ହେଡଲାଇନସ୍:

ଓଡିଶା ଦିବସ ପାଳନ ବୈଠକ ଅନୁଷ୍ଠିତ: ଆଦର୍ଶ ଆଚରଣ ବିଧି ପାଳନ ପୂର୍ବକ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର- ତା. ୨୯.୦୩.୨୦୨୪- ଚଳିତ ବର୍ଷ ଓଡ଼ିଶା ଦିବସ ରାଜ୍ୟ, ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ ଗ୍ରହଣ କରାଯାଇଛି । ଆଦର୍ଶ ଆଚରଣ ବିଧି ପାଳନ ପୂର୍ବକ ଏହି ଦିବସ ପାଳନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ତିନୋଟି ଆର.ଡି.ସି. ଜୋନର ଉପନିର୍ଦ୍ଦେଶକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ପ୍ରମୁଖ ଯୋଗ ଦେଇଥିଲେ ।

ଚଳିତ ବର୍ଷ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆଦର୍ଶ ଆଚରଣ ବିଧି ମୁତାବକ ଓଡ଼ିଶା ଦିବସ ପାଳନର ରୂପରେଖ ସମ୍ପର୍କରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ପ୍ରାରମ୍ଭିକ ସୂଚନା ଦେଇଥିଲେ ।
ପ୍ରମୁଖ ଶାସନ ସଚିବ ନିର୍ବାଚନ ଆଚରଣ ବିଧି ପାଳନ ପୂର୍ବକ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଓଡ଼ିଶା ଦିବସକୁ ସଠିକ୍ ମର୍ଯ୍ୟାଦାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ଦିବସ ପାଳନ ଅବସରରେ ଜିଲ୍ଲାରେ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ରେକର୍ଡ ମାଧ୍ୟମରେ କେବଳ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇ ପ୍ରାତଃ ସମୟରେ ପ୍ରଭାତ ଫେରି ଅନୁଷ୍ଠିତ ହେବ । ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ ଆଦିଙ୍କୁ ସାମିଲ କରି ଓଡ଼ିଶା ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ବରପୁତ୍ରମାନଙ୍କର ଅବଦାନ ସମ୍ପର୍କରେ ଏକ ସାଧାରଣ ସଭା ଆୟୋଜନ କରାଯିବ । ସଭା ପ୍ରାରମ୍ଭରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯିବ । ଏହି ସଭାକୁ ଅଠର ବର୍ଷରୁ କମ୍ ବୟସ ଛାତ୍ରଛାତ୍ରୀମାନଙ୍କୁ ଆମନ୍ତ୍ରଣ କରାଯିବ । ଏତଦ୍ ବ୍ୟତୀତ ବରପୁତ୍ରମାନଙ୍କ ରଚନାରୁ ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହେବ । ଜିଲ୍ଲା ଓ ଉପଖଣ୍ଡର ପ୍ରମୁଖ ସରକାରୀ କୋଠାବାଡ଼ିଗୁଡ଼ିକର ଆଲୋକସଜ୍ଜା କରାଯାଇପାରିବ । ଏହି କାର୍ଯ୍ୟକ୍ରମକୁ କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯିବ ନାହିଁ କିମ୍ବା କୌଣସି ସରକାରୀ କାର୍ଯ୍ୟକ୍ରମର ପ୍ରଚାର, ପ୍ରସାର ଏବଂ ଦଳୀୟ ଲୋଗୋ ଆଦିର ବ୍ୟବହାର ମଧ୍ୟ କରାଯାଇପାରିବ ନାହିଁ । ଏହି ଅବସରରେ କୌଣସି ଶୋଭାଯାତ୍ରା, ରାଜନୈତିକ ଭାଷଣ ଏବଂ ପ୍ରଚାର ସହ କୌଣସି ପ୍ରକାର ଶୋଭାଯାତ୍ରା, ମାନପତ୍ର ଏବଂ ଫଳକ ଆଦି ପ୍ରଦାନ ନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ପୁରସ୍କାର ଦିଆଯାଇ ପାରିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

0
0
0
s2sdefault