ହେଡଲାଇନସ୍:

ବୃନ୍ଦାବନ : ଗରିବ ଆଦିବାସୀ, ହେଲେ ବିଶାଳ ମନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଁ ସ୍କୁଲ ପାଇଁ ଦାନକଲେ ୪ ଡିସିମିଲି ଜମି 

ବରଗଡ :- କିଛି ଗୋଟେ ମହତ କାମ କରିବା ପାଇଁ ଧନର ପ୍ରାଚୁର୍ଯ୍ୟ ଥିବା ଦରକାର ନାହିଁ | କେବଳ ସଫାସୁତୁରା ମନ ଓ ଖୋଲା ହୃଦୟଟିଏ ଦରକାର | ଆଉ ଲୋଡ଼ା ଟିକେ ସମ୍ବେଦନଶୀଳତା ଓ ସହୃଦୟତା | ଆଜିକାଲି ଲୋକଙ୍କ ଭିତରେ  କଳି ତକରାଳ, ହାଣମରା ବି ହୋଇଯାଉଛି ଡିସିମିଲିଏ ଜମି ପାଇଁ | ଜମିବାଡ଼ି ପାଇଁ ସମ୍ପର୍କୀୟଙ୍କର ମଧ୍ୟରେ ମାଡ଼ପିଟ, ହଣାକଟା ଆଉ କେତେ କଣ । ଭାଇ ବି ସାଜୁଛି ଭଗାରୀ | ଇଂଚେ ଜମି ଛାଡିବାକୁ ମାମଲା ଗଡୁଛି ବର୍ଷବର୍ଷ | ହେଲେ ନିଜ ଗାଁ ସ୍କୁଲ ପାଇଁ ୪ ଡ଼ିସିମିଲ ଜମି ବିନା ଚିନ୍ତାରେ ଛାଡି ଦେବାର ନିଷ୍ପତ୍ତି ମୁହୂର୍ତ୍ତକ ମଧ୍ୟରେ ନେଇ ଦାନ କରି ଦେଇଛନ୍ତି  ବୃନ୍ଦାବନ ବରିହା ନାମକ ଜଣେ ଗରିବ ଆଦିବାସୀ | ବୃନ୍ଦାବନଙ୍କ ଏ ବଦାନ୍ୟତାକୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ ଓ ପ୍ରଶାସନ | 

 ଆଗରୁ ମୁଖ୍ୟତ ଗ୍ରାମାଞ୍ଚଳରେ ଅନେକ ଦାତା ସରକାରୀ ଅଫିସ , ସ୍କୁଲ , ଛୁଆ ମାନଙ୍କ ପାଇଁ ଖେଳପଡିଆ , ଡାକ୍ତରଖାନା ଆଦି ନିର୍ମାଣ କରିବା ପାଇଁ ନିଜର ଜମି ଦାନ କରି ଆସୁଥିଲେ । ହେଲେ ଆଜି ସେ ମାନସିକତା ଧୀରେ ଧୀରେ କମିବାକୁ ବସିଥିବା ବେଳେ ବୃନ୍ଦାବନଙ୍କ ଏ ମହତ କାମ ବିଶ୍ୱାସ ବଳବତ୍ତର ରଖିଛି କି ସମାଜରେ ସହୃଦୟ ମଣିଷ ବି ଅଛନ୍ତି |  ନିଜ ଗାଁ ସ୍କୁଲ ପାଇଁ ଥିବା ଜାଗା ସମୟକ୍ରମେ ନିଂଅଟ ହେଉଥିବା ଉପଲବ୍ଧି କରି ପାଇକମାଲ ବ୍ଲକ ପଲସଦା ଗ୍ରାମପଞ୍ଚାୟତ ଅଧିନସ୍ଥ କୁଆପାଲି ଗ୍ରାମର ବୃନ୍ଦାବନ ବରିହା ନାମକ ଜଣେ ଗରିବ ଆଦିବାସୀ ବ୍ୟକ୍ତି ତାଙ୍କର ନିଜ ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଲାଗିଥିବା ନିଜର ଜମିରୁ କିଛି ଅଂଶ ବିଦ୍ୟାଳୟକୁ ଦାନ କରିଛନ୍ତି । 

ସ୍କୁଲକୁ ଜମି ଦେବା ପାଇଁ ସେ ଇଛା କରିଥିବା ବିଷୟ ଗତକାଲି  ବୃନ୍ଦାବନ ଏହି କଥା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ କହିଥିଲେ । ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଏ କଥା ଶୁଣିବା ପରେ ଅତ୍ୟନ୍ତ ଖୁସି ହୋଇ ଆଜି ସ୍କୁଲ କୁ ପହଂଛି ଗ୍ରାମବାସୀ, ଶିକ୍ଷା ବିଭାଗର ଅଧିକାରୀ ମାନଙ୍କର ଉପସ୍ଥିତିରେ  ଶ୍ରୀ ବରିହାଙ୍କୁ ସମ୍ମାନିତ କରିବା ସହ ତାଙ୍କ ଏ ମହତ କାର୍ଯ୍ୟର ପ୍ରଶଂସା କରିଥିଲେ  । ଏହି ଅବସରରେ ଶ୍ରୀ ବରିହା କହିଥିଲେ ଯେ ବର୍ତ୍ତମାନ ସ୍କୁଲ ପରିସରରେ ଛୁଆ ମାନଙ୍କର ଏକ ଶିଶୁ ଉଦ୍ୟାନର ଆବଶ୍ୟକତାକୁ ଉପଲବ୍ଧ କରି ସେ ତାଙ୍କର ସ୍କୁଲ ନିକଟସ୍ଥ ଜମିକୁ ଶିଶୁ ଉଦ୍ୟାନ ପାଇଁ ଦାନ କରିବାକୁ ସ୍ଥିର କରିଥିଲେ । ଆଜିକାର ଏହି କ୍ଷୁଦ୍ର ସମାରୋହରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚୂଡ଼ାମଣି ବାରିକ, ଏବିଇଓ ଶ୍ରୀ ଜନକ ଲାଲ ମେହେର , ସିଆରସିସି ଶ୍ରୀ ସୁନାଧର ଡନସନା , ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଗୋବିନ୍ଦ ରାମ ଅଜଗର , ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଶ୍ରୀ ବୃନ୍ଦାବନ ବରିହାଙ୍କ ଜମି ଦାନ ବାବଦରେ ଜାଣିବା ପରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଖୁସି ପ୍ରକଟ କରିବା ସହିତ ଏହି ମହତ କାର୍ଯ୍ୟ ପାଇଁ ଶ୍ରୀ ବୃନ୍ଦାବନ ବରିହାଙ୍କୁ ଶୁଭକାମନା ଜଣାଇଛନ୍ତି ।  ଶ୍ରୀ ବାରିହାଙ୍କର ଏହି ମହତ କାର୍ଯ୍ୟ ସମାଜ ପାଇଁ ପ୍ରେରଣାଦାୟକ ହେବ ବୋଲି ଶ୍ରୀ ଦରୱାନ ଆଶାବ୍ୟକ୍ତ କରିଛନ୍ତି | 

ସୂଚନାଯୋଗ୍ୟ ଯେ ପଲସଦା ଗ୍ରାମପଞ୍ଚାୟତ ଅଧିନସ୍ଥ କୁଆପାଲି ଗ୍ରାମର ଏହି ସ୍କୁଲ ପାଇଁ ମଧ୍ୟ  ବୃନ୍ଦାବନଙ୍କ ପୂର୍ବପୁରୁଷ ଜମି ଯୋଗାଇଦେଇଥିଲେ |  

                                            

0
0
0
s2sdefault