ହେଡଲାଇନସ୍:

ଏମ ଶ୍ରୀଗୀଡା ଗ୍ରାମରେ ବଡ ଧରଣର ଚୋରି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧନୁଯାତ୍ରା ଦେଖିବା ସମୟରେ ଘରେ ବଡ଼ ଧରଣର ଚୋରି: ସୁନା, ନଗଦ ଓ ବାଇକ

ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଏମ୍‌ ଶ୍ରୀଗିଡା ଗ୍ରାମରେ ଗତକାଲି ରାତିରେ ଏକ ବଡ଼ ଧରଣର ଚୋରି ଘଟଣା ଘଟିଥିବା ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ସୂଚନା ଅନୁଯାୟୀ, ଗ୍ରାମର ସୌଭାଗ୍ୟ ମେହେର ଓ ତାଙ୍କ ପରିବାର ସଦସ୍ୟମାନେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ଘର ବାହାରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଏହି ସୁଯୋଗକୁ ନେଇ ଘରର ପଛପଟୁ ଭିତରକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି।ଦୁର୍ବୃତ୍ତମାନେ ଘର ଭିତରୁ ପ୍ରାୟ ୭ ଭରି ସୁନା ଗହଣା, ୪ ଲକ୍ଷ ୫୦ ହଜାର ଟଙ୍କା ନଗଦ ସହିତ ଏକ ବଜାଜ ପଲସର ମୋଟରସାଇକେଲ ଚୋରି କରି ନେଇଥିବା ସୌଭାଗ୍ୟ ମେହେର ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି।ରାତିରେ ଧନୁଯାତ୍ରା ଦେଖି ଘରକୁ ଫେରି ଆସିବା ପରେ ଘରର ସମସ୍ତ ସାମଗ୍ରୀ ଅସ୍ତବ୍ୟସ୍ତ ଅବସ୍ଥାରେ ଥିବା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ତୁରନ୍ତ ଏହି ଘଟଣା ସମ୍ପର୍କରେ ବିଜେପୁର ପୋଲିସକୁ ସୂଚନା ଦିଆଯାଇଥିଲା।
ସୂଚନା ପାଇବା ପରେ ବିଜେପୁର ପୋଲିସ ସହ ବରଗଡ଼ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ସୂତ୍ର ଧରିବା ପାଇଁ ସନ୍ଧାନୀ କୁକୁରକୁ ମଧ୍ୟ ନିୟୋଜିତ କରାଯାଇଛି।ଏହି ଘଟଣାରେ ଶ୍ରୀଗିଡା ଗ୍ରାମର ଦେବାନନ୍ଦ ଭୋଇଙ୍କୁ ବିଜେପୁର ଥାନାକୁ ନେଇ ପୋଲିସ ପଚରାଉଚରା କରୁଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି। ଘଟଣାକୁ ନେଇ ଶ୍ରୀଗିଡା ସହ ଆସପାସ ଅଞ୍ଚଳରେ ଭୟ ଓ ଅସୁରକ୍ଷାର ଭାବନା ଦେଖାଦେଇଛି।

0
0
0
s2sdefault