ହେଡଲାଇନସ୍:

"ଶାଳୀନତାର ସୀମା ଲଘଂନ କରିଥିବା ଧର୍ମେନ୍ଦ୍ର କରୁଛନ୍ତି  ଶସ୍ତା ରାଜନୀତି" 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

19-06-18-pratap.jpg - 42.13 kB୧୮ରେ ଚିଠି ଲେଖି ୧୯ ରେ କହୁଛନ୍ତି ସମୟ ଦେଲେନି " : ପ୍ରତାପ 

ଭୁବନେଶ୍ୱର/ମାନସୀ ମିଶ୍ର :ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟର ପ୍ରଗତି ସଂପର୍କରେ ଆଲୋଚନା କରିବା ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଉଦ୍ଦେଶ୍ୟ  ନୁହେଁ । ବରଂ ୧୮ ତାରିଖରେ ଚିଠି ଲେଖି ଏବଂ ସେ ଚିଠିକୁ ୧୯ ତାରିଖରେ ଗଣମାଧ୍ୟମରେ ପ୍ରସାରିତ କରି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସୁଯୋଗ ଦେଉନାହାନ୍ତି ବୋଲି ଅଭିଯୋଗ କରିବା ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ । ଶ୍ରୀ ପ୍ରଧାନ ଚିଠି ଲେଖି ଓ ତାକୁ ଗଣମାଧ୍ୟମକୁ ଦେଇ ହଟଚମଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏଭଳି ଶସ୍ତା ରାଜନୀତି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରେ ସ୍ପୃହଣୀୟ ନୁହେଁ । ଓଡ଼ିଶାର ପ୍ରଗତି ପାଇଁ ଶ୍ରୀ ପ୍ରଧାନଙ୍କର ଯଦି ଆନ୍ତରିକତା ଥାଆନ୍ତା, ତା’ହେଲେ ସେ ଏଭଳି ଶସ୍ତା ରାଜନୀତି କରିନଥାନ୍ତେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ କଦର୍ଯ୍ୟ ଭାଷାରେ ଗଣମାଧ୍ୟମ ସମ୍ମୁଖରେ କଟୁ ସମାଲୋଚନା କରି ଶାଳୀନତାର ସୀମା ଲଘଂନ କରିଥିବା ଶ୍ରୀ ପ୍ରଧାନଙ୍କ ଠାରୁ କୌଣସି ଭଲ କଥା ଆଶା କରାଯାଇନପାରେ । ଓଡ଼ିଶାର ପ୍ରଗତି ସଂପର୍କରେ ଲୋକ ଦେଖାଣିଆ ମନ୍ତବ୍ୟ ଦେଇ ଶ୍ରୀ ପ୍ରଧାନ କେବଳ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟ ପ୍ରଗତି ସଂପର୍କିତ କୌଣସି ପ୍ରସଂଗକୁ କିଭଳି ଠିକଣା ଭାବରେ ଉପସ୍ଥାପନା କରାଯାଏ, ତାହା ଶ୍ରୀ ପ୍ରଧାନ ଜାଣିନାହାନ୍ତି କିମ୍ବା ଜାଣି ସିଆଣିଆ ଭଳି ଆଚରଣ କରୁଛନ୍ତି । ଯଦି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୟୁଏଇ ଗସ୍ତ କାଳରେ ଓଡ଼ିଶାରେ ବିଦେଶ ପୁଞ୍ଜି ନିବେଶ ସହ କୃଷି ଓ ମତ୍ସ୍ୟଜାତ ଦ୍ରବ୍ୟ କ୍ଷେତ୍ରରେ ପ୍ରଚୁର ସୁଯୋଗ ଅଛି ବୋଲି ଅନୁଭବ କଲେ, ତାହା ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ । ତେବେ ଶ୍ରୀ ପ୍ରଧାନ ଏହାକୁ ଠିକଣା ଭାବରେ କାର୍ଯ୍ୟକାରୀ କରିବା ପାଇଁ ଏହି ପ୍ରସ୍ତାବଟି କେନ୍ଦ୍ର କୃଷି ମନ୍ତ୍ରାଳୟ ମାଧ୍ୟମରେ ଆଣିଥିଲେ ଭଲ ହୋଇଥାନ୍ତା । କିନ୍ତୁ ତାହା ସେ ନକରି ଏହାକୁ ସେ ଭାଷଣବାଜୀରେ ସୀମିତ ରଖିଛନ୍ତି । ଏଥିରୁ ତାଙ୍କର ଓଡ଼ିଶାର ପ୍ରଗତି ପ୍ରତି କେତେ ଇଚ୍ଛାଶକ୍ତି ଅଛି, ତାହା ସ୍ପଷ୍ଟ ଅନୁମେୟ । ସଂପ୍ରତି କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ବର୍ଷରେ ପେଟ୍ରୋଲଜାତ ସାମଗ୍ରୀର ଦରବୃଦ୍ଧିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏହି ଦରବୃଦ୍ଧି ରାଜ୍ୟ ତଥା ଦେଶର ଅର୍ଥନୀତିକୁ ନକରାତ୍ମକ ଭାବରେ ମଧ୍ୟ ପ୍ରଭାବିତ କରିଚାଲିଛି । ବିଭାଗୀୟ ମନ୍ତ୍ରୀ ହିସାବରେ ଏ ସଂପର୍କରେ ଯେଉଁ ଦକ୍ଷତା ପ୍ରଦର୍ଶନ କରିବା କଥା, ତାହା ସେ ନକରି ନିଜର ଅପାରଗତାର ପରିଚୟ ଦେଇଛନ୍ତି । ଶ୍ରୀ ପ୍ରଧାନ ନିଜ ମନ୍ତ୍ରାଳୟର କାମ ସଂପର୍କରେ ବେଶୀ ଧ୍ୟାନ ଦିଅନ୍ତୁ ଏବଂ ଲୋକମାନେ ସାମ୍ନା କରୁଥିବା ଦରବୃଦ୍ଧିର ନିରାକରଣ ନିମନ୍ତେ ଠୋସ ପଦକ୍ଷେପ ନିଅନ୍ତୁ । ତାହା ନକରି ମୁଖ୍ୟମନ୍ତ୍ରୀଙ୍କୁ ୧୮ ତାରିଖରେ ଚିଠି ଲେଖି ଭେଟିବା ପାଇଁ ଅନୁମତି ମାଗିବା ଏବଂ ସେହି ଚିଠିକୁ ୧୯ ତାରିଖରେ ସାର୍ବଜନୀନ କରି ଅଭିଯୋଗ ଆଣିବା ଭଳି ହୀନ ରାଜନୀତିରୁ ଶ୍ରୀ ପ୍ରଧାନ କ୍ଷାନ୍ତ ରୁହନ୍ତୁ ବୋଲି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ପରାମର୍ଶ ଦେଇଛନ୍ତି ।

 

0
0
0
s2sdefault