ହେଡଲାଇନସ୍:

ଦକ୍ଷିଣ କାଲିଫର୍ଣ୍ଣିଆର ‘ଅରେଞ୍ଜ ସିଟି’ରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସଜବାଜ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କ  ପବିତ୍ର ରଥଯାତ୍ରା ପାଇଁ କେବଳ ଶ୍ରୀକ୍ଷେତ୍ର ପୁରୀ ନୁହେଁ, ଦେଶ ବିଦେଶର ବହୁ ସ୍ଥାନରେ ଏହି ଗଣପର୍ବ ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଛି। ଯୁକ୍ତରାଷ୍ଟ୍ର ଆମେରିକାର ଅନେକ ସହରରେ ବର୍ଷ ବର୍ଷ ଧରି ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଦକ୍ଷିଣ କାଲିଫର୍ଣ୍ଣିଆର ‘ଅରେଞ୍ଜ ସିଟି’ ଭାବେ ପରିଚିତ ଇର୍ଭାଇନ ସହରରେ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ବହୁ ଭାରତୀୟ ଏକ ମନ ଏକ ପ୍ରାଣରେ ଲାଗିଛନ୍ତି ।
କାଲିଫର୍ଣ୍ଣିଆର ଓଡ଼ିଆ ସମାଜ ସହଯୋଗରେ ଇର୍ଭାଇନରେ ଏକ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠିତ ହୋଇଛି । ୨୦୧୨ ମସିହାରୁ ଏଠାରେ ପ୍ରତିବର୍ଷ ଆଧ୍ୟାତ୍ମିକ ପରିବେଶରେ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଆସୁଛି । ଓଡ଼ିଆ ସମାଜର ତାପସ ଦାସ, ସୁଦାମ ମିଶ୍ର, ସବ୍ୟସାଚୀ ପାଣିଗ୍ରାହୀ ଓ ବିଭୁ ଦାସ ପ୍ରମୁଖ ଏ ବର୍ଷ ରଥଯାତ୍ରା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।
ଇର୍ଭାଇନର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସାଇବାବା, ପାଶ୍ୱର୍ନାଥ ଆଦି ବିଭିନ୍ନ ଦେବାଦେବୀଙ୍କର ୧୬ଟି ବିଗ୍ରହ ପୂଜିତ ହେଉଛନ୍ତି । ଏହି ମନ୍ଦିର ପରିଚାଳନା ପାଇଁ ଦୀପକ ଶର୍ମା, ସୁରେଶ ଲୋହିଆ, ଆଦିତ୍ୟ ସିଂହ, ମହେଶ ଗୁପ୍ତା ଆଦିଙ୍କୁ ନେଇ ଏକ କାର୍ଯ୍ୟନିର୍ବାହୀ କମିଟି ଗଢ଼ା ଯାଇଛି ।
ପ୍ରତିବର୍ଷ ଇର୍ଭାଇନ ଓ ଏହାର ଆଖପାଖ ସହରାଞ୍ଚଳରେ ରହୁଥିବା ବହୁ ଭାରତୀୟ ସେମାନଙ୍କ ପରିବାର ଓ ବିଦେଶୀ ବନ୍ଧୁମାନଙ୍କ ସହ ଏହି ରଥଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି । ଶ୍ରୀଗୁଣ୍ଡିଚା ଓ ବାହୁଡ଼ାରେ ମନ୍ଦିର ପ୍ରଶାସନ ପକ୍ଷରୁ ସମବେତ ଭକ୍ତମାନଙ୍କୁ ପ୍ରସାଦ ପରିବେଷଣ କରାଯାଇଥାଏ । ଏହାଛଡ଼ା ପ୍ରତିଷ୍ଠିତ  ଶିଳ୍ପୀମାନଙ୍କୁ ନେଇ ଭଜନ ସମେତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଚଳିତବର୍ଷ ଏହି କାର୍ଯ୍ୟକ୍ରମ ସଂଯୋଜନା ଦାୟିତ୍ୱରେ ମନୋଜ, ଦେବୀ, ପ୍ରଶାନ୍ତ, ମୋନିକା, ଗଣେଶ, ଶିବ, ସୋନୁ, ଶକ୍ତି ଓ ମଧୁସ୍ମିତା ଆଦି ରହିଛନ୍ତି । ଇର୍ଭାଇନର ଏହି ମନ୍ଦିରରେ ରଥଯାତ୍ରା ବ୍ୟତୀତ ଦୋଳ, ହୋଲି, ମହାଶିବରାତ୍ରୀ, ଦୀପାବଳି, ଜନ୍ମାଷ୍ଟମୀ, ଦଶହରା, ଗୁରୁପୂର୍ଣ୍ଣିମା ଆଦି ବହୁ ପର୍ବପର୍ବାଣୀ ପାଳନ କରାଯାଇଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବହୁ ଲୋକ ଏଥିରେ ଅଂଶଗ୍ରହଣ କରିଥାନ୍ତି । ବସ୍ତୁତଃ ଏହି ମନ୍ଦିର ପ୍ରବାସୀ ଭାରତୀୟ ବିଶେଷ କରି ଆମେରିକାରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ଏକ ତୀର୍ଥସ୍ଥଳୀ ପାଲଟିଛି ।

0
0
0
s2sdefault