ହେଡଲାଇନସ୍:

ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରିରେ ମହାଶିବରାତ୍ର : ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ଆନ୍ଧ୍ର ସିମାନ୍ତରେ ଥିବା ଗଜପତି ଜିଲ୍ଲା ରାୟଗଡ ବ୍ଲକାଞ୍ଚଳରେ ରହିଥିବା ପୁରାଣପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରି ଶିଖରେ ମହାଶିବରାତ୍ର ଜାଗର ଯାତ୍ରା ଦିନକ ପୁର୍ବରୁ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ଜାଗର ଦିନ  ମଧ୍ୟାହ୍ନରୁ ହିଁ ୭/୮କିମି ଦୁରତା ମହେନ୍ଦ୍ରଗିରିର ପାଦଦେଶରୁ ମହେନ୍ଦ୍ରଗିରି ଶିଖରକୁ ଦୀର୍ଘ ୪ହଜାର ଫୁଟ ଉଚ୍ଚତା ବିଶିଷ୍ଟ ପାହାଡକୁ ବିଭିନ୍ନ ପାଦଚଲା ରାସ୍ତାରେ ଚଢି ଶିଖରେ ପହଞ୍ଚିଥିଲେ  । ଶ୍ରଦ୍ଧାଳୁ ଭକ୍ତ ମାନେ ରାତି ସାରା ପାହାଡ ଚଢି ଭୀମ ହନୁମାନ ହରହର ମହାଦେବ ନାମ ଧରି ଶିଖରରେ ପହଞ୍ଚିଥିଲେ ।

ପୁରାଣ ପ୍ରସିଦ୍ଧ ଶୈବପୀଠ ଏହି ମହେନ୍ଦ୍ରଗିରି ଓଡିଶା ଆନ୍ଧ୍ର ସିମାନ୍ତରେ ଏବଂ ଏହାର ଅନେକ ମାହାତ୍ମ୍ୟ ରହିଥିବା ଯୋଗୁଁ ପ୍ରତିବର୍ଷ ଭଳି ଏଥର ମଧ୍ୟ ମହାଶିବରାତ୍ର ମେଳାରେ ଆନ୍ଧ୍ର ଓ ଓଡିଶାର  ବିଭିନ୍ନ ବ୍ଲକାଞ୍ଚଳର ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲେ । ଶ୍ରଦ୍ଧାଳୁ ଭକ୍ତମାନେ ରାତିରେ ହିଁ ସ୍ନାନ କରି ଗୋକର୍ଣ୍ଣେଶ୍ୱର (କୁନ୍ତି) ମନ୍ଦିର ସମେତ ଯୁଧିଷ୍ଠିର ଓ ଭୀମମନ୍ଦିର ପ୍ରଭୃତି ଠାରେ  ଥିବା ଶିବଲିଙ୍ଗ ଦର୍ଶନ ଓ ପୂଜାର୍ଚ୍ଚନା କରି ଉଜାଗର ରହି ଜାଗର ଦୀପ ଜାଳିଥିଲେ । ଚଳିତ ଥର ମହେନ୍ଦ୍ରଗରି ଶିଖରରେ ୨/୩ ଥର ବର୍ଷା ହେବା ସହ ରାତି ସାରା ପାଗ ଅତ୍ୟନ୍ତ ବର୍ଷାଳିଆ , କାକର, କୁହୁଡି, ଶୀତ ଓ ପବନ ସକାଳ ୯ଟା ପର୍ଯ୍ୟନ୍ତ ଜାରି ହେବା ଫଳରେ ଶ୍ରଦ୍ଧାଳୁ ଭକ୍ତ ମାନେ  ସୂର୍ଯେ୍ୟାଦୟ ଦୃଶ୍ୟ ଦେଖିପାରି ନଥିଲେ ।

ପୌରାଣିକ କିମ୍ୱଦନ୍ତୀ ଅନୁଯାୟୀ ଜଣାଯାଏଯେ ସତ୍ୟଯୁଗରେ ଭଗବାନ ଶିବ ଗୋ ହତ୍ୟା ଦୋଷରୁ ମୁକ୍ତି ପାଇବା ପାଇଁ ଏହି ମହେନ୍ଦ୍ରଗିରି ଶିଖରେ ତପସ୍ୟା ଓ ଯଜ୍ଞ କରିବା ସହ ଗୋକର୍ଣ୍ଣେଶ୍ୱରଙ୍କୁ ପ୍ରତିଷ୍ଠା କରିଥିଲେ । ସେହିଭଳି ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଏଠାରେ ଅଜ୍ଞାତ ବନବାସ କରିଥିଲେ । ତ୍ରେତୟା ଯୁଗରେ ଭଗବାନ  ପର୍ଶୁରାମଙ୍କ ଏହା ତପସ୍ଥଳୀ ଥିଲା । ଅନ୍ୟପକ୍ଷରେ ଭଗବାନ ହନୁମାନ ଏହି ପର୍ବତ ଶିଖରରୁ ଲଙ୍କାକୁ ଲମ୍ପ ପ୍ରଦାନ କରିଥିଲେ । ଏହା ନୀଳମାଧବଙ୍କ ପୂଜାସ୍ଥଳୀ ଓ ଦାରୁବ୍ରହ୍ମର ଆଦ୍ୟସ୍ଥଳୀ ଏଠାରେ ପଞ୍ଚୁପାଣ୍ଡବ ଯଥା ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ, ମନ୍ଦିର ସବୁ ରହିଛି । ଏତେ ସବୁ ମାହାତ୍ମ୍ୟ ଏହି ମହେନ୍ଦ୍ରଗିରିରେ ଥିବା ଯୋଗୁଁ ଏଠାକାର ସ୍ୱତନ୍ତ୍ରତା ପ୍ରକାରେ ମହାଶିବରାତ୍ର ପୂର୍ବଦିନ ରାତିରେ ହିଁ ଜାଗର ଯାତ୍ରା ଅନୁଷ୍ଠିତ ହୋଇଥାଏ ଏବଂ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ ।

ଏହି ଅବସରରେ ଶ୍ରଦ୍ଧାଳୁମାନେ ସୁରକ୍ଷିତ ଓ ନିର୍ଭୟରେ ଯେଭଳି ମହେନ୍ଦ୍ର ଶିଖରକୁ ସହଜେ ଆସି ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ପାହାଡ ଚଢାରାସ୍ତାରେ ସ୍ଥାନେ ସ୍ଥାନେ ଲାଇଟ ବ୍ୟବସ୍ଥା ସହ ବୁରୁଖତ ଓ ମହେନ୍ଦ୍ର ଗିରି ଶିଖରରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଖୋଲାଯାଇଥିଲା । ମନ୍ଦିରରେ ଶିବଲିଙ୍ଗ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ବିଭିନ୍ନ ମନ୍ଦିରରେ ଲମ୍ୱାଧାଡି ଲାଗିଥିଲା ।

0
0
0
s2sdefault