ବାଲେଶ୍ୱର,(ଉଜ୍ଜ୍ୱଳ କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାଟିକୁୁ ଆଶାତୀତ ସଫଳତା ମିଳିଥିବା ବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକ ପଞ୍ଚମଥର ରାଜ୍ୟର ଶାସନଭାର ଗ୍ରହଣ ପାଇଁ ଜନାଦେଶ ପାଇଛନ୍ତି । ଅନ୍ୟପକ୍ଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି ବାଲେଶ୍ୱର ଲୋକସଭା ଆସନକୁ ବିଜେଡି ଠାରୁ ଛଡାଇ ନେଇଛି । ଲୋକପ୍ରିୟ ଜନନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ପ୍ରତାପ ନନା) ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରବୀନ୍ଦ୍ର କୁମାର ଜେନାଙ୍କୁ ୧୨,୯୫୬ ଖଣ୍ଡ ଭୋଟରେ ପରାସ୍ତ କରି ୧୦ ବର୍ଷ ପରେ ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିର ବିଜୟର ବାନା ଉଡ଼ାଇଛନ୍ତି । ସେ ୪୧.୭୯ ପ୍ରତିଶତ ହିସାବରେ ମୋଟ ୪ ଲକ୍ଷ ୮୩ ହଜାର ୮୫୮ ଖଣ୍ଡ ଭୋଟ ପାଇଥିବା ବେଳେ ରବୀନ୍ଦ୍ର ଜେନା ୪ ଲକ୍ଷ ୭୦ ହଜାର ୯୦୨ ଖଣ୍ଡ ଭୋଟ ପାଇଛନ୍ତି । ଏହି ନିର୍ବାଚନରେ ଅନ୍ୟତମ ପ୍ରାର୍ଥୀ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ମାତ୍ର ୧ ଲକ୍ଷ ୭୯ ହଜାର ୪୦୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାର ୮ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିବା ନିର୍ବାଚନରେ ବିଜେଡି ୬ ଟି ଆସନ ଦଖଲ କରିଥିବା ବେଳେ ବିଜେପି ମାତ୍ର ୨ ଟି ଆସନ ପାଇବାକୁ ସକ୍ଷମ ହୋଇଛି । ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ମଦନ ମୋହନ ଦତ୍ତ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଜୀବନ ପ୍ରଦୀପ ଦାଶଙ୍କୁ ୧୩,୪୦୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସେହିପରି ରେମୁଣା ନିର୍ବାଚନମଣ୍ଡଳୀରେ ବର୍ତ୍ତମାନର ବିଧାୟକ ବିଜେପିର ଗୋବିନ୍ଦ ଚନ୍ଦ୍ର ଦାସ ବିଜେଡିରୁ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ୁଥିବା ସୁଧାଂଶୁ ଶେଖର ପରିଡ଼ାଙ୍କଠାରୁ ୪୧୧୮ ଭୋଟରେ ପରାସ୍ତ ହୋଇଛନ୍ତି । ସେମିତି ନୀଳଗିରିରେ ବିଜେପିର ସୁକାନ୍ତ କୁମାର ନାୟକ ଓ ବିଜେଡିର ସନ୍ତୋଷ କୁମାର ଖଟୁଆଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଭୋଟ ଗଣତିର ଶେଷ ପର୍ଯ୍ୟାୟରେ ସୁକାନ୍ତ ମାତ୍ର ୧୫୭୭ ଖଣ୍ଡ ଭୋଟରେ ସନ୍ତୋଷଙ୍କୁ ପରାସ୍ତ କରିଛନ୍ତି । ଅନ୍ୟପକ୍ଷରେ ଉତ୍ତର ବାଲେଶ୍ୱରର ବସ୍ତା, ଜଳେଶ୍ୱର ଓ ଭୋଗରାଇ ସମେତ ସୋର ଓ ସିମୁଳିଆରେ ବର୍ତ୍ତମାନର ବିଜେଡି ବିଧାୟକ ନିଜ ନିଜର ଆସନ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଛନ୍ତି । ବସ୍ତାରେ ବିଜେଡିର ନିତ୍ୟାନନ୍ଦ ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବିଜନ ନାୟକଙ୍କଠାରୁ ୧୧,୮୬୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେଠାରେ ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ତୃତୀୟ ସ୍ଥାନରେ ରହିଛନ୍ତି । ଜଳେଶ୍ୱରରେ ବିଜେଡିର ଲୋକପ୍ରିୟ ନେତା ଅଶ୍ୱିନୀ କୁମାର ପାତ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଜୟନାରାୟଣ ମହାନ୍ତିଙ୍କୁ ଜିଲ୍ଲାର ସର୍ବାଧିକ ବ୍ୟବଧାନ ୩୫,୪୪୩ ଖଣ୍ଡ ଭୋଟରେ ହରାଇ ବିଜୟ ଲାଭ କରିଛନ୍ତିି । ଭୋଗରାଇରେ ବିଜେଡିରୁ ତୃତୀୟଥର ପାଇଁ ପ୍ରାର୍ଥୀ ହୋଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ସତ୍ୟଶିବ ଦାସଙ୍କଠାରୁ ୧୬,୮୭୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେହିପରି ସୋର ନିର୍ବାଚନମଣ୍ଡଳୀରେ ବିଜେଡିର ପର୍ଶୁରାମ ଧଡ଼ା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରାକେଶ କୁମାର ମଲ୍ଲିକଙ୍କଠାରୁ ୪,୯୩୬ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ସିମୁଳିଆ ନିର୍ବାଚନମଣ୍ଡଳୀରେ ବିଜେଡିର ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପିଜେପିର ପଦ୍ମଲୋଚନ ପଣ୍ଡାଙ୍କୁ ୧୪,୯୫୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ୨୦୧୪ ମସିହା ନିର୍ବାଚନ ତୁଳନାରେ ବିଜେପି ନିଜର ଭୋଟହାର ବୃଦ୍ଧି କରିଥିବା ବେଳେ ଏଥର ଅଧିକ ଗୋଟିଏ ଆସନ ଅକ୍ତିଆର କରିଛି । ତେବେ ବାଲେଶ୍ୱର ଲୋକସଭା ଆସନ ଏବଂ ସଦର ବିଧାନସଭା ଆସନ ବିଜେପି ହାତକୁ ଯିବା ବିଷୟ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଜିଲ୍ଲାରେ ବିଜେଡି ୬ ଆସନ ପାଇଥିବା ସତ୍ତ୍ୱେ ସଦର ମହକୁମା ଆସନ ହାତେଇଥିବାରୁ ବିଜେପି କର୍ମୀଙ୍କ ମହଲରେ ଅଭୁତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଛି ।