ଇଭିଏମ ଓ ଭିଭି ପାଟ ଉପରେ ଜିଲ୍ଲାପାଳଙ୍କ ସାମ୍ୱାଦିକ ସମ୍ମିଳନୀ ଏବଂ ସଚେତନତା ରଥର ଶୁଭାରମ୍ଭ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଗାମୀ ସାଧାରଣ ନିର୍ବାଚନ ବେଳେ ନୂତନ ଭାବେ ବ୍ୟବହାର ହେବାକୁ ଥିବା ଇଭିଏମ ଓ ଭିଭିପାଟ ଉପରେ ଦ୍ୱୀତିୟ ପର୍ଯ୍ୟାୟ ସଚେତନତା ଅଭିଯାନ ନେଇ ଜିଲ୍ଲା ସ୍ତରୀୟ ସାମ୍ୱାଦିକ ସମ୍ମିଳନୀ ଓ ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଜିଲ୍ଲାପାଳ ଅନୁପମ ସାହା ଅଧ୍ୟକ୍ଷତା କରି ଏହି କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ୨୫ ଦିନ ଧରି ଚାଲୁ ରହିବ । ଏହା ପ୍ରତ୍ୟେକ ପୌରପାଳିକା, ଗ୍ରାମାଞ୍ଚଳ ଏବଂ ସହରରେ ଦିନ ୮ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଇଭିଏମ-ଭିଭିପାଟର ବ୍ୟବହାର ଉପରେ ପ୍ରଦର୍ଶନ କରାଇ ସଚେତନ କରାଇବ । ଏହି ସଚେତନତା କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାମ୍ୱାଦିକ ମାନଙ୍କ ମାଧ୍ୟମରେ ସଫଳ କରାଇବାକୁ ନିବେଦନ କରିଥିଲେ ।
ଇଭିଏମ ଭିଭିପାଟ ଉପରେ ଜିଲ୍ଲା ବ୍ୟାପି ଭୋଟର ମାନଙ୍କୁ ସଚେତନ କରାଇବା ପାଇଁ ବାହାରେ ଥିବା ୧୪ଗୋଟି ସଚେତନତା ଅଭିଯାନ ରଥକୁ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ସାମ୍ୱାଦିକଙ୍କୁ ସୂଚନା ଦେଇ କହିଥିଲେଯେ ଗାଁ ଗହଳି ଓ ସହରାଞ୍ଚଳରେ ଯେଉଁମାନେ ଇଭିଏମ ଭିଭିପାଟ ସମ୍ପର୍କରେ ଜାଣିନାହାନ୍ତି ସେମାନଙ୍କୁ ଏହି ସଚେତନତା ରଥ ମାଧ୍ୟମରେ ସଚେତନ କରାଯିବ । ଏଥିପାଇଁ ଏହି ଦ୍ୱୀତିୟ ପର୍ଯ୍ୟାୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଜିଲ୍ଲାର ୭ଗୋଟି ବ୍ଲକାଞ୍ଚଳ ପାଇଁ ୧୪ଗୋଟି ସଚେତନତା ରଥ ବାହାରି ଲୋକମାନଙ୍କୁ ଏହି ଇଭିଏମ-ଭିଭିପାଟ ଉପରେ ସଚେତନ କରାଇବେ । ଏହାର ଉପଯୋଗ ଯେଭଳି ସମସ୍ତେ ନେଇପାରିବେ । ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଅଚ୍ୟୁତାନନ୍ଦ ଜାନୀ, ଇନଚାର୍ଜ ତହସିଲଦାର ସିମାଞ୍ଚଳ ମହାନ୍ତି, ସହକାରୀ ଉପଜିଲ୍ଲାପାଳ ସରୋଜ କୁମାର ବେହେରା, ଡି.ସି.ପି.ୟୁ ଅରୁଣ କୁମାର ତ୍ରିପାଠୀ, ଡେପୁଟୀ କଲେକ୍ଟର ଜୁବୁଲି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।