ ବିରୋଧରେ ଯେଉଁ "ହେଡ଼୍ ଟ୍ୟାକ୍ସ' ୧୮୮୫ ମସିହାରେ ଲଗାଯାଉଥିଲା ଏବଂ ୧୯୧୫ ମସିହାରେ ""କୋମାଗଟାମାରୁ'' ଶିଖ ଘଟଣା ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛି  । ୧୮୬୯ ରୁ ୧୯୩୨ ମସିହା ମଧ୍ୟରେ ଶାରିରୀକ ଭାବରେ ଗୃହକାର୍ଯ୍ୟରେ ଲଗାଇବାକୁ ଭାରତର ପଞ୍ଜାବ ସମେତ ଉତ୍ତର ଭାରତର ଅନ୍ୟାନ୍ୟ ସ୍ଥାନରୁ କ୍ରୀତଦାସ ପାଇଁ ପ୍ରାୟ ଏକଲକ୍ଷରୁ ଉର୍ଧ୍ଵ ଶିଶୁମାନଙ୍କୁ ତତ୍କାଳୀନ ଇଂରେଜ ସରକାର କାନାଡ଼ା ପଠାଇଥିଲେ  । ଦୀର୍ଘ ଦଶନ୍ଧି ଧରି ସେମାନଙ୍କୁ କୌଣସି ସୁରକ୍ଷା ଯୋଗଇ ଦିଆଯାଇନଥିଲା ବରଂ ସେମାନଙ୍କର ସାଂସ୍କୃତିକ ନରସଂହାର କରାଯାଇଥିଲା  ।

ଜାଲ୍ଲିଆନୱାଲାବାଗ ନରସଂହାର ଘଟଣା ପରି ଇତିହାସ ପୃଷ୍ଠା  ଏପ୍ରିଲ ମାସରେ ଅନ୍ୟ ଏକ ନରସଂହାରର କଳଙ୍କିତ ଅଧ୍ୟାୟକୁ ଧରି ରଖିଛି । ୨୪ ଏପ୍ରିଲ ୧୯୧୫ ମସିହାରେ ୮୦୦ରୁ ଉର୍ଧ୍ଵ  ଆର୍ମେନିଆନ ବିଦ୍ୱାନ୍ମାନଙ୍କୁ ଅଟୋମାନ୍ ସାମ୍ରାଜ୍ୟରେ ତୁର୍କୀ ଶାସକ ସେହି ସମୟରେ ନିର୍ଦ୍ଦୟ  ଭାବରେ ଗଣହତ୍ୟା କରିଥିଲେ ଏବଂ ଅନ୍ୟ ଆର୍ମେନିଆନ ଶିଶୁ, ମହିଳା, ବୃଦ୍ଧ ଓ ବୃଦ୍ଧାମାନଙ୍କୁ ମେସୋପଟାମିଆର ମରୁ ଅଞ୍ଚଳରେ ଖାଦ୍ୟ ଓ ପାନୀୟ ନଦେଇ ସେଠାରେ ରଖି ନରସଂହାର ରଚାଇଥିଲେ  । ଏହାକୁ ନେଇ ଆଜିର ଦିନରେ ତୁର୍କୀ ଏଭଳି ଘୃଣ୍ୟ ନରସଂହାରକୁ ସ୍ୱୀକାର ନକରି ଲୁଚାଇବାର ଅପଚେଷ୍ଟା କରି ବିଶ୍ୱସମୁଦାୟର ଐତିହାସିକ, ଦାର୍ଶନିକ ଓ ବିଦ୍ୱାନଙ୍କ ଦ୍ୱାରା ପ୍ରତିଟି ସମୟରେ ନିନ୍ଦିତ ହେଉଛି  । 

ଆଜିର ଜଗତୀକରଣ ବିଶ୍ୱ ଦୃଶ୍ୟପଟରେ କୌଣସି ରାଷ୍ଟ୍ର ଦ୍ୱାରା ମିଛ-ଅର୍ଦ୍ଧମିଛ-ଅର୍ଦ୍ଧ ସତ୍ୟ ଉପସ୍ଥାପନ ହେଲେ ଏହା ଐତିହାସିକ ବିକାଶ ଓ ରାଷ୍ଟ୍ରୀୟ ସଭ୍ୟତାର ପ୍ରଗତି ମାଧ୍ୟମରେ ଜନମାନସରେ ପ୍ରତିଟି ସତ୍ୟକୁ ଦେଖାଇ ଦେଉଛି  । ୧୯୪୦ ମସିହାରେ ସୋଭିଏତ୍ ଋଷର ପୋଲାଣ୍ଡ ଅଭିଜାନ ଓ ଆକ୍ରମଣ ସମୟରେ କାତ୍ୟନ୍ ନରସଂହାର ଉପରେ ସତ୍ୟକୁ ଲୁଚାଇବାର ଅପଚେଷ୍ଟା  କରି ଦୀର୍ଘ ୫୦ବର୍ଷ ଧରି ମିଛ ପ୍ରତିକ୍ରିୟାମାନ ଦେଇଆସୁଥିଲେ  । ଋଷର କାତ୍ୟନ ଜଙ୍ଗଲ ମଧ୍ୟରେ ପ୍ରାୟ ୨୨ ହଜାରରୁ ଉର୍ଧ୍ଵ  ପୋଲିସ ଓ ସାମରିକ ପଦାଧିକାରୀଙ୍କ ସମେତ କେତେକ ବିଦ୍ୱାନମାନଙ୍କୁ ନିର୍ଦ୍ଧୟ ଭାବେ ନରସଂହାର କରାଯାଇଥିଲା  । ଏହି ନରସଂହାର ମଧ୍ୟ ଏପ୍ରିଲ-ମେ ମାସରେ ହୋଇଥିଲା  । ସୋଭିଏତ୍ ସଂଘର ପତନ ପରେ ୧୯୯୨ ମସିହାରେ ଏହି ସତ୍ୟ ଲୋକଲୋଚନକୁ ଆସିଥିଲା  । ଯେତେବେଳେ ଏହାର ଗୁପ୍ତ ଦସ୍ତାବିଜକୁ ତତ୍କାଳନୀ ରାଷ୍ଟ୍ରପତି ଲେଚ ୱାଲ୍ସ ସାର୍ବଜନୀନ କରିଥିଲେ  । ସେତେବେଳେ ଜଣାପଡ଼ିଲା ନାଜିମାନେ ଏଭଳି ନରସଂହାର ଘଟାଇ ନଥିଲେ ବରଂ ଷ୍ଟାଲିନ୍ ଏଭଳି କାର୍ଯ୍ୟ ପାଇଁ ନିର୍ଦ୍ଦେଶ  ଦେଇଥିଲେ  ।

ସେହିପରି ଅନ୍ୟ ଏକ ନିର୍ମମ ନରସଂହାରକୁ ଲୁଚାଇବାର ପ୍ରଚେଷ୍ଟା କରିବାକୁ ଚେଷ୍ଟା  କରାଯାଇଥିଲେ ମଧ୍ୟ ଏହାର ସତ୍ୟ ଆଜି ଲୋକଲୋଚନକୁ  ଆସିଯାଇଛି  । ୧୦ ଜୁଲାଇ ୧୯୪୧ ମସିହାରେ ଜର୍ମାନ ଦଖଲରେ ଥିବା ପୋଲାଣ୍ଡର ଏକ ଅଞ୍ଚଳ ଜେଡ଼ୱାବେନ୍, ସେଠାରେ ୧୬୦୦ରୁ ଉର୍ଧ୍ଵ  ଇହୁଦୀ ବିଦ୍ୱାନ, ନାରୀ, ପୁରୁଷ ଓ ଶିଶୁମାନଙ୍କୁ  ଏକତ୍ରଭାବେ ଗୋଟିଏ ଶସ୍ୟ ଅମଳ ଖଳାରେ ବନ୍ଦୀ କରି ନିର୍ଦ୍ଧୟଭାବେ ନିଆଁ ଲଗାଇ ଦିଆଯାଇଥିଲେ  । ଏହି ନରସଂହାରକୁ ଦୀର୍ଘ ଦଶନ୍ଧି ଧରି ନାଜୀମାନେ କରିଥିଲେ ବୋଲି କୁହାଯାଉଥିଲା ମାତ୍ର ପରେ ଜଣାପଡ଼ିଲା ଏଭଳି ଜଘନ୍ୟ ନରହତ୍ୟା ସେହି ସହରର ଇହୁଦୀ ବିରୋଧୀ ଗୋଷ୍ଠୀମାନଙ୍କ ଦ୍ୱାରା କରାଯାଉଥିଲା  ।

ଇତିହାସର ନରସଂହାରକୁ ଲୁଚାଇବା ଏବଂ କ୍ଷମାପ୍ରାର୍ଥନା ପ୍ରସଙ୍ଗରେ ତତ୍କାଳୀନ ସମସାମୟିକ ଘଟଣାକୁ ନେଇ ପ୍ରସିଦ୍ଧ ଲେଖକ ଟାଡେ଼ୟୁସୁଜ୍ ସ୍ଲୋବୋଡ଼ିଜୈନେକଙ୍କ ଏକ ଡ଼୍ରାମା ""ଆୱାର କ୍ଲାସ୍'' (ଆମ ଶ୍ରେଣୀ) ଯାହାକି ଇଉରୋପ ଥିଏଟର କନଭେନସନ ପ୍ରତିଯୋଗିତାରେ ଶ୍ରେଷ୍ଠ ଡ଼୍ରାମାଭାବେ ବିବେିଚତ ହୋଇ ସମ୍ମାନଜନକ ""ନିକେ ଲିଟେରାରି'' ପୁରସ୍କାର ପାଇଛି, ସେହି ଡ଼୍ରାମରେ ଟାଡେ଼ୟୁସୁଜ ଦଳେ ପୁରୁଷ ଓ ମହିଳାମାନଙ୍କୁ ଏକତ୍ର ରଖି ଗୋଟିଏ ସ୍କୁଲରେ ପାଠ ପଢ଼ାଇବା ସହିତ ଗୋଟିଏ ଗୃହରେ ସେମାନେ ରହି ପରସ୍ପର ଏକାଠି ସମସ୍ତେ ନିଜର ବୟସକୁ ବିକଶିତ କରିଛନ୍ତି  । ଏହାସତ୍ତେ୍ୱ ସେମାନେ ପରସ୍ପର ପ୍ରତି ଅକଥନୀୟ ବର୍ବରତା ଆଚରଣ ପ୍ରଦର୍ଶନ କରିବାକୁ ପଛାଇ ନାହାନ୍ତି ଏବଂ ଏହି ସତ୍ୟକୁ ଲୁଚାଇବାକୁଯାଇ ସମସ୍ତେ ପ୍ରତାରଣା କରିଛନ୍ତି  । ତଥାପି ସତ ଲୁଚିନଥାଏ, ଏକଦା ଦିନେ ଗୋଟିଏ ଚରିତ୍ର ଏହି ସତ୍ୟକୁ ପରିପ୍ରକାଶ କରି କ୍ଷମା ମାଗିଥାଏ ଏବଂ କୁହେ, ""ଆମେମାନେ ସତ୍ୟକୁ ଯେତେ ଲୁଚାଇବାକୁ ବା ମାରିବାକୁ ଚେଷ୍ଟା କଲେ ମଧ୍ୟ ଏହା ସମ୍ଭବ ନୁହେଁ  ।'' ଏହାକୁ ଆଜି ଇଂଲଣ୍ଡର ସରକାର ଓ ରାଣୀ , ଜାଲ୍ଲିଆନୱାଲାବାଗ ଘଟଣାରେ ବୁଝିବା ଦରକାର  । 

ଜାଲ୍ଲିଆନୱାଲାବାଗ ଘଟଣାରୁ ନେଇ କ୍ରୀତଦାସର ବିଭତ୍ସ ପ୍ରଥା, ୧୯୪୨ରେ ଫ୍ରାନ୍ସରେ ଇହୁଦିମାନଙ୍କୁ ବର୍ବର ଆଚରଣ ଓ ନିସ୍କାସନ, ଅବା ୧୯୭୧ରେ ପାକିସ୍ତାନ ସେନାବାହିନୀ ବଙ୍ଗଳାଦେଶ ମୁକ୍ତି ଆନେ୍ଦାଳନରେ ପ୍ରତିହିଂସା ପରାୟଣ ହୋଇ କରିଥିବା ଅମାନବୀୟ ବିଭତ୍ସ ବଳକ୍ରାର ଓ ଅତ୍ୟାଚାର ଭଳି ଅନ୍ୟାନ୍ୟ ନରସଂହାରକୁ ନେଇ ପୃଥିବୀର କୋଣ ଅନୁକୋଣରେ ଆଜି ଗୋଟିଏ ପ୍ରଶ୍ନ ଉଠୁଛି, ଇତିହାସର ଏଭଳି କ୍ଷତକୁ କିପରି ଉପସମ କରାଯିବ ? ଏହା ମଧ୍ୟ ସମସ୍ତେ ବୁଝିଛନ୍ତି ଯେ, ଇତିହାସକୁ  ପୁନର୍ବାର ଲେଖାଯାଇପାରିବ ନାହିଁ କିମ୍ବା ପରିବର୍ତ୍ତନ କରାଯାଇ ପାରିବନାହିଁ ମାତ୍ର କ୍ଷତକୁ ଉପଚାର ଦ୍ୱାରା ଉପସମ କରାଯାଇପାରିବ  । ବାହାନା ବନାଇ ଆଜି ଇଂଲଣ୍ଡ ଜାଲିୱାନବାଗ ଘଟଣାକୁ ଏଡ଼ାଇଯିବାକୁ ଚେଷ୍ଟା କରିଚାଲୁଛି  । ଅବଶ୍ୟ ଇଂଲଣ୍ଡ ବିଫଳ ହେଉଛି  । 

ଇଂଲଣ୍ଡ ଓ ଇଂଲଣ୍ଡର ରାଣୀ ଏହା ବୁଝିବା ଦରକାର ଜାଲ୍ଲିଆନୱାଲାବାଗ ଇତିହାସ ପରିବର୍ତ୍ତନ କଥା ଶହେ ବର୍ଷ ପରେ ଭାରତୀୟମାନେ କହୁନାହାନ୍ତି ବରଂ ଇତିହାସର ଅଦମନୀୟ ଯନ୍ତ୍ରଣାର ଉପସମ କଥା ଆଜି ଭାରତର ପ୍ରତିଟି ଜନସାଧାରଣ କହୁଛନ୍ତି  ।

ଆମ ସମସାମୟିକ ସମୟର ପ୍ରସିଦ୍ଧ ଲେଖିକା, ଗବେଷିକା ଓ ରାଜନୀତି ଇତିହାସବିଦ୍ ଇଙ୍ଗା ବୋଷ୍ଟାରଡ଼, ନରୱେର ପ୍ରସିଦ୍ଧ ମାନବିକ ଗବେଷଣା କେନ୍ଦ୍ରରେ ଇତିହାସର ଏଭଳି ନରସଂହାର ଘଟଣା ଉପରେ ଗବେଷଣା କରି ସେ ତାଙ୍କର ପୁସ୍ତକ ସଂଶୟବାଦର ଜୀବିତାବସ୍ଥା(Scepticism of Survival)ରେ ଦର୍ଶାଇଛନ୍ତି  ""ଯଦି ଇତିହାସର ଅତୀତ ଯନ୍ତ୍ରଣା ଉପସମ କରାଯିବା କଥା ଆସିବ ତେବେ ଏହାର ସର୍ବ ପ୍ରଥମ ଉପଚାର ହେଉଛି ଏଭଳି ଜଘନ୍ୟ ଓ ଘୃଣ୍ୟ ଘଟଣାର ସତ୍ୟତାକୁ ମୁକ୍ତ କଣ୍ଠରେ ସ୍ୱୀକାର କରିବା  । ଦ୍ୱିତୀୟରେ କୌଣସି ସର୍ତ୍ତ ବା ବାହାନା ନରଖି କ୍ଷମା ପ୍ରାର୍ଥନା କରିବା, ଏବଂ ଶେଷରେ ଏଭଳି ଘଟଣାକୁ ନିସର୍ତ୍ତଭାବେ କ୍ଷମା କରିଦେବା''  ।

ତତ୍କାଳୀନ ଇଂରେଜ ସରକାର ଭାରତରେ ଜାଲିୱାନ୍ବାଗ୍ ସମେତ ଆହୁରି ଅନେକ ହତ୍ୟା, ଧର୍ଷଣ ଓ ବର୍ବରତା ରଚାଇଥିଲେ  । ଏହାକୁ ଆଜିର ଇଂଲଣ୍ଡ ସରକାର ଓ ରାଣୀ ଭୁଲିଯିବା ଉଚିତ ନୁହେଁ  ।  ଇଂଲଣ୍ଡର ସରକାର ଓ ରାଣୀଙ୍କ ପାଇଁ ପୋଲାଣ୍ଡର ପ୍ରସିଦ୍ଧ ରାଜନୀତିଜ୍ଞ ଆର୍ଲଫ୍ରେଡ଼ ଟରେସ୍କିଙ୍କ ଉକ୍ତି ବେଶ୍ ପ୍ରଣିଧାନଯୋଗ୍ୟ  । ଏକଦା ଆର୍ଲଫ୍ରେଡ଼ ଟରେସ୍କି କହିଥିଲେ, ""ସ୍ମୃତିକୁ ବାଦ୍ ଦେଇ କୌଣସି ଇତିହାସ କ୍ଷତର ଉପଚାର ବା ଉପସମ କରିହେବ  ନାହିଁ  । ପ୍ରତିଟି ଦୁଃଖଦ ଘଟଣାର ଉପସମ ଓ ଉପଚାରର ଏକମାତ୍ର ମାଧ୍ୟମ କ୍ଷମା ପ୍ରାର୍ଥନା  । ଆମେ ସ୍ମତି ସବୁକୁ ମନେରଖୁ ତେଣୁ ଆମେ କ୍ଷମା ମଧ୍ୟ କରିପାରିବା  ଏବଂ ଯଦି ଆମେ କ୍ଷମା କରିନପାରିବା ତେବେ ଏହା ମଧ୍ୟ ଜାଣିରଖିବା ଦରକାର ଯେ, ଇତିହାସରେ ସୃଷ୍ଟି ହୋଇଥିବା ସେହି କ୍ଷତର ଉପସମ ଓ ଉପଚାର ପାଇଁ କୌଣସି ଭବିଷ୍ୟତର ମଲମ ନାହିଁ ''  । 

ଜାଲ୍ଲିଆନୱାଲାବାଗ ଘଟଣାର୧୦୦ ବର୍ଷ ପରେ ଇଂଲଣ୍ଡ ଏହି ସତ୍ୟକୁ ସ୍ୱୀକାର କରିବାର ସମୟ ଆସିଛି  । ଏଥିପାଇଁ ଇଂଲଣ୍ଡ ସରକାର ଓ ରାଣୀ କ୍ଷମା ପ୍ରାର୍ଥନା କରି ଭାରତ-ଇଂଲଣ୍ଡର ସମ୍ପର୍କକୁ ବିଶ୍ୱରେ ସୁଦୃଢ଼ କରିବା ଆବଶ୍ୟକତା ରହିଛି  । ଆର୍ଲଫ୍ରେଡ଼  ଟରେସ୍କିଙ୍କ ଉକ୍ତି,  ""ଯଦି ଆମେ କ୍ଷମା କରିନପାରିବା ତେବେ ଏହା ମଧ୍ୟ ଜାଣିରଖିବା ଦରକାର ଯେ, ଇତିହାସରେ ସୃଷ୍ଟି ହୋଇଥିବା ସେହି କ୍ଷତର ଉପସମ ଓ ଉପଚାର ପାଇଁ କୌଣସି ଭବିଷ୍ୟତର ମଲମ ନାହିଁ ,'' ଏବଂ ଇଙ୍ଗା ବୋଷ୍ଟାରଡ଼ଙ୍କ  ମତ ""କ୍ଷମା ପ୍ରାର୍ଥନା ପରେ ଏଭଳି ଘଟଣାକୁ ନିସର୍ତ୍ତଭାବେ କ୍ଷମା କରିଦେବା'',  ତତ୍ତ୍ୱ ଭାରତ ପାଇଁ ମଧ୍ୟ ପ୍ରଯୁଜ୍ୟ, ଏହାକୁ ପ୍ରତିଟି ଭାରତୀୟ ହୃଦବୋଧ କରିବା ଜରୁରୀ  ।

 

ସଫଦରଜଙ୍ଗ ଏନକ୍ଳେଭ,  ନୂଆଦିଲ୍ଲୀ 

୯୯୧୦୭୪୦୮୩୯

 This email address is being protected from spambots. You need JavaScript enabled to view it.

 

 

 

0
0
0
s2sdefault