ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପଦ୍ମପୁର ଗ୍ରାମ ଠାରେ ଥିବା ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହାଇଟେକ ମେଡିକଲ ଅଧ୍ୟକ୍ଷ ତଥା ମହାବିଦ୍ୟାଳୟର ପ୍ରତିଷ୍ଠାତା ଡ: ତିରୁପତି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିକା ଯୁଗରେ ପାଠ ପଢି ଚାକିରୀ ପଛରେ ଗୋଡାଣିଆ ନ ହୋଇ ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ପ୍ରୋତ୍ସାହିତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର (ଓଡିଶା) ଉପକୁଳ ସଚିବ ଡ: କୁଳମଣି ଓଝା ଯୋଗଦେଇ କିଛି ଶିଖିବା ଓ ଆଗକୁ ବଢିବାକୁ ହେଲେ ଛାତ୍ରଛାତ୍ରୀମାନଙ୍କ ଏହା ହିଁ ପ୍ରକୃତ ସମୟ । ତେଣୁ ନିଷ୍ଠା ଓ ଦୃଢ ମନ ହୋଇ ଛାତ୍ରଛାତ୍ରୀମାନେ ଭବିଷ୍ୟତ ଜୀବନ ଏହି ସମୟରେ ହିଁ ସ୍ଥିର କରି ଚଲାପଥରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ଜିଲ୍ଲା ସଂଯୋଜକ ଡ: ଶଙ୍କର ପ୍ରସାଦ ବାଗଚି ଯୋଗ ଦେଇ ଛାତ୍ରଛାତ୍ରୀମାନେ ଏହି ବୟସରେ ମୋବାଇଲ ଫୋନର ସଦ୍ବିନିଯୋଗ କରିବା, ଶୃଙ୍ଖଳିତ ଓ ନିଷ୍ଠାବାନ ହୋଇ ପାଠ ପଢିବା ସହ ବ୍ୟବହାରରେ ସଂଯମତା ରକ୍ଷା କରିବା, ଗୁରୁମାନଙ୍କ ଆଦର୍ଶ ପ୍ରତି ଅନୁକରଣ କରି ପାଠ ପଢିବା ସହ ଖେଳକୁଦ ଇତ୍ୟାଦିରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୁଞ୍ଜୁ ଗମାଙ୍ଗ ଏବଂ ଓଡିଆ ଚଳଚିତ୍ର ହାସ୍ୟ ଅଭିନେତା ସୁମନ ମହାରଣା ଯୋଗଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ବାର୍ଷିକ ବିବରଣୀ ପାଠ କରି ମହାବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଅଗ୍ରଗତି ସଫଳତାଉପରେ କହି ଛାତ୍ରଛାତ୍ରୀମାନେ ଭଲ ମଣିଷ ହୋଇ ଆଗକୁ ବିଭିନ୍ନ କ୍ଷେତ୍ରରେ ସଫଳତା ଆଣିବାକୁ ପରାମର୍ଶ ଦେଇଥିଲେ । ରବିନ୍ଦ୍ର ପାଣିଗ୍ରାହୀ ସମସ୍ତ କାର୍ଯ୍ୟକ୍ରମକୁ ସମ୍ପଦନା ଓ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସୀତାରାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ସାରଥି ଶବର ଏବଂ ଛାତ୍ରୀ ସୁମାରାଣୀ ଶବର ଶ୍ରେଷ୍ଠ ଚମ୍ପିୟନ ସମେତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ । ଶେଷରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମୋହିତ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସମସ୍ତେ କାର୍ଯ୍ୟକ୍ରମକୁ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।
ରାଜ୍ୟ
ବିନୋଦିନି ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ୨୩ତମ ବାର୍ଷିକ ଉତ୍ସବ
- Hits: 416