ହେଡଲାଇନସ୍:

କିଟ୍‍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଅଚ୍ୟୁତ ସାମନ୍ତ

ବିଗତ ବର୍ଷଗୁଡ଼ିକରେ ଅତିବାହିତ ହୋଇଥିବା ସମୟ ଏବଂ ୨୦୨୧ଠାରୁ ଆରମ୍ଭ ହୋଇଥିବା ସମୟ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ଦେଖା ଦେଇଛି। ଠିକ୍‍ ଏକ ଶତାବ୍ଦୀ ତଳେ ସ୍ପେନିସ୍‍ ଫ୍ଲୁ ଭଳି ଏକ ମାରାତ୍ମକ ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ଶହେବର୍ଷ ପରେ ଗତବର୍ଷ ବିଶ୍ୱ ଯେଉଁ ସଙ୍କଟମୟ ପରିସ୍ଥିତିର ସାମନା କଲା, ଏଥିରେ ସମସ୍ତ ଜନଜୀବନ ଓ ଜୀବିକା ସଂପୂର୍ଣ୍ଣ ପ୍ରଭାବିତ ହୋଇଥିଲା। ୨୦୨୧ ଆରମ୍ଭରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ମଧ୍ୟ କିଛି ମାସ ପରେ ପୁନର୍ବାର ମହାମାରୀର ପ୍ରକୋପ ଦେଖାଦେଇଥିଲା ଏବଂ ଏହା ଅଧିକ ବିନାଶକାରୀ ହୋଇଥିଲା।
ଊଣା ଅଧିକେ ଆମେ ସମସ୍ତେ କୋଭିଡ୍‍-୧୯ର ଭୟାବହ କ୍ଷୟକ୍ଷତି ଅନୁଭବ କରିଛୁ ଏବଂ କିଛି ଲୋକଙ୍କ ପାଇଁ ଆମେ ଗର୍ବ କରୁଛୁ ଯେଉଁମାନେ ଏହି ମହାମାରୀ ବିରୋଧରେ ଯୁଦ୍ଧକରି ବିଜୟୀ ହୋଇଛନ୍ତି। ଯେଉଁମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନେ ହେଲେ ଛାତ୍ରଛାତ୍ରୀ ଓ ଶିକ୍ଷା ବ୍ୟବସ୍ଥା। ବହୁ ଅନିଶ୍ଚିତତା ଓ ଅନିର୍ଦ୍ଦିଷ୍ଟ ମଧ୍ୟରେ ସମ୍ପୂର୍ଣ୍ଣ ଶିକ୍ଷାବର୍ଷ ଅତିକ୍ରାନ୍ତ ହୋଇଛି।
କରୋନା ମହାମାରୀ ଯୋଗୁଁ ହସ୍‍ପିଟାଲ୍‍ଗୁଡ଼ିକରେ ଶଯ୍ୟା ଓ ଅମ୍ଳଜାନର ଅଭାବ ସାଙ୍ଗକୁ ପ୍ରଳୟଙ୍କରୀ ବାତ୍ୟା ‘ୟଶ’, ତାଲାବନ୍ଦ ଏବଂ ମାନସିକ ଅବସାଦ କାରଣରୁ ଲୋକମାନେ ରୋଜଗାର ହରାଇ ଦାରିଦ୍ର୍ୟ ଆଡ଼କୁ ଠେଲି ହୋଇଯାଉଥିବା ଭଳି ଖବର ମଧ୍ୟରେ କିଟରୁ ୨୦୨୧ ଉତ୍ତୀର୍ଣ୍ଣ ବ୍ୟାଚ୍‍ର ଛାତ୍ରଛାତ୍ରୀମାନେ ଯଥେଷ୍ଟ କଠିନ ଅଧ୍ୟବସାୟ କରିଛନ୍ତି । ଛାତ୍ର-ଅନୁକୂଳ, କରୁଣା ଓ ମାନବିକତା ଭିତ୍ତିକ କିଟ୍‍ ବିଶ୍ୱବିଦ୍ୟାଳୟ କିନ୍ତୁ ଏଭଳି ପରିସ୍ଥିତିରେ ନିଜ ଛାତ୍ରଛାତ୍ରୀଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛି ଏବଂ ଏଭଳି ପରିସ୍ଥିତିରେ ଥାଇ ସଫଳତା ପାଇବା ପାଇଁ ସହଯୋଗ କରିଛି।
୧୯୯୨-୯୩ରେ ପ୍ରତିଷ୍ଠିତ କିଟ୍‍ ନିଜର ପରାକାଷ୍ଠା ପାଇଁ ବିଶ୍ୱସ୍ତରରେ ପ୍ରଶଂସିତ ହୋଇପାରିଛି। ପ୍ରତିଷ୍ଠା ହେବାର ଖୁବ୍‍ କମ୍‍ ସମୟ ମଧ୍ୟରେ ଶିକ୍ଷା ସହ ବିଭିନ୍ନ ଉପାୟରେ ସମାଜର ଲୋକଙ୍କ ହିତ ସାଧନ କରିବା ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ‘ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନ୍‍ସ’ ଭାବେ ସ୍ୱୀକୃତି ପାଇବା ତଥା ବିଭିନ୍ନ ବିଶ୍ୱ ରାଙ୍କିଙ୍ଗରେ ସମ୍ମାନଜନକ ସ୍ଥାନ ହାସଲ କରିବା ନିଶ୍ଚିତ ଭାବେ ଗୌରବର ବିଷୟ। ଏସିଆ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ, ଟାଇମ୍‍ସ ହାଇଅର ଏଜୁକେସନ୍‍ ରାଙ୍କିଙ୍ଗ ଭଳି ବିଶ୍ୱସ୍ତରୀୟ ସମ୍ମାନଜନକ ରାଙ୍କିଙ୍ଗରେ ସ୍ଥାନ ପାଇଥିବା ଖୁବ୍‍ କମ୍‍ ଭାରତୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ଅନ୍ୟତମ। ଓଡ଼ିଶାରୁ ଏକମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ଏହି ସମ୍ମାନର ଅଧିକାରୀ ହୋଇପାରିଛି କିଟ୍‍।
କରୋନା ମହାମାରୀ ସମୟରେ ଅଭାବଗ୍ରସ୍ତ ଲୋକଙ୍କୁ ସେବା ଯୋଗାଇ ଦେବାରେ କିଟ୍‍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଆସିଛି। କିଟ୍‍ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ) ଅତି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। କିମ୍‍ସ ଦ୍ୱାରା ଓଡ଼ିଶାରେ ୪ଟି ସ୍ଥାନରେ କୋଭିଡ୍‍ ହସ୍‍ପିଟାଲରେ ମୋଟ ୨ହଜାର ଶଯ୍ୟା ପ୍ରସ୍ତୁତ କରି କୋଭିଡ୍‍ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବାରେ ସରକାରଙ୍କୁ ସହାୟତା ପ୍ରଦାନ କରିପାରିଛି । ତାଲାବନ୍ଦ ଯୋଗୁଁ ନିରାଶ୍ରୟ, ଗରିବ ଓ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରି ଚଳୁଥିବା ପ୍ରାୟ ୩ ଲକ୍ଷ ଅଭାବୀ ଲୋକ, ବସ୍ତିବାସିନ୍ଦା ଓ ପ୍ରବାସୀ ଶ୍ରମିକଙ୍କୁ କିଟ୍‍ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରିପାରିଛି। ହୋଟେଲ୍‍ ବଜାର ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକ ବନ୍ଦ ରହୁଥିବାରୁ ଖାଦ୍ୟ ପାଇଁ ଏହା ଉପରେ ନିର୍ଭର କରି ରହୁଥିବା ବୁଲା ପଶୁପକ୍ଷୀ ଭୋକରେ ଥିବାବେଳେ କିଟ୍‍ ପକ୍ଷରୁ ସେମାନଙ୍କୁ ନିୟମିତ ଖାଦ୍ୟ ଦିଆଯାଇଆସିଛି।
ମହାମାରୀ ଯୋଗୁଁ କିସରେ ଶିକ୍ଷାରତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଜ ଘରେ ରହୁଥିବା ୩୦ ହଜାର ଛାତ୍ରଛାତ୍ରୀଙ୍କ ଘରକୁ ପ୍ରତ୍ୟେକ ମାସରେ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି ଏବଂ ନିୟମିତ ଭାବେ ପାଠ୍ୟୋପକରଣ ଓ ପୋଷାକ ମଧ୍ୟ ସେମାନଙ୍କ ନିକଟରେ ପହଞ୍ଚାଇ ଦିଆଯାଇଛି। ଓଡ଼ିଶାରେ କୋଭିଡ୍‍ ଯୋଗୁଁ ଅନାଥ ହୋଇଯାଇଥିବା ବହୁ ପିଲାଙ୍କୁ ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ବିନାଦେୟରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି। କେବଳ ସେତିକି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ କାରଣରୁ ଅନାଥ ହୋଇଯାଇଥିବା ଶହେରୁ ଊର୍ଦ୍ଧ୍ୱ ପିଲାଙ୍କୁ ଆପଣାଇ ନିଆଯାଇ ସେମାନଙ୍କୁ ମାସିକ ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। କରୋନା ପରେ କିସ୍‍ ଖୋଲିଲେ ସେମାନେ କିସରେ ବିନା ଦେୟରେ ପାଠ ପଢ଼ିବା ସହ ଉଚ୍ଚଶିକ୍ଷା ଲାଭ କରିବେ।
କରୋନାରେ ମୃତ୍ୟୁବରଣ କରିଥିବା କିଟ୍‍ରେ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ କିମ୍ବା କର୍ମଚାରୀଙ୍କୁ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ଯୋଗ୍ୟତା ଭିତ୍ତିରେ ସେମାନଙ୍କ ପିଲାଙ୍କୁ କିଟରେ ବିନାଦେୟରେ ପାଠ ପଢ଼ିବା ଓ ଯୋଗ୍ୟତା ଭିତ୍ତିରେ ସେମାନଙ୍କ ପରିବାରର ଜଣଙ୍କୁ କିଟ୍‍ ଓ କିସରେ ନିଯୁକ୍ତି ପ୍ରଦାନ କରିବା ଭଳି ବଳିଷ୍ଠ ଓ ଉଦାହରଣୀୟ ପଦକ୍ଷେପ ନେବାରେ କିଟ୍‍ ଭାରତବର୍ଷର ଏକମାତ୍ର ଅନୁଷ୍ଠାନ।
ପ୍ରତିଷ୍ଠା ହେବାଠାରୁ ଶିକ୍ଷା ସହ କିଟ୍‍ ସର୍ବଦା ବିଭିନ୍ନ ବହୁମୁଖୀ କାର୍ଯ୍ୟ କରିଆସିଛି। ଶିକ୍ଷା ସମେତ ସ୍ୱାସ୍ଥ୍ୟ, ଶତତ ବିକାଶ, ସାହିତ୍ୟ, ସଂସ୍କୃତି ଏବଂ ବିଶେଷ କରି କ୍ରୀଡ଼ା କ୍ଷେତ୍ରରେ କିଟ୍‍ର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଆସିଛି। କିଟ୍‍ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଯେଉଁଠୁ ତିନି ତିନି ଜଣ ଅଲିମ୍ପିଆନ୍‍ ବାହାରି ପାରିଛନ୍ତି । ନିକଟରେ ଟୋକିଓ ଅଲିମ୍ପିକରେ କିଟ୍‍ ଛାତ୍ରୀ ଦୂତି ଚାନ୍ଦ ୧୦୦ ଓ ୨୦୦ ମିଟର ଦୌଡ଼ରେ ଭାରତର ପ୍ରତିନିଧିତ୍ୱ କରିଥିବା ବେଳେ ଭବାନୀ ଦେବୀ ଅସି ଚାଳନା ଓ ଶିବପାଲ୍‍ ସିଂହ ଜାଭେଲିନ୍‍ ଥ୍ରୋରେ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ସୁଦ୍ଧା କିଟ୍‍ ଓ କିସ୍‍ରୁ ଆଞ୍ଚଳିକସ୍ତରରୁ ଆନ୍ତର୍ଜାତିକସ୍ତର ପର୍ଯ୍ୟନ୍ତ ୫ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ବିତ୍‍ ବାହାରି ସାରିଲେଣି।
କିଟ୍‍ ବିଶ୍ୱବିଦ୍ୟାଳୟକୁ ଏକ ଗ୍ଲୋବାଲ୍‍ ଭିଲେଜ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ଯଥାର୍ଥତା ମଧ୍ୟ ରହିଛି। କିଟରେ ପ୍ରାୟ ୬୫ଟି ଦେଶରୁ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି ସମସ୍ତ ଦେଶର ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୩୦ ହଜାର ଛାତ୍ରଛାତ୍ରୀ ଗୋଟିଏ କ୍ୟାମ୍ପସରେ ରହୁଛନ୍ତି। ଭିନ୍ନ ଅଞ୍ଚଳ, ଭିନ୍ନ ପରମ୍ପରା ଓ ଭିନ୍ନ ଭାଷାଭାଷୀର ପିଲାମାନେ ଏକାଠି ରହିଲେ ଏହା ଏକ ଗ୍ଲୋବାଲ୍‍ ଭିଲେଜ ଭାବେ ପ୍ରତୀୟମାନ ହୋଇଥାଏ।
ପ୍ଲେସମେଣ୍ଟ ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟର ଏକ ସ୍ୱତନ୍ତ୍ର ପ୍ରଶସ୍ତି ରହିଛି। ପ୍ରତିଷ୍ଠା ହେବଠାରୁ କିଟ୍‍ ଏହାର ଛାତ୍ରଛାତ୍ରୀଙ୍କୁ ନିରନ୍ତର ଶତ ପ୍ରତିଶତ ପ୍ଲେସମେଣ୍ଟ ଯୋଗାଇ ଦେଇ ଆସିଛି। ମହାମାରୀ ସତ୍ତ୍ୱେ କିଟ୍‍ର ୨୦୧୯-୨୦ ପାସ୍‍ ଆଉଟ୍‍ ବ୍ୟାଚ୍‍ର ଛାତ୍ରଛାତ୍ରୀଙ୍କୁ ଆଖିଦୃଶିଆ ପ୍ଲେସମେଣ୍ଟ ଯୋଗାଇ ଦିଆଯାଇଛି। କିଟ୍‍ର ଟ୍ରେନିଂ ଓ ପ୍ଲେସମେଣ୍ଟ ବିଭାଗର କଠିନ ପରିଶ୍ରମ ଯୋଗୁଁ ୨୦୨୧ ପାସ୍‍ ଆଉଟ୍‍ ବ୍ୟାଚ୍‍ର ଛାତ୍ରଛାତ୍ରୀଙ୍କୁ ରେକର୍ଡ ପ୍ଲେସମେଣ୍ଟ ଯୋଗାଇ ଦେବାରେ ସଫଳ ହୋଇଛି। ୨୫ଶହ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ପ୍ଲେସମେଣ୍ଟ ଅଫର ପାଇଥିବା ବେଳେ ୪ହଜାର ପିଲା ଏକାଧିକ ପ୍ଲେସମେଣ୍ଟ ଅଫର ପାଇଛନ୍ତି। ସେମାନଙ୍କ ମଧ୍ୟରୁ ହାରାହାରି ବାର୍ଷିକ ପ୍ୟାକେଜ୍‍ ୬ଲକ୍ଷ ଟଙ୍କା ଥିବାବେଳେ ସର୍ବାଧିକ ବାର୍ଷିକ ୩୦ ଲକ୍ଷ ଟଙ୍କା ପ୍ୟାକେଜରେ ପିଲମାନେ ମଧ୍ୟ ପ୍ଲେସମେଣ୍ଟ ଅଫର ପାଇଛନ୍ତି। ଏବେ କରୋନା କାଳରେ କମ୍ପାନୀର ସ୍ଥିତି ଓ ଯେଉଁଭଳି ଭାବେ କମ୍ପାନୀମାନେ କର୍ମଚାରୀ ହ୍ରାସ କରୁଛନ୍ତି, ସେଭଳି ପରିସ୍ଥିତିରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ପ୍ଲେସମେଣ୍ଟ ଯୋଗାଇ ଦେବା ଏତେ ସହଜ ସାଧ୍ୟ ନୁହେଁ।
କିଟ୍‍କୁ ଶୀର୍ଷରେ ପହଞ୍ଚାଇବା ପାଇଁ ଏହାର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି- ଏହା ଅନସ୍ୱୀକାର୍ଯ୍ୟ। ତେବେ ଖୁବ୍‍ ଶୀଘ୍ର କରୋନା ମହାମାରୀ ପ୍ରକୋପ ଲୋପ ପାଇବ ଏବଂ ଛାତ୍ରଛାତ୍ରୀମାନେ ପୁଣି କ୍ୟାମ୍ପସ୍‍କୁ ଫେରିବେ ବୋଲି ଆଶା କରାଯାଇପାରେ। ଇତି ମଧ୍ୟରେ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ପହଞ୍ଚିବା ପୂର୍ବରୁ କୋଭିଡ୍‍ର ସମସ୍ତ ପ୍ରକାର ସୁରକ୍ଷା, ସତର୍କତା ଓ କୋଭିଡ୍‍ ପ୍ରୋଟୋକଲ୍‍କୁ ଦୃଷ୍ଟିରେ ରଖି ସମସ୍ତ କ୍ୟାମ୍ପସ୍‍କୁ ପୁନଃ ବ୍ୟବସ୍ଥିତ କରାଯାଇଛି। କରୋନା କଟକଣା ଯୋଗୁଁ ୨୦୨୧ ଗ୍ରାଜୁଏଟିଂ ବ୍ୟାଚ୍‍ର ଛାତ୍ରଛାତ୍ରୀମାନେ ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନରେ ଯୋଗ ଦେଇ ପାରୁନଥିଲେ ମଧ୍ୟ ଯତ୍‍ ସମ୍ଭବ ଅତ୍ୟାଧୁନିକ ବୈଷୟିକ ପ୍ରଯୁକ୍ତି ଜରିଆରେ ସେମାନଙ୍କ ସହ ବ୍ୟକ୍ତିଗତ ଭାବେ ଯୋଗାଯୋଗ ରଖାଯାଇଛି।
୧୭ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଭାରତ ସରକାରଙ୍କ ଶିକ୍ଷାମନ୍ତ୍ରୀ ତଥା କୌଶଳ ବିକାଶ ଓ ଔଦ୍ୟୋଗିକୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଉଥିବା ବେଳେ ଫ୍ରାନ୍‍ସର ବିଶିଷ୍ଟ ରସାୟନ ନୋବେଲ୍‍ ବିଜେତା ପଫେସର ଜିନ୍‍ ମାରି ଲେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ। ଚଳିତବର୍ଷ ବିଶିଷ୍ଟ ଆଧ୍ୟାତ୍ମିକ ସାଧ୍ୱୀ ମାତା ଅମୃତାନନ୍ଦମୟୀ ଦେବୀ (ଆମ୍ମା)ଙ୍କୁ ସମ୍ମାନସୂଚକ ଡିଲିଟ୍‍ ପ୍ରଦାନ କରୁଥିବାରୁ କିଟ୍‍ ବିଶ୍ୱବିଦ୍ୟାଳୟ ନିଜକୁ ଧନ୍ୟ ମନେକରୁଛି। ସେହିପରି ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ‘ଏନାମ୍‍ ଗ୍ରୁପ୍‍ ଏବଂ ଦେଶ ଆପନାଏଁ ସହଯୋଗ ଫାଉଣ୍ଡେସନ୍‍’ର ପ୍ରତିଷ୍ଠାତା ତଥା ଫ୍ଲେମ୍‍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବଲ୍ଲଭ ଭନ୍‍ଶାଲିଙ୍କୁ ମଧ୍ୟ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯିବ।
ଶେଷରେ ଏତିକି କହିବି, ବର୍ତ୍ତମାନର ଅତି ଜଟିଳ ସମୟରେ କେବଳ ଘରେ ରହିବା ହିଁ ବୁଦ୍ଧିମାନର କାର୍ଯ୍ୟ। ଘରେ ରହି ନିଜ ନିକଟତର ଓ ପ୍ରିୟଜନଙ୍କୁ ଶାରୀରିକ ଭାବେ ସାକ୍ଷାତ ନ କରି ମାନସିକ ଭାବର ଆଦାନ ପ୍ରଦାନ କରିବା ଉଚିତ। ଏହି ଅବସରରେ ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ସେମାନଙ୍କ ମହତ୍ତ୍ୱାକାଙ୍‍କ୍ଷା ଓ ସ୍ୱପ୍ନ ପୂରଣ କରିବା ସହ ଦେଶ ଗଠନ ଦିଗରେ ବ୍ରତୀ ହେବା ପାଇଁ ଅନୁପ୍ରାଣୀତ ହେବେ ବୋଲି ଆଶା କରୁଛି। ଏହାକୁ ସେମାନେ ପ୍ରାଥମିକତା ଦେବା ଉଚିତ। ମୁଁ ଗୋଟିଏ କଥା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଦୋହରାଉଛି, ତୁମେମାନେ ଗୋଟିଏ କଥା ମନେରଖ- ତୁମେମାନେ ରହୁଥିବା ହଷ୍ଟେଲ୍‍ର ନାମ ଯେଭଳି କିଙ୍ଗସ ପ୍ୟାଲେସ୍‍ ଓ କୁଇନ୍‍ସ କ୍ୟାସେଲ୍‍ ରଖାଯାଇଛି ସେହିପରି ତୁମେମାନେ ଜଣେ ଜଣେ ରାଜା ଓ ରାଣୀ ଭାବେ ଅଛ ଓ ରହିଥିବ ମଧ୍ୟ।

ପ୍ରତିଷ୍ଠାତା, କିଟ୍‍ ଓ କିସ୍‍

0
0
0
s2sdefault