ହେଡଲାଇନସ୍:

ଆଗକୁ ଆମ ପାଇଁ ଆସିପାରେ ଆହୁରି କଠିନ ରାସ୍ତା : ମୁଖ୍ୟମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେ ୩୦ ଅପରାହ୍ନ ୫ ତା ୩୦ରେ " ବନ୍ଦେ ଉତ୍କଳ ଜନନୀ" 

ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ଥରେ କହିଥିଲେ ତାଳି-ଥାଳି  ବାଡ଼େଇବାକୁ ....ବାଡେ଼ଇଲେ | ତାପରେ କହିଲେ କ୍ୟାଣ୍ଡେଲ ଟର୍ଚ , ମୋବାଇଲ ଫ୍ଲାସ ଲାଇଟ ଜଳାଇବାକୁ...ଜାଳିଲେ | ଆଉ ଏବେ କରୋନା ବିରୋଧୀ ଲଢେଇରେ ସାମିଲ ବ୍ୟକ୍ତିମାନଙ୍କୁ  ବା କରୋନା ଯୋଦ୍ଧା ମାନଙ୍କୁ  ସମ୍ମାନ ଜଣାଇବା ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ କହିଛନ୍ତି ମେ ୩୦ ଅପରାହ୍ନ ୫ ତା ୩୦ରେ " ବନ୍ଦେ ଉତ୍କଳ ଜନନୀ" ଗାଇବାକୁ | ଆଜି ଏହି ମର୍ମରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ  ରାଜ୍ୟ ତଥା ରାଜ୍ୟ ବାହାରେ ରାହୁଥିବା ପ୍ରତିଟି ଓଡ଼ିଆଙ୍କୁ ନିବେଦନ କରିଛନ୍ତି | ଏହା ସହିତ ଆଗକୁ ଆମ ପାଇଁ  ଆହୁରି କଠିନ ରାସ୍ତା ଆସିପାରେ ବୋଲି ମଧ୍ୟ  ମୁଖ୍ୟମନ୍ତ୍ରୀ ଏକ ପ୍ରକାର ପୂର୍ବାଭାସ ଦେଇଛନ୍ତି | 

ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ କହିଛନ୍ତି  " ଦୁଇ ମାସ ଧରି ସାରା ଦୁନିଆ ଏକ ବହୁତ ବଡ ଜଟିଳ ପରିସ୍ଥିତିର ସାମନା କରୁଛି । ବଡ ବଡ ଧନୀ ଦେଶ, ଶକ୍ତିଶାଳୀ ଦେଶରେ ବି କୋଭିଡ ଆତଙ୍କ ସୃଷ୍ଟି କରିଛି । ସେହି ଏକା ସମୟରେ ଆମ ଓଡିଶା ବି କୋଭିଡ ବିରୁଦ୍ଧରେ ତାର ଯୁଦ୍ଧ ଆରମ୍ଭ କଲା । କୋଭିଡରୁ ଲୋକଙ୍କୁ ରକ୍ଷା କରିବା ଏବଂ ଲୋକଙ୍କ ଜୀବନ ବଞ୍ଚାଇବା ସେତେବେଳେ ମୋ ସରକାରଙ୍କ ପ୍ରାଥମିକତା ଥିଲା । ପ୍ରତିଟି ଜୀବନର ସୁରକ୍ଷା ହେଉଛି ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ସେତେବେଳେ ଆମେ ଯାହା ବି ନୀତି, ଯାହା ବି ପଦକ୍ଷେପ ଗ୍ରହଣ କରିଥିଲୁ, ତାର ଏକମାତ୍ର ଲକ୍ଷ୍ୟ ଥିଲା ମୋର ପ୍ରିୟ ସାଢେ ଚାରି କୋଟି ଓଡିଶାବାସୀଙ୍କ ଜୀବନ ରକ୍ଷା ।

ଏବେ ଦୁଇ ମାସରୁ ଅଧିକ ସମୟ ହୋଇଗଲା । କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡିଶା ଆଜିକା ଦିନରେ କେବଳ ଭାରତବର୍ଷରେ ନୁହେଁ, ସାରା ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିପାରିଛି। କୋଭିଡରେ ଓଡିଶାର ମୃତ୍ୟୁହାର ସାରା ଦୁନିଆରେ ସବୁଠାରୁ କମ୍‌ । କରୋନା ପୀଡିତ ମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି ।

ଓଡିଶା ପରି ଗୋଟିଏ ରାଜ୍ୟ ତଥା ଆମ ଓଡିଶାବାସୀଙ୍କ ପାଇଁ ଏହା ଏକ ବଡ ସଫଳତା । ଦୁନିଆର ଶକ୍ତିଶାଳୀ ଦେଶ ତଥା ଭାରତର ବଡ ବଡ ରାଜ୍ୟ, ଧନୀ ରାଜ୍ୟମାନେ ମଧ୍ୟ କରୋନା ଯୁଦ୍ଧରେ ଏତେ ସଫଳତା ପାଇପାରି ନାହାନ୍ତି । ଆଜିକା ଦିନରେ ଓଡିଆ ଜାତି ପାଇଁ ଏହା ଏକ ଅଭୂତପୂର୍ବ ସଫଳତା ।

ଏହି ସମୟରେ ପ୍ରବାସରେ ଥିବା ଲକ୍ଷ ଲକ୍ଷ ଓଡିଆ ଭାଇଭଉଣୀ ଘରକୁ ଫେରିଛନ୍ତି। ତଥାପି କୋଭିଡ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ଆମେ ଭଲ ସ୍ଥିତିରେ ଅଛୁ । ଏହା ପଛରେ ରହିଛି କରୋନା ଯୁଦ୍ଧରେ ଦିନରାତି କାମ କରୁଥିବା ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାମାନଙ୍କ  ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା । ସିଏ ଯିଏ ବି ହୁଅନ୍ତୁ – ଲୋକ ପ୍ରତିନିଧି, ସରକାରୀ ବା ବେସରକାରୀ କର୍ମଚାରୀ; ସମସ୍ତେ ନିଜ ନିଜର ସୁଖଦୁଃଖକୁ ପଛରେ ପକାଇ ଯେଭଳି ସେବା ଯୋଗାଇ ଚାଲିଛନ୍ତି, ତାର ତୁଳନା ନାହିଁ । ସେହିପରି ଏହି ଯୁଦ୍ଧରେ ସାରା ଓଡିଶାବାସୀ ସରକାରଙ୍କ ପଦକ୍ଷେପକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି, ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣୀ ।  ଏହାସହିତ ମହାପ୍ରଭୂଙ୍କ ଆଶୀର୍ବାଦ ମଧ୍ୟ ସବୁବେଳେ ଆମ ସଥିରେ ରହିଛି।

ଏହି ପରିପ୍ରେକ୍ଷୀରେ ଓଡିଶା ମାଟି ସହ ସଂପର୍କ ଥିବା ସମସ୍ତଙ୍କୁ, ଆମର ସାଢେ ଚାରି କୋଟି ଓଡିଆ ଭାଇଭଉଣୀଙ୍କୁ ମୁଁ ଅନୁରୋଧ କରୁଛି ଯେମେ ୩୦ ଅପରାହ୍ନ ୫ ତା ୩୦ରେ ସମୟରେ ଆପଣମାନେ ଦୁନିଆରେ ଯେଉଁଠାରେ ବି ଥାଆନ୍ତୁ, ସମସ୍ତେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରନ୍ତୁ । ଏହାର ଉଦ୍ଦେଶ୍ୟ ହେଉଛି  ଆମର କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା । ସେମାନଙ୍କ  ତ୍ୟାଗକୁ ସମ୍ମାନ ଜଣାଇବା।  

ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ଏହା ପ୍ରେରଣା ଯୋଗାଇବ ।  ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବୀ ସମୟରେ ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ବନ୍ଦେ ଉତ୍କଳ ଜନନୀ । ଓଡିଆ ଜାତୀୟତାର ବନ୍ଧନକୁ ଏହା ମଜବୁତ କରିଥିଲା । ବର୍ତ୍ ମାନ ସମୟରେ ଏହା ଓଡିଆ ଜାତିକୁ, ଆମ ସମସ୍ତଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇବ।

ଆଗକୁ ଆମ ପାଇଁ ଆହୁରି କଠିନ ରାସ୍ତା ଆସିପାରେ । ଆଗାମୀ ଦିନର ଆହ୍ବାନକୁ ସଫଳ ଭାବରେ ମୁକାବିଲା କରିବା ଏବଂ ନୂଆ ସଂକଳ୍ପ ନେଇ କାମ କରିବା ପାଇଁ ଏହା ଆମକୁ ଶକ୍ତି ଯୋଗାଇବ। ଏ ବିଶ୍ବାସ ମୋର ଅଛି " ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 

0
0
0
s2sdefault