"କାଳିଆ"ରେ ସାମିଲ ହେବେ ଆଉ ଅଧିକ ୩୩ ଲକ୍ଷ ପରିବାର
ମହିଳା ଏସଏଚଜିକୁ ୧ ହଜାର କୋଟି ଟଙ୍କାର କାମ
ଭୁୁବନେଶ୍ୱର: "କାଳିଆ"ରେ ସାମିଲ ହେବେ ଆଉ ଅଧିକ ୩୩ ଲକ୍ଷ ପରିବାର | ଏବେ ସମୁଦାୟ ୭୫ ଲକ୍ଷ ପରିବାରକୁ କାଳିଆ ଯୋଜନା ଟଙ୍କା ମିଳିବ । ପୂର୍ବରୁ ୪୨ ଲକ୍ଷ ପରିବାରଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ସେଥିରେ ଆଉ ୩୩ ଲକ୍ଷ ପରିବାରକୁ କାଳିଆ ଯୋଜନାରେ ସାମିଲ କରାଯାଇଛି । ଆଜିଠାରୁ ସପ୍ତାହକ ମଧ୍ୟରେ ୨୫ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିବ । କ୍ୟାବିନେଟ୍ ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଓ ମହିଳାମାନଙ୍କୁ ଦେଇଥିବା ଦୁଇଟି ବଡ଼ ନିର୍ବାଚନୀ ପ୍ରତିଶ୍ରୁତିକୁ ଆଜି କ୍ଷମତାକୁ ଆସିବା ମାତ୍ରେ ପାଳନ କରିଛନ୍ତି । ଆଜିଠାରୁ କାଳିଆ ଯୋଜନା ଟଙ୍କା ପ୍ରଦାନ ଆରମ୍ଭ ହେବା ସହ ମହିଳା ଏସଏଚଜି ବା ମିଶନ ଶକ୍ତି ପାଇଁ ହଜାରେ କୋଟିର କାମ ଅନୁମୋଦନ କରାଯାଇଛି ।
ସେହିଭଳି ମହିଳା ଏସଏଚଜିକୁ ୧ ହଜାର କୋଟି ଟଙ୍କାର କାମ ଅନୁମୋଦନ କରାଯାଇଛି । ୪୦ଟି ବିଭିନ୍ନ ପ୍ରକାରର କାର୍ଯ୍ୟରେ ଏସଏଚଜିମାନେ ନିୟୋଜିତ ହେବେ । ସେମାନେ ଧାନ ସଂଗ୍ରହ କରିବାଠାରୁ ଆରମ୍ଭ କରି ପିଲାଙ୍କ ୟୁନିଫର୍ମ, ମଧ୍ୟାହ୍ନ ଭୋଜନ, ହସ୍ପିଟାଲ୍ ରେ ଖାଦ୍ୟ ଯୋଗାଇବା କାର୍ଯ୍ୟଆଦି ଅନ୍ତର୍ଭୁକ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।