ହେଡଲାଇନସ୍:

ଗୁଗୁଲ ମ୍ୟାପ ସହାୟତାରେ ଯୋଗାଯୋଗ ବିଛିନ୍ନ ହୋଇଯାଇଥିବା ୪୭ ପ୍ରବାସୀ ଶ୍ରମିକଙ୍କୁ ଠାବ କଲେ ଦିବସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପ୍ରଶାସନକୁ ଅନୁରୋଧ କରି ଘର ଲେଉଟାଣି ପାଇଁ ଯୋଗେଇଦେଲେ ସହାୟତା  

ବରଗଡ(ଶାସକ ପ୍ରଶାସକ) କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣାକୁ ମାସାଧିକ କାଳ ବିତିଯାଇଛି। ଏଥିପାଇଁ ମୁଖ୍ୟତଃ ଗରିବ, ଅସହାୟଙ୍କଠାରୁ ଆରମ୍ଭ କରି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବହୁଗୁଣିତ ହୋଇ ପଡ଼ିଛି। ରୋଜଗାର ବନ୍ଦ ଥିବାରୁ ଖାଇବାକୁ ମୁଠାଏ ମିଳିବା ସେମାନଙ୍କ ପାଇଁ ମୁସ୍କିଲ ହୋଇ ପଡ଼ିଛି। ସେହିପରି ଗାଡ଼ି, ଟ୍ରେନ ଚଳାଚଳ ବନ୍ଦ ରହିଥିବା ଯୋଗୁ ପ୍ରବାସୀ ଶ୍ରମିକମାନେ ଘରକୁ ମଧ୍ୟ ଫେରି ପାରୁନାହାନ୍ତି । ଏଭଳିସ୍ଥଳେ କିଏ ସାଇକେଲରେ ତ ଆଉ କେହି ଚାଲି ଚାଲି ନିଜ ଗାଁକୁ ଫେରିବା ଭଳି ଘଟଣା ପରିଲକ୍ଷିତ ହୋଇଛି। ଏହି କ୍ରମରେ ସୁଦୂର ଆନ୍ଧ୍ର ପ୍ରଦେଶର ବିଜୟନଗରମରୁ ବରଗଡ଼, ବଲାଙ୍ଗୀର ଏବଂ କଳାହାଣ୍ଡିର ୪୭ ଜଣ ଶ୍ରମିକ ଚାଲି ଚାଲି ଘରକୁ ଫେରୁଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏହି ଶ୍ରମିକମାନେ ଗତ କିଛି ମାସ ତଳେ ବିଜୟନଗରମକୁ ଦାଦନ ଖଟିବାକୁ ଯାଇଥିଲେ। ଲକ୍‌ଡାଉନ୍‌ ପରେ ସେମାନଙ୍କ କାମଧନ୍ଦା ବନ୍ଦ ହୋଇ ଯାଇଥିଲା। ସେଠାରେ ସେମାନଙ୍କ ଖାଇବା, ପିଇବାରେ ଅସୁବିଧା ହୋଇଥିଲା। ଅନ୍ୟପଟେ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ସେମାନେ ଘରକୁ ଫେରି ପାରୁ ନ ଥିଲେ। ଗତ ତିନିଦିନ ତଳେ ଶ୍ରମିକମାନେ ରେଳପଥ ଦେଇ ଘର ଅଭିମୁଖେ ଚାଲି ଚାଲି ଆସୁଥିଲେ। ବାଟରେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲା ସୀତାନଗରମ  ନିକଟରେ ସେମାନେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ଏହାପରେ ପୋଲିସ ଭୟରେ ଶ୍ରମିକମାନେ ସେଠାରେ ଥିବା ଏକ ଜଙ୍ଗଲ ଭିତରକୁ ପଶି ସେଠାରେ ଥିବା ଯୋଗେନପେଟା ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ।ଏନେଇ ସହାୟତା କରିବା ନିମନ୍ତେ ଝାରବନ୍ଧ ବ୍ଲକର ଜୋହନ କୁମ୍ଭାର ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ସମାଜିକ କର୍ମୀ ଦିବସ କୁମାର ସାହୁଙ୍କୁ ସହାୟତା କରିବା ପାଇଁ ଅନୁରୋଧ କରିଥିଲେ | 

ଘଟଣା ସମ୍ପର୍କରେ ଜଣାପଡିବା ପରେ ସାମାଜିକ କର୍ମୀ ଦିବସ କୁମାର ସାହୁ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ଶ୍ରମିକମାନେ ସେଠାକାର ଲୋକେଶନ ପଠାଇଥିଲେ ଏବଂ ଦିବସ ବିଜୟନଗରମ କୋଭିଡ କଂଟ୍ରୋଲ ରୁମ,ଏସ ପି ବିଜୟନଗରମ, ସୀତାନଗରମ ଏସଆଇ, ତହସିଲଦାର, ଏସଆଇଙ୍କୁ ଯୋଗାଯୋଗ ସହିତ ସେମାନଙ୍କୁ ଉଦ୍ଧାର ବ୍ୟବସ୍ଥା କରିଥିଲେ। 

ଇତିମଧ୍ୟରେ ଶ୍ରମିକଙ୍କ ଫୋନ ବନ୍ଦ ହୋଇଯିବାରୁ ପୋଲିସ ସେଠାକୁ ଯାଇ ଖୋଜିବାରେ ସକ୍ଷମ ହେଇନ ପରିବାରୁ ଦିବସ ଙ୍କୁ ଫୋନ କରିଥିଲେ, ସେ ଗୁଗୁଲ ଆର୍ଥ ସହାୟତାରେ ଶ୍ରମିକଙ୍କ ଲୋକେସନ ଟ୍ରେସ କରି ପୋଲିସଙ୍କୁ  ସେଠାକୁ ନେବାକୁ ସକ୍ଷମ ହୋଇଥିଲେ | ଫଳରେ ପୋଲିସ ସେଠାକୁ ପହଞ୍ଚି ଶ୍ରମିକମାନଙ୍କୁ ଖାଦ୍ୟ ସାମଗ୍ରୀ ଦେଇଥିଲା ଏବଂ ସେମାନେ ଘରକୁ ଫେରିବାକୁ ଚାହିଁବାରୁ ସେମାନଙ୍କୁ ଛାଡ଼ିଥିଲା। ଏହାପରେ ଶ୍ରମିକମାନେ ସେଠାରୁ ଚାଲି ଚାଲି ଘରକୁ ଫେରୁଛନ୍ତି । ତେବେ ଆଜି ସକାଳ ୭ଟା ସୁଦ୍ଧା ଶ୍ରମିକମାନେ ରାୟଗଡ଼ା ଜିଲାରେ ପହଞ୍ଚି ସାରିଛନ୍ତି. ବସ୍‌ ଯୋଗେ ସେମାନଙ୍କୁ ଘରକୁ ପହଞ୍ଚାଇବା ବ୍ୟବସ୍ଥା କରିବା ପାଇଁ ସାମାଜିକ କର୍ମୀ ଦିବସ ବରଗଡ଼, ବଲାଙ୍ଗୀର ଏବଂ ରାୟଗଡ଼ା ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଦିବସଙ୍କ ଉପସ୍ଥିତ ବୁଦ୍ଧି ଏବଂ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଯୋଗୁଁ ଶ୍ରମିକ ମାନେ ଆଜି ସୁରକ୍ଷିତ ଭାବେ ଓଡ଼ିଶା ପହଞ୍ଚି ଥିବାରୁ ଲୋକେ ତାଙ୍କ ପ୍ରସଂସାରେ ଶତମୁଖ.

0
0
0
s2sdefault