ହେଡଲାଇନସ୍:

ଏପାରି ସେପାରି ସବୁଠି ବେପାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

"ମୁଁ ଏବେ ଏହି ପ୍ରସଙ୍ଗରେ ଭାରତମାଟିର ରାଜନୈତିକ ମୁରବି ପାଲଟିଥିବା ମୋଦିଙ୍କୁ କିଛି କହିବାକୁ ଚାହୁଁନାହିଁ । କୌଣସି ରାଜନୈତିକ ଦଳର ମୁଖପାତ୍ରମାନଙ୍କୁ ବି କିଛିହେଲେ କହିବାକୁ ·ହୁଁନାହିଁ । କାରଣ ସେମାନଙ୍କର ମୁକୁଟ/ମସ୍ନଦ୍/ମିଲିଟାରୀଠୁ ମୋ ପାଇଁ ମହାର୍ଘତର ହେଉଛି ଏ ମାଟି, ଏ ମଣିଷ, ଏ ମୂଲ୍ୟବୋଧ । ବର୍ତ୍ତମାନ ଭାରତ ଏସୀୟ ସଂସ୍କୃତିର ନାଭିକେନ୍ଦ୍ର ଭାବରେ ଏକ। ମହାଏସୀୟ ମୈତ୍ରୀର ମନ୍ତ୍ରପାଠ ଆରମ୍ଭ କରୁ । ଯଦି ଏସିଆ-ଐକ୍ୟର ପ୍ରକୃତରେ ଏକ ଐତିହାସିକ ବିଜୟ ଘଟିପାରନ୍ତା, ତାହେଲେ ଅହମିକାଗ୍ରସ୍ତ କୌଣସି ଅଜଗରୀ ମହାଦେଶ ଠାରୁ ଏ ପ୍ରକାର ଲାଞ୍ଚନାଦାୟକ ସର୍ତ୍ତମୂଳକ ଅନୁଦାନୀ ମାନ୍ୟତାଦାନର ହୁକୁମନାମାକୁ  ଏ ମହାନ୍ ମହାଦେଶୀୟ ରାଷ୍ଟ୍ରମାନଙ୍କୁ ମାନିନେବାକୁ ପଡ଼ନ୍ତା ନାହିଁ । ଆଜି ଯଦି ଭାରତ ସରକାର ଗୋଟାଏ ମୁନାଫାଖୋର୍ ମହାବେପାରୀ ହୁକୁମର  ହୁଙ୍କାରକୁ ଶୁଣି ମଥାନତ କରେ - ତାହେଲେ ବ୍ୟଥାହତ ହେବ ଆମର ଆସନ୍ତାକାଲିର ସକାଳ । ଏବେ ସାରା ଏସିଆ ପାଇଁ ଗୋଟିଏ ପୂର୍ଣ୍ଣଜାଗରଣର ପର୍ଯ୍ୟାୟ ଅଦୂର ଭବିଷ୍ୟତରେ ଆସନ୍ନ । ଆଜି ଯଦି ଆମେ ୟାକୁ ସ୍ୱାଗତ ନ କରୁ, ତେବେ ତାହା ହେବ ମାଟି-ମଣିଷ-ମୂଲ୍ୟବୋଧ ପ୍ରତି ଆମ୍ଭମାନଙ୍କର ଅକ୍ଷମଣୀୟ ଅପରାଧ ।" 

ମାୟାଧର ନାୟକ

ବେ ଖବରକାଗଜର ଗୋଟିଏ ଶିରୋନାମା ଅତି ହାସାସ୍ପଦ । ହ୍ୱାଇଟ୍ ହାଉସର  ହାୱା ଏବେ ଭାରତମୁହାଁ । ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଧମକାଇଛନ୍ତି - ଭାରତକୁ ବ୍ୟବସାୟିକ ରିହାତି ମାନ୍ୟତାର ମାନଚିତ୍ରରୁ ବିସ୍ଥାପିତ କରିଦେବେ । ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ମୋଦି ଏ ବାବଦରେ କେଉଁଠି କ’ଣ କିଛି କହିଲେଣ କି? ବହୁତ ହସ ଲାଗୁଛି - ମନେ ହେଉଛି ଯେ ଏପାରି ସେପାରି ସବୁଠି ଖାଲି ବେପାରୀ । ଆମେ ଏ ବେପାରୀମାନଙ୍କ ବୃତ୍ତିବିବୃତିକୁ ନେଇ କିଛି ବି କହିବାକୁ ଚାହୁଁନାହୁଁ । କାରଣ ଯେତେବେଳେ ବେପାରୀମାନେ ରାଜନୀତିର ରାଜଗାଦି ଉପରେ ବସିପଡ଼ନ୍ତି ସେମାନେ ଭାବିନିଅନ୍ତି ଯେ - ସେଇମାନେ ହିଁ କେବଳ ମଞ୍ଚସ୍ଥ ମାନ୍ୟଗଣ୍ୟ ଜଣେଜଣେ ନିରଙ୍କୁଶ ନାୟକ ଏବଂ ବିଚରା ଜନଗଣ ହେଉଛନ୍ତି - ଗୋଟିଏ ଗୋଟିଏ ନିରୁପାୟ ନୀରବ ଦର୍ଶକ - ସେମାନଙ୍କ ସମସ୍ତପ୍ରକାର ବୟାନ ଭାଷଣସ୍ରୋତର ବାଧ୍ୟତାମୂଳକ ଶ୍ରୋତା । ଭୁଲି ଯାଆନ୍ତିି - ଯେଉଁ ଭୂଗୋଳ ଏହି ମଞ୍ଚସ୍ଥ ବେପାରୀମାନେ ଆଜି ଦଖଲ କରିଛନ୍ତି ସେହି ଭୂଗୋଳ ପଛରେ ଅସଲ ଇତିହାସର ମୂଳଦୁଆ ହେଉଛି ଦେଶର ଜନଶକ୍ତି ।

ଆମେରିକା ମହାଦେଶ ହୋଇପାରେ - ମାତ୍ର ଭାରତ ହେଉଛି ବିଶ୍ୱବିଦିତ ଏକ ମହାନ୍ ଦେଶ । ଏପରି ଏକ ମହାନ୍ ଦେଶ କୌଣସି ନବାବିଷ୍କୃତ ମହାଦେଶର ଅନୁଦାନୀ ମାନ୍ୟତାପ୍ରାପ୍ତିର ଦୟାରେ କେବେହେଲେ ଗଢିଉଠିନି - ଯାହା ଇତିହାସର ଇସ୍ତାହାର । ଏ କଥା କ’ଣ ହ୍ୱାଇଟ୍ ହାଉସର  ସାମରିକ ସୁରକ୍ଷା-ବଳୟରେ ବିଳାସ ବିଭୋର ଟ୍ରମ୍ପ ମହାଶୟଙ୍କୁ ଅଜଣା ନା ଅଛପା?  ଆମେରିକା ବାଣିଜ୍ୟ କାରବାରରେ ଭାରତକୁ ସ୍ୱତନ୍ତ୍ର ରିହାତି ବା ବିଶେଷ ମାନ୍ୟତା ପ୍ରଦାନ କରିିଆସୁଥିବାରୁ ଭାରତ ପାଖାପାଖି ୧୪୨୫ କୋଟି ଟଙ୍କାର ଆମଦାନୀ ଶୁଳ୍କ ଛାଡ଼ ପାଇଥାଏ । ଆମେ ଆମେରିକାରୁ ଆମଦାନୀ କରୁଥିବା ୪୦ ହଜାର କୋଟି ଟଙ୍କାର ଇଞ୍ଜିନିୟରିଂ ମେସିନ୍,  ଅର୍ଗାନିକ କେମିକାଲ ଓ ବୟନ ସାମଗ୍ରୀ ରପ୍ତାନୀ କରୁଛେ । ଆସନ୍ତା ମେ ମାସରୁ ଆମେରିକା ଆମଦାନୀ ଶୁଳ୍କ ଲାଗୁ କରିବ ଯାହାଫଳରେ ରପ୍ତାନୀ କ୍ଷେତ୍ରରେ ବଜାୟ ରହିଆସିଥିବା ଆର୍ଥନୀତିକ ପାକ୍ରିୟାର  ଉଦାର ବିଧିବ୍ୟବସ୍ଥାଦି ପ୍ରଭାବିତ ହେବ, ଛୋଟ କମ୍ପାନୀଗୁଡ଼ିକ ଉପରେ ମାଡ଼ ବସିବ, ବିଭିନ୍ନ ସାମଗ୍ରୀର  ଆଶଙ୍କାଜମିବ ମୂଲ୍ୟବୃଦ୍ଧି ଘଟିବ । ସବୁଯାକ ବୋଝ ଖାଉଟିମାନଙ୍କ ଉପରେ ପଡ଼ିବ । ସମ୍ଭବତଃ ଟ୍ରମ୍ପଙ୍କ ଧମକରେ ଏକ ଅଦୃଶ୍ୟ ବାର୍ତ୍ତା ହେଉଛି ଭାରତ ଆମେରିକାରୁ ଯୁଦ୍ଧ ସରଞ୍ଜାମ କିଣୁ । ଟ୍ରମ୍ଫ ଶାସିତ ଆମେରିକା ଇଆଡେ଼ ବିଶ୍ୱଚାପ ଯୋଗୁ ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀ ମାନଙ୍କ ପ୍ରତି କୋହଳ ମନୋଭାବ ବିରୁଦ୍ଧରେ ସମାଲୋଚନା କରୁଛି, ମାତ୍ର ଏବେ ପୁଣି ଭାରତକୁ ଧମକାଉଛି ! ଭାରତ ସରକାର ନୀରବ କାହିଁକି ?

ଏହି ଆମେରିକା ଏକଦା ଏସିଆ ମହାଦେଶର ଏକ ଶିଶୁରାଷ୍ଟ୍ର ଭିଏତନାମ ଠାରୁ ପ୍ରଚଣ୍ଡ ପରାଭବ ଭୋଗିସାରି ମଧ୍ୟ ଇତିହାସ ଠାରୁ ଗୋଟିଏ ଅକ୍ଷର ସୁଦ୍ଧା ଏଯାବତ୍ ଶିଖିପାରି ନାହିଁ ବୋଲି ମନେହୁଏ । ଏପରିକି ଆଜି ଯଦି ଏସିଆର ଆଉ ଦୁଇଟି ଭ୍ରାତୃରାଷ୍ଟ୍ର ଉତ୍ତର ଓ ଦକ୍ଷିଣ କୋରିଆ ଏକଜୁଟ ହୋଇ ଟ୍ରମ୍ପଙ୍କ ଟାୱାର ଆଡ଼କୁ ବଦ୍ଧମୁଷ୍ଟି ପ୍ରଦର୍ଶନ କରିବେ - ତାହାହେଲେ ଆଜି ଟ୍ରମ୍ପଙ୍କର ମନ୍ତବ୍ୟ କି ରୂପ ନେବ ? ମୋର ଅନୁରୋଧ - ଏପ୍ରକାର ଔଦ୍ଧତ୍ୟପୂର୍ଣ୍ଣ ଆସ୍ଫାଳନ ଯେତେବେଳେ ଆମେରିକା ଆକାଶରୁ ଆସି ଭାରତ ଭୂମିରେ ଗୁଞ୍ଜନ ସୃଷ୍ଟି କଲାଣି - ସେତେବେଳେ ମୁଁ ଆଉଥରେ ମୋର ସେହି ବିଗତ ଦିନର ଉଦ୍ବୋଧନକୁ ଦୋହରାଇବାକୁ ଚାହେଁ - ଏକ୍ ହୁଅ ଏସିଆ !

ଧନଦର୍ପରେ ଦୃପ୍ତ ଆମେରିକା ଆଜି ଦୁନିଆକୁ ନିଜର ବଜାରବନ୍ଦୀ ଗୋଦାମରେ ପରିଣତ କରିଦେବାକୁ ଚାହୁଛି । ଏଥିରେ ଗୋଟିଏ କଥା ଜଳଜଳ ହୋଇ ଦିଶୁଛି ଯେ ଏ ଯୁକ୍ତରାଷ୍ଟ୍ରୀୟ ରାଜନୀତି ଏକ ଦୋକାନଦାରୀ ଅର୍ଥନୀତିର ହାତବାରିସୀ ହୋଇପଡିଛି କାହିଁ କେଉଁକାଳୁ । ଏପରିକି ଶାନ୍ତି ନୁହେଁ, ଯୁଦ୍ଧ ହିଁ ହେଉଛି ମହାବେପାରୀ ମାର୍କିନ ମାନସିକତାର ମୂଳସୂତ୍ର । ସାରାଦୁନିଆକୁ ଗୋଦାମଭର୍ତ୍ତି ସାମରିକ ସରଞ୍ଜାମ ବିକ୍ରି କରିବା ମତଲବରେ ଆମେରିକାର ଶାସନସୂତ୍ରୀମାନେ କଣ କେଭେଁହେଲେ ମଣିଷସମାଜ ପାଇଁ ଚିରସ୍ଥାୟୀ ଶାନ୍ତି ଚାହିବେ ? ଚାହିବେ କି, ଏ ପୃଥିବୀରେ ଫୁଟୁଥାଉ ଶାନ୍ତିର ସୁନାଫୁଲ, ମୈତ୍ରୀର ମହୁଲଫୁଲ ? ଚାହିବେ ତ ଯୁଦ୍ଧ, ମହାଯୁଦ୍ଧ, ମହାତଙ୍କ ! ଫସଲ କିଆରିର କବର ଉପରେ ଆମେରିକାର ଈଗଲ୍-ଆଖି ଦେଖିବାକୁ ଚାହେ ଗୋଟିଏ ଗୋଟିଏ ଜଘନ୍ୟ ଯୁଦ୍ଧଭୂମି । ଯୁଦ୍ଧ ହେଉ, ଛଞ୍ଚାଣ ଛାଉଣୀରୁ ଛୁଟିଆସୁ ଗୁଳିଗୋଳା ... ବନ୍ଧୁକର ସଙ୍ଗିନ ଲଟକିଯାଉ ସାରାଦୁନିଆର ଆକାଶରେ ଉଡ଼ିବୁଲିବାକୁ ଚାହୁଥିବା ଶାନ୍ତିର କପୋତ ... ବୋମାବର୍ଷଣରେ ବାରମ୍ବାର ଧର୍ଷଣପୀଡ଼ିତ ଦୁନିଆର ଆର୍ତ୍ତନାଦ ଭିତରେ ହଜିଯାଉ ବାକି ସବୁ ରାଷ୍ଟ୍ରର  ଜାତୀୟସଂଗୀତ ! ଫୁଲର ମହକ ନୁହେଁ, ଫସଲର ବାସ୍ନା ନୁହେଁ - ବାରୁଦଗନ୍ଧରେ ଭରିଉଠୁ ଦେଶେଦେଶେ ଗଳିକନ୍ଦି ... ବସ୍ତିବିପଣି । ଶସ୍ୟ ନୁହେଁ, ଶସ୍ତ୍ର ହିଁ ବୋଧହୁଏ ଏହି ମାର୍କିନ୍ ରାଜନୀତିର ମାନସିକ ସଂକେତ !

ଦ୍ୱିତୀୟ ମହାଯୁଦ୍ଧର  ପୃଷ୍ଠଭୂମିରେ  ଅଭ୍ୟୁତ୍ଥିତ ଏକ ଏସୀୟ ରାଷ୍ଟ୍ର ଜାପାନର ଜ୍ୱାଳା କ’ଣ ଇତିହାସ କେବେ ପାସୋରିପାରିବ ? ଆମେରିକାର ପରମାଣୁ ବୋମା ପଡ଼ି ଜାପାନ୍ ସେଦିନ ପ୍ରଶାନ୍ତ ମହାସାଗର ଗର୍ଭରେ ମିଶିଯିବାର ଗଣିତ କଷିଥିଲା ମାର୍କିନ୍ ରାଜନୀତି । ବୋମା ନିକ୍ଷେପକ ବିମାନର ପାଇଲଟ୍ ତ ପାଗଳ ହୋଇଯାଇଥିଲେ ! ମାତ୍ର ଭସ୍ମସ୍ତୂପ ଭିତରୁ ପୁନରାୟ ଫେନିକ୍ସ ପକ୍ଷୀ ପରି ଜାପାନ ଜୀବନ୍ୟାସ ପାଇଗଲା - ନିଜ ଦୃଢ଼ ଆତ୍ମବିଶ୍ୱାସର ଦୁଇ ଦୁର୍ବାର ଡେଣା ମେଲାଇ । ଜାପାନର ଏହି ଜାଗରଣକୁ ଏସୀୟ ରାଷ୍ଟ୍ରଶକ୍ତି ଆଜି ଆଉଥରେ ସୁମରଣା କରିବାର ସମୟ ଆସି ପହଞ୍ଚିଛି । ଏସିଆ ମହାଦେଶୀୟ ରାଷ୍ଟ୍ରପୁଞ୍ଜ ଏବେ ଗୋଟିଏ ମଞ୍ଚରେ ମିଳିତ ହୋଇ ସାରାଦୁନିଆକୁ ନାରା ଶୁଣାନ୍ତୁ : ଏକ୍ ଆମେ ଏସୀୟ !

ଆମେରିକା ... ଅଶାନ୍ତ ଏକ ଅତୃପ୍ତ ମରୀଚିକା ! ଏଠୁ ଜଳବୁନ୍ଦେ ନାହିଁ ଜୀବନ ପାଇଁ । ଯାହା ଅଛି, ତାହା କେବଳ ଯୁଦ୍ଧ ପାଇଁ ।

ଟ୍ରମ୍ଫ ... ଏହି ଅମାନୁଷିକତାର ଉତ୍ପାଦନଶାଳାରେ ଯେଉଁ ଚିମିନୀ ଦିଶୁଛି, ସେଇ ଚିମିନୀର ଧାରେ ଧଳାଧୂଆଁ ମାତ୍ର ! ଇତିହାସର ଲାଲ ନିଆଁ ଆଗରେ ଏ ଧଳାଧୂଆଁର ବା କି ମୂଲ୍ୟ? ଟ୍ରମ୍ଫ ଯେ ବିଶ୍ୱମାନବିକତାର ମହାମଂଚରେ ଟ୍ରମ୍ଫକାର୍ଡ ନୁହନ୍ତି, ବରଂ ଶାନ୍ତିକାମୀ ଦୁନିଆର ସରଳ ନିରୀହ ମଣିଷ ସମାଜକୁ ଗୋଟାଏ ଜଳାପୋଡ଼ା କଳାପତାକା - ଏ ସତ୍ୟ ଦିନେ ଦୁନିଆ ଜାଣିବ ହିଁ ଜାଣିବ । ଏବେ ଏସୀୟ-ଐକ୍ୟର ଜାଗରଣମଞ୍ଚରେ ଯୋଗଦାନ କରିବା ପୂର୍ବରୁ ଭାରତ ଏ କଥା ଏବେ ନ ବୁଝିଲେ କେବେ ବୁଝିବ?

ମୁଁ ଏବେ ଏହି ପ୍ରସଙ୍ଗରେ ଭାରତମାଟିର ରାଜନୈତିକ ମୁରବି ପାଲଟିଥିବା ମୋଦିଙ୍କୁ କିଛି କହିବାକୁ ଚାହୁଁନାହିଁ । କୌଣସି ରାଜନୈତିକ ଦଳର ମୁଖପାତ୍ରମାନଙ୍କୁ ବି କିଛିହେଲେ କହିବାକୁ ·ହୁଁନାହିଁ । କାରଣ ସେମାନଙ୍କର ମୁକୁଟ/ମସ୍ନଦ୍/ମିଲିଟାରୀଠୁ ମୋ ପାଇଁ ମହାର୍ଘତର ହେଉଛି ଏ ମାଟି, ଏ ମଣିଷ, ଏ ମୂଲ୍ୟବୋଧ । ବର୍ତ୍ତମାନ ଭାରତ ଏସୀୟ ସଂସ୍କୃତିର ନାଭିକେନ୍ଦ୍ର ଭାବରେ ଏକ। ମହାଏସୀୟ ମୈତ୍ରୀର ମନ୍ତ୍ରପାଠ ଆରମ୍ଭ କରୁ । ଯଦି ଏସିଆ-ଐକ୍ୟର ପ୍ରକୃତରେ ଏକ ଐତିହାସିକ ବିଜୟ ଘଟିପାରନ୍ତା, ତାହେଲେ ଅହମିକାଗ୍ରସ୍ତ କୌଣସି ଅଜଗରୀ ମହାଦେଶ ଠାରୁ ଏ ପ୍ରକାର ଲାଞ୍ଚନାଦାୟକ ସର୍ତ୍ତମୂଳକ ଅନୁଦାନୀ ମାନ୍ୟତାଦାନର ହୁକୁମନାମାକୁ  ଏ ମହାନ୍ ମହାଦେଶୀୟ ରାଷ୍ଟ୍ରମାନଙ୍କୁ ମାନିନେବାକୁ ପଡ଼ନ୍ତା ନାହିଁ । ଆଜି ଯଦି ଭାରତ ସରକାର ଗୋଟାଏ ମୁନାଫାଖୋର୍ ମହାବେପାରୀ ହୁକୁମର  ହୁଙ୍କାରକୁ ଶୁଣି ମଥାନତ କରେ - ତାହେଲେ ବ୍ୟଥାହତ ହେବ ଆମର ଆସନ୍ତାକାଲିର ସକାଳ । ଏବେ ସାରା ଏସିଆ ପାଇଁ ଗୋଟିଏ ପୂର୍ଣ୍ଣଜାଗରଣର ପର୍ଯ୍ୟାୟ ଅଦୂର ଭବିଷ୍ୟତରେ ଆସନ୍ନ । ଆଜି ଯଦି ଆମେ ୟାକୁ ସ୍ୱାଗତ ନ କରୁ, ତେବେ ତାହା ହେବ ମାଟି-ମଣିଷ-ମୂଲ୍ୟବୋଧ ପ୍ରତି ଆମ୍ଭମାନଙ୍କର ଅକ୍ଷମଣୀୟ ଅପରାଧ । 

ଟ୍ରମ୍ପ ନିଜେ ମଧ୍ୟ ଜାଣିରଖିବା ଉଚିତ୍ ଯେ ତାଙ୍କ ମାଟି ବା ମଇଦାନରେ ମଧ୍ୟ ତାଙ୍କୁ ଶତ ପ୍ରତିଶତ ସମର୍ଥନ ମିଳୁନାହିଁ । ତାଙ୍କର ଏହି ପାଗଳ ପ୍ରଳାପକୁ କେହି ଆମେରିକାର ଅନ୍ତଃସ୍ୱର ବୋଲି ଯେ ବିଚାରିବେ ନାହିଁ - ଏଥିରେ ଅଣୁମାତ୍ରେ ସନ୍ଦେହ  ନାହିଁ ।  ଆଜି ଟ୍ରମ୍ପ ପାଇଁ  ଆସନ୍ତା  କାଲିର ଆମେରିକା ଲଜ୍ଜିତ ହେବାକୁ ବାଧ୍ୟ । ଏହିଦୃଷ୍ଟିରୁ ଆମେରିକାରେ ବି ଆତ୍ମସମୀକ୍ଷାର ଆବହାୱା ଅବିଳମ୍ବେ ଉପୁଜିବା ଆବଶ୍ୟକ । ଏହା ପ୍ରତ୍ୟେକ ଆମେରିକାବାସୀ ମର୍ମେମର୍ମେ ଉପଲବ୍ଧି କରିବା ସର୍ବାଦୌ ବାଂଛନୀୟ ।

 

ଯାଜପୁର ରୋଡ଼, ଯାଜପୁର

ମୋ : ୯୮୬୧୦୩୪୧୬୩ 

0
0
0
s2sdefault