ହେଡଲାଇନସ୍:

ମାନ୍ୟତା ଅପେକ୍ଷାରେ ଐତିହାସିକ ମାଳତି ଗଡ଼ର ମାଆ ରତନେଇ ପୀଠ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ,ଗାଙ୍ଗପୁର ଥାନ ଅନ୍ତର୍ଗତ ମୁନିଗାଡ଼ି ପଂଚାୟତର ଇତିହାସ ପ୍ରସିଦ୍ଧ ମାଳତୀ ଗଡ଼ରେ ଗଡ଼ର ଆରାଧ୍ୟା ରୁପେ ଦୁଇଶହ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ପୂଜା ପାଉଛନ୍ତି ମାଆ ରତନେଇ I ବିଶେଷ ସୂଚନା ପ୍ରକାରେ ମାଆ ରତନେଇ ପୀଠ ବ୍ୟତୀତ ଇତିହାସର ମୂକ ସାକ୍ଷୀ ରୂପେ ଏଠାରେ ସୋମବଂଶୀ ରାଜବଂଶ ଠାରୁ କେଶରୀ ବଂଶ ପର୍ଯ୍ୟନ୍ତ ରାଜବଂଶର ବହୁ କୀର୍ତ୍ତି ରାଜି ମଧ୍ୟ ଭଗ୍ନ୍ ଅବସ୍ଥାରେ ପଡ଼ି ରହିଛି I ଊପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଭଗ୍ନ ରାଜ ଉଆସରୁ ବହୁ ଇଟା ପଥରକୁ ଲୋକେ ନେଇଯିବା ସହିତ ଭଗ୍ନ ଉଆସ ଗୁଡ଼ିକ ମଦ୍ୟପ ମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଛି I କିମ୍ବଦନ୍ତୀ ପ୍ରକାରେ ଏଥରେ ଥିବ ପାହାଡ଼ ଉପରେ ବର୍ତ୍ତମାନ ମଧ୍ୟା ଏକ ବିରାଟ ପଥର ଦୀପ ରହିଛି I ବିଶ୍ୱାସ ରହିଛି ଏଠିକାର ରାଜ ମାନେ ଯୁଦ୍ଧା କରିବାକୁ ଗଳେ ରାଣୀ ମାନେ ସେହି ପଥର ଦୀପକୁ ଜଳାଇ ରଖି ରାଜ ମାନଙ୍କର ବିଜୟ କାମନା କରୁଥିଲେ I ଏଠାରେ ବର୍ତ୍ତମାନ ମଧ୍ୟ ସାତୋଟି ପୋଖରୀ ରହିଥିବା ବେଳେ ଏହି ପୋଖରୀ ଗୁଡ଼ିକରେ ରାଣୀ ମାନେ ସ୍ନାନ କରୁଥିଲେ ବୋଲି ବିଶ୍ୱାସ ରହିଛି I ମାଳତୀ ଗଡ଼କୁ ଚାରିପଟୁ ମାଳତୀ ପାହାଡ଼ ଏବଂ ପୋଖରୀ ଗୁଡ଼ିକ ଘେରି ରହିଛି I ଗଡ଼ର ଆରାଧ୍ୟା ଦେବୀ ରତନେଇ ମନ୍ଦିର ବର୍ତ୍ତମାନ ଅବହେଳିତ ଅବସ୍ଥାରେ ରହିଛି I ମାଳତୀ ଗ୍ରାମର କିଛି ପୂଜକ ପାଳି କରି ମାଆଙ୍କ ସେବା କରିବା ସହ ଆସୁଥିବା ଭକ୍ତ ମାନଙ୍କୁ ଦର୍ଶନ କରାଇଥାନ୍ତି I ସେହିପରି ଚୈତ୍ରମାସ ମଙ୍ଗଳବାର ଗୁଡ଼ିକରେ ଏଠାରେ ବହୁ ମାନସିକ ଧାରୀ ମୁଣ୍ଡନ ହୋଇଥାନ୍ତି I ପୂର୍ବରୁ ଏଠାରେ ପଶୁବଳି ପ୍ରଥା ପ୍ରଚଳିତ ଥିବା ବେଳେ ବର୍ତ୍ତମାନ ତାହା ବନ୍ଦ ରହିଛି I ପ୍ରାକୃତିକ ଶୋଭାରାଜି ମଧ୍ୟରେ ଅବସ୍ଥିତ ଏହି ଅଞ୍ଚଳଟି ଇତିହାସର ଅନେକ ଗୁରୁତ୍ଵପୂର୍ଣ୍ଣ କାହାଣୀ ବହନ କରୁଛି I ନିକଟରେ ଛୋଟିଆ ଝରଣାଟିଏ ରହିଛି I ସେହିପରି ନିକଟରେ ଆଶାରାମ ବାପୁଙ୍କର ଏକ ଶାଖା ଆଶ୍ରମ ରହିଥିବା ବେଳେ ସେଠାକୁ ଆସୁଥିବା ଲୋକେ ନିକଟରେ ଥିବା ମାଳତୀ ଗ୍ରାମକୁ ଯାଇ ମାଆଙ୍କ ଦର୍ଶନ କରିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି I କେଶରୀ ବଂଶ ଅନୁସାରେ ଏଠାରେ ଥିବା ଗ୍ରାମ ଦୁଇଟି କେଶରୀପଲ୍ଲୀ ଏବଂ ମାଳତୀ ନାମରେ ନାମିତ ହୋଇଛି ବୋଲି ବହୁ ଗବେଷକ ମତ ଦିଅନ୍ତି I କିନ୍ତୁ ଇତିହାସର ପୃଷ୍ଠାକୁ ଋଦ୍ଧିମନ୍ତ କରିଥିବା ମାଳତୀ ପାହାଡ଼, ମାଳତୀ ଗ୍ରାମ ଏବଂ ରତନେଇ ପୀଠ ଆଜି ଅବହେଳିତ ଅବସ୍ଥାରେ ପଡିରହିଛି I ତେଣୁ ସ୍ଥାନୀୟ ବୁଦ୍ଧିଜୀବୀ ଏହି ଐତିହାସିକ ସ୍ଥାନ ସମ୍ପର୍କରେ ଅଧିକ ଗବେଷଣା କରାଯିବା ସହିତ ଏହାକୁ ଐତିହାସିକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଦାବି କରିଛନ୍ତି I

0
0
0
s2sdefault