ହେଡଲାଇନସ୍:

ବିଭିନ୍ନ ଦାବୀ ଓ ଅବହେଳା ପ୍ରତିବାଦରେ ଜିଲ୍ଲାର ଭିନ୍ନକ୍ଷମ ମାନଙ୍କ ଆଲୋଚନା ଓ ପ୍ରତିବାଦ ଶୋଭାଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/  ବାଳକୃଷ୍ଣ ପାଣିଗ୍ରାହୀ : ବିଭିନ୍ନ ଦାବୀ ସମେତ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ସ୍ଥାନରେ ସେମାନଙ୍କ ପ୍ରତି ଅବିଚାର ଓ ଅବହେଳା କରାଯାଉଥିବା ପ୍ରତିବାଦରେ ଓଡିଶା ବିକଳାଙ୍ଗ ମଞ୍ଚର ଆହ୍ୱାନ କ୍ରମେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଶାଖା ପକ୍ଷରୁ ଆଲୋଚନା , ପ୍ରତିବାଦ ଶୋଭାଯାତ୍ରା ଏବଂ ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବହୁସଂଖ୍ୟାର ଜିଲ୍ଲାର ଭିନ୍ନକ୍ଷମ ମାନେ ହାଇସ୍କୁଲ ଛକଠାରେ ଏକତ୍ରିତ ହୋଇ ଦାବୀ ଓ ଅବହେଳା କରାଯାଇଥିବା ସମ୍ପର୍କିତ ଆଲୋଚନା କରି ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଦାବୀ ପ୍ରଦାନ କରିଥିଲେ । ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ନିରଞ୍ଜନ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଯୋଗ କରିଛନ୍ତି ପରିବହନ ସୁବିଧା ସମେତ ବିଭିନ୍ନ ଯୋଜନାରେ ଭିନ୍ନ କ୍ଷମ ମାନେ ଉପକୃତ ହେବା ଜିଲ୍ଲାରେ ସାତସପନ ହୋଇପଡିଛି । ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ଅଧିକାର ଅଧିନିମୟ ୨୦୧୬ ପ୍ରକାରେ ଆଇନର  ଅଷ୍ଟମ ଅଧ୍ୟାୟ ଧାରା ୪୧ରେ ସେମାନଙ୍କ ନିମନ୍ତେ ସାଧାରଣ ମଣିଷ ଭଳି ସମାଜରେ ସ୍ୱାଭିମାନର ସହ ବଞ୍ଚିିବାର ବ୍ୟବସ୍ଥା ରହିଛି । ଯାହାକି ବସର ରହଣିସ୍ଥଳ , ରେଳଷ୍ଟେସନ, ଗାଡି ରହିବା ସ୍ଥାନ , ଶୌଚାଳୟ, ଟିକଟ କାଉଣ୍ଟର ପ୍ରଭୃତିରେ ସୁଗମ ପ୍ରବେଶ ସୁବିଧା ଯୋଗାଇଦେବା ବ୍ୟବସ୍ଥା ରହିଛି । ଆଇନର ଏତେ ସବୁ ସୁବିଧା ଥିବା ସହିତ ବିଭିନ୍ନ ସରକାରୀ ଯୋଜନା ରହିଛି । ହେଲେ କୌଣସିଟିରେ ଭିନ୍ନକ୍ଷମ ଭାଇମାନେ ଉପକୃତ ହୋଇପାରୁନାହାନ୍ତି । ଉଲଙ୍ଘନକାରୀଙ୍କୁ ଦଣ୍ଡିତ କରାଯିବାକୁ ଦାବୀ କରିଛନ୍ତି । ରେଳଷ୍ଟେସନକୁ ହୁଇଲଚେୟାରରେ ଯିବା ପାଇଁ ରାସ୍ତା କି ବ୍ୟବସ୍ଥା ନଥିବା ବେଳେ ଟ୍ରେନ ଓ ବସରେ ଚଢିବା ପାଇଁ ବ୍ୟବସ୍ଥା ନାହିଁ । ବସର ରହଣି ସ୍ଥାନରେ ଭିନ୍ନ କ୍ଷମ ବ୍ୟକ୍ତି ତାଙ୍କ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଠିଆ ହୋଇଥିଲେ ସେହି ସ୍ଥାନରେ ବସ ଅଟକୁନି କି ରହୁନି । ତେଣୁ ଭିନ୍ନ କ୍ଷମ ଭାଇ ମାନଙ୍କୁ ଆଇନ ଗତ ସ୍ୱତନ୍ତ୍ର ଅଧିକାର ସବୁ ଯୋଗାଇଦେବା ପାଇଁ ଦାବୀ କରି ଏହି ପ୍ରତିବାଦ ସଭାର ଆୟୋଜନ କରାଯାଇଛି ବୋଲି ଶ୍ରୀବେହେରା କହିଥିଲେ ।

 

0
0
0
s2sdefault