ଅଭିଯୋଗ କାରୀଙ୍କଠାରୁ ଅଧିକାରୀ କର୍ମଚାରୀଙ୍କ ସଂଖ୍ୟା ଅଧିକ :ସନ୍ଦେହରେ ବ୍ଲକ୍ ପ୍ରଶାସନର ଭୂମିକା
ମେଲଚ୍ଛାମୁଣ୍ଡା (ମନୋଜ ଭୋଇ) : ଜିଲାପାଳ ଆସିଲେ, ଏସପି ଆସିଲେ ପିଡି ଇଆରଡିଏ ବି ଆସିଲେ, ଆଉ ଉପ ଜିଲ୍ଲାପାଳ ବି ଉପସ୍ଥିତ ଥିଲେ । ଉଦ୍ଦେଶ୍ୟ ଥିଲା ମିଳିତ ଅଭିଯୋଗ ଶୁଣାଣି ଶିବିର ମାଧ୍ୟମରେ ଜିଲ୍ଲାର ଶୀର୍ଷ ଅଧିକାରୀ ଲୋକଙ୍କ ଅଭିଯୋଗ ବା ସମସ୍ୟା ଶୁଣି ତ୍ୱରିତ ସମାଧାନ କରାଇବା ବା କରିବା ପାଇଁ ସମସ୍ତଙ୍କ ଉପସ୍ଥତିରେ ନିର୍ଦ୍ଦେଶ ଦେବେ । ପ୍ରଶାସନ ଲୋକଙ୍କ ପାଖକୁ ଆସିବାର ମହତ ଉଦେ୍ଧଶ୍ୟ ନେଇ ଏ ବ୍ୟବସ୍ଥା ପ୍ରଚଳନ କରିଛନ୍ତି ସରକାର । ଲୋକଙ୍କ ଗୂହାରି ଶୁଣିବା ପାଇଁ ଖୋଦ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ଏସପି ଶ୍ରୀ ମୁକେଶ ଭାମୋ, ପିଡି ଡିଆରଡିଏ ଶ୍ରୀ କୃତିବାସ ରାଉତଙ୍କ ସହ ଆସିଲେ ବରଗଡରୁ ପଦ୍ମପୁରକୁ । ସାଙ୍ଗରେ ଉପ ଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଏସପି ଯାଉଛନ୍ତି ମାନେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଲାଗିଯିବା କଥା । ହେଲେ ବ୍ଲକ ପ୍ରଶାସନର ଦାୟିତ୍ୱହୀନତା ଆଉ ମିଳିତ ଶୁଣାଣୀ ସମ୍ପର୍କରେ ଆବଶ୍ୟକ ପ୍ରଚାର ଅଭାବରୁ କିନ୍ତୂ ବ୍ଳକର ଅଭିଯୋଗକାରୀ ମାନେ ଏ ଶୁଣାଣି ଶିବିରରେ ଯୋଗ ଦେବାରୁ ବଞ୍ଚିତ ହେଲେ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ସତ କହିବାକୁ ଗଲେ ସେଦିନ ଅଧିକାରୀ ଓ କର୍ମଚାରୀ ମିଶାଇ ଯେତେଜଣ ଥିଲେ, ବୋଧ ହୁଏ ଅଭିଯୋଗ କାରୀ ସେମାନଙ୍କଠାରୁ କମ ଥିଲେ । ହେଲେ ମାନନୀୟ ଜିଲ୍ଲାପାଳଙ୍କ ଗସ୍ତ ସମ୍ପର୍କରେ ଆବଶ୍ୟକ ପ୍ରଚାର ପ୍ରସାର କରିବାକୁ ବ୍ଲକ୍ ପ୍ରଶାସନକୁ ମନା କରିଥିଲା କିଏ ? କାହିଁକି ଲୋକଙ୍କ ପାଖରେ ପହଞ୍ଚି ପାରିଲାନି ଖବର !! ନିଜର ଲୋକପ୍ରିୟ ଜିଲ୍ଲାପାଳ ନିକଟରେ ଗୁହାରୀ କରିବାରୁ ବଞ୍ଚିତ କାହିିଁକି ହେଲେ ଲୋକେ !!କଣ ବ୍ଲକ ପ୍ରଶାସନର ପାରିବାର ପଣିଆ ପଦାରେ ପଡିଯିବ ବୋଲି !!! ନା ବ୍ଲକ୍ ପ୍ରଶାସନର ଗୁଡୱିଲ କମିଯିବ ବୋଲି !! ଲୋକଙ୍କ ଭିତରେ ଏଭଳି ଅନେକ ପ୍ରଶ୍ନ ଚର୍ଚ୍ଚା ହେଉଛି ସମସ୍ୟା ବହୁଳ ବରଗଡ ଜିଲ୍ଲାର ପଦ୍ମପୁର ବ୍ଲକ ଅଧିବାସୀଙ୍କ ଭିତରେ ।
ବରଗଡ ଜିଲ୍ଳା ପଦ୍ମପୁରସ୍ଥିତ ରାଜିବ ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା ଲହି ମିଳିତ ଅଭିଯୋଗ ଶୁଣାଣି ଶିବିର । ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗକାରୀଙ୍କ ସଂଖ୍ୟା କମଥିବା ଘଟଣାକୁ ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗକାରୀଙ୍କ ସଂଖ୍ୟା କମ ହେବାର କାରଣ ବର୍ଷା ଦିନ ଏବଂ ଚାଷ ସମୟ ବୋଲି ଖୋଦ ଜିଲ୍ଳାପାଳ ପ୍ରକାଶ କରିଥିବା ବେଳେ ପ୍ରଚାର ପ୍ରସାର ଦାୟିତ୍ୱ ନେଇଥିବା ବ୍ଳକ ପ୍ରଶାସନର ଖାମଖିଆଲି ମନୋଭବକୁ ଜନସାଧାରଣ ଦାୟୀ କରିଛନ୍ତି । ସୂଚନାଯୋଗ୍ୟ ଯେ, ନିର୍ବାଚନ ବ୍ୟସ୍ତତା ଯୋଗୁଁ ବ୍ଳକରେ ଦୀର୍ଘ ମାସ ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ହୋଇପାରି ନ ଥିଲା । ଲୋକଙ୍କ ପାଖରେ ଅନେକ ଅଭିଯୋଗ ମଧ୍ୟ ଥିଲା । ଜିଲ୍ଳାପାଳ ପୂର୍ବଧାର୍ଯ୍ୟ ତାରିଖରେ ଆସି ପହଞ୍ଚିଲେ ଲୋକଙ୍କ ଗୁହାରୀ ଶୁଣିବା ପାଇଁ , ହେଲେ ବ୍ଲକ୍ ପ୍ରଶାସନର ଦାୟିତ୍ୱହୀନତା ପାଇଁ ଅନେକ ଅଭିଯୋଗ କାରୀ ଏହି ଶିବିରରେ ଯୋଗ ଦେଇ ନପାରିବା ଯୋଗୁ ଅଭିଯୋଗ ସବୁ ବସାବାନ୍ଧି ଘର କୋଣରେ ପଡିରହିଲା । କାରଣ ସେମାନଙ୍କ ପାଖକୁ ପହଂଚିପାରଲାନି ଖବର । କି ଆଶ୍ଚର୍ଯ୍ୟ ବ୍ୟବସ୍ଥା । ସରକାରଙ୍କ ନିର୍ଦେଶକ୍ରମେ ଜିଲ୍ଳାପାଳ ଲୋକଙ୍କ ପାଖକୁ ଯିବେ । ଲୋକଙ୍କ ଅଭିଯୋଗ ଶୁଣି ସଂପୃକ୍ତ ଅଧିକାରିଙ୍କୁ ସମାଧାନ ପାଇଁ ନିର୍ଦେଶ ଦେବେ । ଅଭିଯୋଗଟିର ତୁରନ୍ତ ସମାଧାନର ବାଟ ଫିଟିବ । ସାଧାରଣ ଲୋକ ଜିଲ୍ଳା ସଦର ମହକୁମାକୁ ଦଉଡି ଖର୍ଚ୍ଛାନ୍ତରୁ ରକ୍ଷା ପାଇବେ । ମାତ୍ର ସରକାରଙ୍କ ସରଳ ନିୟମକୁ ବ୍ଳକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ମାନିବାକୁ ନାରାଜ କାହିଁକି..? ଅଭିଯୋଗସବୁ ବ୍ଳକ ସ୍ତରୀୟ ଅଧିକାରୀମାନଙ୍କ ଅବହେଳା ଉପରେ ପଡିବା ଭୟ କିମ୍ବା ଜିଲ୍ଳାପାଳଙ୍କ ପାଖରେ ଥିବା ଗୁଡ ୱିଲରେ ଦାଗ ଲାଗିଯିବା ନୁହେଁ ତ ବୋଲି ଜନସାଧାରଣରେ ପ୍ରଶ୍ନ ସବୁ ଉଙ୍କି ମାରୁଛି । ତେବେ ଯାହା ବି ହଉ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି । ଅଭିଯୋଗ ଶୁଣାଣି ଶିବିରରେ ବରଗଡ ଜିଲ୍ଳାପାଳ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀଙ୍କ ବ୍ୟତିତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୁ, ପ୍ରକଳ୍ପ ନିର୍ଦେଶକ ଶ୍ରୀ କୃତ୍ତିିବାସ ରାଉତ, ଉପଜିଲ୍ଳାପାଳ ଶ୍ରୀ ତନ୍ମୟ ଦରଓାନ, ପଦମପୁର ବିଡିଓ ଏଲିଜା ମିଶ୍ରଙ୍କ ସମତେ ସମସ୍ତ ଜିଲ୍ଳା ଏବଂ ବ୍ଳକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ହାରାହାରୀ ୮୫ହଜାର ଜନସଂଖ୍ୟା ବିଶିଷ୍ଟ ପଦମପୁର ବ୍ଳକରୁ ମାତ୍ର ୮୫ ଜଣ ଅଭିଯୋଗକାରୀ ପହଂଚି ନିଜର ଅଭିଯୋଗପତ୍ର ପ୍ରଦାନ କରିଥିବା ବେଳେ ଶିବିର ସ୍ଥଳରେ ପ୍ରାୟ ୧୫୦ରୁ ଉର୍ଧ୍ଵ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଅଭିଯୋଗ ଶୁଣାଣି ଉପରେ ଜନସାଧାରଣଙ୍କ ପାଖରେ ସୂଚନା ନ ଥିବା ବିଷୟ ଉପରେ ଶିବିର ଆୟୋଜିକା ପଦମପୁର ବିଡିଓ ଏଲିଜା ମିଶ୍ରଙ୍କୁ ପଚରାଯିବାରୁ ଜନସାଧାରଣଙ୍କ ଶିବିର ଉଦେଶ୍ୟରେ ସୂଚନା ପ୍ରଦାନ ପାଇଁ ସମସ୍ତ ପଂଚାୟତର ସରପଂଚ ଏବଂ କାର୍ଯ୍ୟନିବାହୀ ଅଧିକାରୀଙ୍କୁ ଚିଠି କରାଯାଇଛି ବୋଲି କହି କଥାକୁ ଏଡାଇ ଯାଇଥିଲେ । ଜିଲ୍ଳାପାଳ ଶ୍ରୀ ତ୍ରୀପାଠୀ ଆଗାମୀ ଦିନରେ ଜନସାଧାରଣ ଯେପରି ଠିକ ଭାବରେ ସୂଚନା ପାଇପାରିବେ ତା ଉପରେ ଅଧିକାରୀମାନଙ୍କୁ ତାଗିଦ କରାଯିବ ବୋଲି ପ୍ରକାଶ କରିଥିଲେ ।