ହେଡଲାଇନସ୍:

ହଜି ଯାଇଥବା ଆଦର୍ଶକୁ ବଞ୍ଚେଇବା ପାଇଁ ନିଆରା ପ୍ରୟାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ : ଆସନ୍ତୁ ସୁସ୍ଥ ଜୀବନ ବିତେଇ ସୁସ୍ଥ ସମାଜ ଗଠନ କରିବା । ବିଶ୍ରାମ ପାଇଁ ଦିନଟିଏ ଉତ୍ସର୍ଗ କରିବା । ବିଶ୍ୱ ବିଶ୍ରାମ ଦିବସର ପରିକଳ୍ପନା ଏବଂ ତାକୁ ଦୀର୍ଘ ୫ ବର୍ଷ ହେଲା ଡିସେମ୍ବର ୩୦ ତାରିଖରେ ପାଳି ଆସୁଥିବା ଭଦ୍ରକ ଜିଲ୍ଲାର ସମାଜସେବୀ ରାଧାକାନ୍ତ ତ୍ରିପାଠୀଙ୍କୁ ଚଳିତ ବର୍ଷ ‘ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସ’ ଦ୍ୱାରା ସମ୍ମାନିତ କରାଯାଇଛି । ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରେ ତାଙ୍କୁ ଯୋଗ ଦେବାକୁ ନିମନ୍ତ୍ରିତ କରାଯାଇଛି । ଆଜିର ଦୁନିଆରେ ଏମିତି ଲୋକ ଅଛନ୍ତି ଯିଏ ଅନ୍ୟାୟ ଅତ୍ୟାଚାରରେ ଉତ୍ପୀଡ଼ିତ  ଦଳିତ, ନିଷ୍ପେସିତ, ଉପେକ୍ଷିତ, ଦରିଦ୍ର ଓ ନିରନ୍ନ ଜନତାଙ୍କୁ ନ୍ୟାୟ ଯୋଗାଇବାର ପଣ କରିଛନ୍ତି । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ରାଧାକାନ୍ତ ତି୍ରପାଠୀ । ଅଜଣା ଅଲୋଡ଼ା ମଣିଷଙ୍କୁ ବଂଚିବାର  ରାହା ଯୋଗାଇ ସାମାଜିକ ନ୍ୟାୟ ଆନେ୍ଦାଳନର ସାରଥୀ ସାଜିଥିବା ରାଧାକାନ୍ତ ପରିବେଶ ସୁରକ୍ଷା ପାଇଁ ମଧ୍ୟ ସଂଗ୍ରାମ ଜାରୀ ରଖିଛନ୍ତି । ଆଜିର ପ୍ରଚାର ପ୍ରସାର ଦୁନିଆରୁ ଦୂରରେ ରହି ସମାଜରେ ସୁଖ, ଶାନ୍ତି, ଆନନ୍ଦ ପାଇଁ ନିରବଚ୍ଛିନ୍ନ ପ୍ରଚେଷ୍ଟାର ଏଇ ନିଆରା ସଂଗ୍ରାମୀଙ୍କ କାମ ଭାରତରେ କାଶ୍ମୀରରୁ କନ୍ୟାକୁମାରୀ ତଥା ଆଣ୍ଡାମାନରୁ ଆସାମ ପର୍ଯ୍ୟନ୍ତ ପରିବ୍ୟାପ୍ତ । ପ୍ରଥମଥର ପାଇଁ ଗତ ୨୦୧୮ ଡ଼ିସେମ୍ବର ମାସରେ ପଶ୍ଚିମବଙ୍ଗରେ ମାନବାଧିକାର ଉଲଙ୍ଘନ ସଂପର୍କୀୟ ରାଷ୍ଟ୍ରୀୟ ମାନବାଧିକାର ଆୟୋଗଙ୍କ ମୁକ୍ତ ନ୍ୟାୟାଳୟ (ଓପନ କୋର୍ଟ ହିଅରିଂ) କରାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେଥିରେ ମୋଟ୍ ୧୫୦ଟି କେସ୍ ମଧ୍ୟରୁ ଶ୍ରୀ ତ୍ରିପାଠୀଙ୍କର ୪୭ଟି ମାମଲା ଆଗତ କରାଯାଇଥିଲା । ଅନୁରୁପ ଭାବେ ବିଗତ ବର୍ଷରେ ଅରୁଣଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ମାନ୍ୟବର ରାଷ୍ଟ୍ରୀୟ ମାନବାଧିକାର ଆୟୋଗଙ୍କ ଦ୍ୱାରା କରାଯାଇଥିବା ଓପନ କୋର୍ଟ ହିଅରିଂରେ ସଂପୃକ୍ତ ରାଜ୍ୟର ଲୋକମାନଙ୍କୁ ନ୍ୟାୟ ଯୋଗାଇବାରେ ଶ୍ରୀ ତ୍ରିପାଠୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । କାଶ୍ମୀରରେ ଅଶାନ୍ତି ସାଧାରଣ ଲୋକଙ୍କ ଧନଜୀବନ ହାନି ସମୟରେ ଜାତୀୟ ମାନବାଧିକାର ଆୟୋଗଙ୍କ ଠାରେ ତାଙ୍କର ୧୨ଟିରୁ ଅଧିକ କେଶ୍ରେ ମୃତ ବ୍ୟକ୍ତିଙ୍କ ଆତ୍ମୀୟ ସ୍ୱଜନଙ୍କୁ ଲକ୍ଷ ଲକ୍ଷ ଟଙ୍କା କ୍ଷତିପୂରଣ, ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ତଥା କ୍ଷତିପୂରଣ ବ୍ୟବସ୍ଥା ତଥା ସମ୍ପୂର୍ଣ୍ଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଏକ କମିଟି ଗଠନ କରିବାରେ ତାଙ୍କର ପ୍ରୟାସ ବେଶ୍ ସକ୍ଷମ ହୋଇଛି । ଜମ୍ମୁ-କାଶ୍ମୀରର ସୀମାନ୍ତ ଗ୍ରାମରେ ଶତ୍ରୁମାନଙ୍କ ଦ୍ୱାରା ବାରମ୍ବାର ଆକ୍ରମଣ, ମୌଳିକ ସୁବିଧାରୁ ବଂଚିତ  ଗ୍ରାମବାସୀଙ୍କୁ ହକ୍ ଯୋଗାଇ ତାଙ୍କର ମାନବାଧିକାର ସୁରକ୍ଷା କରିବାରେ ସେ ବେଶ୍ ସଫଳ । ଆସାମ, ନାଗାଲାଣ୍ଡ, ମିରୋରାମରେ  ବିଭିନ୍ନ ସଂଘର୍ଷରେ ହଜାର ହଜାର ଶରଣାର୍ଥୀ ତଥା ସାଧାରଣ ଜନତାଙ୍କ ସମସ୍ୟା, ଜନ ଆନ୍ଦୋଳନ  ସମୟରେ ମୃତ ଓ ଆହତମାନଙ୍କୁ କ୍ଷତିପୂରଣ ଚିକିତ୍ସା ତଥା ସୁରକ୍ଷା ପ୍ରଦାନରେ ତାଙ୍କର ଭୂମିକା ଅତୁଳନୀୟ । ଆଣ୍ଡାମାନ ନିକୋବରରେ ରହୁଥିବା ବିରଳ ଜନଜାତି ଜରାୱାମାନଙ୍କ ସୁରକ୍ଷା ତଥା ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ଯୋଗାଇବା କ୍ଷେତ୍ରରେ ତାଙ୍କ ଅବଦାନର ପଟାନ୍ତର ନାହିଁ । ତାଙ୍କର ପିଟିସନ୍ ସବୁର ଗୁରୁତ୍ୱକୁ ଉପଲବ୍ଧି କରି ଜାତୀୟ ମାନବାଧିକାର ଆୟୋଗ ୧୯୯୩ ସ୍ଥାପନର ପରଠାରୁ ପ୍ରଥମଥର ପାଇଁ ପୋର୍ଟ ବ୍ଲେୟାର କ୍ୟାମ୍ପ ସିଟିଂ ୨୦୧୭ ଜାନୁୟାରୀ ମାସରେ କରି ଉକ୍ତ ଆଣ୍ଡାମାନ ପରି ଏକ ପଛୁଆ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ କରିବାକୁ ବିଭାଗୀୟ କର୍ମକର୍ତ୍ତମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଚଳିତ ବର୍ଷ ଜାନୁୟାରୀ ମାସରେ ଜାତୀୟ ମାନବାଧିକାର ଆୟୋଗ ଭୁବନେଶ୍ୱରର ଫୁଲ୍ କମିଶନ କ୍ୟାମ୍ପରେ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ରାଧାକାନ୍ତ ତ୍ରିପାଠୀଙ୍କ ପିଟିସନର  ଶୁଣାଣି କରି ସାମାଜିକ ନ୍ୟାୟ ଯୋଗାଇବାରେ ସଫଳ ହୋଇଛି ।

ଭଦ୍ରକ ଜିଲ୍ଲା ତଳଗୋପବିନ୍ଧା ଗ୍ରାମ ପଞ୍ଚାୟତରେ ଜନ୍ମିତ ଏଇ ବିରଳ ବ୍ୟକ୍ତିତ୍ୱ ନିଜ ପଞ୍ଚାୟତର କିଛି ସମସ୍ୟାର ସମାଧାନ କରିବା ସହିତ ଜିଲ୍ଲାର ବହୁ ଚର୍ଚ୍ଚିତ ସାଳନ୍ଦୀ ସଂସ୍କାର, ରେବ-କପାଳୀ, ଗମେଇ-କାଂଶବାଂଶ ସଂସ୍କାର ଯୋଜନାରେ ଲକ୍ଷାଧିକ ଲୋକଙ୍କୁ ଚାଳିଶ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କ୍ଷତିପୂରଣ ଯୋଗାଇବା, ରାସ୍ତାଘାଟ ପୋଲ ନିର୍ମାଣ କରିବାରେ କର୍ଣ୍ଣଧାର ସାଜିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେବଳ ଭଦ୍ରକ ଜିଲ୍ଲାରେ ସେ ବିଭିନ୍ନ ସମସ୍ୟାକୁ ନେଇ ଏକ ହଜାରରୁ ଉଦ୍ଧ୍ୱର୍ କେଶ୍ କରି ଜିଲ୍ଲାର କୋଣ ଅନୁକୋଣରେ ହେଉଥିବା ଜାତୀୟ ସମସ୍ୟାକୁ ସୂଚାଇ ତା’ର ନିରାକରଣ ପାଇଁ ଜିଲ୍ଲା ପ୍ରଶାସନର ଉପଯୁକ୍ତ ପଦକ୍ଷେପ ନେବାରେ ସଫଳ ହୋଇପାରିଛନ୍ତି । ମାନବିକ ଅଧିକାର ସୁରକ୍ଷା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବାରୁ କ୍ରମାଗତ ଭାବେ ତିନିଥର (୨୦୧୧, ୨୦୧୨, ୨୦୧୩) ମସିହା ମଧ୍ୟରେ ଲିମକା ବୁକ୍ ଅଫ୍ ରେକଡର଼୍ସରେ ନିଜର ନାମ ଯୋଡ଼ି ପାରିଛନ୍ତି । ବିଶ୍ୱ କର୍ଦ୍ଧମ ଦିବସ, ବିଶ୍ୱ ବିଶ୍ରାମ ଦିବସ ତଥା ବିଶ୍ୱ ପ୍ରତିବେଶୀ ଦିବସର ପ୍ରାଣ ପ୍ରତିଷ୍ଠାତା  ହେଉଛନ୍ତି ରାଧାକାନ୍ତ । ମଣିଷ ଜୀବନରେ ପଡ଼ିଶାର ଭୂମିକା ଏବଂ ଗୁରୁତ୍ୱ ଉପରେ ତାଙ୍କ ପାଇଁ ବର୍ଷରେ ଦିନଟିଏ ସମର୍ପଣ କରିବା ପ୍ରତିବେଶୀ ଦିବସର ଲକ୍ଷ୍ୟ । ଚଳିତବର୍ଷ ‘ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ’ରେ ଏହି ଦିବସଟି ସ୍ଥାନ ପାଇଥିବାବେଳେ  ଶ୍ରୀ ତି୍ରପାଠୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି । କାମ, କ୍ରୋଧ, ଲୋଭ ତଥା ମୋହଗ୍ରସ୍ତ ଲୋକମାନଙ୍କ ପାଇଁ ବିଶ୍ରାମର ଆବଶ୍ୟକତା ଉପଲବ୍ଧି କରାଇବାର ଲକ୍ଷ୍ୟ ନେଇ ସେ ଆରମ୍ଭ କରିଛନ୍ତି ବିଶ୍ୱ ବିଶ୍ରାମ ଦିବସ । ସାଇକେଲ୍ ଚଲାଇବା, ଶରୀର, ମନ ତଥା ପରିବେଶ ପାଇଁ ଭଲ । ସାଇକେଲ୍ ଆରୋହୀମାନଙ୍କ ଅଧିକାର ତଥା ତାଙ୍କର ସଂଗ୍ରାମ ଏବେ ଦେଶ ବିଦେଶରେ ଚର୍ଚ୍ଚିତ ।

ମାଟି, ପାଣି ଓ ପବନର ପବିତ୍ରତା ପାଇଁ ସଚେତନତା ସୃଷ୍ଟି କରୁଥିବା ବିଶ୍ୱ କର୍ଦ୍ଧମ ଦିବସ ଏବେ ଜନାଦୃତ ହେବାରେ ଲାଗିଛି । ପରିସଂଖ୍ୟାନ ଏବଂ ସଫଳତା ଦୃଷ୍ଟିରୁ ଦେଖିବାକୁ ଗଲେ ସେ ଅନେକ ଆନ୍ତର୍ଜାତୀୟ ପୁରସ୍କାର ପାଇବା ପାଇଁ ହକଦାର । ତଥା କଥିତ ଗଡଫାଦର  ଅଭାବ ଏବଂ ବିଜ୍ଞାପନ ଦୁନିଆରୁ ବାହାରେ ଥିବା ରାଧାକାନ୍ତଙ୍କ ପାଇଁ ଏହା କର୍ମମୟ ଜୀବନରେ ପ୍ରତିବନ୍ଧକ ଆଣିପାରି ନାହିଁ । ଶ୍ରୀ ତ୍ରିପାଠୀଙ୍କ  ଦ୍ୱାରା ସୁପ୍ରିମକୋର୍ଟର ଜାତୀୟ ମାନବାଧିକାର ଆୟୋଗଙ୍କ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜଗଦୀଶ୍ ସିଂ କେହେର୍ କହିଛନ୍ତି “ଆପଣ ଜନସ୍ୱାର୍ଥ ମାମଲା ଦ୍ୱାରା ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି, ଏଥିପାଇଁ ଆମେ ଆପଣଙ୍କ ନିକଟରେ କୃତଜ୍ଞ” । ମାନବାଧିକାର ଓ ପରିବେଶ ସୁରକ୍ଷାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଅତୀତରେ ୨୦୧୩ ମସିହା ଜାତୀୟ ଆଇନ୍ ଦିବସରେ ସୁପି୍ରମ୍କୋର୍ଟ ବାର୍ ଆସୋସିଏସନ୍ ଦ୍ୱାରା ତତ୍କାଳୀନ  ମୁଖ୍ୟ ବିଚାରପତି ଜଷ୍ଟିସ୍ ପି. ସଦାଶିବମ୍ ଙ୍କ  ଦ୍ୱାରା ସେ ସମ୍ବର୍ଦ୍ଧିତ । ତାଙ୍କ ଦ୍ୱାରା ଆଗତ ଅନ୍ୟ ଏକ ଜନସ୍ୱାର୍ଥ ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ନିଜ ନିର୍ଦ୍ଦେଶନାମାରେ (W.P. -399/290) ରାଧାକାନ୍ତଙ୍କୁ Public Spirited advocate  ଭାବେ ଅଭିହିତ କରିଛନ୍ତି । ଓଡ଼ିଶା ସରକାରଙ୍କ ତରଫରୁ ତାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି ।  ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ କୁପ୍ରଥା, ଶିଶୁ, ମହିଳା, ନିର୍ବିଶେଷରେ ଆବାଳ ବୃଦ୍ଧବନିତାଙ୍କ ଅଧିକାରର ସୁରକ୍ଷା ପାଇଁ ଶତତ ଚେଷ୍ଟିତ ଏହି ନିଆରା ସଂଗ୍ରାମୀଙ୍କ ବିଷୟରେ ବେଶି ଲୋକ ଜାଣନ୍ତି ନାହିଁ । କିଏ ଚିହ୍ନୁ ବା ନ ଚିହ୍ନୁ, ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଧମକ ଚମକ, ନିନ୍ଦା ଅପବାଦକୁ ଖାତିର ନକରି ନୀରଳସ ଭାବେ ଆଗେଇ ଚାଲିଛନ୍ତି ରାଧାକାନ୍ତ । ଇତିହାସର ଆଇନାରେ ଦେଖିବାକୁ ଗଲେ ସେ ଓଡ଼ିଶାରେ ମାନବାଧିକାର କ୍ଷେତ୍ରରେ ସବୁଠୁ ବଡ଼ ବିପ୍ଳବ ଆଣିଥିବା ବ୍ୟକ୍ତିତ୍ୱ । ନିଜର ବ୍ୟକ୍ତିଗତ ସୁଖ ସ୍ୱାଛନ୍ଦ୍ୟକୁ ବଳିଦେଇ ବିଭିନ୍ନ ଘାତ ପ୍ରତିଘାତକୁ ସାମ୍ନା କରି ଚାଲୁଥିବା ଏଇ ସଂଗ୍ରାମୀଙ୍କୁ ଆଜିଯାଏଁ କେହି କାଣୀ କଉଡ଼ିଟାଏର ସାହାଯ୍ୟ କରିନାହାନ୍ତି । ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ପାଇଁ ଅଗଣିତ ଜନତାଙ୍କ ଓଠରେ ହସ ଫୁଟିବା ସହିତ ଏକ ସୁସ୍ଥ ସମାଜ ପ୍ରତିଷ୍ଠା  କରିବାରେ ସାହାଯ୍ୟ କରିଆସୁଛନ୍ତି । ଯେଉଁ ମଣିଷ ଜଣକ ଏତେ ନିର୍ଯ୍ୟାତନା ସହି ରଚିଛନ୍ତି ନିଃସ୍ୱାର୍ଥପରତାର ତାଜମହଲ ତାଙ୍କ ପାଇଁ ଜନ ସହଯୋଗ ଏବଂ ସରକାରୀ ପୃଷ୍ଠପୋଷକତା  ଆଣିପାରିବ ଅଧିକରୁ ଅଧିକ ଜନସେବା ପାଇଁ ତ୍ୟାଗପୂତ ଚିନ୍ତା ଚେତନା ଏବଂ ଚଳଚଞ୍ଚଳ କର୍ମମୟ ଜୀବନ ଏହା ନିଃସନ୍ଦେହ  । 

0
0
0
s2sdefault