ହେଡଲାଇନସ୍:

ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦେଇଥିବା ଧର୍ମଶାଳା ବିଡିଓଙ୍କୁ ଚାକିରୀରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ:ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧର୍ମଶାଳା ବ୍ଲକ ବିଡିଓ ରାସନକାର୍ଡ ତାଲିକାରୁ ପ୍ରକୃତ ହିତାଧିକାରୀଙ୍କ ନାଁ କାଟିବା ପ୍ରସଙ୍ଗ

 ରାସନକାର୍ଡ ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ 

 ରାସନକାର୍ଡ ର୍ୟାକେଟରେ ଶାସକଦଳ ନେତାଙ୍କ ସଂପୃକ୍ତି ରହିଛି 

 ଶାସକ ଦଳ ସମର୍ଥୀତ ଅଯୋଗ୍ୟ ଲୋକଙ୍କୁ ପ୍ରଥମେ ମିଳୁଛି ରାସନ କାର୍ଡ

 ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ୨୦ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ନାଁ ମିଥ୍ୟା ସତ୍ୟ ପାଠ ଦର୍ଶାଇ କଟାଯାଇଛି

 ତୃଣମୂଳସ୍ତରରେ ଶାସକ ଦଳର ନେତା ଓ ସରକାରୀ ଅଧିକାରୀମାନେ ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ ରଖୁଛନ୍ତି

 ବିଡିଓ ଚାଳ ଛପର ଘର ଥିବା ଯୋଗ୍ୟ ହିତାଧିକାରୀଙ୍କର କୋଠା ଘର ଦର୍ଶାଇ ରାସନ କାର୍ଡରୁ ବଂଚିତ ରଖିଛନ୍ତି

 ରାସନ କାର୍ଡ ଦୁର୍ନୀତି ନେଇ ହାଇକୋର୍ଟରେ ଧର୍ମଶାଳା ବିଡିଓ ସତ୍ୟପାଠରେ ମିଥ୍ୟା କଥା ଦର୍ଶାଇଛନ୍ତି

 ରାସନ କାର୍ଡ ଥିବା ଲୋକଙ୍କୁ ରାସନ ସାମଗ୍ରୀ ମିଳୁନାହିଁ

 ଧର୍ମଶାଳା ବ୍ଲକରେ ମୋଟ ୯୫ ଜଣ ଡିଲରଙ୍କ ମଧ୍ୟରୁ ୬୦ରୁ ଉଦ୍ଧ୍ୱର୍ ଡିଲରଙ୍କ ନିଜ ପରିବାର ନାଁରେ ରହିଛି ରାସନ କାର୍ଡ

 ଅଧିକ ସଦସ୍ୟ ଥିବା ପରିବାରର କେବଳ ଜଣକ ନାଁରେ ରାସନ ସାମଗ୍ରୀ ମିଳୁଛି

 ଧର୍ମଶାଳା ବ୍ଲକରେ ରାସନ କାର୍ଡ ବ୍ୟାପକ ଅନିୟମିତତାର ପ୍ରମାଣ ମିଳିଛି

ଭୁବନେଶ୍ୱର(ଶାସକ ପ୍ରଶାସକ):ରାଜ୍ୟରେ ରାସନକାର୍ଡ ବଂଟନ ନେଇ ବ୍ୟାପକ ଦୁର୍ନୀତି ଚାଲିଛି । ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ ଜାଣିଶୁଣି ରାସନ କାର୍ଡ ତାଲିକାରୁ ଯୋଗ୍ୟ ହିତାଧିକାରୀଙ୍କୁ ବଂଚିତ କରୁଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ଯୋଗ୍ୟ ହିତାଧିକାରୀଙ୍କ ନାଁ କାଟି ଶାସକ ଦଳର ସମର୍ଥକ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ରଖାଯାଇଛି । ଧର୍ମଶାଳା ବ୍ଲକରେ ୨୦ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ନାଁ ମିଥ୍ୟା ସତ୍ୟ ପାଠ ଦର୍ଶାଇ କଟାଯାଇଛି । ଯେଉଁ ଲୋକମାନଙ୍କର ଗାଡି, କୋଠାଘର ନାହିଁ ସେହି ଲୋକଙ୍କ ନାଁ ହିତାଧିକାରୀ ତାଲିକାରୁ କଟାଯାଇଛି । ଏସବୁ ବିଡିଓଙ୍କ ଜାଣତରେ ଚାଲିଛି । ଏହାକୁ ନେଇ ଏକ ମାମଲା ହାଇକୋର୍ଟରେ ଥିବାବେଳେ ବିଡିଓ ମିଥ୍ୟା ସତ୍ୟପାଠଦାଖଲ କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । 

ରାସନକାର୍ଡରୁ ପ୍ରଥମେ ଯୋଗ୍ୟ ହିତାଧିକାରୀଙ୍କ ନାଁ କଟାଯାଉଛି  ଏବଂ ପରେ ସେମାନଙ୍କୁ ପୁଣିଥରେ ଯୋଡିବା ପାଇଁ ସେମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି । ଏଭଳି ସାରା ରାଜ୍ୟରେ ରାସନ କାର୍ଡ ର୍ୟାକେଟ କାମ କରୁଛି । ଏହି ର୍ୟାକେଟରେ ଶାସକ ଦଳର ନେତାମାନଙ୍କର ସଂପୃକ୍ତି ରହିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ୫ ଟି କଥା କହୁଥିବାବେଳେ ତାଙ୍କରି ଦଳର ନେତା ଓ ସରକାରୀ ଅଧିକାରୀମାନେ ରାସନକାର୍ଡ ଦୁର୍ନୀତିରେ ବୁଡି ରହିଛନ୍ତି । ଶାସକ ଦଳ ସମର୍ଥୀତ ଅଯୋଗ୍ୟ ଲୋକଙ୍କୁ ରାସନ କାର୍ଡ ପ୍ରଥମେ ମିଳୁଛି । ସାରା ରାଜ୍ୟରେ ଏହି ଘଟଣା ଦେଖିବାକୁ ମିଳୁଛି । ଗରିବଙ୍କ ପେଟରେ ରାଜ୍ୟସରକାର ଲାତ ମାରି ଅଯୋଗ୍ୟ ହିତାଧିକାରୀଙ୍କ ପାଖରେ ରାସନ ସାମଗ୍ରୀ ପହଂଚାଯାଉଛି । ଅନେକ ସ୍ଥାନରେ ଭୂତଙ୍କ ନାଁରେ ରାସନ ସାମଗ୍ରୀ ହଡପ କରାଯାଉଛି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ଡ.ସାମନ୍ତସିଂହାର କହିଛନ୍ତି ଯେ, ତୃଣମୂଳସ୍ତରରେ ଶାସକ ଦଳର ନେତା ଓ ସରକାରୀ ଅଧିକାରୀମାନେ ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ ରଖୁଛନ୍ତି । ଅନ୍ୟପଟେ ରାସନ କାର୍ଡ ଦୁର୍ନୀତି ନେଇ ହାଇକୋର୍ଟରେ ଜିଲ୍ଲାପାଳ, ଉପଜିଲ୍ଲାପଳ ଏବଂ ବିଡିଓଙ୍କ ପକ୍ଷରୁ ଧର୍ମଶାଳା ବିଡିଓ ସତ୍ୟପାଠରେ ଅନେକ ମିଥ୍ୟା କଥା ଦର୍ଶାଇଛନ୍ତି । ବିଡିଓ ଚାଳ ଛପର ଘର ଥିବା ଯୋଗ୍ୟ ହିତାଧିକାରୀଙ୍କର କୋଠା ଘର ଦର୍ଶାଇ ରାସନ କାର୍ଡରୁ ବଂଚିତ ରଖିଛନ୍ତି । ଅନ୍ୟ ଜଣେ ହିତାଧିକାରୀ ଡଲି ମଲ୍ଲିକ ଘରେ ଅଧିକ ବିଜୁଳି ବ୍ୟବହାର ହେଉଛି ବୋଲି ବିଡିଓ ସତ୍ୟପାଠରେ ଦର୍ଶାଇଥିବାବେଳେ ବାସ୍ତବରେ ତାଙ୍କ ଘରକୁ ବିଦୁ୍ୟତ ସଂଯୋଗ କରାଯାଇନାହିଁ । ଏହିପରି ଅନେକ ଉଦାହରଣ ରହିଛି ଯେଉଁଥିରେ ଯୋଗ୍ୟ ହିତାଧିକାରୀଙ୍କୁ ବିଡିଓ ଅଣଦେଖା କରି ମିଥ୍ୟାସତ୍ୟପାଠ ହାଇକୋର୍ଟରେ ଦାଖଲ କରିଛନ୍ତି । ଧର୍ମଶାଳା ବିଡିଓ ସ୍ମିତା ରଥ ପିଡିଏସ ଖାତାରୁ ଅତିଗରିବ ଏବଂ ଯୋଗ୍ୟ ହିତାଧିକାରୀ ସ୍ୱର୍ଣ୍ଣଲତା ଓ ରମାଦେଇଙ୍କ ନାଁ କାଟି ଦେଇଛନ୍ତି । ସେମାନଙ୍କର ପକ୍କା ଘର ଅଛି ବୋଲି ଦର୍ଶାଇ ବିଡିଓ ସେମାନଙ୍କର ରାସନକାର୍ଡ କାଟିଛନ୍ତି ବୋଲି ସତ୍ୟପାଠ ଦେଇଛନ୍ତି । କିନ୍ତୁ ବାସ୍ତବରେ ତାଙ୍କର ପକ୍କା ଘର ହିଁ ନାହିଁ । କମାଗଡ ପଂଚାୟତର ଆଉ ଜଣେ ହିତାଧିକାରୀ ଦିପ୍ତୀମୟୀ ମହାରଣାଙ୍କ ଶଶୁର ରେଳବାଇ ପେନସନ ପାଉଥିବା ଦର୍ଶାଇ ତାଙ୍କ ରାସନ କାର୍ଡ କଟାଯାଇଛି । କିନ୍ତୁ ତାଙ୍କ ଶଶୁରଙ୍କ ମୃତୁ୍ୟ ୨ ଜାନୁଆରୀ ୨୦୧୮ ମସିହାରୁ ହୋଇସାରିଲାଣି । ସେହି ପଂଚାୟତରେ ଚାରି ଚକିଆ ଯାନ ଦର୍ଶାଇ ଝୁଲଣା ବେହେରାଙ୍କ ରାସନ କାର୍ଡରୁ ନାଁ କଟାଯାଇଛି । କିନ୍ତୁ ପ୍ରକୃତରେ ଚାଙ୍କର ଚାରି ଚକିଆ ଯାନ ହିଁ ନାହିଁ । ଡ.ସାମନ୍ତସିଂହାର ଫଟୋ ସହ ମିଥ୍ୟା ସତ୍ୟପାଠର ସମସ୍ତ ତଥ୍ୟ ପ୍ରମାଣ ଗଣମାଧ୍ୟମ ଆଗରେ ରଖିଛନ୍ତି । 

ରାସନ କାର୍ଡଥିବା ଲୋକଙ୍କୁ ରାସନ ସାମଗ୍ରୀ ମିଳୁନାହିଁ । କମାଗଡ ପଂଚାୟତର ସୁନନ୍ଦା ଭୂୟାଁ, ମହିଶର ପଂଚାୟତର ବାସନ୍ତୀ ସାହୁଙ୍କ ନାଁରେ ରାସନ କାର୍ଡ ଥିବାସତ୍ୱେ ସେମାନଙ୍କୁ ରାସନ ସାମଗ୍ରୀ ମିଳୁନାହିଁ । ଅନେକ ସ୍ଥାନରେ ଡିଲରମାନେ ନିଜ ନାଁରେ ରାସନକାର୍ଡ କରି ରାସନ ସାମଗ୍ରୀ ଉଠାଉଛନ୍ତି । ମହିଶର ପଂଚାୟତର ଡିଲର ରାଂଚନ କବି, କ୍ଷେତ୍ରପାଳ ପଂଚାୟତର ଡିଲର ସୁଜିତ ଖଣ୍ଡାଇ ଏବଂ ରବିନ୍ଦ୍ର ଦାସ, ଉତରପ୍ରତାପ ପଂଚାୟତର ଡିଲର ଜୟରାମ ସାହୁଙ୍କ ପରି ଧର୍ମଶାଳା ବ୍ଲକରେ ମୋଟ ୯୫ ଜଣ ଡିଲରଙ୍କ ମଧ୍ୟରୁ ୬୦ରୁ ଉଦ୍ଧ୍ୱର୍ ଡିଲରଙ୍କ ନିଜ ପରିବାର ନାଁରେ ରାସନ କାର୍ଡ ରହିଛି । ସେହିପରି ଅଧିକ ସଦସ୍ୟ ଥିବା ପରିବାରର କେବଳ ଜଣକ ନାଁରେ ରାସନ ସାମଗ୍ରୀ ମିଳୁଛି । ଚୋରମୁହାଁ ପଂଚାୟତର ସୁନୀତା ବେହେରାଙ୍କର ୫ ଜଣ ସଦସ୍ୟ ଥିବାବେଳେ କେବଳ ଜଣକୁ ରାସନ ମିଳୁଛି । ହରିଦାସପୁର ପଂଚାୟତର କୋଇଲି ଜେନାଙ୍କ ଘରେ ୪ ଜଣେ ସଦସ୍ୟ ଥାଇ ଜଣଙ୍କୁ ରାସନ ସାମଗ୍ରୀ ମିଳୁଛି । ଏଭଳି ପୂରା ବ୍ଲକରେ ରାସନ କାର୍ଡ ବ୍ୟାପକ ଅନିୟମିତତାର ପ୍ରମାଣ ମିଳିଛି । ଏହା କେବଳ ଗୋଟିଏ ବ୍ଲକ ନୁହେଁ ବଂର ସାରା ରାଜ୍ୟରେ ଏମିତି ଦୁର୍ନୀତି ଚାଲିଛି । ରାସନ କାର୍ଡ ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ ଏବଂ ଏହି ଘଟଣାର ସଂପୃକ୍ତ ଥିବା ବିଡିଓଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଚାକିରୀରୁ ବହିଷ୍କାର କରନ୍ତୁ ବୋଲି  ଡ.ସାମନ୍ତସିଂହାର ଦାବି କରିଛନ୍ତି ।

0
0
0
s2sdefault