ହେଡଲାଇନସ୍:

ଡାଇରିଆରେ ୪ ଜଣଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଦାୟୀ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଘଟଣାର ୧୦ ଦିନ ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ଥାଣୁ

  •  ନୂଆ ସରକାର ଆସିବା ପରେ ପିଏଚ୍ସିରେ ତାଲା

  •  ନୂଆ ସରକାର ଆସିବା ପରେ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ କାମ ମଧ୍ୟ ବନ୍ଦ


ଭୁବନେଶ୍ୱର, ୨୧/୦୧/୨୦୨୫: ପୁରୀ ଜିଲ୍ଲାର କଣାସ ଅଞ୍ଚଳରେ ଡାଇରିଆରେ ୪ ଜଣଙ୍କ ମୃତ୍ୟୁ ଘଟଣାରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ଓ ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଘଟଣାରେ ୪ ଜଣଙ୍କ ମୃତୁ୍ୟ ଓ ଶତାଧିକ ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣରେ ଆଣିବା ପାଇଁ କୌଣସି ପ୍ରକାରର ତତ୍ପରତା ଦେଖାଇ ନାହାନ୍ତି ବୋଲି ଅଭିଯୋଗ କରିଥିଲେ ।
ଶ୍ରୀ ସାମନ୍ତରାୟ କହିଥିଲେ, କଣାସ ଅଞ୍ଚଳର ବାସିନ୍ଦାମାନେ ଗତ ୧୦ ଦିନ ହେବ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଓ ଏହା ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ସତ୍ତେ୍ୱ ରାଜ୍ୟ ସରକାରଙ୍କ ପ୍ରତିନିଧି ତ ଦୂରର କଥା, ସ୍ଥାନୀୟ ବିଧାୟକ ଓ ସାଂସଦ ମଧ୍ୟ ଗତକାଲି ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନଥିଲେ । ଗତକାଲି ସନ୍ଧ୍ୟାରେ ସେମାନେ ସେଠାରେ ପହଁଚିଲା ପରେ ଲୋକଙ୍କ ରୋଶର ଶିକାର ହୋଇଥିଲେ ।
ସେ କହିଥିଲେ, ଏହି ସମସ୍ୟା ମୁଖ୍ୟତଃ ଦୟା, ଲୁଣା ଓ ମକରା ନଦୀର ପ୍ରଦୂଷିତ ଜଳକୁ ଜନସାଧାରଣ ପିଇବା ପାଇଁ ବ୍ୟବହାର କରୁଥିବାରୁ ଘଟୁଛି ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ, ଗଙ୍ଗୁଆ ନଦୀର ଜଳରେ ଭୁବନେଶ୍ୱରର ସ୍ୱିଏଜ ପାଣି ମିଶୁଥିବାରୁ ଓ ଗଙ୍ଗୁଆ ନଦୀର ଜଳ ଦୟା ନଦୀରେ ମିଶୁଥିବାରୁ ଜଳ ପ୍ରଦୂଷିତ ହେଉଛି ଓ ଏହି ଜଳ ପାନୀୟ ଉପଯୋଗୀ ରହୁନାହିଁ ।
ପ୍ରଦୂଷିତ ସ୍ୱିଏଜ ଜଳକୁ ପ୍ରଦୂଷଣରୁ ରୋକିବା ପାଇଁ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପୂର୍ବ ସରକାର ୯୦୦ କୋଟି ଟଙ୍କା ମଞ୍ଜୁରୀ ଦେଇଥିଲେ । ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓ ନଗର ଉନ୍ନୟନ ବିଭାଗ, ଜଙ୍ଗଲ ପରିବେଶ ବିଭାଗର ସେକ୍ରେଟାରୀଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟ କାମ ପ୍ରାୟ ୮୦ ପ୍ରତିଶତ ଶେଷ ହୋଇଯାଇଥିଲା, ଯାହା ନୂତନ ସରକାର ଆସିବା ପରେ ବନ୍ଦ ହୋଇ ରହିଛି । ସେହିପରି, ଗଙ୍ଗୁଆ ଓ ଦୟା ନଦୀରେ ପ୍ରଦୂଷିତ ଜଳ ନମିଶିବା ଲାଗି ଆଉ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ଲାଗିବ ବୋଲି ଟେଣ୍ଡର ଡକାଯାଇଥିଲେ ସୁଦ୍ଧା ନୂଆ ସରକାର ଆସିବା ପରେ ଏହି କାର୍ଯ୍ୟ ଆଗକୁ ବଢ଼ୁନାହିଁ । କଣାସ ପିଏଚ୍ସିରେ ଏବେ ଚାବି ଝୁଲୁଛି । ସେଠାରେ କାର୍ଯ୍ୟରତ ଥିବା ଲୋକପ୍ରିୟ ଡାକ୍ତର ରମେଶ ବେହେରା, ବିଧାୟକଙ୍କ ଦୁର୍ବ୍ୟବହାର ଯୋଗୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ।
ୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପାଇ ଯୋଗେ ପ୍ରତି ଘରକୁ ଜଳ ଯୋଗାଣ ବ୍ୟବସ୍ଥା କାମ ପ୍ରାୟତଃ ଶେଷ ହୋଇ ଆସିଥିଲେ ମଧ୍ୟ ନୂଆ ସରକାର ଆସିବା ପରେ କାମ ବନ୍ଦ ହୋଇ ରହିଛି । ତେଣୁ ସରକାର ବ୍ୟବସ୍ଥିତ ହୋଇସାରିଥିବା କାର୍ଯ୍ୟକୁ ତୁରନ୍ତ କରନ୍ତୁ । ତାଛଡ଼ା, ରାଜ୍ୟ ସରକାର ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ତୁରନ୍ତ ଉଯୁକ୍ତ ଚିକିତ୍ସା ପ୍ରଦାନ କରନ୍ତୁ ଓ ଡାଇରିଆକୁ ନିୟନ୍ତ୍ରଣରେ ଆଣିବା ପାଇଁ ଆବଶ୍ୟକ ପଦକ୍ଷେ ନିଅନ୍ତୁ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରୁଛି ବୋଲି ଶ୍ରୀ ସାମନ୍ତରାୟ କହିଥିଲେ ।

0
0
0
s2sdefault