ଅବୈଧ ମଦ ସାମ୍ରାଜ୍ୟ ପଛରେ କିଛି କୁଜି ନେତା, ଠିକାଧାରୀ ଅଣସାମ୍ବାଦିକ ଓ କିଛି ନିର୍ବୋଧ ପ୍ରଶାସନିକ ଅଧିକାରୀ ଙ୍କର ଖୋଲା ଆଶୀର୍ବାଦ ଅଭିଯୋଗ
ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ):-ସମଗ୍ର ବଲାଙ୍ଗିର ଜିଲ୍ଲାରେ ପ୍ରତିଦିନ ଅବକାରୀ ବିଭାଗ ଓ ପୋଲିସ ଦ୍ୱାରା ନକଲି ଓ ଅବୈଧ ମଦ ଜବତ ହେଉଥିବା ଖବର ସାମ୍ନାକୁ ଆସୁଥିବାବେଳେ, ଖପ୍ରାଖୋଲ ଅଞ୍ଚଳରେ ଏକ ଭୟଙ୍କର ନକଲି ମଦ ସାମ୍ରାଜ୍ୟ ନିର୍ବିଘ୍ନରେ ଚାଲିଥିବା ଅଭିଯୋଗ ଜିଲ୍ଲାକୁ ହଲଚଲ କରିଛି। ଅଭିଯୋଗ ଅନୁଯାୟୀ,, ଖପ୍ରାଖୋଲରେ ଥିବା ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ମାଧ୍ୟମରେ ସମଗ୍ର ଖପ୍ରାଖୋଲ ବ୍ଲକର ଗ୍ରାମାଞ୍ଚଳକୁ ନକଲି ଓ ଚୋରା ମଦ ଚାଲାଣ କରାଯାଉଛି। ଗାଁ ଗୁଡ଼ିକରେ ଖୋଲାଯାଇଥିବା ବେଆଇନ୍ ମଦ କୋଠି ମାନଙ୍କ ମାଧ୍ୟମରେ କୋଟି କୋଟି ଟଙ୍କାର କଳା କାରବାର ଚାଲିଥିବା ଗୁରୁତର ଅଭିଯୋଗ ଉଠିଛି।
ସରକାରୀ ନିୟମ ଅନୁଯାୟୀ, ଲାଇସେନ୍ସପ୍ରାପ୍ତ ମଦ ଦୋକାନ ନିଜ କାଉଣ୍ଟରରେ ମାତ୍ର ମଦ ବିକ୍ରୟ କରିବାକୁ ବାଧ୍ୟ ଥିଲେ ମଧ୍ୟ, ଖପ୍ରାଖୋଲରେ ଏହି ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଉଛି। ଗ୍ରାହକଙ୍କୁ ଧାର୍ଯ୍ୟ ଦର ଠାରୁ ଅଧିକ ଦରରେ ମଦ ବିକ୍ରି କରାଯାଉଥିବା ସହ, ମଦ କ୍ରୟ ବେଳେ କୌଣସି ବିଲ ବା ରସିଦ ଦିଆଯାଉନଥିବା ମଧ୍ୟ ଦେଖାଯାଉଛି।
ଅଭିଯୋଗ ଅନୁଯାୟୀ, ମଦ ଦୋକାନରେ କାର୍ଯ୍ୟରତ ଅଣଓଡ଼ିଆ କର୍ମଚାରୀ ମାନେ ଖପ୍ରାଖୋଲ ଅଞ୍ଚଳର ଗ୍ରାହକମାନଙ୍କ ସହ ଅଭଦ୍ର ବ୍ୟବହାର, ଅପଶବ୍ଦ ଓ ଗାଳିଗୁଲଜ କରୁଥିବା ସତ୍ତ୍ୱେ କେହି ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ବିରୋଧ କଲେ ଭୟଭୀତ କରିବା, ଧମକ ଦେବା ଓ ମିଥ୍ୟା ମାମଲାରେ ଫସାଇବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ, ଏହି ସମଗ୍ର ଅବୈଧ ମଦ ସାମ୍ରାଜ୍ୟ ପଛରେ କିଛି କୁଜି ନେତା, ଠିକାଧାରୀ ଅଣସାମ୍ବାଦିକ ଓ କିଛି ନିର୍ବୋଧ ପ୍ରଶାସନିକ ଅଧିକାରୀ ଙ୍କର ଖୋଲା ଆଶୀର୍ବାଦ ରହିଛି। “ମାସିକିଆ ବଟି” ନେଇ ନିଜ କର୍ତ୍ତବ୍ୟକୁ ପଛରେ ପକାଇ ଅଣଓଡ଼ିଆ ମଦ ବ୍ୟବସାୟୀଙ୍କ ସପକ୍ଷରେ ଯାଇ ସ୍ଥାନୀୟ ଲୋକଙ୍କୁ ଶୋଷଣ କରାଯାଉଥିବା ଗୁରୁତର ଅଭିଯୋଗ ଉଠିଛି।
ଅଞ୍ଚଳବାସୀଙ୍କ ମତାନୁସାରେ, ଯେ କେହି ଏହି ଅବୈଧ କାରବାର ବିରୋଧରେ ସ୍ୱର ଉତ୍ତୋଳନ କରେ, ତାକୁ ଯେକୌଣସି ଉପାୟରେ ଚୁପ କରାଇବାକୁ ଚେଷ୍ଟା କରାଯାଉଛି। ଏହା ଗଣତନ୍ତ୍ର ଓ ଆଇନ ଶାସନ ପ୍ରତି ଏକ ଭୟଙ୍କର ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି। ଏହି ପରିପ୍ରେକ୍ଷୀରେ, ଖପ୍ରାଖୋଲ ଅଞ୍ଚଳବାସୀ ଦୋଷୀ ମଦ ବ୍ୟବସାୟୀ, ମାସିକିଆ ବଟି ନେଇଥିବା ସରକାରୀ ଓ ବେସରକାରୀ ଲୋକଙ୍କୁ ଚିହ୍ନଟ କରି ତତ୍କାଳ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ଦାବି କରୁଛନ୍ତି। ନହେଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନର ସତର୍କବାଣୀ ଦିଆଯାଇଛି।











