ହେଡଲାଇନସ୍:

ଜମୁଛି ଆଦିବାସୀ ମେଳା :  ଦି ଦିନରେ  ଅଢେଇ ଲକ୍ଷ ଲୋକ ସମାଗମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ୟବସାୟ ପରିମାଣ କୋଟିଏରୁ ଅଧିକ : ବଢୁଛନ୍ତି ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର, (ଶାସକ ପ୍ରଶାସକ): ଜାନୁୟାରୀ ୨୬ ତାରିଖରୁ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ଆଦିବାସୀ ମେଳାକୁ ଦୁଇ ଦିନରେ ପ୍ରାୟ ଅଢେଇ ଲକ୍ଷ ଲୋକ ଆସିଥିବାବେଳେ ପ୍ରଥମ ଦିନରେ ହିଁ ଦେଢ଼ ଲକ୍ଷରୁ ଅଧିକ ଲୋକ ଆସିଥିଲେ । ସେହିଭଳି ଏହି ଦୁଇ ଦିନରେ ମୋଟାମୋଟି ଭାବେ ଏକ କୋଟି ଟଙ୍କାର କାରବାର ହୋଇଥିବାବେଳେ ଖାଦ୍ୟ ଷ୍ଟଲରେ ବ୍ୟବସାୟ  ସର୍ବାଧିକ ରହିଛି । କେବଳ ଗତକାଲି ଖାଦ୍ୟ ଷ୍ଟଲରେ ୫ଲକ୍ଷ ୫୦ହଜାର ଟଙ୍କାର ବ୍ୟବସାୟ ହୋଇଛି ।

ଚଳିତବର୍ଷ ଆଦିବାସୀମେଳାରେ ୨୬୨ଟି ଷ୍ଟଲ ଲାଗିଥିବାବେଳେ ପ୍ରଥମଥର ପାଇଁ ଏଠାରେ ଜାତୀୟ ଆଦିବାସୀ ଖାଦ୍ୟମେଳା ଆୟୋଜନ ହୋଇଛି । ଓଡିଶା ସମେତ ୧୨ଟି ରାଜ୍ୟର ଆଦିବାସୀମାନେ ଏଠାରେ ଲୋକଙ୍କୁ ସେମାନଙ୍କର ପାରମ୍ପରିକ ଖାଦ୍ୟ ପରସି ଦେଉଥିବାବେଳେ ଏହି ଷ୍ଟଲ ଗୁଡିକରେ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି । ଲୋକେ ଯେଭଳି ଉନ୍ନତମାନର ଖାଦ୍ୟ ପାଇପାରିବେ ସେଥିପାଇଁ ଖାଦ୍ୟମେଳା ପରିସରକୁ ପରିଷ୍କାର ରଖିବା ପାଇଁ ଗ୍ରୀନ୍ ନେଟ , ଡଷ୍ଟବିନ୍, ସଫେଇ କର୍ମଚାରୀ, ସୁରକ୍ଷିତ ରୋଷାଇଶାଳା ବ୍ୟବସ୍ଥା କରାଯାଇଅଛି । ଆର୍ବଜନାକୁ ତୁରନ୍ତ ସଫା କରାଯାଇ ପରିଷ୍କାର କରାଯାଉଅଛି । ପ୍ରତ୍ୟେକ ଦିନ ଖାଦ୍ୟର ମାନ ଯାଞ୍ଚ ସିଟି-ହେଲଥ  ଅଫିସରଙ୍କ ଦ୍ୱାରା କରାଯାଉଥିବା ଆଦିବାସୀ ମେଳା ଦାୟିତ୍ୱରେ ଥିବା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନ ନିର୍ଦ୍ଦେଶକ  ତଥା ସ୍ୱତନ୍ତ୍ର ଶାସନ ସଚିବ ଡକ୍ଟର ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି ।

ସେହିଭଳି ଆଦିବାସୀ ହାଟରେ ମିଳୁଥିବା କଳା ଚାଉଳ, ଧଳା ଚଣା, ଶିକାକାୟୀ, ତେନ୍ତୁଳି, ଧଳା ସୋରିଶ, ହଳଦୀ, ଝୁଣା, ମହୁ, କାନ୍ଦୁଲ, କୋଳଥ, ମାଣ୍ଡିଆ, ମହୁ, ତେନ୍ତୁଳି, ହରିଡ଼ା, ବାହାଡ଼ା, ଅଁଳା, ଝାଡ଼ୁ, ସୁଆଁ, ଗୋଲ ମରିଚ, ପାଳୁଅ, ଡାଲଚିନି୍ ଆଦି ଲଘୁଜାତ ଦ୍ରବ୍ୟ କିଣିବାପାଇଁ ଲୋକଙ୍କର ବେଶ୍ ଭିଡ ପରିଲକ୍ଷିତ ହୋଇଛି । ମେଳାକୁ ଆସୁଥିବା ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତବର୍ଷ ୭୦ଟି ସିସିଟିଭିକୁ ଲିଙ୍କ କରାଯାଇଛି । ଦୁଇଟି କଣ୍ଟୋଲ ରୁମ୍ ସହିତ ସାଦା ପୋଷାକରେ ପୁଲିସ୍ ମୁତୟନ ହୋଇଛନ୍ତି । ସେହିଭଳି ଏବର୍ଷ ମେଳାକୁ ୧୦କୋଟି ଟଙ୍କାରେ ବୀମାଭୁକ୍ତ କରାଯାଇଛି । ପ୍ରତ୍ୟହ  ଅପରାହ୍ନ ୨ଟାରୁ ରାତ୍ର ୯ ଟା ପର୍ଯ୍ୟନ୍ତ ଚାଲୁଥିବା ଏହି ମେଳାରେ ଆଦିବାସୀ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହୁଥିବାବେଳେ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏହାକୁ ବେଶ୍ ଉପଭୋଗ କରୁଛନ୍ତି । ଦୁଇ ଦିନ ମଧ୍ୟରେ ଇଂଲଣ୍ଡ, ଜାପାନ, ଚୀନ୍, ସୁଇଜରଲ୍ୟାଣ୍ଡ, ରୁଷିଆ ଭଳି ବାହାର ଦେଶରୁ ଅନ୍ୟୁନ ୨୦୦ ଜଣ ବିଦେଶୀ ପର୍ଯ୍ୟଟକ ବୁଲିବାକୁ ଆସି ମେଳାର ଆନନ୍ଦ ଉପଭୋଗ କରିଛନ୍ତି । ବିଶେଷତଃ ଜନଜାତି ଗୃହପୁଞ୍ଜକୁ ଅତି ନିକଟରୁ ଦେଖି ନିର୍ମାଣ ଶୈଳୀ ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । 

 

0
0
0
s2sdefault