ହେଡଲାଇନସ୍:

ମୋଦିଙ୍କ ଯୋଜନା ସମାଜର ଗରିବଙ୍କ ପାଇଁ ସୁରକ୍ଷା କବଚ ହେବ - ଧର୍ମେନ୍ଦ୍ର ପ୍ରଧାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନ ଧନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

• ଓଡିଶା ଭଳି ରାଜ୍ୟରେ ୨ କୋଟି ଲୋକ ଏହି ଯୋଜନାରେ ଲାଭ ପାଇବେ

• ଭାରତବର୍ଷର ଅସଂଗଠିତ କ୍ଷେତ୍ରର ୪୨ କୋଟି ଲୋକଙ୍କ ଚିନ୍ତା ଦୂର ହୋଇଛି

• ୧୮ରୁ ୪୦ ବର୍ଷ ପର୍ଯ୍ୟନ୍ତ ଶ୍ରମିକ ବର୍ଗର ଏହି ଯୋଜନାରେ ସାମିଲ ହୋଇପାରିବେ

• ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନ ଯୋଜନା ବିଶ୍ୱର ସବୁଠୁ ବଡ କଲ୍ୟାଣକାରୀ ଯୋଜନା

• ଦେଶରେ ୬ ଲକ୍ଷରୁ ଉଦ୍ଧ୍ୱର୍ ଓ ଓଡିଶାର ୩୦ ହଜାରରୁ ଅଧିକ ଭାଇ ଭଉଣୀ ଯୋଡିହେଲେଣି

• ଏହି ଯୋଜନାରେ ହିତାଧିକାରୀ ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଏବଂ ଜୀବନ ଜ୍ୟୋତିର ଲାଭାର୍ଥୀ ହେବ

ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନ ଧାନ ଯୋଜନା ବିଶ୍ୱର ସବୁଠୁ ବଡ କଲ୍ୟାଣକାରୀ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଯୋଜନା ସମାଜର ସବୁଠୁ ଗରିବ ଓ ଉପେକ୍ଷିତ ବର୍ଗଙ୍କ ସୁରକ୍ଷା କବଚ ହେବ । ଶ୍ରମୟୋଗୀ ଯୋଜନାରେ ମାସିକ ୩ ହଜାର ଟଙ୍କାର ପେନ୍ସନ୍ ବ୍ୟବସ୍ଥା ଗରିବ ଲୋକର ଜୀବନକୁ ପରିବର୍ତନ କରିପାରିବ । ଭାରତ ସରକାରଙ୍କ ଛୋଟ ପଦକ୍ଷେପ ସମାନ୍ୟ ଲୋକର ଜୀବନରେ ବଡ ପରିବର୍ତନ ଆଣିପାରିବ ବୋଲି ଭୁବନେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନଧନ ଯୋଜନା ଏବଂ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଆଜି ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଆଜିଠୁ ଦେଶରେ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନା ନାଁରେ ଭାରତ ସରକାରଙ୍କ ତରଫରୁ ଦୁନିଆର ସବୁଠୁ ବଡ ପେନ୍ସନ୍ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ଅହମ୍ମଦଠାରେ ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ଭାରତବର୍ଷର ଅସଂଗଠିତ କ୍ଷେତ୍ରର ୪୨ କୋଟି ଲୋକଙ୍କ ପାଇଁ ଚିନ୍ତାର କୌଣସି ବ୍ୟବସ୍ଥା ନଥିଲା । ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ କେବଳ ପେନସନ ଦେବାର ବ୍ୟବସ୍ଥା ଥିବାରୁ ଅବସର ପରେ ସେମାନେ ଲାଭ ପାଉଥିଲେ ମାତ୍ର ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ଯଥା ଛୋଟ ବିକାଳୀ, ରିକ୍ସା ଚାଳକ, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ସଫେଇ କାର୍ଯ୍ୟ, ପେଟ୍ରୋଲ ପମ୍ପରେ ତେଲ ଭରୁଥିବା କର୍ମଚାରୀ, ଗ୍ୟାସ ବିତରକରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ପାଇଁ କୌଣସି ସାମାଜିକ ସୁରକ୍ଷା ମିଳିବାର ବ୍ୟବସ୍ଥା ନଥିଲା । ଭାରତ ସରକାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନାରେ ଭାରତବର୍ଷର ୪୨ କୋଟି ଲୋକଙ୍କ ପାଇଁ ଆରମ୍ଭ କରାଯାଇଛି । ଓଡିଶା ଭଳି ରାଜ୍ୟ ଏହି ଯୋଜନାରେ ଲାଭ ପାଇବ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ଅଢେଇ କୋଟି କାର୍ଯ୍ୟ କରୁଥିବା ଲୋକମାନଙ୍କ ମଧ୍ୟରୁ ୨ କୋଟି ଲୋକ ଅସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି । ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବାବେଳେ ନରେନ୍ଦ୍ର ମୋଦି ଏଭଳି ଏକ ବ୍ୟବସ୍ଥା କରିଛନ୍ତି । ଏହି ଯୋଜନାରେ ୧୮ରୁ ୪୦ ବର୍ଷ ପର୍ଯ୍ୟନ୍ତ ଲୋକ ଏହି ପେନ୍ସନ୍ ଯୋଜନାରେ ଯୋଗଦେଇପାରିବେ । ୧୮ ବର୍ଷର ପିଲା ୫୫ ଟଙ୍କା ଦେଲେ, ୪୦ ବର୍ଷର ଲୋକ ୨୦୦ ଟଙ୍କା ମାସକୁ ଦେବ । ଯେତିକି ଟଙ୍କା ବ୍ୟକ୍ତି ଦେବ, ସେତିକି ଟଙ୍କା ଭାରତ ସରକାର ଦିଲ୍ଲୀରୁ ପଠାଇବେ । ଏହି ଯୋଜନାରେ ବ୍ୟକ୍ତିଜଣକ ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତିର ମଧ୍ୟ ଲାଭାର୍ଥୀ ହେବ । ଭାରତବର୍ଷରେ ପ୍ରଥମ ଥର ୬୦ ବର୍ଷ ପରେ ବ୍ୟାଙ୍କ୍ ଖାତାକୁ ସିଧାସଳଖ ୩ ହଜାର ଟଙ୍କା ପେନସନ ବ୍ୟବସ୍ଥା ଆଜି ଠାରୁ ଲାଗୁ ହେଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶେଷକରି ନିମ୍ନ ଶ୍ରେଣୀର ଲୋକଙ୍କ ପାଇଁ ଏହି ବ୍ୟବସ୍ଥା ପହଁଚାଇବାକୁ ପଡିବ ଏବଂ ଏଥିରେ ଭାରତବର୍ଷରେ ଖୋଲାଯାଇଥିବା ୩ ଲକ୍ଷ ୧୫ ହଜାର କମନ୍ ସର୍ଭିସ୍ ସେଂଟର ସହାୟକ ହେବ । ଓଡିଶାରେ ୧୯ ହଜାର କମନ ସର୍ଭିସ  ସେଂଟର ଖୋଲାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନା ପାଇଁ ଆବଶ୍ୟକ ହେଉଥିବା ଦସ୍ତାବିଜ ଯଥା ଆଧାରକାର୍ଡ ଦେଇ ଶ୍ରମୟୋଗୀ ଯୋଜନାର କାର୍ଡ କରିପାରିବେ । ୫ ରୁ ୧୦ ମିନିଟରେ ଏହି କାମ ହୋଇପାରିବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନାରେ ଦେଶରେ ୬ ଲକ୍ଷରୁ ଉର୍ଦ୍ଧ୍ବ  ଓ ଓଡିଶାର ୩୦ ହଜାରରୁ ଅଧିକ ଭାଇ ଭଉଣୀମାନେ ଏହି କାର୍ଯ୍ୟକ୍ରମରେ ଯୋଡିହୋଇସାରିଲେଣି । ଓଡିଶାରେ ୨୪ ହଜାର କାର୍ଡ ତିଆରି ସରିଲାଣି । ମାତ୍ର ଏଥିପାଇଁ ଓଡିଶା ସରକାରଙ୍କ ସହଯୋଗ ମିଳୁନାହିଁ । ବିଶେଷତଃ ନିର୍ମାଣ ଶ୍ରମିକ, ଉଠା ଦୋକାନୀ, ଦିନ ମଜୁରିଆମାନେ ଏହି ଯୋଜନାରେ ଲାଭ ପାଇବେ । ଓଡିଶା ସରକାରଙ୍କ କୌଣସି ଯୋଜନାରେ ମାସିକ ୩ ହଜାର ଟଙ୍କା ପେନସନ୍ ମିଳିବାର କୌଣସି ବ୍ୟବସ୍ଥା ନାହିଁ । କିନ୍ତୁ ରାଜ୍ୟ ସରକାର ଏଥିରେ ସହଯୋଗ କରୁନାହାନ୍ତି । ଲୋକଙ୍କୁ କମନ୍ ସର୍ଭିସ ସେଂଟରକୁ ଯିବାକୁ ବିରୋଧ କରାଯାଉଛିା ଜିଲ୍ଲାପାଳମାନେ ମଧ୍ୟ ଏଥିପାଇଁ ଯେଉଁ ଦାୟିତ୍ୱ ନେବାକଥା ତାହା ନେଉନାହାନ୍ତି । ଶ୍ରୀ ପ୍ରଧାନ ଓଡିଶାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଏହି ଯୋଜନାରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ଭଳି ରାଜ୍ୟରେ ମୋଦି ସରକାର ଗରିବ ଲୋକଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା, ଶୌଚାଳୟ ନିର୍ମାଣ, କିଷାନ ସମ୍ମାନ ନିଧି ଯୋଜନା ଓ ଆଜି ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ରାଜନୈତିକ ଚାପର ବଶବର୍ତୀ ହୋଇ ଗରିବ ଓଡିଆ ଲୋକମାନଙ୍କ ଉପରେ ଓଡିଶାର ପ୍ରଶାସନିକ ଅଧିକାରୀମାନେ ଦାଉ ସାଜୁଛନ୍ତି । ଓଡିଆ ଲୋକମାନଙ୍କ କରଖଜଣାରେ ଅଧିକାରୀ ମାନଙ୍କୁ ଦରମା ମିଳୁଛି । ଗତ ୨୦ ବର୍ଷ ତଳେ ଓଡିଶାରେ ଋଣ ଭାର ୧୮ ହଜାର ଟଙ୍କା ଥିବା ବେଳେ ଆଜି ହଜାର ହଜାର କୋଟି ଟଙ୍କା ଋଣଭାର ହେଲାଣି । ୧୯ ବର୍ଷର ତଥାକଥିତ ସୁଶାସନର ପରିଣାମ ପାଖାପାଖି ୧ ଲକ୍ଷ କୋଟି ଟଙ୍କାର ଋଣଭାଣ ଓଡିଆ ଲୋକଙ୍କ ଉପରେ ପଡିଲାଣି । ଏ ସମୟରେ ଯଦି ନରେନ୍ଦ୍ର ମୋଦି ଓଡିଆ ଲୋକଙ୍କ ପାଇଁ ସରକାରୀ ଯୋଜନାରେ ବିଜୁଳି, ଗ୍ୟାସ, ଶୌଚାଳୟ, ଆୟୁଷ୍ମାନ ଯୋଜନାରେ ସ୍ୱାସ୍ଥ୍ୟର ସହଯୋଗ, ବାର୍ଷିକ ଚାଷୀଙ୍କୁ ୬ ହଜାର ଟଙ୍କା ବ୍ୟବସ୍ଥା, ୬୦ ବର୍ଷରୁ ଉଦ୍ଧ୍ୱର୍ ଲୋକକୁ ପେନସନର ସବୁ ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି ତା ହେଲେ ଓଡିଶାର ପ୍ରଶାସନିକ ଅଧିକାରୀମାନେ ସହଯୋଗ ଭୂମିକା ନିର୍ବାହ କରିବା ଦରକାର । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜନୈତିକ  ତା ଜାଗାରେ ରହିବା ଉଚିତ । ଲୋକଙ୍କ କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ ଅଛି । ଏହି ଦାୟିତ୍ୱକୁ ନଭୁଲି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନର ସେବା ହିଁ ନାରାୟଣ ସେବା ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡିଆ ଲୋକଙ୍କୁ ସୁବିଧା ସୁଯୋଗ ଦେବା ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । 

0
0
0
s2sdefault