ଖୋଲିଲା ପିୟୁଷଙ୍କ ଭାନୁମତୀ ପେଡି, ୬ମାସିଆ ବଜେଟରେ ଦେଲେ ଅଜାଡି
୨୭.୮୪ଲକ୍ଷ କୋଟି ଟଙ୍କାର ବଜେଟ୍ ଆଗତ
୧୨ କୋଟି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା
ଏହି ଯୋଜନାରେ ଚାଷୀଙ୍କୁ ମିଳିବ ବାର୍ଷିକ ୬ ହଜାର ଟଙ୍କା
ଏସସି-ଏସଟି କଲ୍ୟାଣ ପାଇଁ ୧୨୬,୮୮୭ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ
୬୦ ବର୍ଷ ପରେ ପ୍ରତି ଶ୍ରମିକଙ୍କୁ ମିଳିବ ୩ ହଜାର ଟଙ୍କା ପର୍ଯ୍ୟନ୍ତ ପେନ୍ସନ୍
ବ୍ୟକ୍ତିଗତ ଆୟକର ଛାଡ଼ ସୀମା ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି
ନୂଆଦିଲ୍ଲୀ /ଭୁବନେଶ୍ୱର - ଦେଶର ମଧ୍ୟବିତ ପରିବାର ପ୍ରତି କେନ୍ଦ୍ର ସରକାର ଉଦାସୀନ ରହି ଆସିଥିବା ବେଳେ ପୁଞ୍ଜିପତି - ଶିଳ୍ପପତିମାନଙ୍କ ପାଇଁ କେନ୍ଦ୍ର ସରକାର ମେହେରବାନ ବୋଲି ଅଭିଯୋଗ ହୋଇ ଆସୁଥିଲା | କୃଷକଙ୍କ ପ୍ରତି ମୋଦି ସରକାର ବେଦରଦ ବୋଲି କୁହାଯାଇ ଆସିଥିଲା | ଏସସି ଏସଟି ସମୁଦାୟଙ୍କ ପ୍ରତି କେନ୍ଦ୍ର ସରକାର ଅବିଚାର କରି ଆସୁଛନ୍ତି ବୋଲି ଅଭିଯୋଗ ହୋଇ ଆସୁଥିଲା | ସାଢେ ୪ ବର୍ଷ ହେଲା ଏହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ରହି ଆସିଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅସନ୍ତୁଷ୍ଟ ରହିଥିବା ଭୋଟବ୍ୟାଙ୍କକୁ ସନ୍ତୁଷ୍ଟ କରିବାକୁ ଚାହିଁଛନ୍ତି କାମଚଳା ଅର୍ଥମନ୍ତ୍ରୀ ତାଙ୍କ କାମଚଳା ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଶୁକ୍ରବାର ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷପାଇଁ ଏକ ମଧ୍ୟବର୍ତିକାଳୀନ ବଜେଟ୍ ଆଗତ କରିଛନ୍ତି । ନୂତନ ବଜେଟ୍ରେ ମୋଟ ବ୍ୟୟ ପରିମାଣ ୨୭, ୮୪, ୨୦୦ କୋଟି ଟଙ୍କା ରଖାଯାଇଛି, ଯାହାକି ଚଳିତ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୧୩.୩ ପ୍ରତିଶତ ଅଧିକ । ଚଳିତ ୨୦୧୮-୧୯ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ଅଟକଳ ଅନୁସାରେ ବିତୀୟ ନିଅଂଟକୁ କେନ୍ଦ୍ର ସରକାର ୩.୪ ପ୍ରତିଶତକୁ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି ।ଗତ ୫ ବର୍ଷ ମଧ୍ୟରେ ଦେଶରେ ୨୩୯ ବିଲିୟନ ଡଲାର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ବିନିଯୋଗ ହୋଇଛି ।
ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ତାଙ୍କ ବଜେଟ୍ ଅଭିଭାଷଣ ପ୍ରଦାନ ବେଳେ ମଧ୍ୟମବର୍ଗ ଓ ଚାଷୀକୂଳ ପାଇଁ ବଡ଼ ଘୋଷଣା କରିଛନ୍ତି । ଚାଷୀମାନଙ୍କୁ ସର୍ବନିମ୍ନ ଆୟ ପ୍ରଦାନ ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଛୋଟ ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଯୋଗାଇ ଦିଆଯିବ । ଏହାକୁ ୨ ହଜାର ଟଙ୍କା କରି ତିନୋଟି କିସ୍ତିରେ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରେରଣ କରାଯିବ । ଏହି କାର୍ଯ୍ୟକ୍ରମ ଲାଗି ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ୨୦୧୯-୨୦ ଆର୍ଥିକ ବର୍ଷଲାଗି ୭୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି କାର୍ଯ୍ୟକ୍ରମ ୨୦୧୮ ଡିସେମ୍ବର ପହିଲାରୁ ପିଛିଲା ଭାବେ ଲାଗୁ ହେବ ଏବଂ ଏଥିଲାଗି ୨୦୧୮-୧୯ ଆର୍ଥିକ ବର୍ଷଲାଗି ଅତିରିକ୍ତ ୨୦ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଉଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର ୧୨ କୋଟି ଛୋଟ ଚାଷୀଙ୍କୁ ସିଧାସଳଖ ଲାଭ ମିଳିବ ।
ଏହାସହ ବିପର୍ଯ୍ୟୟ ପ୍ରଭାବିତ ଅଂଚଳର ଚାଷୀମାନଙ୍କୁ ବଡ଼ ଧରଣର ସୁଧ ରିହାତି ମିଳିବ । ସୁଧ ହସ୍ତକ୍ଷେପ ଯୋଜନାରେ ଦୁଇ ପ୍ରତିଶତ ଏବଂ ଠିକ୍ ସମୟରେ ଋଣ ପରିଶୋଧ କରିଥିବା ଚାଷୀଙ୍କୁ ଆଉ ତିନି ପ୍ରତିଶତ ଏହିପରି ମୋଟ ୫ ପ୍ରତିଶତ ସୁଧ ରିହାତି ମିଳିବ । ଦେଶରେ ପ୍ରଥମ ଥରପାଇଁ ମତ୍ସ୍ୟ ଓ ପଶୁପାଳନ ଲାଗି ଚାଷୀଙ୍କୁ ୨ ପ୍ରତିଶତ ସୁଧ ରିହାତି ଦେବାକୁ ଘୋଷଣା କରାଯାଇଛି । ରାଷ୍ଟ୍ରୀୟ ଗୋକୁଳ ମିଶନ ଲାଗି ୨୦୧୯-୨୦ ଆର୍ଥିକ ବର୍ଷ ସକାଶେ ୭୫୦ କୋଟି ଟଙ୍କାର ବଜେଟ୍ ଘୋଷଣା କରାଯାଇଥିବା ବେଳେ ଦେଶୀୟ ପ୍ରଜାତିର ଗାଈ ସଂରକ୍ଷଣ ଲାଗି ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗଠନର ପ୍ରସ୍ତାବ ରଖାଯାଇଛି ।
ମଧ୍ୟମ ବର୍ଗକୁ ଏକ ବଡ଼ ଉପହାର ସ୍ୱରୂପ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟକ୍ତିଗତ ଆୟକର ଛାଡ଼ ସୀମା ବାର୍ଷିକ ଅଢେଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣ ୪୦ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ବ୍ୟାଙ୍କ ଓ ପୋଷ୍ଟ ଅଫିସ ସଂଚୟ ଜମା ରାଶିରେ ମିଳୁଥିବା ସୁଧ ଉପରେ ଟିଡିଏସ୍ ରିହାତି ପରିମାଣ ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଘର ଭଡ଼ା ଉପରେ ଟିଡିଏସ୍ ପରିମାଣ ୧ଲକ୍ଷ ୮୦ ହଜାରରୁ ୨ ଲକ୍ଷ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅବସର ନେଉଥିବା କର୍ମଚାରୀମାନଙ୍କ ସକାଶେ ଗ୍ରାଚ୍ୟୁଇଟି ସୀମା ୧୦ ଲକ୍ଷରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହି ନିଷ୍ପତି ଦ୍ୱାରା ପ୍ରାୟ ୩ କୋଟି ମଧ୍ୟବିତ କରଦାତା ଲାଭ ପାଇବେ ଏବଂ ଏଥିଲାଗି କେନ୍ଦ୍ର ସରକାରଙ୍କ ଉପରେ ୨୩ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ।
ନୂତନ ବଜେଟରେ ରେଳବାଇ ପାଇଁ ମୋଟ ବ୍ୟୟ ପରିମାଣ ୧ଲକ୍ଷ ୫୮ ହଜାର କୋଟି ଟଙ୍କା ସ୍ଥିର କରାଯାଇଛି । ସେଥିମଧ୍ୟରୁ କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷପାଇଁ ୬୪ ହଜାର ୫୮୭ କୋଟି ଟଙ୍କାର ବଜେଟ୍ ସହାୟତା ଦେବେ ।
ପ୍ରତିରକ୍ଷା ଲାଗି ୨୦୧୯-୨୦ ଆର୍ଥିକ ବର୍ଷରେ ୩ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି । ମନରେଗା ପାଇଁ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାର ପ୍ରସ୍ତାବ ରହିଛି । ରାଷ୍ଟ୍ରୀୟ ଶିକ୍ଷା ମିଶନ ଅଧୀନରେ ୨୦୧୯-୨୦ ବର୍ଷ ଲାଗି ୩୮, ୫୭୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧିକ । ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ବ୍ୟୟବରାଦ ଚଳିତବର୍ଷ ତୁଳନାରେ ୧୮ ପ୍ରତିଶତ ବୃଦ୍ଧି ପାଇ ୨୭, ୫୮୪ କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଛି ।
ତଫସିଲଭୁକ୍ତ ଜାତି ଉପଜାତିର କଲ୍ୟାଣ ନିମନ୍ତେ ଉଦ୍ଧିଷ୍ଟ ବଜେଟ୍ରେ ମଧ୍ୟ ବଡ଼ଧରଣର ବୃଦ୍ଧି ଘଟିଛି । ତଫସିଲଭୁକ୍ତ ଜାତିଙ୍କ କଲ୍ୟାଣ ସକାଶେ ଆଗାମୀ ଆର୍ଥିକ ବର୍ଷ ନିମନ୍ତେ ବ୍ୟୟ ଅଟକଳ ୭୬,୮୦୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଯାହାକି, ଚଳିତ ଆର୍ଥିକ ବର୍ଷଠାରୁ ୩୫.୬ ପ୍ରତିଶତ ଅଧିକ । ସେହିପରି ତଫସିଲଭୁକ୍ତ ଉପଜାତି ବର୍ଗର କଲ୍ୟାଣ ଲାଗି ବଜେଟ୍ ପରିମାଣ ୫୦,୦୮୬ କୋଟି ଟଙ୍କା ଧାର୍ଯ୍ୟ ହୋଇଛି, ଯାହାକି ଚଳିତ ୨୦୧୮-୧୯ ବର୍ଷର ବଜେଟ୍ଠାରୁ ୨୮ ପ୍ରତିଶତ ଅଧିକ । ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ୮୦ ହଜାର କୋଟି ଟଙ୍କା ଆୟ କରିବେ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି । ସେହିପରି ଶ୍ରମିକମାନଙ୍କ ସକାଶେ ବିଶ୍ୱର ସର୍ବବୃହତ୍ ପେନ୍ସନ୍ ଯୋଜନା “ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନ୍ଧନ୍ ଯୋଜନା”ର ଘୋଷଣା କରାଯାଇଛିା ଏଥିରେ ଜଣେ ଶ୍ରମିକ ମାସକୁ ୧୦୦ ଟଙ୍କାର ଜମା ଦେବେ ଏବଂ ୬୦ ବର୍ଷ ପରେ ତାଙ୍କୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପେନ୍ସନ୍ ମିଳିବ । ଏହି ଯୋଜନା ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରୁ ପାଇଲଟ୍ ଭିତିରେ ଲାଗୁ କରାଯିବ । ବଜେଟ୍ରେ ଏଥିପାଇଁ ୫୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହା ବ୍ୟତୀତ ଉଜ୍ୱଳା ଯୋଜନା ସଂପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ଆସନ୍ତା ବର୍ଷସୁଦ୍ଧା ଦେଶରେ ୮କୋଟି ଗରିବ ମହିଳାଙ୍କୁ ଏଲ୍ପିଜି ସଂଯୋଗ ଯୋଗାଇ ଦିଆଯିବ । ବର୍ତମାନ ସୁଦ୍ଧା ୬ କୋଟି ବିପିଏଲ୍ ମହିଳାଙ୍କୁ ଏଲ୍ପିଜି ସଂଯୋଗ ପ୍ରଦାନ କରାଯାଇଛି ।
ଦେଶରେ ସୌରଶକ୍ତି ଉତ୍ପାଦନ ୧୦ଗୁଣ ବୃଦ୍ଧି ପାଇଛି । ଗତ ସାଢେ ଚାରିବର୍ଷ ମଧ୍ୟରେ ମୋବାଇଲ ନିର୍ମାତାଙ୍କ ସଂଖ୍ୟା ୨ରୁ ୨୬୮କୁ ବୃଦ୍ଧି ପାଇଛି । ଏବେ କେନ୍ଦ୍ର ସରକାର ୧ଲକ୍ଷ ଡିଜିଟାଲ ଗ୍ରାମ ନିର୍ମାଣର ପ୍ରସ୍ତାବ ରଖିଛନ୍ତି । କୃତ୍ରିମ ବୌଦ୍ଧିକତା କ୍ଷେତ୍ରର ବିକାଶ ଲାଗି ୯ଟି ପ୍ରମୁଖ କ୍ଷେତ୍ର ବଛାଯାଇଛି ଏବଂ ଏଥିଲାଗି ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଦେଶର ୧ କୋଟି ଯୁବକଙ୍କୁ କୌଶଳ ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।
ଆଗାମୀ ଆର୍ଥିକ ବର୍ଷରେ ଜିଏସ୍ଟି ଆଦାୟ ହାର ଆହୁରି ବଢିବ ବୋଲି ଅର୍ଥମନ୍ତ୍ରୀ ଏକ ଉଜ୍ୱଳ ଭବିଷ୍ୟତ ଆଶା କରୁଛନ୍ତି । ସେ କହିଛନ୍ତି ଯେ ଏବେ ଜିଏସ୍ଟି ରିଟର୍ଣ୍ଣ ଦାଖଲକୁ ସଂପୂର୍ଣ୍ଣରୂପେ ଅନ୍ଲାଇନ୍ କରାଯାଇଛି । ଆୟକର ରିଟର୍ଣ୍ଣ ଦାଖଲ ପରେ ରିଫଣ୍ଡ୍ ଲାଗି ୨୪ ଘଂଟା ମଧ୍ୟରେ ଫେରସ୍ତ ପାଇବାର ବ୍ୟବସ୍ଥା କରାଯାଉଛି । କେନ୍ଦ୍ର ସରକାର ମଧ୍ୟବିତ ପରିବାର ମାନଙ୍କ ଗୃହ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଏସ୍ଟି ପରିଷଦକୁ ଟିକସ ହାର କମ୍ ରଖିବା ସକାଶେ ପ୍ରସ୍ତାବ ଦେଇଛନ୍ତି ।
ଦେଶକୁ ଏକ ନୂତନ ଶୀଖରରେ ପହଂଚାଇବା ପାଇଁ ଏବଂ ନୁ୍ୟ ଇଣ୍ଡିଆ ନିର୍ମାଣ ଲକ୍ଷ୍ୟ ହାସଲ ପାଇଁ ୨୦୧୯-୨୦ ବଜେଟ୍ରେ ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ଏକ ଦଶସୂତ୍ରୀ ଆଭିମୁଖ୍ୟ ଘୋଷଣା କରିଛନ୍ତି ।
ଏଗୁଡ଼ିକ ହେଲା –
(୧) ଭୌତିକ ଓ ସାମାଜିକ ଭିତିଭୂମି ନିର୍ମାଣ
(୨) ଡିଜିଟାଲ ଭାରତ ଓ ଅର୍ଥ ବ୍ୟବସ୍ଥାର ଭିତିଭୂମିକୁ ସୁଦୃଢ କରିବା
(୩) ଏକ ପ୍ରଦୂଷଣ ମୁକ୍ତ ରାଷ୍ଟ୍ର ଗଠନ
(୪) ଗ୍ରାମ୍ୟ ଉଦ୍ୟୋଗୀକରଣର ସଂପ୍ରସାରଣ
(୫) ସ୍ୱଚ୍ଛ ନଦୀ ଓ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ
(୬) ବେଳାଭୂମି ଓ ସମୁଦ୍ର ଜଳରୁ ଶକ୍ତିର ବିକାଶ
(୭) ୨୦୨୨ ସୁଦ୍ଧା ମହାକାଶରେ ଭାରତୀୟଙ୍କୁ ପଦାର୍ପଣ କରାଇବା
(୮) ଖାଦ୍ୟ ଉତ୍ପାଦନରେ ଭାରତକୁ ସ୍ୱାବଲମ୍ବୀ କରାଇବା
(୯) ସ୍ୱାସ୍ଥ୍ୟପ୍ରଦ ଭାରତ ଏବଂ
(୧୦) ଛୋଟ ସରକାର, ସର୍ବୋତମ ପ୍ରଶାସନ ।