ହେଡଲାଇନସ୍:

ବାରିପଦା ପୌରପରିଷଦର ତୋଗଲକି ଶାସନ ବ୍ୟବସ୍ଥା ଉପରକୁ ଉଠିଛି ଅଙ୍ଗୁଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦ ପକ୍ଷରୁ ବିକାଶ ନାମରେ ଚାଲିଛି ତୋଗଲକି ଶାସନ । ଏହି ତୋଗଲକି ଶାସନ ବ୍ୟବସ୍ଥା ଉପରକୁ ଜନସାଧାରଣ ଉଠାଇଛନ୍ତି ଅଙ୍ଗୁଳି । ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଥିବା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଓ ଉନ୍ନୟନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି ଏବଂ ଉକ୍ତ ଅନୁଦାନରେ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ସମୟରେ ମନ୍ଦିର ସମ୍ମୁଖ ୱାଡର଼୍ ନମ୍ବର ୭ ଦେଉଳସାହିରେ ସାହିର ପିଲାମାନଙ୍କ ଖେଳକୁଦ ଓ ମନୋରଞ୍ଜନ ନିମନ୍ତେ ରହିଥିବା ଏକ ଛୋଟ ପାର୍କକୁ ଭାଙ୍ଗି ପୌର ପ୍ରଶାସନ ପକ୍ଷରୁ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବା ନିମନ୍ତେ ଲେଆଉଟ ଦିଆଯାଇ କାର୍ଯ୍ୟ ଆରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକୁ ନବ ଗଠିତ ମନ୍ଦିର ମଠ ସୁରକ୍ଷା ସମିତି ପକ୍ଷରୁ ଗତ ଏପ୍ରିଲ ୨୫ ସନ୍ଧ୍ୟାରେ ବିରୋଧ କରାଯିବା ଫଳରେ ନିଅଁ ଖୋଳା ବନ୍ଦ ରହିଛି । ସମିତିର ସଭାପତି ତଥା ପରିବେଶବିତ୍ ଓ ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟଙ୍କ କହିବା ଅନୁସାରେ ବାରିପଦା ପୌରପରିଷଦ ଅମୃତ ଯୋଜନାରେ ସାମିଲ ହୋଇଛି । ଯୋଜନାରେ ରହିଥିବା ସର୍ତରେ ପାର୍କକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ପୌରପରିଷଦ ପକ୍ଷରୁ ବିଭିନ୍ନ ୱାଡର଼୍ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ପାର୍କ ନିର୍ମାଣ କରିଚାଲିଛି । ଏହି ସମୟରେ ସାହିର ପିଲାମାନେ ଖେଳିବା ନିମନ୍ତେ ରହିଥିବା ଏକମାତ୍ର ପାର୍କକୁ ରକ୍ଷଣାବେକ୍ଷଣ ଓ ନବୀକରଣ କରାଯିବା ପରିବର୍ତ୍ତେ ତାହାକୁ ଭାଙ୍ଗି ସେଠାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି । ପୁଣି, ବାରିପଦା ପୌରପରିଷଦରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଯଥେଷ୍ଟ ଖୋଲା ସ୍ଥାନ ରହିଥିବା ବେଳେ ଛୋଟ ଛୋଟ ପିଲାମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ପାର୍କକୁ ଭାଙ୍ଗି ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି । ସେହିପରି ସମିତିର ମୁଖପାତ୍ର ନିମାଇଁ ତ୍ରିପାଠୀ ପୌରପରିଷଦ ପକ୍ଷରୁ ପୂଜ୍ୟପୂଜା ପରମ୍ପରାକୁ ଅଣଦେଖା ପ୍ରଦର୍ଶନ କରାଯାଇଥିବାର ଅଭିଯୋଗ କରିଛନ୍ତି । ଉକ୍ତ ପାର୍କରେ ମୟୂରଭଞ୍ଜ ଜିଲ୍ଲା ପ୍ରଥମ ପଦ୍ମଶ୍ରୀ ଉପାଧି ପାଇଥିବା ତଥା ପ୍ରତ୍ନତତ୍ୱବିତ ଐତିହାସିକ ପରମାନନ୍ଦ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ରହିଛି । ପୁଣି କୃଷ୍ଣଚନ୍ଦ୍ର ଗୋଲେଇରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରହିଥିବା ରାସ୍ତା ସମ୍ପ୍ରସାରଣ ହେଲେ ଉକ୍ତ ନିର୍ମାଣ ହେବାକୁ ଯାଉଥିବା ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗିବାକୁ ପଡ଼ିବ । ପୁଣି କୃଷ୍ଣଚନ୍ଦ୍ର ଗୋଲେଇରୁ ମହାପ୍ରଭୂଙ୍କ ମନ୍ଦିର ଯେପରି ଦୃଶ୍ୟମାନ ହୋଇ ପାରିବ ସେହି ଅନୁସାରେ ମନ୍ଦିରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଆରମ୍ଭ ହୋଇଥିବାର କୁହାଯାଉଥିବା ବେଳେ ମାର୍କେଟ କମ୍ପ୍ଲେକ୍ସ ମନ୍ଦିର ସମ୍ମୁଖରେ ଏକ ପ୍ରାଚୀର ସଦୃଶ୍ୟ ଛିଡ଼ା ହେବ । ଏଥି ସହିତ ପୌରପ୍ରଶାସନ ସହରରେ ସୌନ୍ଦର୍ଯ୍ୟ କରଣ ନାମରେ ଲୋକମାନଙ୍କୁ ଭୂଆ ବୁଲାଇବାରେ ଲାଗିଛି । ପୌରପରିଷଦରେ ବିକାଶ ନାମରେ ତୋଗଲକି ଶାସନ ବ୍ୟବସ୍ଥା ଚାଲିଛି । କୌଣସି ନିର୍ଦ୍ଧିଷ୍ଟ ପ୍ଲାନ ନଥାଇ ସର୍ବସାଧାରଣଙ୍କ ଟଙ୍କାର ସିଧାସଳଖ ଅପଚୟ କରାଯାଉଛି । ପୌରପ୍ରଶାସନ ଝିଣ୍ଟିକା ମାରି ବଣିପୋଷା ନୀତିକୁ ଆପଣେଇ ନେଇଛି । ଏଣୁ ଏହାକୁ ସେ ବିରୋଧ କରିବା ସହ ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ବାରିପଦା ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ପାର୍କରେ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରା ନ ଯାଇ ପାର୍କର ସୌନ୍ଦର୍ଯ୍ୟୀକରଣ ଓ ନବୀକରଣ ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ସମିତି ପକ୍ଷରୁ ଦାବୀ କରାଯିବ ବୋଲି ଶ୍ରୀତ୍ରିପାଠୀ କହିଛନ୍ତି । 

 

0
0
0
s2sdefault