ବିଡିଏ ଅଧ୍ୟକ୍ଷ ହେଲେ ଅନନ୍ତ, ଆଉ ବିଧାୟକ ହେବେ କେମନ୍ତ !!!
ଭୁବନେଶ୍ୱର: ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ନବୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି | ନବୀନ ବାବୁଙ୍କ ଶାସନରେ ପ୍ରଥମ ଥର ପାଇଁ ଜଣେ ଅଣମନ୍ତ୍ରୀଙ୍କୁ ବିଡିଏ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି | କାରଣ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଯିଏ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରୀ ରୁହନ୍ତି ସେ ଏକ୍ସ ଅଫିସିଓ ଅଧ୍ୟକ୍ଷ ରହି ଆସିଥିଲେ | ନବିନ ବାବୁ ପୂର୍ବରୁ ଯେତେଥର ନିଗମ, ବୋର୍ଡ ବା ଅଥରିଟି ଅଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି କେବେ ହେଲେ ବିଡିଏରେ କୌଣସି ଅଣ ମନ୍ତ୍ରୀଙ୍କୁ ବିଡିଏ ଅଧ୍ୟକ୍ଷ ନିଯୁକ୍ତି ଦେଇ ନଥିଲେ | ହେଲେ ବୁନୁଙ୍କୁ ହଠାତ ଆଚରଣ ବିଧି ଲାଗୁ ହେବାକୁ ଦୁଇ ଚାରିଦିନ ଥିବା ବେଳେ ବିଡିଏ ଅଧ୍ୟକ୍ଷ ନିଯୁକ୍ତ କରିବା ପଛରେ କାରଣ କଣ ହୋଇପାରେ ବୋଲି ଏବେ ଚର୍ଚା | ତାଙ୍କୁ କଣ ବିଧାୟକ ଟିକଟ ମିଳିବନି ତାହେଲେ ! ତାଙ୍କର ଯେଉଁ ଆଶା ଥିଲା ଭୁବନେଶ୍ୱରୀ ବା ଖୋର୍ଦ୍ଧାରୁ ବିଧାୟକ ଭାବେ ଠିଆ ହେବେ ବୋଲି ତାହା କଣ ସ୍ବପ୍ନରେ ରହିଯିବ | ନା କିଛି ଇଂଟରନାଲ ରିପୋର୍ଟ ଆସିଲା ଯେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ବୁନୁ ବିଧାୟକ ଭାବେ ଠିଆ ହେଲେ କି ଉତ୍ତରରେ ଥଇଥାନ କଲେ କି ଖୋର୍ଦ୍ଧାରେ ବିଧାୟକ ଭାବେ ଠିଆ କରାଇଲେ ତାହାର ପ୍ରଭାବ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ ଉପରେ ପଡିବ ବୋଲି !! ନିର୍ବାଚନରୁ ବା ଏପରିକି ପ୍ରଚାରରୁ ଦୁରେଇ ରଖି ଫ୍ଲୋର ମ୍ୟାନେଜମେଣ୍ଟ ଦାୟିତ୍ୱରେ ବୁନୁଙ୍କୁ ନିୟୋଜିତ କରିବା ପାଇଁ ଏଭଳି ପଦକ୍ଷେପ ନେଇଥିବା ଚର୍ଚା ହେଉଛି | କାରଣ ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କଲେ ବା ପ୍ରଚାରରେ ଓହ୍ଲାଇଲେ ତାଙ୍କ ପାଇଁ ସେଇ ବହୁ ଚର୍ଚିତ ସେକ୍ସ ଭିଡିଓ କଣ୍ଟା ସାଜିପାରେ | କେବଳ ତାଙ୍କ ପାଇଁ ନୁହେଁ, ଦଳ ପାଇଁ ମଧ୍ୟ ତାହା ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ବୋଧ ହୁଏ ଦଳ ଚିନ୍ତା କରିଛି |
ଯଦିଓ କହିବା ଆଗୁଆ ହୋଇଯିବ, ତଥାପି ବୁନୁ ବିଧାୟକ ପ୍ରାର୍ଥୀ ଭାବେ ନଲଢ଼ିବ ଆପାତତଃ ଥୟ | ଆଉ ଏ ଖବର ପାଇବା ପରେ ମେୟରଙ୍କ ପାଖ ଶିବିରରେ ସାମାନ୍ୟ ନିରାଶା ଖେଳିଯାଇଛି | ମୁଖ୍ୟମନ୍ତ୍ରି ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ସୁଚାରୁ ରୂପେ ତୁଲାଇବି ବୋଲି କହିଲେ ସିନା, ମୁହଁରେ ଜମା ସନ୍ତୁଷ୍ଟି ନଥିଲା | ହେଲେ ଯାବତୀୟ ଗୋଷ୍ଠୀ କନ୍ଦଳ ଆଉ ଅସନ୍ତୋଷ ସାମନା କରୁଥିବା ବିଜେଡି ଅତି ସନ୍ତର୍ପଣରେ ଏଭଳି ନିଷ୍ପତ୍ତି ନେଇ ଗୋଟାଏ ସେଫ ଚାଲ ଖେଳିଛି | କାରଣ ମୁକ୍ତିଲାଭ ଅପେକ୍ଷାରେ ରହିଛି ମେୟରଙ୍କ ବିରୋଧରେ ଆପତ୍ତି ଜଣକ ସିଡ଼ି | ଇଂଜିନିୟରିଂ ଛାତ୍ର ଋଷି ହତ୍ୟାକାଣ୍ଡ ଏବଂ ବ୍ଲୁ ସିଡ଼ି ମାମଲା ବିବାଦରେ ଛନ୍ଦି ହୋଇଥିଲେ ବୁନୁ | ଯାହା ହେଉ କୌଣସି କାରଣରୁ ଘଟଣା ସେତେବେଳେ ଚାପି ଯାଇଥିଲା | ହେଲେ ଚାପି ଯାଇଥିଲା ସିନା, ତାହା ସୁପ୍ତ ହୋଇ ରହିଥିଲା | ଭୋଟ ବେଳେ ସେ ସିଡ଼ି ବଜାରରେ ମୁକ୍ତିଲାଭ କରିବା ଅପେକ୍ଷାରେ, ପୁଣି ନାଟ୍ୟ ରୂପାନ୍ତର ସହ | ଗୋଲଡେନ ବାବା କେଶ ବି ତାଙ୍କୁ ଓ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା | ରାସନ କାର୍ଡ ଥିଲା ବୋଲି କଟକ ମେୟରଙ୍କ ପଦବୀ ପଳାଇ ଥିଲା, ହେଲେ ବିଭିନ୍ନ ସଂଗୀନ ଅଭିଯୋଗ ଆସିଥିଲେ ବି ବୁଣୁଙ୍କ ଦେହରେ ଧୁଳି ଟିକେ ଲାଗିନଥିଲା | ତଥାପି ମୈଦାନରେ ବୁନୁଙ୍କ ଉପସ୍ଥିତି ଦଳ ପାଇଁ ଘାତକ ହେବା ବୋଲି ଅନୁଭବ କରି ତାଙ୍କୁ ବାସ୍ତବିକ ଦୁରେଇ ରଖିବା ପାଇଁ ସର୍ବୋପରି ତାଙ୍କୁ ଅସନ୍ତୁଷ୍ଟ ନକରିବା ପାଇଁ ବିଡିଏ ଅଧ୍ୟକ୍ଷ ପଦବୀ ଦିଆ ଯାଇଥିବା ଚର୍ଚା ହେଉଛି |
ସେ ଯାହାବି ହେଉ ଭୁବବେଶ୍ୱରର ରାଜନୀତିରେ ଅପରାଜିତାଙ୍କ ଆବିର୍ଭାବ ପରେ ନିଶ୍ଚିତ ଭାବେ କିଛିଟା ଚାଲେଞ୍ଜ ସୃଷ୍ଟି ହୋଇଛି | ଏଭଳି ପରିସ୍ଥିତିରେ ଦଳୀୟ ପ୍ରାର୍ଥୀଙ୍କୁ ଆଉ ଦଳକୁ ମାପଚୁପ ପଦକ୍ଷେପ ନେବାକୁ ପଡିବ | ଟିକିଏ ଭୁଲ ହୋଇଗଲେ ଏପଟ ସେପଟ ହୋଇଯାଇପାରେ | ନିଃସନ୍ଦେହ ବୁନୁ ଜଣେ ଭଲ ସଂଗଠକ, ହେଲେ ସେ ଖୋଲା ମଇଦାନକୁ ଓହ୍ଲାଇଲେ ଦଳ ପାଇଁ ଆସେଟ ହେବା ପରିବର୍ତ୍ତେ ବର୍ଡନ ପାଲଟି ଯାଇ ପାରନ୍ତି | ଟିକିଏ ବି ରିସ୍କ ନିଆଯାଇ ନପାରେ ଭୁବନେଶ୍ୱର ଭଳି ସମ୍ମାନଜନକ ଲୋକସଭା ଆସନ ପାଇଁ | ତେଣୁ ବିଜେଡି ପକ୍ଷରୁ ଏହି ପଦକ୍ଷେପ ନିଆଯିବ ଆପ୍ରୋପ୍ରିଏଟ ବୋଲି ରାଜନୈତିକ ଦୃଷ୍ଟିରୁ ବିବେଚନା କରାଯାଇପାରେ |