ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା: ଖଣି ସମ୍ପଦର ସଦୁପଯୋଗ କରି ପ୍ରଥମ ହେବାକୁ ଲକ୍ଷ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୩/୧- ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ପୌରାଞ୍ଚଳ ଗୁଡ଼ିକର ଆର୍ଥିକ ସ୍ଥିତି ଓ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ବିଭିନ୍ନ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଏବଂ ଆଗାମୀ ଆବଶ୍ୟକତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି।ବୈଠକରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ଅଧ୍ୟକ୍ଷ​ ଡଃ ଅରୁଣ କୁମାର ପଣ୍ଡା ଓ ବିଭାଗୀୟ ସଦସ୍ୟମାନେ ଯୋଗଦେଇ ଜିଲ୍ଲାର ତୃଣମୂଳ ସ୍ତରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ସମ୍ପୃକ୍ତ ସଂସ୍ଥାଗୁଡ଼ିକର ଆର୍ଥିକ ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି। ନୂତନ ପୁଞ୍ଜି ସମ୍ପତ୍ତି ସୃଷ୍ଟି ସହରାଞ୍ଚଳରେ ରାଜସ୍ୱ ବୃଦ୍ଧି ପାଇଁ ମଲ୍ଟି-ଷ୍ଟୋରି ପାର୍କିଂ, କଲ୍ୟାଣ ମଣ୍ଡପ,ଇ-ଲାଇବ୍ରେରୀ, ମାର୍କେଟ କମ୍ପ୍ଲେକ୍ସ ଏବଂ କାର୍ଯ୍ୟଜୀବୀ ମହିଳାମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ ପ୍ରସ୍ତାବ ଦିଆଯାଇଛି। ଯୋଡ଼ା ଏବଂ ବଡ଼ବିଲ ଭଳି ଖଣି ଅଞ୍ଚଳରେ ବୃଦ୍ଧି ପାଉଥିବା ଧୂଳି ପ୍ରଦୂଷଣ ରୋକିବା ପାଇଁ ‘ଡଷ୍ଟ କଣ୍ଟ୍ରୋଲ ଟାୱାର’ ସ୍ଥାପନ ଏବଂ ଜଳ ନିଷ୍କାସନ ପାଇଁ ମାଷ୍ଟର ପ୍ଲାନ ଉପରେ ଗୁରୁତ୍ୱାରୋପ କରାଯାଇଛି।ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ସହରଗୁଡ଼ିକରେ ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ପୌରାଞ୍ଚଳରୁ ସଂଗୃହିତ ବର୍ଜ୍ୟବସ୍ତୁକୁ ଜୈବିକ ପଦ୍ଧତିରେ ପରିଚାଳନା ସହ ଯାନ୍ତ୍ରିକ ରାସ୍ତା ସଫେଇ ଉପରେ ଆଲୋଚନା କରାଯାଇଛି। ଆନନ୍ଦପୁର, ବଡ଼ବିଲ, ଯୋଡ଼ା ପୌରପାଳିକା ଏବଂ ଚମ୍ପୁଆ ଏନଏସିର ଆର୍ଥିକ ଅଡିଟ୍ ସ୍ଥିତି ସମ୍ପର୍କରେ କମିଶନଙ୍କୁ ଅବଗତ କରାଯାଇଛି। ଅଧିକାଂଶ ସ୍ଥାନରେ ୨୦୨୨-୨୩ ବର୍ଷ ପର୍ଯ୍ୟନ୍ତ ଅଡିଟ୍ ସମ୍ପୂର୍ଣ୍ଣ ହୋଇଥିବା ବେଳେ ପରବର୍ତ୍ତୀ ବର୍ଷ ଗୁଡ଼ିକର କାର୍ଯ୍ୟ ଜାରି ରହିଛି।ଜିଲ୍ଲାର ପୌରାଞ୍ଚଳ ଗୁଡ଼ିକ ପକ୍ଷରୁ ସହର ମଧ୍ୟରେ ଇ-ବସ୍ ସେବା, ପର୍ଯ୍ୟଟନ ସ୍ଥଳୀର ବିକାଶ, ଏବଂ ଉନ୍ନତ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ଅଧିକ ପାଣ୍ଠି ଯୋଗାଇ ଦେବାକୁ କମିଶନଙ୍କ ନିକଟରେ ଦାବି ରଖାଯାଇଛି। ଏଥିସହ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ‘ସୁଯୋଗ’ ପୋର୍ଟାଲ ଏବଂ ‘ଓସୱାସ୍’ ମାଧ୍ୟମରେ ସେବା ପ୍ରଦାନକୁ ଅଧିକ ସ୍ୱଚ୍ଛ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାପାଳ ଶ୍ରୀ ବିଶାଳ ସିଂ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ କମିଶନଙ୍କୁ ଅବଗତ କରାଇଥିଲେ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଜିଲ୍ଲାପାଳଅଧିକାରୀ ଶ୍ରୀ କୁମାର ନାଗଭୂଷଣ ଏହି ବୈଠକରେ ପଞ୍ଚାୟତ ଗୁଡ଼ିକରେ ପଞ୍ଚମ ଓ ଷଷ୍ଠ ଅର୍ଥ କମିଶନଙ୍କ ପାଣ୍ଠିରେ ନିର୍ମିତ ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ଅଧ୍ୟକ୍ଷ​ ଡଃ ଅରୁଣ କୁମାର ପଣ୍ଡା ଙ୍କ ପାଖରେ ଉପସ୍ଥାପନା କରିଥିଲେ। ପରିଶେଷରେ ଡ଼ଃ. ପଣ୍ଡା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ପରଖିବା ପାଇଁ ପ୍ରତି ମାସରେ ‘ମାସିକିଆ ରିଭ୍ୟୁ’ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତ ଠାରୁ ପୌରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବା ସହ ଖଣି ଭିତ୍ତିକ ଶିଳ୍ପ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରଖି କେନ୍ଦୁଝରକୁ ଏକ ମଡେଲ ଜିଲ୍ଲା ଭାବେ ଗଢ଼ିବାକୁ ଏବଂ ଜିଲ୍ଲାକୁ ଏକ ନମ୍ବର ସ୍ଥାନରେ ପହଂଚାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।ଏହି ସମୀକ୍ଷା ବୈଠକ ରେ କମିଶନ ସଦସ୍ୟ ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପ୍ରଫେସର ଅମରେଶ ସାମନ୍ତରାୟ ଏବଂ ଡଃ ବିଭୁ ପ୍ରସାଦ ନାୟକ, ​ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ ଏବଂ କେନ୍ଦୁଝର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ସମସ୍ତ ପୌରପାଳିକାର ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ରିପୋର୍ଟ ପ୍ରଦାନ କରିଥିଲେ।

0
0
0
s2sdefault