ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ ଜିଲ୍ଲାପାଳ ମନୋଜ ସତ୍ୟବନ ମହାଜନ ଗୁଣପୁର ଗସ୍ତ କରି ନିର୍ବାଚନୀ କାର୍ଯ୍ୟର ତଦାରଖ କରିଥିଲେ । ଆସନ୍ତା 13 ମଇରେ ଗୁଣପୁର ବିଧାନସଭା ଓ କୋରାପୁଟ ଲୋକ ସଭା ନିମନ୍ତେ ହେବାକୁ ଥିବା ନିର୍ବାଚନ କାର୍ଯ୍ୟର ପ୍ରସ୍ତୁତି ତଦାରଖ କରିଥିଲେ । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଡିସ୍ ଭର୍ସଲ ଓ ରିସିଭ କେନ୍ଦ୍ର ହେବାକୁ ଥିବା ବେଳେ ମିନି ଷ୍ଟାଡିୟମରେ ଗାଡି ପାର୍କିଂର ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ଗତ 4ତାରିଖରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କମିଶନିଂ ଚାଲିଥିଲା ତାହା ଆଜି ଶେଷ ହୋଇଛି, ଆଜିଠାରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୋଷ୍ଟାଲ ବେଲଟ ବ୍ୟବସ୍ଥା ହୋଇଛି, ଯେଉଁଥିରେ ଦିବ୍ୟ।ଙ୍ଗ, 85ବର୍ଷରୁ ଅଧିକ ବୟସ୍କ ଭୋଟର, ପୋଲିସ, ସ୍ୱାସ୍ଥ୍ୟ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗୀୟ କର୍ମଚାରୀ ମତଦାନ କରି ପାରିବେ ବୋଲି ଜିଲ୍ଲାପାଳ କହିଥିଲେ । ଗୁଣପୁରର 289 ପୋଲିଂ ଷ୍ଟେସନ ପାଇଁ ନିୟୋଜିତ ହେବାକୁ ଥିବା କର୍ମଚାରୀ, ପୋଲିସ କର୍ମଚାରୀ କିପରି ବୁଥରେ ପହଁଚି ସେମାନଙ୍କ କାର୍ଯ୍ୟ ସୁରୁଖୁରରେ କରି ପାରିବେ ସେନେଇ ଉପ ଜିଲ୍ଲାପାଳ କୀରଣ ଦୀପ କୌରଙ୍କ ସହ ଆଲୋଚନା କରିଥିଲେ ।
ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଉପ ଜିଲ୍ଲାପାଳଙ୍କ ସମେତ ଡେପୁଟି କଲେକ୍ଟର ମଧୁସୂଦନ ମାଝି, ଗୁଣପୁର ବିଡ଼ିଓ ଶୁଭ୍ରାଂଜଳି ପ୍ରଧାନ, ତହସିଲଦାର ଲୀଳାବତୀ ଆଚାର୍ଜି, ରାମନାଗୁଡା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ, ପଦ୍ମପୁର ତହସିଲଦାର ଦୀପ୍ତିମୟୀ ପାତ୍ର, ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ବିପିନ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।