ହେଡଲାଇନସ୍:

ତିର୍ତ୍ତୋଲ ଅରଜଙ୍ଗ ଗ୍ରାମରେ ଅନେକ ନାଗସାପଙ୍କ ଆବିର୍ଭାବ,ଚାଲିଛି ପୂଜାର୍ଚ୍ଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିର୍ତ୍ତୋଲ/ପାରାଦ୍ୱୀପ:ରମେଶ ମହାନ୍ତି -ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଅରଜଙ୍ଗ ଗ୍ରାମରେ ଅଚାନକ ଆଶ୍ଚର୍ଯ୍ୟ ଜନକ ଭାବେ ଏକା ସାଙ୍ଗରେ ଅନେକ ଗୁଡିଏ ନାଗସାପଙ୍କ ଆବିର୍ଭାବ ହେବା ପରେ ଚାଲିଛି ପୂଜାର୍ଚ୍ଚନା।ଗହୀର ମଝିରେ ଆଲୋକ ସଜ୍ଜା ସାଙ୍ଗକୁ ଭଜନ କୀର୍ତ୍ତନ,ଖାଦ୍ୟପେୟ ର ଆସରରେ ଲୋକଙ୍କ ଗହଳି ବଢିବାରେ ଲାଗିଛି।ଗତ ପାଞ୍ଚ ଛଅଦିନ ତଳେ ଅରଜଙ୍ଗ ଗ୍ରାମ ଠାରୁ ଅନତି ଦୂରରେ ଥିବା ଏକ ପୁରାତନ ହୁଙ୍କାରେ କିଛି ନାଗସାପ ରତିକ୍ରିଡା କରୁଥିବାର ଅଦ୍ଭୁତ ଦୃଶ୍ୟ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।ପୁରୁଣା ମାଟିହୁଡା ଉପରେ କିଛି ନିମ୍ବଗଛ,ସାହାଡା ଗଛ ଏବଂ ଅନ୍ୟାନ୍ୟ ଗଛ ସହିତ ହୁଙ୍କା ଥିବାବେଳେ ଅନେକ ଗାତ ରହିଛି।ଅନେକ ନାଗସାପଙ୍କ ଏକା ସାଙ୍ଗରେ ଆବିର୍ଭାବ ହେବା ଭଳି ଅଲୌକିକ ଦୃଶ୍ୟକୁ ସ୍ଥାନୀୟ ଲୋକେ ଦେଖିବା ପରେ ଠାକୁରଙ୍କ ଆବିର୍ଭାବ ହୋଇଥିବା ନେଇ ଅଞ୍ଚଳରେ ପ୍ରଚାର ହୋଇଯିବାରୁ ଲୋକମାନଙ୍କ ସୁଅ ଛୁଟିଥିଲା।ସଙ୍ଗେ ସଙ୍ଗେ ଲୋକମାନେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଥିଲେ।ଏବେ ଗାଁ ଠାରୁ ଅନତି ଦୂରରେ ଥିବା ଏହି ସ୍ଥାନରେ ଆଲୋକ ସଜ୍ଜା,ମାଇକ,ପାନୀୟ ଜଳର ସୁବିଧା କରାଯିବା ସହିତ ସମ୍ପୃକ୍ତ ସ୍ଥାନକୁ ବାଡ଼ବନ୍ଦି କରି ଦାନବାକ୍ସ ରଖାଯାଇ ପୂଜାର୍ଚ୍ଚନା କରାଯାଉଛି।ଏପରିକି କେତେକ ଦାତା ରୋଷେଇ କରି ମାଗଣା ଅନ୍ନ ପ୍ରସାଦ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା। ଏମିତିକି ପବିତ୍ର ଜାଗର ମହାଶିବରାତ୍ରିରେ ଏହି ସ୍ଥାନକୁ ଶହ ଶହ ଲୋକଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଥିଲା। ଏହି ସ୍ଥାନରେ ଏତେ ଗୁଡ଼ିଏ ନାଗସାପଙ୍କ ଆବିର୍ଭାବ ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

 

0
0
0
s2sdefault