ହେଡଲାଇନସ୍:

ଜିଲ୍ଲାବ୍ୟାପୀ ମତଦାନ ହାର ବୃଦ୍ଧି ଉଦ୍ଦେଶ୍ୟ ନେଇ ଭୋଟର ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଚଳିତ ମାସର ଆସନ୍ତା ୧୩ ତାରିଖ ଦିନ ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ।
ଏହି ପରିପ୍ରେକ୍ଷୀରେ ନିର୍ବାଚନ ବେଳେ ଜିଲ୍ଲାବ୍ୟାପୀ ମତଦାନ ହାରକୁ ଅଧିକରୁ ଅଧିକ ବଢାଇବା ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ପାଇଁ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
ନିଶ୍ଚିତ ଭୋଟ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯିବା ସହ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ମୁଖ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ଗନ୍ଧମ ଚନ୍ଦୃଡୁ ପ୍ରମୁଖ ମିଳିତ ଭାବେ ଭୋଟର ସଚେତନତା ପାଇଁ ଓଡ଼ିଆ , ତେଲୁଗୁ , ସଉରା ଓ କୁଇ ଭାଷାରେ ପ୍ରସ୍ତୁତ ହୋଇଥିବା ଅଡିଓ କେସେଟ ସମେତ ସେଲଫି ପଏଣ୍ଟ ଏବଂ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
ଜିଲ୍ଲାରେ ଭୋଟର ମାନଙ୍କ ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ୪ଟା ଭାଷା ଯଥା : ଓଡ଼ିଆ , ତେଲୁଗୁ , ସଉରା ଓ କୁଇ ଭାଷା ଉପରେ ଅଡିଓ କେସେଟ୍ ଉନ୍ମୋଚନ ହେବା ପରେ ଅତିଥି ମାନେ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ଏକ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ। ପରେ ସେଲଫି ପଏଣ୍ଟ ରେ ଯୋଗ ଦେଇଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଛନ୍ତି ଯେ , ଗତ ୨୦୧୯ ସାଧାରଣ ନିର୍ବାଚନରେ ଗଜପତି ଜିଲ୍ଲାରେ ୭୧ ପ୍ରତିଶତ ମତଦାନ ହୋଇଥିଲା। ଚଳିତ ନିର୍ବାଚନରେ ମତଦାନ ହାର ବଢାଇବା ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ଯେଉଁ ନିୟମାବଳୀ ରହିଛି , ସେହି ନିୟମକୁ ଅନୁସରଣ କରି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ , ଆସନ୍ତା ୧୩ ତାରିଖ ଦିନ ଅନୁଷ୍ଠିତ ନିର୍ବାଚନ ପର୍ବରେ ସମସ୍ତେ ସାମିଲ ହୋଇ ଭୋଟ ଦିଅନ୍ତୁ ଏବଂ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ।
ନିର୍ବାଚନ ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ଭାବେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସମସ୍ତ ମତଦାନ କେନ୍ଦ୍ର ଠାରେ ହିଟ ୱେଭ୍ କୀଟ ରଖାଯିବ। ସେଥିରେ ଓଆରଏସ ଓ ପାରାସିଟାମଲ ସମେତ ଅନ୍ୟାନ୍ୟ ଜିନିଷ ରହିଛି। ଏଥିସହ ସମସ୍ତ ମତଦାନ କେନ୍ଦ୍ର ଠାରେ ଜଣେ ପାରା ମେଡିକୋ ରହିବା ସହ ସେକ୍ଟର ଅଫିସର ମାନଙ୍କ ଠାରେ ମଧ୍ୟ ଜଣେ ପାରା ମେଡିକୋ ରହିବେ ଏବଂ ତାଙ୍କ ପାଖରେ ମଧ୍ୟ ୫/୬ ଟି ଜିନିଷ ଥିବା ଏକ ମେଡିକାଲ କୀଟ ରହିବ। ସମସ୍ତ ମତଦାନ କେନ୍ଦ୍ର ଠାରେ ଧାଡ଼ିରେ ଥିବା ମତଦାତା ଙ୍କ ପାଇଁ ଛାଇ ପାଇଁ ଛାଉଣୀ ମଧ୍ୟ ବ୍ୟବସ୍ଥା କରାଯିବ।
ନିର୍ବାଚନ କାମ ପାଇଁ ଯେଉଁ ସର୍ଚ୍ଚିକାଲ ସେକ୍ଟର ଅଫିସର ରହିଛନ୍ତି ଏବଂ ତାଙ୍କର ଯେଉଁ ରୁଟ ରହିଛି , ସେହି ରୁଟ ରେ ଯିବା ବେଳେ ଯଦି କୌଣସି କାଳବୈଶାଖୀ କି ରାସ୍ତା ଅବରୋଧ ଭଳି ପରିସ୍ଥିତି ଉପୁଜେ ତା ହେଲେ ତାର ମଧ୍ୟ ବିକଳ୍ପ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ସଂପୃକ୍ତ ମାନଙ୍କୁ ନେଇ ରୁଟ ମେପ ଉପରେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ପ୍ରଶିକ୍ଷଣ ମଧ୍ୟ ଦିଆହୋଇଛି। ଏଥିସହିତ ବିଏଲ୍ଓ ମାନଙ୍କୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଛି।
ଅନ୍ୟପକ୍ଷରେ ସମସ୍ତ ମତଦାନ କେନ୍ଦ୍ର ମାନଙ୍କରେ ୧୪ ରୁ ୧୭ ବର୍ଷ ବୟସର ସ୍ୱେଚ୍ଛାସେବୀ ଯେଉଁ ମାନଙ୍କ କି ଭୋଟ ଦେବାର ଅଧିକାର ନାହିଁ , ସେମାନଙ୍କୁ ନିୟୋଜିତ କରାଯିବ , ସେମାନେ ମୁଖ୍ୟତଃ ଭୋଟର ମାନଙ୍କ ଧାଡ଼ି ସଜାଡ଼ିବେ , ପାଣି ଦେବେ , ବୁଢ଼ାବୁଢ଼ୀ ମାନଙ୍କୁ ଆବଶ୍ୟକ ସ୍ଥଳେ ହୂଇଲ ଚେୟାର ବ୍ୟବସ୍ଥା କରିବା ସହ ସେମାନଙ୍କୁ ସାହାଯ୍ୟ କରିବେ ପ୍ରଭୃତି ବ୍ୟବସ୍ଥା କରାଯାଇଛି।
ଏତଦ୍ ବ୍ୟତୀତ କାଶୀନଗର ଏନଏସି ଠାରେ ୩୦ ଜଣ ଏନ୍ ସି ସି କେଡେଟଙ୍କୁ ମଧ୍ୟ ନିୟୋଜିତ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ , ଜିଲ୍ଲା ପରିଷଦ , ଗଜପତି , ଡ଼ଃ ଗୁଣନିଧି ନାୟକ , ଓଏଲଏମ ର ଡିପିଏମ ଶ୍ରୀ ଟିମନ ଵାରା , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠି , ନିର୍ବାଚନ ଶାଖାର ଡେପୁଟି କଲେକ୍ଟର ଶ୍ରୀ କମଳା କାନ୍ତ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ମତଦାନ ହାର ବଢାଇବା ଅଭିଯାନର ଦଳ ତଥା ଟିମ ର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

0
0
0
s2sdefault