ବଣାଇରୁ ସୁନ୍ଦରଗଡ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆ : ପଶୁ ସମ୍ପଦ ସୁରକ୍ଷା ବିଭାଗ ପଖ୍ୟରୁ ପ୍ରତ୍ୟେକ ବ୍ଳକରେ ରହିଛି ପ୍ରାଣୀ ଚିକିତ୍ସାଳୟ ଓ ପ୍ରତ୍ୟେକ ବ୍ଳକରେ ଚାଲିଛି ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା।ହେଲେ ପ୍ରାଣୀ ଚିକିତ୍ସା ବିଭାଗରେ ନିଯୁକ୍ତ ଡାକ୍ତର ଓ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ଓ ଲହୁଣୀପଡା ବ୍ଳକରେ ପ୍ରାଣୀଚିକିତ୍ସା ବ୍ୟବସ୍ଥା ଏକପ୍ରକାର ବିପର୍ଯ୍ୟସ୍ତ ଅବସ୍ଥାକୁ ଚାଲିଆସିଛି।ହେଲେ ପ୍ରାଣୀ ସମ୍ପଦର ସୁରକ୍ଷା ପ୍ରତି ଏପ୍ରକାର ଦାୟିତ୍ୱହୀନତା ତଥା ପଶୁ-ଅଧିକାର ପ୍ରତି ଏପ୍ରକାର ଅଣଦେଖା ପ୍ରସଙ୍ଗରେ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଦାୟିତ୍ୱହୀନ କର୍ମଚାରିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଶ୍ବହିନ୍ଦୁ ପରିଷଦର ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ। ଏହି ପରିପ୍ରେକ୍ଷୀରେ ଆଜି ଶ୍ରୀ କୁସୁମ ନିଜ ସହଯୋଗୀଙ୍କ ସହ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଡା.ପ୍ରତାପ କୁମାର ଖମାରିଙ୍କୁ ସାଖ୍ୟାତ କରି ଗୁରୁଣ୍ଡିଆ ବ୍ଳକ ପ୍ରାଣୀଚିକିତ୍ସା ଅଧିକାରୀ ଡା.କଳ୍ପତରୁ ସ୍ବାଇଁ,ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବାର ଗୁରୁଣ୍ଡିଆ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା.ରୋଜାଲିନ ସାହୁ ଓ ଫୁଲଝର ପ୍ରାଣୀଧନ ନିରିକ୍ଷକ ଅନିତା ଭୁକ୍ତା ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଅତଶିଘ୍ର ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଛନ୍ତି। ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ଭିଏଚପି ପଖ୍ୟରୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଦର୍ଶାଯାଇଛି ଯେ,ଗୁରୁଣ୍ଡିଆ ବ୍ଳକ ପ୍ରାଣୀ ଚିକିତ୍ସାଳୟ ଭୁତକୋଠିରେ ପରିଣତ ହୋଇ ସାରିଥିବା ବେଳେ,ବ୍ଳକ ପ୍ରାଣୀଚିକିତ୍ସା ଅଧିକାରୀ 22 କିଲୋମିଟର ଦୁରବର୍ତ୍ତୀ ବଣାଇ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ପରିସରରେ ରହି ମଉଜ କରୁଛନ୍ତି।ବିଭିଓ ବଣାଇରେ ରହୁଥିବା ତଥା ଗୁରୁଣ୍ଡିଆ ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟ କରୁନଥିବା ଯୋଗୁଁ ଗୁରୁଣ୍ଡିଆ ତଥା ଆଖପାଖ ଅଞ୍ଚଳର ଅନେକ ଗରିବ ଚାଷୀମାନେ ନିଜ ଗୃହପାଳିତ ପଶୁଙ୍କ ଉପଯୁକ୍ତ ଚିକିତ୍ସା କରିବାରୁ ବଞ୍ଚିତ ହେଉଛନ୍ତି।ତାଛଡା ଗୁରୁଣ୍ଡିଆ ବ୍ଳକରେ ଭ୍ରାମ୍ୟମାଣ୍ୟ ପ୍ରାଣୀଚିକିତ୍ସା ସେବା ବ୍ୟବସ୍ଥା ଆହୁରି ବିପର୍ଯ୍ୟସ୍ତ।ଭ୍ରାମ୍ୟମାଣ୍ୟ ଚିକିତ୍ସା ସେବାର ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା.ରୋଜାଲିନ ସାହୁ ସରକାରୀ ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟ ନକରି ତଥା ଟୁର ଡାଏରି ଅନୁସାରେ କୌଣସି ଗ୍ରାମକୁ ନଯାଇ ମନଇଚ୍ଛା ବ୍ୟୟପତ୍ର ପ୍ରସ୍ତୁତ କରି ସରକାରୀ ଅର୍ଥ ହଡପ କରୁଛନ୍ତି।ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ବିଭିଓ ମୁଖ୍ୟାଳୟର 5 କିଲୋମିଟର ଭିତରେ ରହି 24 ଘଣ୍ଟା ଚିକିତ୍ସାସେବା ଯୋଗାଇବା ଉଚିତ।ସେହିପରି ଭ୍ରାମ୍ୟମାଣ୍ୟ ଚିକିତ୍ସା ସେବାର ଅତିରିକ୍ତ ପ୍ରାଣୀ ଚିକିତ୍ସକ ବ୍ଳକ ମୁଖ୍ୟାଳୟରେ ରହିବା ସହିତ ମାସରେ 40 ଟି ଅପହଞ୍ଚ ଗ୍ରାମକୁ ଯାଇ ଗୃହପାଳିତ ପଶୁଙ୍କ ଟିକାକରଣ,ରୋଗାକ୍ରାନ୍ତ ପଶୁଙ୍କ ଚିକିତ୍ସା,ପ୍ରାଣୀ ସମ୍ପଦର ଯତ୍ନ ଓ ସୁରକ୍ଷାକୁ ନେଇ ସଚେତନତା ବୈଠକ କରିବା ଉଚିତ।ହେଲେ ବିଭିଓ ଡା.ସ୍ବାଇଁ କୌଣସି କାର୍ଯ୍ୟ ନକରି ସରକାରଙ୍କ ଦରମା ନେଉଥିବା ବେଳେ,ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା.ସାହୁ ଟୁର ଡାଏରି ଅନୁସାରେ କୌଣସି ଅପହଞ୍ଚ ଗ୍ରାମକୁ ନଯାଇ,ପଶୁ ଟିକାକରଣ ନକରି,ରୋଗାକ୍ରାନ୍ତ ପଶୁଙ୍କ ଚିକିତ୍ସା ନକରି,ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ କୌଣସି ଗ୍ରାମରେ ସଚେତନତା ବୈଠକ ନକରି ମନଇଚ୍ଛା ବ୍ୟୟପତ୍ର ପ୍ରସ୍ତୁତକରି ସରକାରୀ ଅର୍ଥ ହଡପ କରୁଛନ୍ତି।ଯାହାକି ସରକାରୀ ମାର୍ଗଦର୍ଶିକାର ଶତପ୍ରତିଷତ ଉଲଘଂନ ଅଟେ।ଡା.ସ୍ବାଇଁ ଓ ଡା.ସାହୁଙ୍କ ଏପ୍ରକାର ଦାୟିତ୍ୱହୀନତା ଯୋଗୁଁ ଗୁରୁଣ୍ଡିଆ ବ୍ଳକର 145 ଟି ରାଜସ୍ବ ଗ୍ରାମର 13000 ରୁ ଉର୍ଦ୍ଧ ପ୍ରାଣୀ ସମ୍ପଦ ଚିକିତ୍ସାରୁ ବଞ୍ଚିତ ହେଉଥିବା ବେଳେ, ବିଗତ ତିନିମାସ ମଧ୍ୟରେ 268 ଟି ପ୍ରାଣୀଧନ ଚିକିତ୍ସାରୁ ବଞ୍ଚିତ ହୋଇ ମୃତ୍ୟୁମୁଖରେ ପଡିଛନ୍ତି।ଯାହାକି ପ୍ରାଣୀ ସମ୍ପଦର ସୁରକ୍ଷାକୁ ନେଇ ବହୁତ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁଠାରୁ ବେଶୀ ଆଶ୍ଚର୍ଯ୍ୟଜନକ କଥା ହେଉଛି ଲହୁଣୀପଡା ବ୍ଳକ ଅନ୍ତର୍ଗତ ଫୁଲଝର ପ୍ରାଣୀ ଚିକିତ୍ସାଳୟର ପ୍ରାଣୀଧନ ନିରିକ୍ଷକ ଅନିତା ଭୁକ୍ତା ଫୁଲଝରରେ ପ୍ରାଣୀଚିକିତ୍ସା ନକରି ବଣାଇ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ସର୍ବେସର୍ବା ସାଜିଛନ୍ତି।ବଣପାହାଡ ଘେରା ଫୁଲଝର ପଞ୍ଚାୟତର 8 ଟି ଗ୍ରାମରେ 1200 ରୁ ଉର୍ଦ୍ଧ ପ୍ରାଣୀ ସମ୍ପଦ ରହିଥିବା ବେଳେ,ଚିକିତ୍ସା ଅଭାବରୁ ପ୍ରତ୍ୟେକ ବର୍ଷ 100 ରୁ ଉର୍ଦ୍ଧ ପ୍ରାଣୀ ସମ୍ପଦ ମୃତ୍ୟୁମୁଖରେ ପଡୁଛନ୍ତି। ଗତ କିଛିଦିନ ପୁର୍ବରୁ ଫୁଲଝର ଭଗବାନ ସାହିର ବିଷ୍ଣୁ ମୁଣ୍ଡାରିଙ୍କ 15 ଟି ଛେଳି ମୃତ୍ୟୁବରଣ କରିବା କଥା ଏହାର ନିଛକ ଉଦାହରଣ।ହେଲେ ପ୍ରାଣୀ ସମ୍ପଦର ଏପ୍ରକାର ସଙ୍କଟାପନ୍ନ ପରିସ୍ଥିତିରେ ଫୁଲଝର ପ୍ରାଣୀଧନ ନିରିକ୍ଷକ ଅନିତା ଭୁକ୍ତା ଫୁଲଝରରେ ପ୍ରାଣୀଚିକିତ୍ସା ନକରି ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟରେ କେମିତି କାର୍ଯ୍ୟ କରୁଛନ୍ତି ତାହା ନିଶ୍ଚିତ ଭାବରେ ତଦନ୍ତ ସାପେକ୍ଷ। ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅତିଶୀଘ୍ର ଦାୟିତ୍ୱହୀନ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟତ୍ର ବଦଳି କରିବା ପାଇଁ ଭିଏଚପି ପଖ୍ୟରୁ ସିଡିଭିଓଙ୍କୁ ଦାବି କରାଯାଇଛି।ଯଦି କାର୍ୟାନୁଷ୍ଠାନ ଗ୍ରହଣ କରିବାରେ କୋହଳ ମନୋଭାବ ପୋଷଣ କରାଯାଏ ତାହେଲେ ଭିଏଚପି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବ ବୋଲି ମଧ୍ୟ ଶ୍ରୀ କୁସୁମ ଚେତାବନୀ ଦେଇଛନ୍ତି। ଏହି ସାଖ୍ୟାତ ଆଲୋଚନା କାଳରେ ଶ୍ରୀ କୁସୁମଙ୍କ ସହିତ ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ଉପ-ସଭାପତି କିଶୋର ପଟେଲ, ନାରିଶକ୍ତି ମଞ୍ଚର ପ୍ରାନ୍ତ ସମ୍ପାଦିକା ଯଶୋନ୍ତି ବାଗ,ବଜରଙ୍ଗ ଦଳର ଅନିଲ ଚୌଧୁରୀ, ପ୍ରିତମ ଭୋଇ ପ୍ରମୁଖ ସାମିଲଥିଲେ।
ରାଜ୍ୟ
ବଣାଇ ଉପଖଣ୍ଡରେ ପ୍ରାଣୀଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ, ସିଡିଭିଓଙ୍କୁ ଭିଏଚପିର ସ୍ମାରକପତ୍ର
- Hits: 487