ହେଡଲାଇନସ୍:

ଜାତୀୟ ସ୍ଵାସ୍ଥ୍ୟ ମିଶନ (ଏନ୍.ଏଚ୍.ଏମ୍) ତରଫରୁ ଯାଜପୁରରେ ଅଧିକ ଡାକ୍ତର ଏବଂ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ମୁତୟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ୪୫ ଟି ସ୍ୱାସ୍ଥ୍ୟ କ୍ୟାମ୍ପ ଆୟୋଜନ

  • ଆଦିମ ଅଧିବାସୀ ଅଞ୍ଚଳ ଉପରେ ସ୍ଵତନ୍ତ୍ର ଦୃଷ୍ଟି


ଭୁବନେଶ୍ୱର, ୧୭/୦୬: ଯାଜପୁର ଜିଲ୍ଲାରେ ଡାଇରିଆ ସ୍ଥିତିର ମୁକାବିଲା ଏବଂ ନିୟନ୍ତ୍ରଣ ନିମନ୍ତେ ଜାତୀୟ ସ୍ଵାସ୍ଥ୍ୟ ମିଶନ(ଏନ୍.ଏଚ୍.ଏମ୍) ତରଫରୁ ଅଧିକ ଡାକ୍ତର ଏବଂ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ଟିମ୍ ମୁତୟନ କରାଯାଇଛି । ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି. ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ହସ୍ପିଟାଲମାନଙ୍କରେ ୮ ଜଣ ମେଡିସିନ ସ୍ପେସାଲିଷ୍ଟ ଏବଂ ଅଧିକ ୨୦ ଟି ମୋବାଇଲ ହେଲଥ ଟିମ୍ ମୃତୟନ କରାଯାଇଛି । ଏହାଛଡା ପ୍ରଭାବିତ ଅଞ୍ଚଳ ମାନଙ୍କରେ ୪୫ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର (ହେଲଥ କ୍ୟାମ୍ପ) ଆୟୋଜନ କରାଯାଇଛି ।
ନୂଆ ମୃତୟନ ଟିମକୁ ଲଗାଇ ବର୍ତ୍ତମାନ ଜିଲ୍ଲାରେ ଏନ୍.ଏଚ୍.ଏମ୍ ର ୪୦ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ କାର୍ଯ୍ୟରତ ଅଛିନ୍ତି । ଡାଇରିଆ ଦେଖାଦେବାର ସୂଚନା ମିଳିବା ମାତ୍ରେ ପ୍ରଥମେ ୨୦ ଟି ଟିମ୍ କୁ ଜିଲ୍ଲାରେ ରୋଗ ନିୟନ୍ତ୍ରଣ ଓ ନିରାକରଣ ପାଇଁ କାର୍ଯ୍ୟକ୍ଷମ କରାଯାଇଥିଲା । ୨ୟ ପର୍ଯ୍ୟାୟରେ ଆଉ ୨୦ ଟି ଟିମ୍ ମୃତାୟନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ ସହ ସମନ୍ୱୟ ରଖି ଆବଶ୍ୟକତା ମୁତାବକ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ କରିବା ନିମନ୍ତେ ଡାକ୍ତର ବୃନ୍ଦା ଏହି ମୁତୟନ ହୋଇଥିବା ଡାକ୍ତର ଏବଂ ସ୍ଵାସ୍ଥ୍ୟଟିମ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାଛଡ଼ା, ଗ୍ରାମ ଓ ସହରାଞ୍ଚଳର ୱାର୍ଡ ସ୍ତରରେ ମାଇକ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର, ସ୍ଵାସ୍ଥ୍ୟ କାନ୍ଥ ମାନଙ୍କରେ ଡାଇରିଆ ସମ୍ବନ୍ଧିତ ସ୍ଵତନ୍ତ୍ର ସୂଚନା ପ୍ରଦାନ, ସ୍ଵାସ୍ଥ୍ୟ ସେବା ଅନୁଷ୍ଠାନରେ ଓ.ଆର.ଏସ ଏବଂ ଜିଙ୍କ୍ କର୍ଣ୍ଣର ସ୍ଥାପନ, ଗ୍ରାମ୍ୟ କଲ୍ୟାଣ ସମିତିମାନଙ୍କର ସ୍ଵତନ୍ତ୍ର ବୈଠକରେ ସତର୍କତା ଓ ସଚେତନତା ମୂଳକ ବାର୍ତ୍ତର ପ୍ରସାର ଏବଂ ବିଭିନ୍ନ ପାନୀୟ ଜଳସ୍ରୋତ ଗୁଡିକର ନିୟମିତ ବିଶୋଧିକରଣ ଆଦି କାର୍ଯ୍ୟକ୍ରମକୁ କ୍ଷେତ୍ରସ୍ତରରେ ବ୍ୟାପକ କରାଯାଇଛି । ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଏନ୍.ଏଚ୍.ଏମ୍ ତରଫରୁ ମଧ୍ୟ ୧୦ଟି ଭ୍ରାମ୍ୟମାଣ ସଚେତନତା ଭ୍ୟାନ(ଆଇ.ଇ.ସି ଭ୍ୟାନ) ନିୟୋଜନ କରାଯାଇଛି ।
ଏହାସହ, ଆଦିମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ଵାସ୍ଥ୍ୟ ସେବା ସୁବିଧା ସୁବିଧା ଏବଂ ସଚେତନତା ବୃଦ୍ଧି ନିମନ୍ତେ ଏନ୍.ଏଚ୍.ଏମ୍ ତରଫରୁ ସ୍ଵତନ୍ତ୍ର କ୍ୟାମ୍ପମାନ ଆୟୋଜନ କରାଯାଉଛି । ରୋଗ ସର୍ବେକ୍ଷଣ ଏବଂ ଆଗୁଆ ଚିହ୍ନଟ ଆଦି କାର୍ଯ୍ୟକ୍ରମକୁ ଅଧିକ ଶାଣିତ ଏବଂ ଫଳପ୍ରଦ କରିବାକୁ ଡାକ୍ତର ବୃନ୍ଦା ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

0
0
0
s2sdefault