ନୂଆପଡ଼ା ଜିଲ୍ଲାରୁ କଲିମ ମହମ୍ମଦ(ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି l ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲପାଳଙ୍କ ନିର୍ଦ୍ଦେଶରେ ପ୍ରତି ମାସ ଏଭଳି ବୈଠକ ଅନୁଷ୍ଠିତ ହେଉଛି l ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ବୈଠକର ମହତ୍ତ୍ଵ ଉପରେ ସୂଚନା ଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ବିଗତ ବୈଠକର ବିବରଣୀ ପାଠ କରି ଥିଲେ l ଏହା ଉପରେ ବିଶଦ ଆଲୋଚନା ପର୍ଯ୍ୟାଲୋଚନା ହୋଇଥଲା l ବିଗତ ମାସରେ ଉନ୍ନୟନ କାମରେ ଯେଉଁ ସବୁ ବାଧା ଅସୁବିଧା ରହିଥିଲା ସେସବୁର କେତେ ସମାଧାନ ହେଇଛି ଜିଲ୍ଲାପାଳ ଜାଣିବାକୁ ଚାହିଁଥିଲେ l ଆସନ୍ତା ମାସ ପାଇଁ ବିଭିନ୍ନ ବିଭାଗର ଲକ୍ଷ୍ୟ ପୂରଣ ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଆନ୍ତ ବିଭାଗୀୟ ବିସଂଗତି ଉପରେ ଆଲୋଚନା କରି ସେସବୁର ସମାଧାନର ରାସ୍ତା ବାହାର କରାଗଲା l ବିଭିନ୍ନଉନ୍ନୟନ କାର୍ଯ୍ଯନିର୍ବାହି ସଂସ୍ଥା ସେମାନଙ୍କ ସମସ୍ତ ଉନ୍ନତି ମୂଳକ କାମ ଠିକ୍ ସମୟରେ ସାରିବା ପାଇଁ ଜିଲ୍ଲାପାଳ ତାଗିଦ୍ କରିଥିଲେ lବୈଠକରେ ପଞ୍ଚାୟତି ରାଜ, ରାଜସ୍ୱ, କୃଷି, ଉଦ୍ୟାନ କୃଷି, ଜଳସେଚନ, ରାସ୍ତା ଓ ଗୃହନିର୍ମାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ,ଉଠା ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ , ପ୍ରାଣୀ ସମ୍ପଦ,ପରିବହନ ଶିକ୍ଷା,ସ୍ୱାସ୍ଥ୍ୟ, ଜଙ୍ଗଲ , ଖଣି ଇତ୍ୟାଦି ସମସ୍ତ ବିଭାଗର କାର୍ଯ୍ୟ ଉପରେ ସମୀକ୍ଷା ହୋଇଥିଲା l ବିଭିନ୍ନ ଜଳସେଚନ ପ୍ରକଳ୍ପ, କେନାଲ ଉନ୍ନତି କରଣ, ଅଣଧାନ ଫସଲ ଚାଷ, ଜିଲ୍ଲା ସଂସ୍କୃତି ଭବନ ନିର୍ମାଣ, ଗ୍ରାମ୍ୟ ବିଦ୍ୟୁତ୍ କରଣ, ବିଭିନ୍ନ ବିଜ୍ଞାପିତ ଅଂଚଳର ସମସ୍ୟା, ଗୋଟମା ବିମାନ ଅବତରଣ କେନ୍ଦ୍ରର ଉନ୍ନତି କରଣ, ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ସହିତ ଚିକିତ୍ସାଳୟ ମାନଙ୍କର ନୂତନ କୋଠା ନିର୍ମାଣ ଇତ୍ୟାଦି ବିଷୟ ଉପରେ ବିଶଦ ଆଲୋଚନା ହୋଇଥଲା l
ଜିଲ୍ଲାରେ ମାଓବାଦୀ ଦମନ ପାଇଁ ରାସ୍ତା ଘାଟର ଉନ୍ନତି ସହିତ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଜନସାଧାରଣଙ୍କୁ ସମସ୍ତ ସୁବିଧା ସୁଯୋଗ ତୁରନ୍ତ ଯୋଗାଇ ଦେବା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ lସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବନଖଣ୍ଡ ଅଧିକାରୀ ମହାଦେବ ବଡାଇକ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ୍ ନାଏକ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଗୁରୁପ୍ରସାଦ ଜେନାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସମସ୍ତ ନିର୍ବାହୀ ଯନ୍ତ୍ରୀ ଏବଂ ଲାଇନ୍ ବିଭାଗ ର ଅଧିକାରୀମାନେ ଯୋଗଦେଇଥିଲେ l ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉତ୍ସର୍ଗୀକୃତ ମନୋଭାବ ନେଇ ନିଜ ନିଜ ବିଭାଗର କାମ କରିବାକୁ ଜିଲ୍ଲାପାଳ ଆହ୍ବାନ କରିଥିଲେ l ଉପ ନିର୍ଦ୍ଦେଶକ ଯୋଜନା ଓ ସଂଯୋଜନ ବିଭାଗ ପରିମଳ ସାମଲ ଯୋଜନାର ରୂପରେଖ ପ୍ରସ୍ତୁତ କରିଥିଲେ l ସୂଚନା ଯୋଗ୍ୟ ଯେ ଶ୍ରୀଯୁକ୍ତ ଦାଶ ଜିଲ୍ଲାପାଳ ହିସାବରେ ଯୋଗଦାନ କରିବା ପରେ ଏହି ମାସିକ ଉନ୍ନୟନ ସମିତି ବୈଠକ ପ୍ରତି ମାସ ଅନୁଷ୍ଠିତ ହେଉଛି l ଏହା ଦ୍ବାରା ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା ପୂର୍ବକ କାମ ହେଉଥିବାରୁ ଏହାର ସୁଫଳ ମଧ୍ଯ ମିଳିବା ଆରମ୍ଭ ହୋଇଛି l