ହେଡଲାଇନସ୍:

 ରାଜ୍ୟକୁ କେନ୍ଦ୍ର ଦେଉଛି ବିପୁଳ ସହାୟତା,ରାଜ୍ୟ ସରକାର ଯତ୍ନଶୀଳ ହୋଇ କାମ କରିବା ଦରକାର : ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ

• କରୋନା ସମୟରେ ଓଡିଶାକୁ ମୋଦୀ ସରକାରଙ୍କ 22,267.66 କୋଟିର ସହାୟତା 

• ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ

• କେନ୍ଦ୍ରର ଏଲଟିସି କ୍ୟାସ ଭାଉଚର ସ୍କିମ୍ ପରି ରାଜ୍ୟ ସରକାର ନିଜ କର୍ମଚାରୀ ଓ ରାଜ୍ୟର ପିଏସୟୁ କର୍ମଚାରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ

• ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଂଟାଲ ପିଛା 53 ଟଙ୍କା ବୃଦ୍ଧି

• ଓଡ଼ିଶାରୁ ଭାରତର ବିଭିନ୍ନ ରାଜ୍ୟକୁ ପ୍ରବାସୀଙ୍କ ପାଇଁ 247ରୁ ଅଧିକ ସ୍ପେଶାଲ ଟ୍ରେନ୍ ଚାଲୁ

ଭୁବନେଶ୍ୱର/ଶାସକ ପ୍ରଶାସକ: କୋଭିଡ୍-19 ସମୟରେ ମୋଦୀ ସରକାର ଓଡ଼ିଶା ପାଇଁ ପ୍ରଧାନମବୀ ଗରିବ କଲ୍ୟାଣ ଯୋଜନା ସମେତ କୋଭିଡ୍ ପରିଚାଳନା ଓ ମୁକାବିଲା ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ମୋଟ୍ 22,267.66 କୋଟିର ସହାୟତା ପ୍ୟାକେଜ୍ ପ୍ରଦାନ କରିଛନ୍ତି ବୋଲି ଶୁକ୍ରବାର ନୂଆଦିଲ୍ଲୀରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୁତ ସୂଚନା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ କରୋନା ମହାମାରୀ ସମୟରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହାସହ ଓଡିଶାକୁ ବିପୁଳ କେନ୍ଦ୍ରୀୟ ସହାୟତା ଦିଆଯାଉଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଯତ୍ନଶୀଳ ହୋଇ କାମ କରିବା ଦରକାର ବୋଲି ସେ କହିଛନ୍ତି । ସେହିପରି ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଉପଭୋକ୍ତାଙ୍କ ଅତିରିକ୍ତ ଚାହିଦା ପାଇଁ ଏଲଟିସି କ୍ୟାସ ଭାଉଚର ସ୍କିମ୍ କରାଯାଇଛି । ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀମାନେ ଲାଭ ପାଇବେ । ତେବେ ଏହି କଠିନ ସମୟରେ ରାଜ୍ୟ ସରକାର ମଧ୍ୟ ନିଜ କର୍ମଚାରୀ ତଥା ଓଡିଶାର ପିଏସୟୁ କର୍ମଚାରୀଙ୍କ ପାଇଁ ଏପରି ସମାନ ଭାବେ ଏକ ସ୍ୱତନ୍ତ୍ର ପ୍ରୋତ୍ସାହନର ବ୍ୟବସ୍ଥା କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରତି ମାସରେ ବ୍ୟକ୍ତି ପିଛା 5 କେଜି ଚାଉଳ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟର 3.17 କୋଟି ହିତାଧିକାରୀଙ୍କୁ ମାସିକ 5 କେଜି ଚାଉଳ ପ୍ରଦାନ କରାଯାଇଛି । ଏହି ମର୍ମରେ ମୋଟ 7 ଲକ୍ଷ 51 ହଜାର 930 ଟନ୍ ଚାଉଳ ଓଡିଶାକୁ ପ୍ରଦାନ କରାଯାଇଛି । ସେହିପରି ପ୍ରତି ପରିବାରକୁ ମାସିକ 1 କେଜି ଡାଲି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିବା ବେଳେ ଓଡିଶାର 92.85 ଲକ୍ଷ ପରିବାରକୁ ଡାଲି ଯୋଗାଇ ଦିଆଯାଇଛି । ମୋଟ 44 ହଜାର 130 ଟନ୍ ଡାଲି ଓଡିଶାକୁ ଯୋଗାଇ ଦିଆଯାଇଛି ।

ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ 3ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ 440 କୋଟି ଟଙ୍କା ବ୍ୟୟରେ 68.79 ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି ।

ଜନଧନ ଆକାଉଣ୍ଟଧାରୀ ମହିଳାଙ୍କ ପାଇଁ 1500 ଟଙ୍କାର ବ୍ୟବସ୍ଥା ଥିବା ବେଳେ ଓଡ଼ିଶାର 85.20 ଲକ୍ଷ ହିତାଧିକାରୀ ଏହାର ଲାଭ ପାଇଛନ୍ତି । ଓଡ଼ିଶା ପାଇଁ ମୋଟ 1258.02 କୋଟି ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ଜାତୀୟ ସାମାଜିକ ସୁରକ୍ଷା ଭତ୍ତା (ଏନଏସଏପି)ର ଯୋଜନାରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ 1 ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ ଥିବା 20.27 ଲକ୍ଷ ହିତାଧିକାରୀଙ୍କୁ 202.70 କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ କିଷାନ(କୃଷକ ସମ୍ମାନ ନିଧି) ଯୋଜନାରେ ରାଜ୍ୟର 20.3 ଲକ୍ଷ ହିତାଧିକାରୀଙ୍କୁ 2 ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଯୋଜନାରେ ଓଡ଼ିଶାର ଚାଷୀଙ୍କୁ ମୋଟ 400.63 କୋଟି ଟଙ୍କା ପ୍ରଦାନ କରାଯାଇଛି । କରୋନା ସମୟରେ ଓଡ଼ିଶାର 20.83 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ କୋଠା ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ମୁଣ୍ଡ ପିଛା 1500 ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମୋଟ 312.49 କୋଟି ଟଙ୍କା ପ୍ରଦାନ କରାଯାଇଛି  ।

ଓଡ଼ିଶାରେ 1.54 ଲକ୍ଷ ଇପିଏଫଓ ଆକାଉଣ୍ଟଧାରୀଙ୍କୁ ଇ-ଚାଲାଣ କମ୍ ରସିଦ୍ ଆକାରରେ 59.07 କୋଟି ଦିଆଯାଇଛି । 40,666 ଇପିଏଫଓ ହିତାଧିକାରୀ 87.71 କୋଟି ଟଙ୍କା ଇପିଏଫଓ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି  । 1.62 ଲକ୍ଷ ହିତାଧିକାରୀଙ୍କ ପାଇଁ 24 ପ୍ରତିଶତ ଇପିଏଫ୍ ଭାରତ ସରକାର ଦେଇଛନ୍ତି । ଓଡ଼ିଶା ପାଇଁ 101.48 କୋଟି ଟଙ୍କା ସରକାର ଦେଇଛନ୍ତି  । ସେହିପରି 2019-20 ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ଜିଏସଟି କ୍ଷତିପୂରଣ ସ୍ୱରୂପ 5 ହଜାର 122 କୋଟି ଟଙ୍କା ଦିଆଯାଇଛି । 2020-21 ଆର୍ଥିକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ସ୍ୱରୂପ ଓଡ଼ିଶାକୁ 2 ହଜାର 258 କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ 1129 କୋଟି ଟଙ୍କା ଦିଆଯାଇଛି  । ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟ ମୋଟ ଘରୋଇ ଉତ୍ପାଦର(ଜିଏସଡ଼ିପି)ର 0.5 ପ୍ରତିଶତ ମୂଲ୍ୟ ସମାନ ଅତିରିକ୍ତ 2, 858 କୋଟି ଋଣ ନେବା ପାଇଁ ଓଡ଼ିଶାକୁ ଅନୁମତି ଦିଆଯାଇଛି । ଓଡ଼ିଶାକୁ ଆଶ୍ରୟ ସ୍ଥଳ ଏବଂ 3 ଓଳା ଖାଇବା ପାଇଁ କେନ୍ଦ୍ର ସରକାରଙ୍କ ଏସଡ଼ିଆରଏଫ ପାଣ୍ଠିରୁ 2 ହଜାର 139 କୋଟି ଅଗ୍ରୀମ ରାଶି ଜାରୀ କରାଯାଇଛି  । ତନ୍ମଧ୍ୟରୁ ପ୍ରଥମ କିସ୍ତିରେ 802 କୋଟି ଟଙ୍କା ଓଡ଼ିଶାକୁ ପ୍ରଦାନ କରାଯାଇଛି  ।

ଓଡ଼ିଶାର ନନ୍ ମିଲିୟନ ପ୍ଲସ ସିଟିକୁ ପ୍ରଥମ କିସ୍ତିରେ ମୌଳିକ ଅନୁଦାନ ଆକାରରେ 271.75 କୋଟି ଟଙ୍କା ଦିଆଯାଇଛି  । ବିନିଯୋଗ କରିବା ପାଇଁ ଡ଼ିଏମଏଫ ପାଣ୍ଠିରୁ 2 ହଜାର 12 କୋଟି ମଞ୍ଜୁର ଦିଆଯାଇଥିବା ବେଳେ 64.5 କୋଟି ଟଙ୍କା କରୋନା ମୁକାବିଲା ପାଇଁ ଖର୍ଚ୍ଚ ହୋଇଛି  ।

ଏନଡିଆରଏଫ ପାଣ୍ଠିରୁ 179.64 କୋଟି ଜାରୀ କରାଯାଇଛି । 2020 ମଇ ମାସରେ ହୋଇଥିବା ଅମ୍ପନ ବାତ୍ୟା ପାଇଁ 500 କୋଟି ଟଙ୍କା ଦିଆଯାଇଛି । ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ରାଷ୍ଟ୍ରୀୟତ୍ତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ଲକ୍ ଡ଼ାଉନ ସମୟରେ ଓଡ଼ିଶା ବିଦ୍ୟୁତ୍ ବିତରଣ ସଂସ୍ଥା(ଡ଼ିସକମ୍)କୁ ବିଜୁଳି କିଣିବା ପାଇଁ 84.93 କୋଟିର ରିହାତି ପ୍ରଦାନ କରାଯାଇଛି । 2020-21 ଆର୍ଥିକ ବର୍ଷ ପାଇଁ ଜଳ ଜୀବନ ମିଶନ ଅଧୀନରେ ଓଡ଼ିଶା ପାଇଁ 812 କୋଟି ଟଙ୍କା ଆବଣ୍ଟନ କରାଯାଇଛି  । ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା ଅଧୀନରେ ଓଡ଼ିଶାର ଚିହ୍ନଟ ହୋଇଥିବା 63,222 ସହରାଂଚଳର ଉଠା ଦୋକାନୀଙ୍କ ପାଇଁ 8.2 କୋଟି ମଞ୍ଜୁର କରାଯାଇଛି ।

ମନରେଗା ଏବଂ ପିଏମ ଗରିବ କଲ୍ୟାଣ ରୋଜଗାର ଯୋଜନାରେ ବର୍ଷ 2020 ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ 4.51 ଲକ୍ଷ ଯବ୍ କାର୍ଡ୍ ଜାରୀ କରାଯାଇଛି । ଏହା 9.25 କୋଟି ଶ୍ରମ ଦିବସ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନା ଅଧୀନରେ ଓଡ଼ିଶାରେ 74.42 ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି  ।

କୋଭିଡ୍-19 ପରିଚାଳନା ପାଇଁ ଓଡ଼ିଶାକୁ 102 କୋଟି କେନ୍ଦ୍ର ସରକାର ଦେଇଛନ୍ତି  । 8.50 ଲକ୍ଷ ଏନ୍ 95 ମାସ୍କ୍, 2.53 ଲକ୍ଷ ପିପିଇ କିଟ୍, 13.5 ଲକ୍ଷ ଏଚସିକ୍ୟୁ ଡୋଜ୍ ଏବଂ 567 ଭେଣ୍ଟିଲେଟର ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯଥା ନାଲକୋ, ଏମସିଏଲ, ଏନଟିପିସି, ଆଇଓସିଏଲ ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି ।

ନୂଆ କୃଷି ବିଲ୍ କାରଣରୁ ରାଜ୍ୟର ଚାଷୀମାନେ ଏପିଏମସି (ଏଗ୍ରିକଲଚ୍ୟୁରାଲ ପ୍ରଡ୍ୟୁସ ମାର୍କେଟ୍ କମିଟି) ମଣ୍ଡି ସମେତ ବାହାରେ ବିକ୍ରି କରିବାକୁ ମଧ୍ୟ ସାମର୍ଥ୍ୟ ହେବେ । ଏହି ନୂଆ ନୀତି ଆସିବା ଦ୍ୱାରା ଯେକୌଣସି ସ୍ଥାନରେ ଚାଷୀମାନେ କୃଷିଜାତ ସାମଗ୍ରୀ କିଣିପାରିବେ ଏବଂ ବିକ୍ରି କରିବାର ସ୍ୱାଧୀନତା ପାଇବେ ଓ ସଠିକ୍ ମୂଲ୍ୟ ପାଇପାରିବେ । ଏହି ନୂଆ କୃଷି ନୀତି କଂଟ୍ରାକ୍ଟ ଫାର୍ମିଂକୁ ସୁବିଧା ପ୍ରଦାନ କରିବ  । ଆତ୍ମନିର୍ଭର ଭାରତ ପ୍ୟାକେଜରେ 1 ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି କୃଷି ଭିତ୍ତିଭୂମି ଏବଂ ଫାର୍ମ ଗେଟକୁ ମଜବୁତ୍ କରିବ  । କୃଷି ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ନାବାର୍ଡ ଦ୍ୱାରା ଓଡ଼ିଶାରେ 28.13 କୋଟି ମୂଲ୍ୟର 103ଟି ପ୍ରକଳ୍ପକୁ ମଞ୍ଜୁର ଦିଆଯାଇଛି  । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ 20 ହଜାର କୋଟି ଟଙ୍କାର ବ୍ୟବସ୍ଥା କାରଣରୁ ଓଡ଼ିଶାର 15 ଲକ୍ଷ ମତ୍ସ୍ୟଚାଷୀ ଉପକୃତ ହେବେ । ପଶୁ ପାଳନ ଦୁଗ୍ଧ ଭିତ୍ତିଭୂମି ବିକାଶ ପାଣ୍ଠିରେ 15 ହଜାର କୋଟି ଦ୍ୱାରା ଓଡ଼ିଶା ଓ ଭାରତବର୍ଷର ଚାଷୀମାନେ ଉପକୃତ ହେବେ  । 2019 ରବି ଫସଲ ସମୟରେ ଓଡିଶାର 2.02 ଲକ୍ଷ ଚାଷୀ ବୀମା ଆପ୍ଲିକେସନ ଗ୍ରହଣ କରାଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଂଟାଲ ପିଛା 53 ଟଙ୍କା ବୃଦ୍ଧି କରାଯାଇଛି । ମୁଗ ଡ଼ାଲିର ଏମଏସପି କ୍ୱିଂଟାଲ ପିଛା 146 ଟଙ୍କା, ହର ଡ଼ାଲି କ୍ୱିଂଟାଲ ପିଛା 300, ଟୁର ଡାଲି କ୍ୱିଂଟାଲ ପ୍ରତି ଏମଏସପି 200 ଟଙ୍କା ବୃଦ୍ଧି କରାଯାଇଛି । 2020-21ରେ ଓଡ଼ିଶା ଚାଷୀଙ୍କ ଠାରୁ 49.43 କୋଟି ଡାଲି 7,049 ଏମଏସପି ମୂଲ୍ୟରେ କିଣାଯାଇଛି  । 2020-21ରେ 5121 ଟଙ୍କାର ଏମଏସପି ମୂଲ୍ୟରେ 10.92 କୋଟିର ତୈଳଜାତ ସାମଗ୍ରୀ କିଣାଯାଇଛି ।

ପ୍ରବାସୀ ଶ୍ରମିକଙ୍କ ପାଇଁ ପଦକ୍ଷେପ ନିମନ୍ତେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡର ବ୍ୟବସ୍ଥା ହୋଇଛି । ଓଡ଼ିଶାରୁ ଭାରତର ବିଭିନ୍ନ ରାଜ୍ୟକୁ 247ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁ କରାଯିବା ଦ୍ୱାରା 4.40 ଲକ୍ଷ ଯାତ୍ରୀ ଉପକୃତ ହୋଇଛନ୍ତି । ମିଶନ ବନ୍ଦେ ଭାରତରେ ବିମାନ ଯୋଗେ ଫସି ରହିଥିବା ଲୋକଙ୍କୁ ଦୁବାଇରୁ ଭୁବନେଶ୍ୱର ଅଣାଯିବାର ବ୍ୟବସ୍ଥା ହୋଇଛି  । ସହାରାଞ୍ଚଳର ଗରିବଙ୍କ ପାଇଁ ପିଏମ ଆବାସ ଯୋଜନାରେ ସୁଲଭ ମୂଲ୍ୟରେ ଭଡ଼ା ଘରକୁ ବିକଶିତ କରାଯାଇଛି । ଆତ୍ମନିର୍ଭର ଭାରତ ପ୍ୟାକେଜରେ ଓଡ଼ିଶାରୁ 39 ଲକ୍ଷ ମୁଦ୍ରା ଶିଶୁ ଋଣ ହିତାଧିକାରୀଙ୍କୁ 2 ପ୍ରତିଶତ ଇଣ୍ଟ୍ରେଷ୍ଟ ସବଭିନସନ୍ ଦିଆଯାଇଛି । ଓଡ଼ିଶାରେ ଥିବା 6 ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ 10 ଲକ୍ଷରୁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକବିହୀନ ଋଣକୁ ବୃଦ୍ଧି କରାଯିବ ।

 

 

0
0
0
s2sdefault