ହେଡଲାଇନସ୍:

ଜୁନ୍ ୨୭ରୁ ରାଉରକେଲା-ଗୁଣୁପୁର  କୋଭିଡ୍ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଚଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ମାସର ଶେଷ ଆଡକୁ ଅର୍ଥାତ ଆସନ୍ତା ଜୁନ୍ ୨୭ ତାରିଖରୁ ସପ୍ତାହରେ ୩ଦିନ ନୌପଡା-ଗୁଣୁପୁର ରେଳପଥରେ  ପାରଳାଖେମୁଣ୍ଡି ଦେଇ ରାଉରକେଲା-ଗୁଣୁପୁର କୋଭିଡ୍ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ବୋଲି ଗତ ୨୧-୦୬-୨୦୨୧ ତାରିଖ ଦିନ , ଦକ୍ଷିଣପୂର୍ବ ରେଳପଥ କୋଲକାତା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ପ୍ରକାରେ ଜଣାଯାଇଛି । 

ଏଠାରେ ସୂଚନା ଯୋଗ୍ୟ ଯେ ,  ସାରା ବିଶ୍ବ ତଥା ଭାରତ ବର୍ଷରେ କରୋନା ମହାମାରୀର ଭୟାବହତାକୁ ଦେଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୨୧ ମାର୍ଚ୍ଚ ମାସଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ବର୍ଷାଧିକ ସମୟ ଧରି ଲକ୍ ଡାଉନ୍ ଓ ସଟ୍ ଡାଉନ୍ ପ୍ରଭୃତି କରିବା ପାଇଁ ପ୍ରଶାସନ ବାଧ୍ୟ ହୋଇଥିଲେ । ଏହାଦ୍ୱାରା ପ୍ରଭାବିତ ହୋଇଥିବା ଉଭୟ ଜୀବନ-ଜୀବିକାକୁ ନେଇ ବହୁଳ ଭାବେ ବିଭିନ୍ନ ସମୟରେ ତର୍କ-ବିତର୍କ ହୋଇ ଭାରତ ତଥା ଓଡିଶାର ସମସ୍ତ ଅଞ୍ଚଳରେ କରୋନା ସଂକ୍ରମଣର ବୃଦ୍ଧି ଉପରେ  ମୁକାବିଲା କରି ଏଥିରେ ରୋକ ଲଗାଇବା ପାଇଁ ବସ୍ ଓ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଛି । ଏହା ହେବା ଦ୍ୱାରା ବହୁ ବ୍ୟକ୍ତି ବିଶେଷ ଗମନା ଗମନର ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି  । 

ଗତ ୨୦୨୦ ମସିହାରେ ଜୁଲାଇ ମାସ ପର୍ଯ୍ୟନ୍ତ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବସ୍ ଓ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ପରେ କରୋନାର ପ୍ରାଦୁର୍ଭାବ କିଛିଟା କମିଯିବା ଫଳରେ ସରକାରଙ୍କ ପକ୍ଷରୁ କୋଭିଡ୍ ନିୟମର ନିର୍ଦ୍ଦେଶାବଳୀ ପ୍ରକାରେ ବସ୍ ଓ ଟ୍ରେନ୍ ଚଳାଚଳ କରିଥିଲା ।

  ଚଳିତବର୍ଷ ଦେଖା ଦେଇଥିବା କରୋନା ମହାମାରୀର ଦ୍ଵିତୀୟ ଲହରରେ ମଇ ମାସ ୫ ତାରିଖ ଠାରୁ ମଇ-୧୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ଲକ୍ ଡାଉନ୍ , ପୁଣି ମଇ ମାସ ୨୦ ତାରିଖରୁ ମଇ-୩୧ ତାରିଖ ପର୍ଯ୍ୟନ୍ତ ୨ୟ ଲକ୍ ଡାଉନ୍ ଓ ଜୁନ ମାସ ୧ ତାରିଖରୁ ଜୁନ-୧୬ ତାରିଖ ପର୍ଯ୍ୟନ୍ତ ୩ୟ ଲକ୍ ଡାଉନ୍  ଏବଂ ଜୁନ-୧୭ ତାରିଖ ଠାରୁ ଜୁନ-୩୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିଛି । ଏମିତିକି , ଏହାର ପ୍ରଥମ ଲକ୍ ଡାଉନ୍ ଅର୍ଥାତ ମଇ-୫ ତାରିଖ ଠାରୁ ସମସ୍ତ ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । 

ଏହି ପରିପ୍ରେକ୍ଷୀରେ ନୌପଡା-ଗୁଣୁପୁର ରେଳପଥ ଅନ୍ତର୍ଗତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ କାଶୀନଗର ଦେଇ ସମୁଦାୟ ୪ ଯୋଡ଼ା ଟ୍ରେନ ଯଥା:- ରାଉରକେଲା-ଗୁଣୁପୁର , ପୁରୀ-ଗୁଣୁପୁର , ବିଶାଖାପାଟଣା-ଗୁଣୁପୁର ଓ ପଲାସା-ଗୁଣୁପୁର ଟ୍ରେନ ସବୁ ଚଳାଚଳ କରୁଥିଲା । 

ମହାମାରୀ କରୋନାର କୋଭିଡ୍ ଗାଇଡ଼ ଲାଇନକୁ ଦୃଷ୍ଟିରେ ରଖି ସେହି ପ୍ରକାରେ  ରେଳ ବିଭାଗ ପକ୍ଷରୁ ପ୍ରଥମେ ଗୁଣୁପୁର-ବିଶାଖାପାଟଣା ଓ ପରେ ପୁରୀ-ଗୁଣୁପୁର ଟ୍ରେନକୁ ଚଳାଚଳ କରାଇଥିଲେ । କିନ୍ତୁ ରାଉରକେଲା-ଗୁଣୁପୁର ଏବଂ ପଲାସା-ଗୁଣୁପୁର  ଦୁଇ ଟ୍ରେନର ଚଳାଚଳକୁ ଗତ ବର୍ଷଠାରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । 

ପରେ ଅଞ୍ଚଳବାସୀଙ୍କ ବାରମ୍ବାର ଟ୍ରେନ ଚଳାଚଳ କରାଯିବାକୁ ଦାବୀ କରାଯିବା ଫଳରେ ବିଳମ୍ବରେ ହେଲେ ମଧ୍ୟ ଚଳିତ ମାସର ଆସନ୍ତା(ଜୁନ)୨୭ ତାରିଖ ଠାରୁ ଏହି ନୌପଡା-ଗୁଣୁପୁର ରେଳପଥରେ ପାରଳାଖେମୁଣ୍ଡି ଦେଇ ରାଉରକେଲା-ଗୁଣୁପୁର କୋଭିଡ୍ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବ ବୋଲି ଗତ ୨୧-୦୬-୨୦୨୧ ତାରିଖ ଦିନ ଦକ୍ଷିଣପୂର୍ବ ରେଳପଥ କୋଲକାତା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

 ଆସନ୍ତା ଜୁନ ୨୭ ତାରିଖ ଦିନ ଚଳାଚଳ କରିବାକୁ ଥିବା ଏହି ରାଉରକେଲା-ଗୁଣୁପୁର କୋଭିଡ୍ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନର ସମସ୍ତ ଟିକଟ ଅନଲାଇନରେ ହିଁ ମିଳିପାରିବ ।

  ଏହି କୋଭିଡ୍ ସ୍ପେସିଆଲ ଟ୍ରେନ ସପ୍ତାହକୁ ୩ ଦିନ ଅର୍ଥାତ ରାଉରକେଲାରୁ (୧)-ରବିବାର ରାତି ୯-୫୦ ଘଣ୍ଟାରେ ବାହାରି ଗୁଣୁପୁରରେ ସୋମବାର ମଧ୍ୟାହ୍ନରେ  (୨) ରାଉରକେଲାରୁ ମଙ୍ଗଳବାର ରାତି ୯-୫୦ ଘଣ୍ଟାରେ ବାହାରି ଗୁଣୁପୁରରେ ବୁଧବାର ମଧ୍ୟାହ୍ନରେ ଏବଂ (୩)-ରାଉରକେଲାରୁ ଗୁରୁବାର ରାତି ୯-୫୦ ଘଣ୍ଟାରେ ବାହାରି ଗୁଣୁପୁରରେ ଶୁକ୍ରବାର ମଧ୍ୟାହ୍ନରେ ପହଞ୍ଚିବ ।

 ଏହି ଟ୍ରେନ ମୁଖ୍ୟତଃ ସପ୍ତାହକୁ ମାତ୍ର ୩ ଦିନ ଚଳାଚଳ କରିବାକୁ ଥିବା ବେଳେ ଏହା ୩ ଦିନ ଯାକ ରାଉରକେଲାରୁ ରାତି ୯-୫୦ ଘଣ୍ଟା ସମୟରେ ବାହାରି ତା ପରଦିନ ଅର୍ଥାତ ସୋମବାର ସକାଳ ୬ଟାରେ ଭୁବନେଶ୍ୱର ,  ସକାଳ ୮-୨୯ରେ ବ୍ରହ୍ମପୁର  , ପୂର୍ବାହ୍ନ ୧୧-୫୩ରେ ପାରଳାଖେମୁଣ୍ଡି ଏବଂ ମଧ୍ୟାହ୍ନ ୧-୫୫ ରେ ଗୁଣୁପୁର ଠାରେ ପହଞ୍ଚିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାଯାଇଛି । 

କରୋନା ମହାମାରୀ ସମୟରେ ଏହି ନୌପଡା-ଗୁଣୁପୁର ରେଳପଥରେ ଟ୍ରେନ ଚଳାଚଳ ବନ୍ଦ ଥିବା ବେଳେ ପୁଣି ଆସନ୍ତା ଏହି ଜୁନ-୨୭ରେ ଏହି ରେଳପଥର ରାଉରକେଲା-ଗୁଣୁପୁର ଟ୍ରେନ ଚଳାଚଳ କରିବା ଦ୍ୱାରା ଗମନାଗମନ ବିହୀନ ଏହି ଓଡିଶା-ଆନ୍ଧ୍ର ସୀମାନ୍ତ ତଥା ଆଦିବାସୀ ବହୁଳ ଗଜପତି ଓ ରାୟଗଡା ଜିଲ୍ଲାବାସୀ କିଛି ମାତ୍ରାରେ ଏହାଦ୍ୱାରା ବେଶ ଉପକୃତ ହେବେ ବୋଲି ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି ।

0
0
0
s2sdefault