ହେଡଲାଇନସ୍:

ସରକାର ଆସିଲେ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଚାଲୁଥିବା ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ, ଲୋକମାନେ ଦୁଇ ଗୁଣା ଲାଭ ପାଇବେ- ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

• ମୁଖ୍ୟମନ୍ତ୍ରୀ ଭଡାରେ ଯେଉଁ ନେତା ଆଣିଛନ୍ତି, ସେ ବିଜେପି କ୍ଷମତାକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ ଯୋଜନା ବନ୍ଦ ହୋଇଯିବ ବୋଲି ମିଛ ପ୍ରଚାର କରୁଛନ୍ତି
• ହୀରାକୁଦ ଅଂଚଳରେ ହଇଜା ବ୍ୟାପିବା ୨୪ ବର୍ଷ ଲମ୍ବା ଶାସନର ଚରମ ବିଫଳତା
• ସମ୍ବଲପୁର ମହାନଗର ନିଗମ ନିର୍ବାଚନରୁ ୧୦ ବର୍ଷ ବଞ୍ଚିତ ରଖି କୋର୍ଟ୍ ବାହାନାରେ ମୁହଁ ଲୁଚାଉଛନ୍ତି ସରକାର
• ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ସମ୍ବଲପୁରକୁ କାଶୀଧାମ ପରି ଭବ୍ୟ କରିବା ପାଇଁ ପ୍ରଚେଷ୍ଟା କରାଯିବ
• କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୁବ ସମାଜସେବୀ ରାମଦାସ ପଣ୍ଡାଙ୍କ ସମେତ ଅନେକ ଗଣମାନ୍ୟ ବ୍ୟକ୍ତି ହେଲେ ସାମିଲ
• ସମ୍ବଲପୁର ଜିଲ୍ଲାରେ ବିଜେପିର ସଂଗଠନାତ୍ମକ ଶକ୍ତି ମଜଭୂତ ସହ ଜନାଧାର ବୃଦ୍ଧି ହେବ


ସମ୍ବଲପୁର, ଏପ୍ରିଲ ୩୦: ମୁଖ୍ୟମନ୍ତ୍ରୀ ଭଡାରେ ଯେଉଁ ନେତା ଆଣିଛନ୍ତି, ସେ ରଜ୍ୟରେ ବିଜେପି କ୍ଷମତାକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ ଯୋଜନା ବନ୍ଦ ହୋଇଯିବ ବୋଲି ମିଛ ପ୍ରଚାର କରୁଛନ୍ତି । ସେମାନେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ ଯୋଜନା ସହ ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି କାହିଁକି ? ମୂଳ ବିଷୟ ଓଡ଼ିଆ ଲୋକମାନେ ଚିକିତ୍ସା ସେବା ପାଇବା ଦରକାର । ବିଜେପି ସରକାର ଆସିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବନ୍ଦ କରିବ ନାହିଁ । ଲୋକଙ୍କ ହିତ ପାଇଁ ଚାଲୁଥିବା ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନାକୁ ଯୋଡ଼ିବ । ଓଡ଼ିଆ ଲୋକ ଦୁଇ ଗୁଣା ଲାଭ ପାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Imageମଙ୍ଗଳବାର ସମ୍ବଲପୁରର ଚେରୁଆପଡ଼ା ହାଉସିଂ କଲୋନୀରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନ କହିଛନ୍ତି, ମା’ ସମଲେଇଙ୍କ ଭୂମି ସମ୍ବଲପୁର ଓଡ଼ିଶାର ପ୍ରମୁଖ ଆଧ୍ୟାତ୍ମିକ ସହର । ଅନେକ ମଠ ମନ୍ଦିରର ସହର ସମ୍ବଲପୁର କିନ୍ତୁ ଆଜି ଯେଉଁ ଅବସ୍ଥାରେ ଥିବା କଥା, ସେହି ଅବସ୍ଥାରେ ନାହିଁ । ଦୁର୍ଭାଗ୍ୟବଶତଃ ଦୀର୍ଘ ୨୪ ବର୍ଷ ଶାସନରେ ବହୁତ ଖରାପ ଅବସ୍ଥାରେ ଅଛି । ରାସ୍ତା, ଡ୍ରେନଜ୍ ସମସ୍ୟା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ । ହୀରାକୁଦ ଅଂଚଳରେ ହଇଜା ବ୍ୟାପିବା ହିଁ ୨୪ ବର୍ଷ ଲମ୍ବା ଶାସନର ଚରମ ବିଫଳତା । ଆଧୁନିକ ଜୀବନଶୈଳୀର ଭିତ୍ତିଭୂମି ତିଆରି କରିବାରେ ସରକାର ବିଫଳ । ସମ୍ବଲପୁର ସହରକୁ ମହାନଗର ନିଗମ କରାଗଲା । ସମ୍ବଲପୁରର ଉନ୍ନତି ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ । ରାଜ୍ୟ ସରକାର ସମ୍ବଲପୁରକୁ ମହାନଗର ନିଗମ କଲେ । ଏହା ସତ୍ତ୍ୱେ ୧୦ ବର୍ଷ ହେବ ସ୍ଥାନୀୟ ଲୋକମାନଙ୍କୁ ମହାନଗର ନିଗମ ନିର୍ବାଚନ ପାଇଁ ସୁଯୋଗ ଦିଆଯାଇନାହିଁ । ରାଜ୍ୟ ସରକାର କୋର୍ଟର ବାହାନାରେ ଏହି ପ୍ରସଙ୍ଗରୁ ମୁହଁ ଲୁଚାଉଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ImageImageଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ ଅଫିସର ରାଜ୍ ଚାଲିଛି । ଗରିବ ଲୋକଙ୍କ କଥା କିଏ ବୁଝୁଛି ? ଏ ସରକାର ଗଣତନ୍ତ୍ର ବିରୋଧୀ ସରକାର । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ଆଧ୍ୟାତ୍ମିକ ସହର ସମ୍ବଲପୁରକୁ କାଶୀ ଭଳି ସମ୍ବଲପୁରର ଶତାବ୍ଦୀ ଶତାବ୍ଦୀର ମର୍ଯ୍ୟାଦାକୁ ପୁନପ୍ରତିଷ୍ଠା କରାଯିବ । ସମ୍ବଲପୁରକୁ କାଶୀ ଭଳି ଭବ୍ୟ ଓ ପବିତ୍ରସ୍ଥଳୀ କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୁବ ସମାଜସେବୀ ରାମଦାସ ପଣ୍ଡାଙ୍କ ସମେତ ଅନେକ ଗଣମାନ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ସେ କହିଥିଲେ ସମ୍ବଲପୁର ଜିଲ୍ଲାରେ ବିଜେପିର ସଂଗଠନାତ୍ମକ ଶକ୍ତି ମଜଭୂତ ସହ ଜନାଧାର ବୃଦ୍ଧି ହେବ । ମିଶ୍ରଣ ପର୍ବରେ ଗୁରୁଜନଙ୍କ ଆଶୀର୍ବାଦ, ମା’ ମାନଙ୍କ ଉତ୍ସାହ, ଯୁବ ବନ୍ଧୁ ମାନଙ୍କ ଉନ୍ମାଦନା ଓଡ଼ିଶାରେ ରାଜନୀତିର ଦିଶା ଓ ଭବିଷ୍ୟତର ପ୍ରମାଣ ଦେଉଛି । ଓଡ଼ିଶାରେ ପରିବର୍ତ୍ତନ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସମ୍ବଲପୁର ଚେରୁଆପଡା ହାଉସିଂ କୋଲୋନୀରେ ଆୟୋଜିତ ମିଶ୍ରଣ ପର୍ବରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ଜିଲ୍ଲା ସଭାପତି ଗିରିଶ ପଟେଲ, ବରିଷ୍ଠ ବିଜେପି ନେତା ଡ଼ ପ୍ରମୋଦ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault