ପଦ୍ମପୁର :- ରାମ ନବମୀ ଅବସରରେ ଜଗନ୍ନାଥମୟ ହୋଇଯାଇଛି ପୁରା ଗାଁ । ପଦ୍ମପୁର ଉପଖଣ୍ଡ ବୁଡାମାଲ ଗାଁ ରେ ଆଜି ଦେଖିବାକୁ ମିଲିଛି ଜଗନ୍ନାଥ ପ୍ରେମୀଙ୍କ ଭିଡ । ଚଳିତ ରଥଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ବୁଡାମାଲ ଗାଁ ରୁ ଜଗନ୍ନାଥ ଧାମ ପୁରୀକୁ ଯିବ ରଥ କାଠ । ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି । ସେଥି ମଧ୍ୟରୁ ୭୨ ଖଣ୍ଡ ଫାଶି କାଠର ଆବଶ୍ୟକତା ରହିଛି । ଫାଶୀ ଗଛର କାଠରେ ମହାପ୍ରଭୂଙ୍କ ରଥ ପାଇଁ ୪୨ ଗୋଟି ଚକ ନିର୍ମାଣ ହେବ । ସେଥି ପାଇଁ ଶ୍ରୀ ମନ୍ଦିର ତରଫରୁ ରଥ ତତ୍ୱବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ କାର୍ଯ୍ୟ ଅଧିକାରୀ ଆନନ୍ଦ ସ୍ୱାଇଁ,ରଥ ଅମିନ ଲକ୍ଷ୍ମଣ ମହାପତ୍ର ଓ ରବି ଭୋଇ ଭୋଇ ସର୍ଦ୍ଦାର ପଦ୍ମପୁରରେ ପହଂଚି ପଦ୍ମପୁର ରେଂଜ ଅଧିନସ୍ଥ ବୁଡାମାଲ ଗାଁରେ ଫାଶୀ ଗଛ ଚୟନ କରିଥିଲେ । ସାଧାରଣତଃ ଗଛର ଗୋଲେଇ ୬ ଫୁଟ ଏବଂ ଲମ୍ବ ୧୪ ଆଧାରରେ ଗଛ ଚୟନ କରିଥିଲେ । ନିୟମ ଅନୁସାରେ ଆଜି ରାମନବମୀ ଦିନ ଗଛ ଗୁଡିକୁ ପୂଜାର୍ଚନା କରି କାଟିବା ଆରମ୍ଭ ହୋଇଛି । ଆଜି ବୁଡାମାଲ ଠାରେ ନାମ କୀର୍ତନ ସହ ପୂଜା ପାଠ ଆରମ୍ଭ କରି ଏକ ଆଧ୍ୟାତ୍ମିକ ପରିବେଶରେ ରଥଯାତ୍ରା ପାଇଁ କାଠ କାଟିବା ଆରମ୍ଭ ହୋଇଛି । ଏହି ପରିବେଶରେ ଶ୍ରଦ୍ଧାଳୁ ମାନେ ଯୋଗଦେଇ ନିଜକୁ ଧନ୍ୟ ମନେ କରିଛନ୍ତି ।
ବରଗଡ ଡିଏଫଓ ବିକ୍ରମ ଦେବ ପଟ୍ଟନାୟକ, ଏସିଏଫ ଡଃ ହରମନ ରଥ, ଏସିଏଫ ରାଜେନ୍ଦ୍ର କୁମାର ଭୋଇ,ଙ୍କ ଉପସ୍ଥିତି ପ୍ରତ୍ୟକ୍ଷ ଉପସ୍ଥିତି ଓ ତତ୍ୱାବଧାନ ରେ ତିନି ଦିନ ବ୍ୟାପି ହେବାକୁ ଥିବା ଏହି ଗଛ କଟା କାର୍ଯ୍ୟକ୍ରମ ରେ ପଦ୍ମପୁର ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଳା ସମେତ ଫରେଷ୍ଟର ଅଶ୍ୱିନୀ ଭୋଇ, ସରୋଜ କୁମାର ସାହୁ, ଦିବାକର ପ୍ରଧାନ, ଝରଣା ସାହୁ,ଫରେଷ୍ଟ ଗାର୍ଡ ପ୍ରକାଶ ପାଢ଼ୀ, ତେଜସ୍ୱିନୀ ସାହୁ ଉପସ୍ଥିତ ଥିଲେ l ପୂଜାକର୍ତ୍ତା ସତ୍ୟନାରାୟଣ ବେହେରା ଓ ତାଙ୍କ ଧର୍ମପତ୍ନୀ ପୂଜାର୍ଚନା କରିଥିଲେ l ଏହାପରେ ଆଜି ମୋଟ ଦଶ ଗୋଟି ଫାସି ଗଛ କଟାଯାଇଥିଲା l