ହେଡଲାଇନସ୍:

ବାଲ୍ୟ ବିବାହ ରୋକିବାରେ ସମର୍ଥ ହେଲା ଜିଲ୍ଲା ପ୍ରଶାସନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ସରକାର ଯେତେ ଆଇନ ବା ସଚେତନତା ସୃଷ୍ଟି କଲେ ମଧ୍ୟ ଲୋକଙ୍କ ଉପରେ ପ୍ରଭାବ ପଡ଼ିବା ଅନେକ କଷ୍ଟକର। ଯେତେ ପ୍ରକାରର ଆଇନ କାନୁନକୁ ଲୋକେ ମାନିବା ପାଇଁ ଯେପରି ପଣ କରିଛନ୍ତି। ବାଲ୍ୟ ବିବାହ କରିବା ପାଇଁ ବାରଣ କଲେ ମଧ୍ୟ ଝିଅକୁ ବୋଝ ମାନି ତାର ବିବାହ ଶୀଘ୍ର କରାଇ ଦେବାକୁ ସବୁବେଳେ ପିତାମାତା ତତ୍ପର। ଝାରସୁଗୁଡ଼ା ଜିଲ୍ଲାରେ ଚାଇଲ୍ଡଲାଇନ ପକ୍ଷରୁ ଏହିପରି ଅନେକ ନାବାଳିକାଙ୍କ ବାହାଘର ରୋକାଯାଇ ପାରିଛି। 

ସଦ୍ୟତମ ଘଟଣା ଘଟିଛି ଝାରସୁଗୁଡ଼ା ବ୍ଲକର କୁଦୋପାଲି ପଞ୍ଚାୟତର ଏକ ଗ୍ରାମରେ। ଝିଅଟିର ବୟସ ଅଙ୍ଗନୱାଡ଼ି ରେଜିଷ୍ଟର ଅନୁଯାୟୀ  ମାତ୍ର ୧୬ ବର୍ଷ ୪ ମାସ ହୋଇଥିବା ବେଳେ ନିକଟସ୍ଥ ଦଲଗାଁ ଗ୍ରାମପଞ୍ଚାୟତର ଗୁଡ଼ିଆଲି ଗ୍ରାମର ଜଣେ ୨୫ ବର୍ଷ ବୟସ୍କ ବ୍ୟକ୍ତି ସହ ଠିକ କରାଯାଇଥିଲା। ଆଜି ବରଯାତ୍ରୀ ମଧ୍ୟ ଗ୍ରାମକୁ ପହଞ୍ଚି ଯାଇଥିଲେ । ଖବର ପାଇ ଚାଇଲ୍ଡଲାଇନ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା, ସିଡିପିଓ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ସୁପ୍ରଭା ମହାପାତ୍ର, ଚାଇଲ୍ଡଲାଇନର ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ଜ୍ୟୋତ୍ସ୍ନା ପ୍ରଧାନ, ଡୋଳାମଣି ସେଠ ତଥା ରାମପୁର ଫାଣ୍ଡି ପୋଲିସ ଝିଅଘରକୁ ପହଞ୍ଚିଥିଲେ। ସେଠାରେ ଝିଅର ବୟସ ପ୍ରମାଣପତ୍ର ପରୀକ୍ଷା କରିବା ପରେ ଝିଅକୁ ୧୮ ବର୍ଷ ନ ହେବା ପର୍ଯ୍ୟନ୍ତ ବିବାହ ନ କରାଇବାକୁ ଝିଅର ପିତାମାତାଙ୍କୁ ବୁଝାଇଥିଲେ। ଅଙ୍ଗନୱାଡ଼ି କର୍ମୀ ଓ ଗ୍ରାମର ୱାର୍ଡମେମ୍ବରଙ୍କ ଉପସ୍ଥିତିରେ ବାଲ୍ୟ ବିବାହ ଆଇନ ଓ ଏହାର କୁପରିଣାମ ବିଷୟରେ ପରିବାରଙ୍କୁ ଅବଗତ କରାଇଥିଲେ। ଝିଅର ପିତାମାତା ଏ ବିଷୟରେ ବୁଝିବା ପରେ ଝିଅକୁ ୧୮ ବର୍ଷ ହେବା ପରେ ବିବାହ କରାଇବାକୁ ରାଜିନାମା ପତ୍ର ଦେଇଥିଲେ ଏବଂ ବିବାହ ବନ୍ଦ କରିଥିଲେ। ବରଯାତ୍ରୀ ମଧ୍ୟ ଗ୍ରାମକୁ ଫେରି ଯାଇଥିଲେ। ଏ ନେଇ ରାମପୁର ଫାଣ୍ଡିରେ ଏକ ଷ୍ଟେସନ ଡାଏରୀ ମଧ୍ୟ କରାଯାଇଛି। ସେହିପରି ଗତକାଲି ଲଇକେରା ବ୍ଲକର  ପାକେଲପଡ଼ା ଗ୍ରାମ ପଞ୍ଚାୟତର ଏକ ଗ୍ରାମରେ ଜଣେ ୧୬ ବର୍ଷୀୟା ନାବାଳିକାର ବିବାହକୁ ରୋକିବାରେ ଚାଇଲ୍ଡଲାଇନ ସକ୍ଷମ ହୋଇଥିଲା।

0
0
0
s2sdefault