ହେଡଲାଇନସ୍:

ଅପରାଜିତାଙ୍କ ମୁହଁରେ ଏସଡିଜି  ହେଉଛି ‘ସବୁ ଡାହା ଗପ’

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ସନ୍ଦେହରେ ମୂଲ୍ୟାୟନ : ଏବେ ବି ଓଡ଼ିଶାରେ ଗ୍ରାମାଞ୍ଚଳରେ ପହଞ୍ଚିପାରିନି ବ୍ୟାଙ୍କ ସେବା, କିନ୍ତୁ ଏହି ରିପୋର୍ଟରେ ଓଡ଼ିଶାରେ ବ୍ୟାଙ୍କ ସେବାକୁ ୯୯ ପ୍ରତିଶତ ନମ୍ବର ମିଳିଛି କେମିତି !

ଏସଡିଜି ରିପୋର୍ଟକୁ ନେଇ ବିଜେପିର ରାଜନୀତି ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର,: ଆଜି ସକାଳେ ବିଜେପି ନେତ୍ରୀ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗଙ୍କ ଏସଡିଜି  ରିପୋର୍ଟରେ ଓଡ଼ିଶାର ମୂଲ୍ୟାୟନକୁ ନେଇ ମତ ରଖିଥିଲେ । ତାଙ୍କ ମତରୁ ସ୍ପଷ୍ଟ ବାରିହେଲା ଯେ ଏହା ତାଙ୍କର ଏକ ପ୍ରକାରର ପ୍ରଳାପ । ବିଜେପି ନେତ୍ରୀଙ୍କ ପାଇଁ ଏହି ଏସଡିଜି ହେଉଛି  ‘ସବୁ(ଏସ) ଡାହା(ଡି) ଗପ(ଜି)  । ଏହି ରିପୋର୍ଟକୁ ନେଇ ରାଜନୀତିକରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ସାଂସଦ ଓ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ଅମର ପଟ୍ଟନାୟକ ।

ଡ. ପଟ୍ଟନାୟକ କହିଛନ୍ତି ଯେ କୋଭିଡ ଟିକା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ନଜର ହଟେଇବାକୁ ଅପଚେଷ୍ଟା କରିଥିଲେ ବି ଏଥିରେ ସେ ଗୁରୁତର ଭାବରେ ଅସଫଳ ହୋଇଛନ୍ତି । ଆଜି ଯେତେବେଳେ ଭାରତବର୍ଷର ଛାତ୍ରଛାତ୍ରୀମାନେ କୋଭାକ୍ସିନ ଟିକା ନେଲାପରେ ମଧ୍ୟ ଅନ୍ୟ ରାଷ୍ଟ୍ରମାନେ ଏହି ଟିକାକୁ ଅଗ୍ରାହ୍ୟ କରୁଛନ୍ତି ଓ ଭାରତୀୟ ଛାତ୍ରଛାତ୍ରୀଙ୍କର ବିଦେଶରେ ଥିବା ବିଶ୍ୱବିଦ୍ୟାଳୟମାନଙ୍କରେ ଯୋଗ ଦେବାରେ ଅସୁବିଧା ଉପୁଜୁଛି, ସେତେବେଳେ ଏହି ପ୍ରକାରର ପ୍ରସଙ୍ଗ ଏବଂ ଦ୍ରୁତ ଟୀକାକରଣ ଉପରେ ଜୋର ଦେବା ବଦଳରେ ଏକ ରିପୋର୍ଟକୁ ନେଇ ବିଜେପି ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । 

ଏହି ରିପୋର୍ଟ ଅନୁଯାଇ ଓଡିଶା ଦୁଇ ବର୍ଷ ମଧ୍ୟରେ ୨୨ତମ ସ୍ଥାନରୁ ଉତ୍ତୀର୍ଣ୍ଣ ହୋଇ ଭାରତବର୍ଷରେ ୧୯ତମ ସ୍ଥାନରେ ପହଞ୍ଚିଛି । ରିପୋର୍ଟରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ଆଖି ବୁଜି ଅଧିକ ନମ୍ବର ଦିଆଯାଇଥିବାବେଳେ, ଓଡ଼ିଶାର ମିଶନ ଶକ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ମମତା ଯୋଜନା ଭଳି ଅତି ସଫଳ ଓ ଜନପ୍ରିୟ ଯୋଜନାକୁ ମୂଲ୍ୟାୟନରେ ସମ୍ପୂର୍ଣ ଅଣଦେଖା କରାଯାଇଛି । ଶିଳ୍ପାୟନ କ୍ଷେତ୍ରରେ ଓଡିଶାକୁ ୨୦୧୯ରେ ୯୨ ପ୍ରତିଶତ ନମ୍ବର ଦିଆଯାଇଥିବାବେଳେ ଏ ବର୍ଷ ୦(ଶୂନ) ଦିଆହୋଇଛି । ୨୦୨୦ରେ ସମଗ୍ର ଦେଶରେ ଶିଳ୍ପାୟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗରେ ଓଡିଶା ସର୍ବଶ୍ରେଷ୍ଠ  ପ୍ରଦର୍ଶନ କରିଥିଲା ବେଳେ ୨୦୨୦ରେ କାହିଁକି ୦(ଶୂନ) ମାର୍କ ଦିଆଗଲା ବୋଲି ଡ.ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଓଡ଼ିଶାରେ ବ୍ୟାଙ୍କ ସେବା ଏବେ ବି ଗ୍ରାମାଞ୍ଚଳରେ ପହଞ୍ଚିପାରିନାହିଁ । କିନ୍ତୁ ଏହି ରିପୋର୍ଟରେ ଓଡ଼ିଶାରେ ବ୍ୟାଙ୍କ ସେବାକୁ ୯୯ ପ୍ରତିଶତ ନମ୍ବର ଦିଆଯାଇଛି । ଏହି ପ୍ରସଙ୍ଗରେ ବି ବିଜେପି ନେତ୍ରୀ ଆଜି ତାଙ୍କର ସାମ୍ବାଦିକ ସମ୍ବିଳନୀରେ ମୁହଁ ଖୋଲିନାହାନ୍ତି । 

ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିଲାବେଳେ ଏହି ରିପୋର୍ଟରେ ତାହାର ଉଲ୍ଲେଖ ନାହିଁ । ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ୬ଟି ଜିଲ୍ଲାରେ ରେଳ ସେବା ପହଞ୍ଚି ପାରିନାହିଁ । ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ରିପୋର୍ଟରେ ସ୍ଥାନ ଦିଆଯାଇନାହିଁ । ଓଡ଼ିଶାରେ ମୋବାଇଲ ଓ ଇଣ୍ଟରନେଟ୍‍ ସେବା ଦୁର୍ଗମଞ୍ଚଅଞ୍ଚଳମାନଙ୍କରେ ଏବେ ବି ଅପହଞ୍ଚ । କିନ୍ତୁ ଏହି ରିପୋର୍ଟରେ ୨୦୧୯ରେ ଇଣ୍ଟରନେଟ୍‍ ସଂଯୋଗକୁ ୧୨୩ ପ୍ରତିଶତ ନମ୍ବର ଦିଆଯାଇ ଥିବାବେଳେ ୨୦୨୦ରେ ଅତି ଆକସ୍ମିକ ଭାବରେ ୪୪ ପ୍ରତିଶତକୁ ଖସାଇ ଦିଆଯାଇଛି । ଏହି ପ୍ରକାର ଭାବରେ ଏସଡିଜି  ରିପୋର୍ଟକୁ ନେଇ ଆଜି ଶ୍ରୀମତୀ ଷଡ଼ଙ୍ଗୀ ଯାହାସବୁ ଦର୍ଶାଇଛନ୍ତି ତାହା ‘ସବୁ ଡାହା ଗପ’ ଗପିଛନ୍ତି ବୋଲି ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା କହିଛନ୍ତି ।

 

0
0
0
s2sdefault