ହେଡଲାଇନସ୍:

ସଂକଟରେ ଭାତହାଣ୍ଡି, ପଦ୍ମପୁରର ଚାଷୀ କ୍ରମାଗତ ମରୁଡ଼ିର ଶୀକାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଂପୂର୍ଣ୍ଣ କୃଷି ଋଣ ଛାଡ଼ ଦାବିରେ ଚାଷୀଙ୍କ ବିଶାଳ ଚାଷୀ ସମାବେଶ

ପଦ୍ମପୁର/ନୀଳ ଦୀପ  -ଓଡ଼ିଶାର ଭାତହାଣ୍ଡି ଭାବରେ ପରିଚୟ ଲାଭ କରିଥିବା ବରଗଡ଼ ଜିଲ୍ଳାର ପଦ୍ମପୁର ଉପଖଣ୍ଡର ଚାଷୀମାନେ କ୍ରମାଗତ ଭାବରେ ମରୁଡ଼ିର ଶୀକାର ହୋଇ ଆସୁଛନ୍ତି । ସରକାରଙ୍କ ଇଚ୍ଛାଶକ୍ତିର ଅଭାବ କାରଣରୁ ଏହି ଅଂଚଳରେ ଜଳସେଚନର ବ୍ୟବସ୍ଥା ହୋଇପାରୁନାହିଁ । ଚାଷୀମାନେ ଋଣଗ୍ରସ୍ତ ହୋଇଚାଲିଛନ୍ତି । କୃଷକର ଉତ୍ପାଦିତ  ସାମଗ୍ରୀ ଏବଂ ଶ୍ରମର ଅବମୂଲ୍ୟାୟନ କରାଯାଉଛି । ଚାଷୀକୁ ଉଚିତ ଦର ମିଳୁନାହିଁ । ଏଥିପାଇଁ ଏକ ଜାତୀୟ ଆୟ କମିଶନ ଗଠନର ଆବଶ୍ୟକତା ରହିଛି ବୋଲି  ବରଗଡ଼ ଜିଲ୍ଳାର ପଦ୍ମପୁରଠାରେ ଅନୁଷ୍ଠିତ   ପଶ୍ଚିମ ଓଡ଼ିଶା ସ୍ତରୀୟ ବିଶାଳ କୃଷକ ସମାବେଶରେ ଆହ୍ୱାନ ଦିଆଯାଇଛି । ରାଜବୋରାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ସଙ୍ଗଠନର ସଭାପତି ବାଂଛାନିଧି ନାଏକଙ୍କ ଅଧ୍ୟକ୍ଷତାରେ ଏବଂ ଜୟ କିଶାନ ଆନ୍ଦୋଳନର ସମ୍ପାଦକ ରମେଶ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଚାଷୀ ସମାବେଶରେ ବିଶିଷ୍ଟ କୃଷକ ନେତା ତଥା ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି ଆବାହକ ଲିଙ୍ଗରାକ, ସଙ୍ଗଠନର ସମ୍ପାଦକ ଅଶୋକ ସାହୁ, ସରୋଜ ମହାନ୍ତି, ବ୍ୟୋମକେଶ ଠାକୁର, ପ୍ରମୁଖ ଯୋଗଦେଇ କୃଷି ଓ କୃଷକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମାବେଶରେ ସାତ ଦଫା ଉପରେ ଆଲୋଚନା ହୋଇଥିଲା । ପ୍ରମୁଖ ଦାବିଗୁଡ଼ିକ ମଧ୍ୟରୁ ଚାଷୀଙ୍କ ସମସ୍ତ କୃଷି ଋଣ ଛାଡ଼ କରିବା, ଧାନର ସର୍ବନିମ୍ନ ସହାୟକ ଦର ୨୯୩୦ ଟଙ୍କା କରାଯାଉ, ରାଜ୍ୟ ସରକାର ଚାଷୀମାନଙ୍କୁ ୫୦୦ ଟଙ୍କା ବୋନସ ପ୍ରଦାନ କରନ୍ତୁ, ୬୦ ବର୍ଷରୁ ଉର୍ଧ୍ଵ  ବୟସର ଚାଷୀଙ୍କୁ ମାସିକ ୫ ହଜାର ଟଙ୍କା ପେନସନ ପ୍ରଦାନର ବ୍ୟବସ୍ଥା କରାଯାଉ, ଜୈବିକ ଚାଷ ନିମନ୍ତେ ଚାଷୀମାନଙ୍କୁ ଏକର ପ୍ରତି ୧୦ ହଜାର ଟଙ୍କା ପ୍ରୋତ୍ସାହନ ପ୍ରଦାନ କରନ୍ତୁ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଘରୋଇ କମ୍ପାନୀ ମାନଙ୍କୁ ଅନ୍ତର୍ଭୁକ୍ତ କରା ନଯାଉ ଆଦି ଦାବି କରାଯାଇଥିଲା । ସଂପୂର୍ଣ୍ଣ ଋଣ ମୁକ୍ତି ତଥା ହକ୍ ଓ ଅଧିକାର ହାସଲ ପାଇଁ  ଆଗାମୀ ନଭେମ୍ବର ୩୦ ତାରିଖ ଦିନ ନୂଆଦିଲ୍ଲୀଠାରେ ହେବାକୁ ଥିବା ସର୍ବଭାରତୀୟ କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ । ଏହି ସମାବେଶରେ ବରଗଡ଼,ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବଲାଙ୍ଗିର, ଆଦି ଜିଲ୍ଳାରୁ ବହୁସଂଖ୍ୟାରେ କୃଷକ ପ୍ରତିନିଧି ଯୋଗ ଦେଇଥିଲେ ।

0
0
0
s2sdefault