ହେଡଲାଇନସ୍:

ପଂଚାୟତିରାଜ ଶାସନ ବ୍ୟବସ୍ଥା ପ୍ରତି ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ : ସାଂସଦ ଶ୍ରୀ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାସ୍ତରୀୟ ପଂଚାୟତିରାଜ ଦିବସ ପାଳିତ 

ବାଲେଶ୍ୱର,(ଉଜ୍ଜ୍ୱଳ କର) : ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଦିବସ ସମାରୋହ-୨୦୧୯ ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଲୋକସଭା ସାଂସଦ ଇଂ ଶ୍ରୀ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇ ଓଡିଶାରେ ପଂଚାୟତିରାଜ ଶାସନ ବ୍ୟବସ୍ଥା ଏକ ନୂଆ ମୋଡରେ ପହଂଚିଥିବା ଏବଂ ବାଲେଶ୍ୱର ଜିଲ୍ଲା ସମଗ୍ର ରାଜ୍ୟରେ ଏ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିପାରିଥିବା କହିଥିଲେ । ବିଶେଷ କରି ଗ୍ରାମାଂଚଳରେ ପକ୍କା ଘର ନିର୍ମାଣ ଏବଂ କାଳିଆ ଯୋଜନାରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ଆମ ଜିଲ୍ଲାର ପ୍ରଦର୍ଶନ ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ବେଶ ଉତ୍ସାହଜନକ ବୋଲି ସେ କହିଥିଲେ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କର ପଂଚାୟତିରାଜ ଶାସନ ବ୍ୟବସ୍ଥା ପ୍ରତି ଥିବା ଅବଦାନକୁ ସ୍ମରଣ କରି ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଂସଦ, ବିଧାନସଭା ପ୍ରଭୃତିର ମହିଳାମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ଲାଗି ବିଭିନ୍ନ ସ୍ତରରେ କରୁଥିବା ଉଦ୍ୟମ ଫଳବତୀ ହେଲେ ଶାସନ ବ୍ୟବସ୍ଥାରେ ବିରାଟ ପରିବର୍ତନ ଆସିପାରିବ ବୋଲି ଆଶାପ୍ରକଟ କରିଥିଲେ । ସମ୍ମାନୀତ ଅତିଥି ଭାବେ ବାଲେଶ୍ୱର ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଏବଂ ଜିଲ୍ଲା ପରିଷଦ ସଭାପତି ନିବେଦିତା ମହାନ୍ତି ଯୋଗ ଦେଇ ପଂଚାୟତିରାଜ ଶାସନ ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଓଡିଶାର ପଂଚାୟତିରାଜ ବ୍ୟବସ୍ଥା ଦେଶର ଅନ୍ୟାନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି କହିଥିଲେ । ପଂଚାୟତିରାଜ ଶାସନ ବ୍ୟବସ୍ଥାର ପ୍ରକୃତ ସୁଫଳ ଏବେ ଆମ ରାଜ୍ୟ ପାଇପାରୁଥିବା ସେମାନେ ମତବ୍ୟକ୍ତ କରିଥିଲେ । ପଂଚାୟତିରାଜ ଶାସନ ବ୍ୟବସ୍ଥାକୁ ଦୃଢୀକରଣ କରିବା ପାଇଁ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରୟାସ ଆଗାମୀ ଦିନରେ ଆମ ରାଜ୍ୟକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବାରେ ସହାୟକ ହେବ ବୋଲି ଅତିଥିମାନେ କହିଥିଲେ । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ କ୍ଷମତାର ବିକେନ୍ଦ୍ରୀକରଣ ଏବଂ ମହିଳା ସଶକ୍ତିକରଣ ଦ୍ୱାରା ଗ୍ରାମାଂଚଳର ପ୍ରଭୂତ ବିକାଶ ହୋଇପାରିଥିବା ଉଲ୍ଲେଖ କରିଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପାଳିତ ହେଉଥିବା ପଂଚାୟତିରାଜ ଦିବସର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରି ଏଥି ଯୋଗୁଁ ରାଜ୍ୟ ତଥା ଜିଲ୍ଲାର ଗ୍ରାମାଂଚଳରେ ସାମାଜିକ, ଅର୍ଥନୈତିକ ଏବଂ ଭିତିଭୂମି କ୍ଷେତ୍ରରେ ବହୁ ଉନ୍ନତି ସାଧିତ ହୋଇପାରିଥିବା ଜିଲ୍ଲାପାଳ କହିଥିଲେ ।  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ତ୍ରିଲୋଚନ ପ୍ରଧାନ ପ୍ରାରମ୍ଭିକ ଅଭିଭାଷଣ ରଖିବା ସହ ଏହି ଦିବସ ପାଳନର ତାପôର୍ଯ୍ୟ ଏବଂ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ମାନୀତ ଅତିଥି ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ଏବଂ ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ପ୍ରମୁଖ ଏ ସମ୍ପର୍କରେ ନିଜ ଅଭିଭାଷଣ ରଖିଥିଲେ । ଏହି ଅବସରରେ ରେମୁଣା ବ୍ଲକର ଭୀମପୁରା ପଂଚାୟତ, ଖଇରା ବ୍ଲକର କୁରୁଂଟା ପଂଚାୟତ, ବାଲିଆପାଳ ବ୍ଲକର ମଧୁପୁରା ଗ୍ରାମ ପଂଚାୟତ ଏବଂ ରେମୁଣା ବ୍ଲକର ସରସ୍ୱତୀପୁର ପଂଚାୟତକୁ ସୁସ୍ଥ ପଂଚାୟତ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଫେବୃଆରୀ ମାସରେ ଅନୁଷ୍ଠିତ  ପିଠା କାର୍ଯ୍ୟକ୍ରମଗୁଡିକରେ ଶ୍ରେଷ୍ଠ  ପଂଚାୟତ ଭାବେ ମନୋନୀତ ବାହାନଗା ବ୍ଲକର ଆରୁହାବାଡ ପଂଚାୟତ, ବାଲେଶ୍ୱର ବ୍ଲକର ଜୟଦେବ କସବା, ବାଲିଆପାଳ ବ୍ଲକର ରତେଇ, ବସ୍ତା ବ୍ଲକର ସାହାଦା, ଭୋଗରାଇ ବ୍ଲକର ଏନ.ଏମ.ପଡିଆ, ଜଳେଶ୍ୱର ବ୍ଲକର କୋଟସାହି, ଖଇରା ବ୍ଲକର କୁପାରୀ, ନୀଳଗିରି ବ୍ଲକର ବେଗୁନିଆ, ଔପଦା ବ୍ଲକର ଆର.ଆର.ପୁର, ରେମୁଣା ବ୍ଲକର ସୁତେଇ, ସିମୁଳିଆ ବ୍ଲକର କହ୍ନେଇବିନ୍ଧା ଏବଂ ସୋର ବ୍ଲକର ପାଖର ଗ୍ରାମ ପଂଚାୟତଗୁଡିକୁ ସମ୍ବର୍ଦ୍ଧିତ କରାଯିବା ସହିତ ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।  ପରେ ପରେ ରାଜ୍ୟ ସଚିବାଳୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ମନ୍ତ୍ରୀ ପରିଷଦ ବୈଠକ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତାର ସିଧା ପ୍ରସାରଣ ଏଲଇଡି ସ୍କ୍ରିନ୍ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁଶ୍ରୀ ଶୁଭଶ୍ରୀ ଦାସ ଏବଂ ସୁଶ୍ରୀ ଆକାଂକ୍ଷା ପାତ୍ର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟ ସଙ୍ଗୀତ କଳାମନ୍ଦିରର କଳାକାରମାନେ “ବନେ୍ଦ ଉକ୍ରଳ ଜନନୀ” ପରିବେଷଣ କରିଥିଲେ । ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ବଂଶୀଧର ସିଂ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଭାଗୀୟ ଅଧିକାରୀମାନଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଂଚଳ ଓ ଗ୍ରାମ ପଂଚାୟତର ଜନପ୍ରତିନିଧି, ଦକ୍ଷତା ବିକାଶ ସଂସ୍ଥାନର ଶିକ୍ଷାନବୀଶ, ଗଣମାଧ୍ୟମ ପ୍ରତିନିଧି ଏବଂ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 

0
0
0
s2sdefault