ଭୁବନେଶ୍ୱର - ଓଡିଶା ପ୍ରଦେଶ ମହିଳା କଂଗ୍ରେସ କମିଟି ତରଫରୁ ଆସନ୍ତା ୨୫ ତାରିଖ ଦିନ କଂଗ୍ରେସ ଭବନ ପରିସରରେ “ସ୍ୱାଭିମାନ ସଂକଳ୍ପ ସମାବେଶ” ଅନୁଷ୍ଠିତ ହେବ । ଉକ୍ତ ସମାବେଶରେ ରାଜ୍ୟ ଓ ଦେଶରେ ମହିଳାଙ୍କ ପ୍ରତି ଅତ୍ୟାଚାର ,ହିଂସା , ଅପରାଧ , ନିଶାମୁକ୍ତ ଓଡିଶା ଓ ଭାରତ, ଉଭୟ ସଂସଦ ଓ ବିଧାନସଭାରେ ୩୩ % ସଂରକ୍ଷଣ ଏବଂ ତୈଳଜାତ ଦ୍ରବ୍ୟ ଯଥା ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ଆଦି ସମ୍ପର୍କରେ ମହିଳା କଂଗ୍ରେସ ଲୋକଙ୍କୁ ସଚେତନ କରିବ ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ୨୫ ତାରିଖ ପୂର୍ବାହ୍ନ ୧୧ ଟାରେଅଖିଳ ଭାରତ ମହିଳା କଂଗ୍ରେସ କମିଟି (ଏ.ଆଇ.ଏମ୍.ସି.)ର ସଂପାଦକ ତଥା ଓଡିଶା ମହିଳା କଂଗ୍ରେସର ପ୍ରଭାରୀ ସନ୍ଧ୍ୟା ସାୱାଲାଖେ ଉକ୍ତ ସମାବେଶକୁ ଉଦଘାଟନ କରିବେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଓଡିଶା କଂଗ୍ରେସର ବହୁ ବରିଷ୍ଠ ନେତୃମଣ୍ଡଳୀଙ୍କ ସମେତ ମହିଳା କଂଗ୍ରେସର ଜିଲ୍ଲା ସଭାପତି , ତ୍ରିସ୍ତରୀୟ ନିର୍ବାଚନରେ ବିଜୟୀ ଓ ପରାଜିତ ମହିଳା ନେତ୍ରୀମାନେ ବହୁ ସଂଖ୍ୟାରେ “ସ୍ୱାଭିମାନ ସଂକଳ୍ପ ସମାବେଶ”ରେ ଯୋଗଦାନ କରିବେ । ସଂପ୍ରତି ରାଜ୍ୟ ଓ ଦେଶରେ ମହିଳାମାନଙ୍କ ପ୍ରତି ବଢୁଥିବା ଅପରାଧ, ଧର୍ଷଣ, ନାବାଳିକା ବଳାକ୍ରାର, ଯୌନ ଶୋଷଣ, ପାରିବାରିକ ହିଂସା ଓ ଅପରାଧ, ସ୍ୱାସ୍ଥ୍ୟ, ନିଶାମୁକ୍ତ ଓଡିଶା ଓ ଭାରତ, ଉଭୟ ସଂସଦ ଓ ବିଧାନସଭାରେ ୩୩ % ସଂରକ୍ଷଣ ଏବଂ ତୈଳଜାତ ଦ୍ରବ୍ୟ ଯଥା ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି କରିବାରେ ଉଭୟ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଏପରିକି ଶିକ୍ଷା, ଚିଟ ଫଣ୍ଡ ଦୁର୍ନୀତି, ଇନ୍ଦିରା ଆବାସ ଓ ଟୟଲେଟ୍ ନିର୍ମାଣରେ ବ୍ୟାପକ ଅର୍ଥ ତୋଷରପାତ ସମେତ ଧାଡିରେ ଛିଡା ହୋଇ ଖାଦ୍ୟ ସୁରକ୍ଷା ଯୋଜନାରେ ଡିଲର ଠାରୁ ଖାଦ୍ୟ ସାମଗ୍ରୀ ଗ୍ରହଣ କରିବା ମହିଳାଙ୍କ ପ୍ରତି ଚରମ ଅପମାନ । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦଳୀୟ ଭିତିରେ ଋଣ ଯୋଗାଣ ଓ ସମବାୟ ବିଭାଗ ଦ୍ୱାରା ସମବାୟ ସଂସ୍ଥାରୁ ଋଣ ପ୍ରଦାନରେ ପାତରଅନ୍ତରଆଦି ସମସ୍ୟାର ନିରାକରଣ ଲାଗି ଓଡିଶାର ମହିଳାମାନଙ୍କୁ ସ୍ୱାଭିମାନର ସହ ସଂକଳ୍ପିତ କରିବା ଓ ଜନଜାଗରଣ ନିମନ୍ତେ ଆସନ୍ତା ୨୫ ତାରିଖରେ “ସ୍ୱାଭିମାନ ସଂକଳ୍ପ ସମାବେଶ”ର ଆୟୋଜନ କରାଯାଉଛି ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ନାରୀନେତ୍ରୀ ବିଜୟଲକ୍ଷ୍ମୀ ସାହୁ, ପ୍ରାକ୍ତନ ମନ୍ତ୍ରୀ, ରତ୍ନମଣି ଉଲାକା, ସ୍ୱାଧିନବାଳା ଦାସ, ଜୟଶ୍ରୀ ପଟ୍ଟନାୟକ, କନକଲତା ମଲ୍ଲିକ, ଭାଗ୍ୟଶ୍ରୀ ପ୍ରଧାନ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।