ହେଡଲାଇନସ୍:

ଗାଁ ସ୍କୁଲ ବନ୍ଦ : ଅନ୍ୟ ଗାଁକୁ ପାଠ ପଢିବାକୁ ଯିବେ ୧୪ଟି ସ୍କୁଲର କୋମଳମତୀ ଛାତ୍ରଛାତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ ନିରୋଜ ମିଶ୍ର  : ୨୦ ବର୍ଷରୁ ଅଧିକ ହେଲା ନିଜ ନିଜ ଗାଁରେ ପାଠ ପଢ଼ୁଥିବା ୧୪ଟି ସ୍କୁଲର କୋମଳମତୀ ଛାତ୍ରଛାତ୍ରୀ ଏବେ ଗାଁ ସ୍କୁଲରେ ଅଧିକ ପିଲା ନ ଥିବାରୁ ନିକଟବର୍ତ୍ତୀ ଅନ୍ୟ ସ୍କୁଲକୁ ପାଠ ପଢ଼ିବାକୁ ଯିବେ ବୋଲି ସରକାରୀ ନିଷ୍ପତ୍ତି ହୋଇଥିବାର ଜଣାପଡ଼ିଛି । ଅପାଠୁଆ କେହି ରହିବେ ନାହିଁ, ୧୪ ବର୍ଷ ପର୍ୟ୍ୟନ୍ତ ବାଧ୍ୟତା ମୂଳକ ଶିକ୍ଷାଦାନ ବୋଲି ରାଜ୍ୟ ସରକାର ଘୋଷଣା କରି ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ଖ‌ର୍ଚ୍ଚରେ ସ୍କୁଲ ଖୋଲିଥିବା ବେଳେ ବର୍ତ୍ତମାନ କିଛି ଛାତ୍ରଛାତ୍ରୀ ଜାତୀୟ ରାଜପଥ ଦେଇ ୨ରୁ ୩ କିଲୋମିଟର ଯାଇ ପାଠ ପଢ଼ିଯି‌ବା ସହ କେତେକ ସ୍କୁଲର ବିଦ୍ୟାର୍ଥୀ ରେଳ ଲାଇନ ଡ଼େଉଁ ଓ ଜଙ୍ଗଲ ଅଞ୍ଚଳ ଦେଇ ଯିବାକୁ ଥିବାରୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଅନ୍ୟ ବିଦ୍ୟାଳୟରେ ପଠାଇବେ ଓ ଗାଁରେ ଥିବା ଏହି ସ୍କୁଲ କୋଠାଗୁଡ଼ିକ କେଉଁ କାମରେ ଲାଗିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ୨୦ ବା ୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକ‌ ବନ୍ଦ କରି ସେଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ପଡ଼ୋଶୀ ସ୍କୁଲକୁ ଯିବେ ଓ ତାଙ୍କ ସହ ଶିକ୍ଷକମାନେ ମାନେ ମଧ୍ୟ ଯିବାକୁ ଗୋଟିଏ ପ୍ରକାର ନିଷ୍ପତ୍ତି ନିଆଯାଇଛି । ଏପରି ହେଲେ ଆଗକୁ ଏହି ବିଦ୍ୟାଳୟ ଓ ତାର ପରିସରଗୁଡ଼ିକ ଅସାମାଜିକଙ୍କ ଆଡ୍‌ଡ଼ାସ୍ଥଳ ପାଲଟିବ ବୋଲି ସନ୍ଦେହ ପ୍ରକାଶ ପାଉଛି ।

ସରକାରୀ ନିର୍ଦେଶ ଅନୁସାରେ ବ୍ରାହ୍ମଣୀଜୋର ପଞ୍ଚାୟତର ବାଗପାଲି ନୂତନ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୧୧ଜଣ ଛାତ୍ରଛ‌ାତ୍ରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ସିଆଲଜୋରକୁ ଯିବେ । ସେହିପରି ସିକୁଆଁ ପଞ୍ଚାୟତର ବାଞ୍ଜିବାହାଲି ଏନପିଏସର ୧୮ ଜଣ ଛାତ୍ରଛାତ୍ରୀ ବଡ଼ବନ୍ଧ ପଞ୍ଚାୟତର କରୁଆଁଝର ହାଇସ୍କୁଲକୁ ଯିବେ । ଉଡ଼ାର ପଞ୍ଚାୟତର ବାଞ୍ଜିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୯ଜଣ ଛାତ୍ରଛାତ୍ରୀ ଏହି ପଞ୍ଚାୟତର ଜଳିଆ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବେ । ଡୁମ୍ବେରପିଟା ପଞ୍ଚାୟତର ଚିପାକାନୀ ସରକାରୀ ପ୍ରାଥମିକ ସ୍କୁଲର ୧୫ ଜଣ ଛାତ୍ରଛାତ୍ରୀ ଡୁମ୍ବେରପିଟା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବେ । ହାତୀସରା ପଞ୍ଚାୟତର ଦାବଲିକାନୀ ଏନପିଏସର ୧୩ ଜଣ ଛାତ୍ରଛାତ୍ରୀ ନାଇକେନଶିରା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବେ । ମହଲାଇ ପଞ୍ଚାୟତର ହଲଦିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୮ଜଣ ବଗଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବେ । ଧଣ୍ଡାମାଲ ପଞ୍ଚାୟତର ଜୁହ୍ନାପଦର ନୂତନ ପ୍ରାଥମିକ ବିଦ୍ୟାଳୟର ୧୯ଜଣ ଛାତ୍ରଛାତ୍ରୀ ପିପଳପଦର ସରକରୀ ପ୍ରାଥମିକ ବିଦ୍ୟାୟକୁ ଯିବେ । ଗାଈବାହାଲ ପଞ୍ଚାୟତ ଜୁର୍ଲାକାନୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୭ ଜଣ ଛାତ୍ରଛାତ୍ରୀ ଗାଈବାହାଲ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟକୁ ଯିବେ । ସିଂହାମୁଣ୍ଡା ପଞ୍ଚାୟତ କ୍ଷେତିପାଲି ଏନପିଏସର ୧୪ ଜଣ ବାଙ୍କିଆମୁଣ୍ଡା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବେ । ସାଲେପାଲି ପଞ୍ଚାୟତର କୁଲିହାବାହାଲ କଲୋନି ଏନପିଏସ ସ୍କୁଲର ୧୩ ଜଣ ଛାତ୍ରଛାତ୍ରୀ କୁଲିହାବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯିବେ । ଦେଓଗାଁ ପଞ୍ଚାୟତ ମଦନପାଲି ପ୍ରାଥମିକ ବିଦ୍ୟାଳୟର ୧୮ ଜଣ ଛାତ୍ରଛାତ୍ରୀ କନ୍ଧପାଲି ପ୍ରାଥମିକ ବିଦ୍ୟାଳୟ, ମହଲାଇ ପଞ୍ଚାୟତ ପୋଢ଼ପରା ଏନପିଏସର ୧୧ ଜଣ ଛାତ୍ରଛାତ୍ରୀ କୁନ୍ଦେଇମାଲ ଏନୟୁପିଏସକୁ ଯିବେ । ଗାଈବାହାଲ ପଞ୍ଚାୟତର ସାଗରପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୬ ଜଣ ଛାତ୍ରଛାତ୍ରୀ ଦେଓଗାଁ ନୋଡାଲ ସରକାରୀ ୟୁପିଏସକୁ ଯିବେ । ଘୁଡ଼ଖାପଲା ପଞ୍ଚାୟତ ସଞ୍ଜୟପଡ଼ା ୟୁପିଏସ ୧୯ ଜଣ ଛାତ୍ର, ଛାତ୍ରୀ ଖଗସିକନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବେ ଓ ମହଲାଇ ସର୍ଗିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ୨୦ ଜଣ ଛାତ୍ରଛାତ୍ରୀ ବଲାରପାଲି ସରକାରୀ ଏନୟୁପିଏସକୁ ଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଏହିପରି ଭାବେ ମୋଟ ୧୪ଟି ସ୍କୁଲର ୨୪୧ଜଣ ଛାତ୍ରଛାତ୍ରୀ ବର୍ତ୍ତମାନ ପଢ଼ୁଥିବା ସ୍କୁଲରୁ ନିକଟବର୍ତ୍ତି ସ୍କୁଲକୁ ପଢ଼ିବାକୁ ଯିବେ ବୋଲି ଜଣାପଡ଼ିଛି ।

0
0
0
s2sdefault