ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ
ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହଯୋଗରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ଗୋଷ୍ଠି ଶିକ୍ଷା ଅଧିକାରୀ ମାନଙ୍କ ନିମନ୍ତେ ଶିଶୁ ସୁରକ୍ଷା ଅଧିକାର ଆଇନ, ଶିଶୁଙ୍କୁ ଉଦ୍ଧାର, ଥଇଥାନ , ସୁରକ୍ଷା ଏବଂ ଶିଶୁ ଚାଲାଣ ରଖିବା ସମ୍ପର୍କିତ ଜିଲ୍ଲା ସ୍ତରୀୟ ସଚେତନତା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତସେଠୀ ଯୋଗ ଦେଇ ଶିଶୁ ସୁରକ୍ଷା ଅଧିକାର ଆଇନ ୨୦୦୫ ଉପରେ ସମସ୍ତ ସଚେତନ ହେବା ସହ ଶିଶୁଙ୍କୁ ଉଦ୍ଧାର କରି ତାଙ୍କୁ କିଭଳି ଥଇଥାନ କରାଯିବ । ପରେ ସୁରକ୍ଷା ଯୋଗାଇ ହେବ, ଶିଶୁ ଚାଲାଣ ରଖିବା ଉପରେ କିଭଳି ମାନବିକତା ଦୃଷ୍ଟିରୁ ପଦକ୍ଷେପ ନେବାକୁ ହେବ, ଏ ଦିଗରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାର ମାନଙ୍କ ଭୁମିକା, ଦାୟୀତ୍ୱ ଓ କର୍ତ୍ତବ୍ୟ କିଭଳିି ହେବା ଦରକାର ସେ ସମ୍ପର୍କରେ ବୁଝାଇଥିଲେ । ଅନ୍ୟତମ ଅତିଥି ଭାବେ ଅବସର ପ୍ରାପ୍ତ ମୁଖ୍ୟ ବିଚାର ବିଭାଗ ମାଜିଷ୍ଟ୍ରେଟ ତଥା ଗଞ୍ଜାମ ଜିଲ୍ଲାର ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପୂର୍ବତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଦାଶ ଯୋଗଦେଇ ଶିଶୁ ସୁରକ୍ଷା ଆଇନ ୨୦୦୫ର ବିଭିନ୍ନ ଦିଗରେ କରିବା ସହ ଶିଶୁ ଚାଲାଣ ରୋକିବା ଦିଗରେ ସାଧନ କେନ୍ଦ୍ରର ସଂଯୋଜକ ଓ ଗୋଷ୍ଠି ଶିକ୍ଷା ଅଧିକାରୀ ମାନଙ୍କ ଦାୟିତ୍ୱ କିଭଳି ହେବା ଦରକାର ଓ ବିଦ୍ୟାଳୟ ଗୁଡିକରେ ସେମାନଙ୍କୁ ଆକୃଷ୍ଟ କଲାଭଳି ପଦକ୍ଷେପ ନେବା ଦରକାର, ଡ୍ରପଆଉଟ ରୋକିବା ଦିଗରେ ସେମାନଙ୍କ ଭୁମିକା କିଭଳି ହେବା ଦରକାର ତାହା ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଏବଂ ସହକାରୀ ଜିଲ୍ଲା ଅଧିକାରୀ ମନୋଜ ରଞ୍ଜନ ଦଳାଇ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଶତାଧିକ ସଂଖ୍ୟାରେ ଏହି ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ଗୋଷ୍ଟୀ ଶିକ୍ଷା ଅଧିକାରୀ ମାନେ ଯୋଗ ଦେଇଥିଲେ ।