୧୫ ହଜାରରୁ ଊର୍ଦ୍ଧ୍ବ ଜନ ସମାଗମ
ଫୁଲବାଣୀ: କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଗୁରୁବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ପୂର୍ବାହ୍ନ ୯.୩୦ ମିନିଟରେ ଶ୍ରୀ ସାମନ୍ତ ଫୁଲବାଣୀ ସହର ମାଦିକୁନ୍ଦା ଛକ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତାଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କନ୍ଧମାଳ ଜିଲ୍ଲାପାଳ ତଥା କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ ରିଟର୍ଣ୍ଣିଙ୍ଗ ଅଫିସର ଆଶିଷ ଈଶ୍ଵର ପାଟିଲଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
ପ୍ରାର୍ଥୀପତ୍ର ଦାଖଲ ଶୋଭାଯାତ୍ରାରେ ଶ୍ରୀ ସାମନ୍ତଙ୍କ ସହ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀର ଵିଜେଡି ବିଧାୟିକା ପ୍ରାର୍ଥୀ ଜୟଶ୍ରୀ କହଁର, ଜି.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ, ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା, କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ମହୀଧର ରଣା, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା କନ୍ଧମାଳ ଜିଲ୍ଲା ଵିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କର୍ଣ୍ଣ ଏଵଂ କନ୍ଧମାଳ ଜିଲ୍ଲା ଵିଜେଡି ସଭାପତି ଅଙ୍ଗଦ କହଁର ପ୍ରମୁଖ ସାମିଲ ହୋଇଥିଲେ। ଏଥିରେ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀର ୧୫ ହଜାରରୁ ଊର୍ଦ୍ଧ୍ବ ବିଜେଡ଼ି କର୍ମୀ, ସମର୍ଥକ ଓ ସାଧାରଣ ଜନତା ଯୋଗ ଦେଇଥିଲେ।