ହେଡଲାଇନସ୍:

ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେ ନାହିଁ, ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ବିଜୁ ଜନତା ଦଳର ପ୍ରଧାନମନ୍ତ୍ରୀ ଚେହେରା କିଏ, ଏହା ସେମାନେ ସ୍ପଷ୍ଟ କରିବେ କି ?
• ଏଥର ସମ୍ବଲପୁର ଓଡ଼ିଶା ରାଜନୀତିର ନିର୍ଣ୍ଣୟ କରିବ
• ଯେଉଁମାନେ ଦୀର୍ଘ ୨୪ ବର୍ଷ ଧରି ଶାସନ କଲେ, ସେମାନେ ଓଡ଼ିଶାର ମୌଳିକ ସମସ୍ୟା ପ୍ରସଙ୍ଗରେ ବିଜେପି ପ୍ରଶ୍ନର ଉତ୍ତର କାହିଁକି ଦେଉନାହାନ୍ତି ?
• ସୁନା ଚାମଚ ନେଇ ଜନ୍ମ ହୋଇଥିବା ଲୋକ ଗରିବର ଦୁଃଖ ବୁଝନ୍ତି ନାହିଁ
• ପ୍ରଧାନମନ୍ତ୍ରୀ ମୋଦୀ ଗରିବ ପରିବାରର ପିଲା, ସେ ଗରିବଙ୍କ କଲ୍ୟାଣ କରିବେ
• ଓଡ଼ିଶାବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଥିବା ବିଶ୍ୱସନୀୟତା ଭୋଟରେ ପ୍ରତିଫଳିତ ହେବ
• ଅଧିକ ଭୋଟ୍ ଦେବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନ ପ୍ରଶଂସନୀୟ
• ଗଣତନ୍ତ୍ରକୁ ମଜଭୂତ୍ କରିବା ପାଇଁ ହେଲେ ଅଧିକ ଭୋଟ୍ ହେବା ଦରକାର

ସମ୍ବଲପୁର, ମଇ ୦୯ – ଶାସକ ଦଳ ବିଜେଡି ମଧ୍ୟରେ ଡର ପଶିଗଲାଣି । ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେ ନାହିଁ । ଲୋକଙ୍କୁ ଠକିଲେ ହିଁ ଲୋକମାନେ ତାକୁ ହିଁ ଭାଙ୍ଗି ଦିଅନ୍ତି । ଓଡ଼଼ିଆ ଲୋକମାନେ ଏଥର ବିଜେଡିକୁ ହରାଇ ଦଳକୁ ଭଙ୍ଗେଇ ଦେବେ ବୋଲି ବିଜେଡିକୁ ବିଜେପି ଭାଙ୍ଗି ଦେବା ଅଭିଯୋଗ ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶାବାସୀଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିଶ୍ୱସନୀୟତା ଏଥର ରାଜ୍ୟର ବିଧାନସଭା ଓ ଲୋକସଭା ଭୋଟରେ ପ୍ରତିଫଳିତ ହେବ । ଆମର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ । ବିଜୁ ଜନତା ଦଳର ପ୍ରଧାନମନ୍ତ୍ରୀ ଚେହେରା କିଏ, ଏହା ସେମାନେ ସ୍ପଷ୍ଟ କରିବେ କି ? ଏଥର ଓଡ଼ିଶାବାସୀ ୨୧ରୁ ୨୧ ଲୋକସଭା ପାଇଁ ଆଶୀର୍ବାଦ କରିବେ । କାରଣ ମୋଦୀ ଓଡ଼ିଶାର ଅନେକ ବିକାଶ ମୂଳକ ଯୋଜନା କରିଥିବାରୁ ଲୋକଙ୍କ ଭରସା ବଢିଛି । ଗତ ୧୦ ବର୍ଷରେ ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କାର ଅନୁଦାନ ଆସିଛି । ୩୪ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି । ୫୦ ଲକ୍ଷ ଚାଷୀ କୃଷକ ସମ୍ମାନ ନିଧିରେ ଟଙ୍କା ପାଇଛନ୍ତି । ମନରେଗାରେ ରେକର୍ଡ ପରିମାଣର ଅନୁଦାନ ଆସିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ୨୪ ବର୍ଷ ହେଲା ଗୋଟିଏ ସରକାର ଶାସନରେ ରହି ଓଡ଼ିଶାକୁ ଅବହେଳିତ କରି ରଖିଛନ୍ତି । କଂଗ୍ରେସ ଲମ୍ବା ବର୍ଷ ଧରି ଶାସନରେ ରହିଲା । ବିଜେଡିକୁ ୨୪ ବର୍ଷ ଧରି ଅବସର ମିଳିଲା । ଏଥର ବିଜେପିକୁ ସୁଯୋଗ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ସମ୍ଭାବନା ଥିବା ସତ୍ତ୍ୱେ ଗରିବ କାହିଁକି ? ଯୁବକ କାମ ଧନ୍ଦା ନ ପାଇ ଦାଦନ କାହିଁକି ଯାଉଛନ୍ତି ? ବିଦ୍ୟାଳୟରେ ଶିକ୍ଷକ, ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଶୀତଳ ଭଣ୍ଡାର ନାହିଁ । ଆଦିବାସୀ ଜମି ବିକ୍ରି କରିବାର ଷଡ଼ଯନ୍ତ୍ର ସରକାର କରିଥିଲେ । ବିଜେପିକୁ ସୁଯୋଗ ଦିଆଗଲେ ଓଡ଼ିଶାକୁ ଏକ ନମ୍ବର କରାଯିବ ବୋଲି ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି । ହେଲେ ଏଠାକାର ନେତା ମୋଦୀଙ୍କୁ ଟାହିଟାପରା କରୁଛନ୍ତି । ୨୪ ବର୍ଷ ପ୍ରତାରଣା କରି ବିଜେଡି ମିଛ କହୁଛି ନା ୧୦ ବର୍ଷରେ ବିକାଶ କରି ମୋଦୀ ମିଛ କହୁଛନ୍ତି ? ଯେଉଁମାନେ ଦୀର୍ଘ ୨୪ ବର୍ଷ ଧରି ଶାସନ କଲେ, ସେମାନେ ଓଡ଼ିଶାର ମୌଳିକ ସମସ୍ୟା ପ୍ରସଙ୍ଗରେ ବିଜେପି ପ୍ରଶ୍ନର ଉତ୍ତର କାହିଁକି ଦେଉନାହାନ୍ତି ? ସୁନା ଚାମଚ ନେଇ ଜନ୍ମ ହୋଇଥିବା ଲୋକ ଗରିବର ଦୁଃଖ ବୁଝନ୍ତି ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ଗରିବ ପରିବାରର ପିଲା । ସେ ଗରିବଙ୍କ କଲ୍ୟାଣ କରିବେ । ଓଡ଼ିଶା ମୋଦୀଙ୍କ ନେତୃତ୍ୱରେ ବିକାଶ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଗଣମାଧ୍ୟମର ପୃଥକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ରାଜ୍ୟ ଓ ଦେଶର ପ୍ରଜାତନ୍ତ୍ର ବହୁତ ମଜଭୂତ୍ ।ସମ୍ବଲପୁର ରାଜ୍ୟ ରାଜନୀତିର ଗୋଟିଏ ବଡ ପେଣ୍ଠସ୍ଥଳୀ । ଏଥର ସମ୍ବଲପୁର ଓଡ଼ିଶା ରାଜନୀତିର ନିର୍ଣ୍ଣୟ କରିବ । ସମ୍ବଲରପୁର ଏଥର ଯାହା ନିର୍ଣ୍ଣୟ କରିବ, ଓଡ଼ିଶା ହିଁ ସେହି ନିର୍ଣ୍ଣୟକୁ ଦୋହରାଇବ । ସମ୍ବଲପୁର ମୋଦୀଙ୍କ ସାଙ୍ଗରେ ଅଛି ।

ସେ ଆହୁରି କହିଛନ୍ତି ଯେ ଗଣତନ୍ତ୍ରରେ ଯେଉଁମମାନେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେମାନେ ନିରାଶ ହେବା ଉଚିତ୍ ନୁହେଁ । ସମସ୍ତେ ଜିତିବା ପାଇଁ ଲଢେଇ କରିବା ଦରକାର । ଲଢିଲେ ହିଁ ଲୋକମାନେ ଅଧିକ ଭୋଟ୍ ଦେଲେ ଆମ ଦେଶର ପ୍ରଜାତନ୍ତ୍ର ଅଧିକ ମଜଭୂତ୍ ହେବ । ଅଧିକ ଭୋଟ୍ ଦେବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନ ପ୍ରଶଂସନୀୟ । ଗଣତନ୍ତ୍ରକୁ ମଜଭୂତ୍ କରିବା ପାଇଁ ହେଲେ ଲୋକମାନେ ଅଧିକ ଭୋଟ୍ ହେବା ଦରକାର । ଗଣତନ୍ତ୍ରରେ ଭୋଟଦାନ ସବୁଠୁ ବଡ ଅଧିକାର । ଲୋକମାନଙ୍କୁ ସ୍ଥାନୀୟ ସରକାର ବିରୋଧରେ ଅଧିକରୁ ଅଧିକ ଭୋଟ୍ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

0
0
0
s2sdefault